Unknown

 

 

 

 

 

 

 

 

 

ଚନ୍ଦ୍ରକଳା

ବଳଦେବ ରଥ

 

ସୂଚୀପତ୍ର

 

୧.

ପ୍ରଥମ ଛାନ୍ଦ

ରାଗ – ମଙ୍ଗଳଗୁଜ୍ଜରୀ

୨.

ଦ୍ୱିତୀୟ ଛାନ୍ଦ

ରାଗ – କେଦାରକାମୋଦୀ

୩.

ତୃତୀୟ ଛାନ୍ଦ

ରାଗ – କୃଷ୍ଣକଳା

୪.

ଚତୁର୍ଥ ଛାନ୍ଦ

ରାଗ – ବଙ୍ଗଳାଶ୍ରୀ

୫.

ପଞ୍ଚମ ଛାନ୍ଦ

ରାଗ – କୌଶିକ

୬.

ଷଷ୍ଠ ଛାନ୍ଦ

ରାଗ – ଘଣ୍ଟାରବ

୭.

ସପ୍ତମ ଛାନ୍ଦ

ରାଗ – କଲ୍ୟାଣଆହାରୀ

୮.

ଅଷ୍ଟମ ଛାନ୍ଦ

ରାଗ - କେଦାର ଚକ୍ରକେଳି ବାଣୀ

୯.

ନବମ ଛାନ୍ଦ

ରାଗ – ରସକୁଲ୍ୟା

୧୦.

ଦଶମ ଛାନ୍ଦ

ରାଗ – ବସନ୍ତ

୧୧.

ଏକାଦଶ ଛାନ୍ଦ

ରାଗ – ସିନ୍ଧୁଡ଼ା

୧୨.

ଦ୍ଵାଦଶ ଛାନ୍ଦ

ରାଗ – ରାମକାରୀ

୧୩.

ତ୍ରୟୋଦଶ ଛାନ୍ଦ

ରାଗ – ଚୋଖି

୧୪.

ଚତୁର୍ଦ୍ଦଶ ଛାନ୍ଦ

ରାଗ –ଶଙ୍କରାଭରଣ

୧୫.

ପଞ୍ଚଦଶ ଛାନ୍ଦ

ରାଗ – ଚିନ୍ତାକେଦାର

୧୬.

ଷୋଡ଼ଶ ଛାନ୍ଦ

ରାଗ – କାମୋଦୀ

୧୭.

ସପ୍ତଦଶ ଛାନ୍ଦ

ରାଗ – କନଡ଼ା

୧୮

ଅଷ୍ଟାଦଶ ଛାନ୍ଦ

ରାଗ – ଆଷାଢ଼ଶୁକ୍ଳ

 

***

 

ପ୍ରଥମ ଛାନ୍ଦ

ରାଗ – ମଙ୍ଗଳଗୁଜ୍ଜରୀ

(ପୁରୀ ଜଗନ୍ନାଥ ମନ୍ଦିର ବେଢ଼ାର ଦେବାଦେବୀଙ୍କ ସ୍ତୁତି)

 

ଜୟ ଲବଣଜଳଧି ତୀରଅଳଙ୍କାର ।

ଜୟ ଜମ୍ବୁଦୀପ ଜମ୍ବୁମଧ୍ୟ କ୍ଷେତ୍ରବର ହେ  ।୧।

 

କଷ୍ଟଧ୍ୱଂସୀ ଅଷ୍ଟ ଅଷ୍ଟମୂର୍ତ୍ତି ଜୟ ଜୟ ।

ବସୁସଂଖ୍ୟ ଭବାନୀ କର ମୋ ଭୟ କ୍ଷୟ ହେ ।୨।

 

ମାର୍କଣ୍ଡେୟ ସିତଗଙ୍ଗା ଶ୍ରୀ ରୋହିଣୀକୁଣ୍ଡ ।

ତୀର୍ଥରାଜ ଇନ୍ଦ୍ରଦ୍ୟୁମ୍ନ କଳିତାପ ଖଣ୍ଡ ହେ ।୩।

 

ଯହିଁ ମହେନ୍ଦ୍ରଚରମେ ବେତ୍ରବଲ୍ଲୀ ଖେଳ ।

ଦୀନ ପ୍ରପନ୍ନ ପ୍ରବେଶ ହୋଏ ନିରର୍ଗଳେ ହେ ।୪।

 

ସେ ସିଂହଦ୍ୱାରକୁ ରଚି ଲକ୍ଷେ ନମସ୍କାର ।

ଆଶା କରିଅଛି ତରିବାକୁ ଏ ସଂସାର ଯେ ।୫।

 

ପତିତ ଉଦ୍ଧାର ତ ଆମ୍ଭର ଆବଶ୍ୟକ ।

ଅବଲମ୍ବ କରିଛନ୍ତି ମୁମୁକ୍ଷୁ ଅନେକ ଯେ ।୬।

 

ଆଗ ପଛ ହେଲେ ହେବ ପ୍ରଭୁପଣ କ୍ଷତି ।

ଏହି ଚିନ୍ତାରେ ଯେ ଚିତ୍ର ପରି ଆଭାସନ୍ତି ଯେ ।୭।

 

ସେ ପତିତପାବନଙ୍କ ଚରଣକମଳେ ।

ବନ୍ଦେ ନନ୍ଦାବର୍ତ୍ତତଳ ବନ୍ଦାପନା ବେଳେ ଯେ ।୮।

 

ଭବଭୟରାଶିକି ଯେ ନାଶିବାରେ କ୍ଷମ ।

କାଶୀଶ୍ୱର ସେହି ପରକାଶିବେ ମୋ କ୍ଷେମ ଯେ ।୯।

 

କାକଚଞ୍ଚୁପୁଟଭ୍ରଷ୍ଟ ଯାହାଙ୍କର ଲବ ।

ବିତରନ୍ତି ତ୍ରିଲୋକ ନିର୍ବାଣ ମହୋତ୍ସବ ଯେ ।୧୦।

 

ସେ ଶ୍ରୀ ମହାପ୍ରସାଦ ସୈାରଭ ନିକେତନ ।

ମୋ ଶରଣ ଦ୍ୱାବିଂଶତି ସଂଖ୍ୟକ ସୋପାନ ଯେ ।୧୧।

 

ବିରଚିତ ସୂଚିକର୍ମରୁଚି ମନୋହର ।

ହରଷ ବରଷ ଭୋଗମଣ୍ଡପ ମୋହର ହେ ।୧୨।

 

ଅଜାଣ ନଗଜାପତି ଜଗତ ଜୀବାତୁ ।

ଆତୁରତା ନାଶ ଆନନ୍ଦେ ମୋ ଚିତ୍ତ ମାତୁ ହେ ।୧୩।

 

ସ୍ୱଦିଗକୁ ପତିତବ୍ରଜକୁ ଧରି ବଳେ ।

ଶମନଙ୍କର କିଙ୍କରେ ଘେନିଯିବା ବେଳେ ଯେ ।୧୪।

 

କରଜଲଜର ଚକ୍ରେ ତରଜନ କରି।

ଉଦାଚୀକି ଛାଡ଼ ବୋଲି ଦେଲାପରି ଠାରି ଯେ ।୧୫।

 

ସେହି ଦିଗେ କରି ମୁଖଚନ୍ଦ୍ରକୁ ଆପଣ।

ପୃଷ୍ଟେ ପକାଇଛ ରୋଷ ଜୟ ନାରାୟଣ ହେ ।୧୬।

 

ନିମୀଳନା କେଳିକାଳେ ଯା କୁମ୍ଭ ଶଙ୍କାରେ ।

ଉମା କୁଚାଚଳନୀଳଦୁକୂଳ ଝିଙ୍କାରେ ଯେ ।୧୭।

 

କୁମାର ହଟ ପ୍ରକଟ କରୁଁ ତାହା ଦେଖି ।

ହର ହସୁ ହେଠମୁଖ ହେଲେ ଚନ୍ଦ୍ରମୁଖୀ ଯେ ।୧୮।

 

ସେ ଭକ୍ତଜନସମୂହ ମହାବିଘ୍ନବାର ।

ଅଟକିବା ବଟଗଣେଶଙ୍କୁ ନମସ୍କାର ହେ ।୧୯।

 

ନମୋ ନମୋ ନମୋଽସ୍ତୁତେ ଇନ୍ଦ୍ରଦିରେ କରି ।

କରିମୁଖଜନନୀ ମଙ୍ଗଳା ବିଶ୍ୱେଶ୍ୱରୀ ଗୋ ।୨୦।

 

ଯାହା ନଟନପାଟବ ପ୍ରକଟନ ଘେନି 

ଜଟାଟବୀ ଅଗ୍ରବିନିର୍ଗତ ମନ୍ଦାକିନୀ ଗୋ ।୨୧।

 

ଦିଗଙ୍ଗନାଳୁଚକୁମ୍ଭ ପତ୍ରଭଙ୍ଗ ତୁଲେ ।

ଦଶଗଜଥାନ ସ୍ଥଳୀ ଦାନ ଧୋଇଦେଲେ ଯେ ।୨୨।

 

ସେ ବଟ ବିଟପୀଶ୍ୱର ଚରଣପଙ୍କଜେ

ଶରଣ ପ୍ରପନ୍ନ ହୋଇ ଅହର୍ନିଶ ଭଜେ ଯେ ।୨୩।

 

ଧରାସ୍ତନ ଭ୍ରମାବହ ନୀଳ ଶିଳୋଜୟ ।

ପତ୍ରାବଳି ଚିତ୍ରାକୃତି ମହାମହୋଚ୍ଛୟ ଯେ ।୨୪।

 

କଳ୍ପବଟଙ୍କର ସେ ଅନଳ୍ପ ଅନାତପ 

କରନ୍ତୁ ମୋ ଭବଭ୍ରମ ଭବଶ୍ରମ ଲୋପ ଯେ ।୨୫।

 

କବଳିତ କଳା କାଦମ୍ବିନୀ କାନ୍ତି କେଳି ।

କରନ୍ତୁ କଲ୍ୟାଣ କୃଷ୍ଣ ମୋ ମାନସେ ଖେଳି ଯେ ।୨୬।

 

ରାଧାମୁଖାମ୍ବୁଜ ଭ୍ରମେ ସ୍ୱପାଦ ସାରସ ।

ଚୁମ୍ବନେ ଯେ ନିରନ୍ତରେ ବଳାଇ ମାନସ ଯେ ।୨୭।

 

ପ୍ରଳୟଜଳରେ ଖଟ କରି ବଟଦଳ ।

ପହୁଡ଼ିଲେ ମୋଦେ ନୀଳନବୀନକୁନ୍ତଳ ଯେ ।୨୮।

 

ଭବଭୟ ପୟୋଧିକି ତରିବା ଆନନ୍ଦେ ।

ବନ୍ଦେ ସେ ବାଳମୁକୁନ୍ଦଚରଣାରବିନ୍ଦେ ଯେ ।୨୯।

 

ଭୁଜଙ୍ଗପୁଙ୍ଗବତଳ୍ପ ଅର୍ଥିକଳ୍ପତରୁ ।

ଦନୁଜମଣ୍ଡଳୀମୁଣ୍ଡ ଧରାଧର ସ୍ୱରୁ ଯେ ।୩୦।

 

ରମା ସରସ୍ୱତୀଙ୍କର କରସେବ୍ୟପଦ ।

ଶ୍ରୀ ପୁରୁଷୋତ୍ତମ ହର ମୋହର ବିପଦ ହେ।୩୧।

 

ଖଡ଼ଗ ଧରି ଯେ ହରି ଗର୍ଭ ଗଡ଼ଭୟ ।

ନିରତେ ନିବାର କ୍ଷେତ୍ରପାଳ ଜୟ ଜୟ ହେ।୩୨।

 

ଉତ୍ତୁଙ୍ଗ ମହୀଧ୍ରବୁଦ୍ଧି ହୋଇଲେ ପ୍ରସାଦେ ।

ଜମ୍ଭାରି ଦମ୍ଭୋଳିକେଳି ହୋଇବ ପ୍ରମାଦେ ଯେ ।୩୩।

 

ତାହା ନିବାରଣ ପରାକ୍ରମେ ଚିତ୍ତେ ଚିନ୍ତି ।

ଦେଉଳମଉଳି ସ୍ଥଳେ ଯେ ବିରାଜେ ନିତି ହେ ।୩୪।

 

କ୍ଷମା କରି ନିଖିଳ ପାତକୀ ଜନ୍ତୁମନ୍ତୁ ।

ସେ ନୀଳଚକ୍ର ମୋ ଦୁଃଖଚକ୍ର ନିବାରନ୍ତୁ ଯେ ।୩୫।

 

ପ୍ରବଳନ୍ତେ ହିରଣ୍ୟଦନୁଜଗବଳେ ।

ସମଗ୍ର କେଶରିବେଶ ପରିଗ୍ରହ ବେଳେ ଯେ ।୩୬।

 

ବିପତ୍ତି ଅଶକ୍ତ ଭକ୍ତ କରନ୍ତେ ସ୍ମରଣା ।

ହୃଦକଞ୍ଜ ଦ୍ରବମୟ କରନ୍ତେ କରୁଣା ଯେ ।୩୭।

 

କଣ୍ଠଯାଏ କଣ୍ଠୀରବ ବେଶ ହୋଇଥିଲେ ।

ସ୍ତମ୍ଭରୁ ସମ୍ଭବି ଦନୁଜକୁ ଯେ ମାଇଲେ ଯେ ।୩୮।

 

ପାପବଶୁଁ ଯିବାବେଳେ ମୁଁ ନରକେ ସରି ।

ଅବଲମ୍ବ ହୋଇବେ କି ସେ ନରକେଶରୀ ଯେ ।୩୯।

 

ବିଭ୍ରାଜିତ ସୁରାଚାର୍ଯ୍ୟ ଧରାସୁରଙ୍କର ।

ବିଦ୍ୟାକେଳିସ୍ଥଳୀ ଶତ୍ରୁ ଦୁରିତପଙ୍କର ଯେ ।୪୦।

 

ଯହିଁ ସୁନାସୀର ଶିରେ କରନ୍ତି ବନ୍ଦନ ।

ସେ ମୁକ୍ତିମଣ୍ଡପ ହେବେ ମୋର ଆନନ୍ଦନ ଯେ ।୪୧।

 

ତୁରୀୟ ସମୟେ ଚୂରି ପ୍ରତ୍ୟୂହ ମୋହର ।

ପୂରିବେ କି ମନୋରଥ ଖୁରିଗଣେଶ୍ୱର ଯେ ।୪୨।

 

ଯହିଁ ଅବଗାହିବାରୁ ଛାର କାକପାଳ ।

ବନ୍ଦିଲେ ତାହାକୁ ଇନ୍ଦ୍ର ଆଦି ଦେବଜାଳ ଯେ ।୪୩।

 

କଳୁଷମଣ୍ଡଳଧ୍ୱଂସୀ ସେ ରୋହୀଣୀକୁଣ୍ଡ ।

ଖଣ୍ଡନ କରନ୍ତୁ ଚଣ୍ଡଭାନୁସୁତଦଣ୍ଡ ହେ ।୪୪।

 

ଯାହା ପ୍ରସାଦବଶରୁ ମହାପ୍ରସାଦରେ ।

ପବିତ୍ର ହୁଅଇ ଜଗତ୍ତ୍ରୟ ପ୍ରମୋଦରେ ଯେ ।୪୫।

 

ମୃଗେନ୍ଦ୍ରବାହିନୀ କ୍ଷେତ୍ରବର ଅଧୀଶ୍ୱରୀ ।

ନାଗସୁତା ସୁଧରାକୁମ୍ଭଧାରଣୀ ସୁନ୍ଦରୀ ଯେ ।୪୬।

 

ବିମଳା ବିମଳ ଅମ୍ଭୋରହୁବିଲୋଚନା ।

ହୋଇବେ କି ମୋର ପାପକଳାପମୋଚନ ହେ ।୪୭।

 

ରଜ ତମ ସତ୍ତ୍ୱ ତିନି ଗୁଣ ମଧ୍ୟ ମୟ ।

ରଜତମହୀଧ୍ରନିକେତନା ଜୟ ଜୟ ହେ। ।୪୮।

 

ଶିଖଣ୍ଡମଣ୍ଡନ ଭଣ୍ଡପୂର୍ବ ଗଜାନନ ।

ନରହରି ରାଧାଧବ ମଦନମୋହନ ଯେ ।୪୯।

 

ବରଷେ ହରଷ କୃପାପୀୟୂଷନିର୍ଝର ।

ଏ ପଞ୍ଚ ମୋ ପ୍ରପଞ୍ଚ ବାସନା ଦୂର କର ହେ ।୫୦।

 

ସରସ୍ୱତୀ ବୋଲି ଖ୍ୟାତି ଏକେ ଯାହାଙ୍କର ।

ସ୍ତୁତି ଉଚ୍ଚାରନ୍ତି ଶ୍ରୁତିମୁଖାଦି ଶଙ୍କର ଯେ ।୫୧।

 

ତ୍ରିଭୁବନଜନୟିତ୍ରୀ ଶ୍ରୀ ଭୁବନେଶ୍ୱରୀ ।

ପରିପାଳନ୍ତୁ ମୋ ଶିରୀକପଟବଲ୍ଲରୀ ଯେ ।୫୨।

 

ଇନ୍ଦ୍ରଦ୍ୟୁମ୍ନମୋଦମହୋଦଧିରା-କାଧବ।

ପ୍ରସନ୍ନ ହଅନ୍ତୁ ମୋରେ ଶ୍ରୀ ନୀଳମାଧବ ଯେ ।୫୩।

 

ସ୍ଫୁଟ ଅଟ୍ଟହସନ ମାଳିକା ବକାଳିକା ।

କରନ୍ତୁ ଶଂବରବୃଷ୍ଟି ମୋଠାରେ କାଳିକା ଗୋ ।୫୪।

 

ଶ୍ରୀବତ୍ସଲାଞ୍ଛନ ବତ୍ସଗୁଚ୍ଛସହଚରୀ ।

ଚରାଚରେଶ୍ୱରୀ ନେତ୍ର ଅନ୍ତେ ରଚ ଶିରୀ ଗୋ ।୫୫।

 

ସମୃଦ୍ଧ ରାକ୍ଷସଯୁଦ୍ଧ ବୁଦ୍ଧିର ପ୍ରଭାବ ।

ସମୀରନନ୍ଦନ ବଢ଼ାଅ ମୋ ନେତ୍ରୋତ୍ସବ ହେ ।୫୬।

 

ବିଚିତ୍ର ଚିତ୍ରବିନ୍ୟସ୍ତ ଗଣେଷ ନୃହରି ।

ହରନ୍ତୁ ମୋହର ଚିତ୍ତସନ୍ତାପ ଲହରୀ ହେ ।୫୭।

 

ସୁରଧନୀ ଆଦି ନଦୀମାନଙ୍କର ତୀର୍ଥ ।

ଶ୍ରୀ ଚରଣାମୃତ କୁଣ୍ଡ କରନ୍ତୁ କୃତାର୍ଥ ହେ ।୫୮।

 

ଅମ୍ବରସ୍ଥଳୀ ମହିଳା ରତନଭୂଷଣ ।

କରନ୍ତୁ ପୂଷଣ କଳିଜମ୍ବାଳ ଶୋଷଣ ଯେ ।୫୯।

 

ପାତାଳେଶ ନାମ ବ୍ୟୋମକେଶ ଉତ୍ତରାଣୀ ।

ଦୁହେଁ ମୋର ହୁଅନ୍ତୁ ରକ୍ଷକ ଉଦ୍ଧାରିଣୀ ଯେ ।୬୦।

 

ଅମରୀଗୀତ ଲାବଣ୍ୟବିଭୂତି ସେ ମୋତେ ।

ରଖନ୍ତୁ ଶୀତଳା କୃପା ଅପାଙ୍ଗେ ନିରତେ ।୬୧।

 

ଧରାଧର ଅଧିରାଜ କନ୍ୟାତୁଲେ ମିଶି ।

କର ଲୋକେଶ୍ୱର ମୋତେ ସ୍ୱପଦନିବାସୀ ହେ ।୬୨।

 

କାଶୀ ତେଜି ଆସି ଯେଟି କଲେ କ୍ଷେତ୍ରସ୍ଥିତି ।

ବିଶ୍ୱନାଥ ନିଃସ୍ୱ ଚିନ୍ତାମଣି ସେ ମୋ ଗତି ହେ ।୬୩।

 

ଶ୍ମଶାନନିଳୟ ଦିଗମ୍ବର ହେଲେ ହେଳେ ।

ବୃଷା ନ ଦେଖିବା ଶିରୀ ଦିଅନ୍ତି ଯେ ଭଲେ ହେ ।୬୪।

 

ଈଶାନ ପ୍ରଭାବ ପ୍ରଭୁ ଈଶାନନାଥର ।

ସମଗ୍ରତା ସେ କରିବେ ମୋ ମନୋରଥର ଯେ ।୬୫।

 

ସୁନ୍ଦର ମନ୍ଦିର ଜଗନ୍ମୋହନ ଯା ନାମ ।

ଲକ୍ଷବାର ଘେନନ୍ତୁ ସେ ମୋହର ପ୍ରଣାମ ଯେ ।୬୬।

 

ସଦାଶିବ ଶିବ ସେ ବାରିଜସୁତ ଦୁହେଁ ।

ପ୍ରତିକୂଳକୁଳକୁ ନାଶନ୍ତୁ ଅନୁଗ୍ରହେ ଯେ ।୬୭।

 

ତକ୍ଷକର ଦଷ୍ଟଜନରକ୍ଷକ ଯା ନାମ ।

ପକ୍ଷପାତ କରନ୍ତୁ ସେ ପକ୍ଷିସାର୍ବଭୈାମ ଯେ ।୬୮।

 

ଜୟ ବିଜୟଙ୍କୁ ମୋର ଅନେକ ନମସ୍କାର ।

କଳାର ହାଟକୁ ଯିବାବେଳେ ନ ନିବାର ହେ ।୬୯।

 

ନମସ୍ତେ ଶ୍ରୀ ପରଂବ୍ରହ୍ମ ଚତୁର୍ଦ୍ଧା ବିଗ୍ରହ ।

ଅବଦାତ କୃଷ୍ଣ ହରିଦ୍ରାଭ ମହାମହ ହେ ।୭୦।

 

ଅବକାଶଠାରୁ ପୁଷ୍ପଞ୍ଜଳିଯାଏ ରହି ।

କରୁଥିବି ଦଣ୍ଡବତ ମୋ ବାଞ୍ଛିତ ଏହି ଯେ ।୭୧।

 

ବନ୍ଦଇ ହେ ବିଶାରଦ ରସାତଳଦେବେ ।

ଦୟାଳୁ ମୋଠାରେ ହୃଦାୟାଳୁମାନେ ହେବେ ଯେ ।୭୨।

 

ସରସ ଶ୍ରୀହରଷାଦି ମହାକବିମାନେ ।

ବିହରିଲେ ମହୋନ୍ନତ କବନବିମାନେ ଯେ ।୭୩।

 

ସେବି ମାନ ତେଜି ସେ ବିମାନ ଅନାତପ ।

କଲି ଚନ୍ଦ୍ରକଳା ଗ୍ରନ୍ଥାରମ୍ଭ ସଙ୍କଳପ ହେ ।୭୪।

 

ବିଷଦୋଷ କଣ୍ଠେ ରଖି ଗଉଣୀରମଣ ।

ଚନ୍ଦ୍ରକଳାକୁ ଯେମନ୍ତ ଘେନିଲେ ତ ଜାଣ ହେ ।୭୫।

 

ନିରକ୍ଷର ଖଳ ନୋହେ କଟାକ୍ଷର ଲକ୍ଷ୍ୟ ।

ତାହାକୁ ମାଗୁଣୀ ଏତେ ନୋହୁ ସେ ପକ୍ଷ ହେ ।୭୬।

 

ଚିରନ୍ତନ ଭିତ୍ତିଚ୍ୟୁତ ଲୋଷ୍ଟ୍ରଜ ଧ୍ୱନିକି ।

ସ୍ତୁତି ନିନ୍ଦା କେଉଁମତେ ପଣ୍ଡିତେ ଘେନି କି ହେ ।୭୭।

 

ତଥାପି ସେ କର୍ଣ୍ଣବିଳେ ବ୍ୟଥା ନ ଦେବାକୁ ।

ବିରତି ଲଭନ୍ତୁ ବୋଲି କହୁଛି ତାହାଙ୍କୁ ଯେ ।୭୮।

 

ପଦଲଗ୍ନ ଜମ୍ବାଳକୁ ଜଳେ ଧୁଆଇଲେ ।

ତା ମାର୍ଜନା କଲା ବୋଲି କେହି ତ ନ ବୋଲେ ହେ ।୭୯।

 

ଦ୍ୱିତୀୟ ଛାନ୍ଦରେ ହେବ ଚରିତ ଆରମ୍ଭ ।

ନିର୍ବାହରୁ ଅନ୍ତରାୟ ହରିବେ ହେରମ୍ଭ ହେ ।୮୦।

 

ଚିନ୍ତା ରଖି ସୀତାକାନ୍ତ ପଦସରୋରୁହେ ।

ଜଳନ୍ତରଧରାମରାବତୀପତି କହେ ହେ ।୮୧।

 

ପ୍ରଥମ ଛାନ୍ଦ

 

୧ । କମ୍ୱୁମଧ୍ୟକ୍ଷେତ୍ରବର–ପୁରୀ ଶଙ୍ଖକ୍ଷେତ୍ର ନାମରେ ପ୍ରସିଦ୍ଧ । ୨ । ଅଷ୍ଟ ଅଷ୍ଟମୂର୍ତ୍ତି- ଜଳ, ଅଗ୍ନି, ବାୟୁ, ଆକାଶ, ପୃଥିବୀ, ଯଜମାନ, ଚନ୍ଦ୍ର ଓ ସୂର୍ଯ୍ୟ–ଏହି ଅଷ୍ଟରୂପବିଶିଷ୍ଟ ଅଷ୍ଟଶମ୍ବୁ । ବସୁସଂଖ୍ୟ ଭବାନୀ–ଅଷ୍ଟଦୁର୍ଗା । ୩ । ସିତଗଙ୍ଗା– ଶ୍ୱେତଗଙ୍ଗା ନାମକ ତୀର୍ଥ, ତୀର୍ଥରାଜ-ସମୁଦ୍ର । ୪ । ମହେନ୍ଦ୍ର ଚରମେ-ଇନ୍ଦ୍ରଙ୍କ ପିଠିରେ, ଦୀନପ୍ରସନ୍ନ-ଦରିଦ୍ର ଆଶ୍ରିତ ଲୋକ । ନିରର୍ଗଳେ-ବିନା ବାଧାରେ । ୫ । ନନ୍ଦାବର୍ତ୍ତ ନାମକ ଦ୍ଵାରର ନିମ୍ନଭାଗ । କ୍ଷେମ-ମଙ୍ଗଳ । ୬ । କାକଚଞ୍ଚୁପୁଟଭ୍ରଷ୍ଟ ଲବ-କୁଆଥଣ୍ଟରୁ ଖସିପଡ଼ିଥିବା ମହାପ୍ରସାଦ କଣିକା ।। ନିର୍ବାଣ ମହୋତ୍ସବ–ମୁକ୍ତିରୂପ ଆନନ୍ଦ । ୭ । ସୂଚିକର୍ମରୁଚି-ସୂକ୍ଷ୍ମ କାରିଗିରୀ ଯୋଗୁଁ ସୁନ୍ଦର । ୮ । ଅଜାଣନଗଜାପତି–ଭୋଗମଣ୍ଡପ ପୂର୍ବରେ ଗାତ ଭିତରେ ଥିବା ପାର୍ବତୀ - ପତି ବା ମହାଦେବ । ଜୀବାତୁ–ଜୀବନ ।୯ । ସ୍ୱଦିଗକୁ–ଯମଙ୍କ ଅଧିଷ୍ଠିତ ଦକ୍ଷିଣ ଦିଗକୁ । ପତିତବ୍ରଜ– ପାପିସମୂହ । ଶମନଙ୍କର କିଙ୍କରେ–ଯମଦୂତ । ୧୦ । କରଜଳଜର–ଦସ୍ତପର । ଥିବା, ଉଦୀଚୀ–ଉତ୍ତର ଦିଗ, ସ୍ୱର୍ଗମାର୍ଗ । ୧୧ । ବେଢ଼ାର ଅଗ୍ନିକୋଣରେ ଥିବା ନାରାୟଣମୂର୍ତ୍ତି ଉତ୍ତରମୁଖୀ । ୧୨ । ନିମୀଳନାକେଳି–ଆଖି ବୁଜାବୁଳି ଖେଳ, ଯା କୁମ୍ଭଶଙ୍କାରେ–ଯେଉଁ ଗଣେଶଙ୍କ କୁମ୍ଭଦ୍ୱୟ ବୋଲି ଭ୍ରମ କରି । ୧୩ । କୁମାର–କାର୍ତ୍ତିକେୟ, ହେଠମୁଖ–ନମ୍ରମୁଖ, ଚନ୍ଦ୍ରମୁଖୀ– (ଏଠାରେ ଚନ୍ଦ୍ରାନନା ପାର୍ବତୀ) । ୧୪ । ମହାବିଘ୍ନବାର–ବଡ଼ ବଡ଼ ବାଧାସବୁ, ଅଟକବା–ଅଟକାଇବା, ବନ୍ଦ କରି ରଖିବା ।୧୫ । ଯାହା ନଟନପାଟବ ପ୍ରକଟନ ଘେନି–ଯେଉଁ ଦୁର୍ଗାଙ୍କ ନୃତ୍ୟନିପୁଣତା ପ୍ରକାଶ ପାଇବାରୁ । ଜଟାଟବୀ–ଶିବଙ୍କ ଜଟାରୂପ ଅରଣ୍ୟ । ୧୬ । ଦିଗଙ୍ଗନା କୁଚକୁମ୍ଭପତ୍ରଭଙ୍ଗତୁଲେ–ଦଶଦିଗରୂପ ସ୍ତ୍ରୀମାନଙ୍କ କୁଚରୂପକୁମ୍ଭରେ ଚିତ୍ର ହୋଇଥିବା କସ୍ତୁରୀ ପ୍ରଭୃତିରେ ଅଙ୍କିତ ପତ୍ରର ଚିତ୍ର ଧୋଇଦେବା ସାଙ୍ଗେ ସାଙ୍ଗେ, ଦଶଦିଗ୍‌ଗଜଙ୍କର ଗଣ୍ଡସ୍ଥଳର ମଦଜଳଧାରାକୁ ଯେ ପ୍ରଳୟରେ ଧୋଇଥିଲେ । ୧୮ । ବଟ ବିଟପୀଶ୍ୱର–କଳ୍ପବଟ ମୂଳରେ ଥିବା ବଟକୃଷ୍ଣ ।୧୯ । ମହାମହୋଚ୍ଛୟ– ଅତି ଉଚ୍ଚ । ୨୦ । ଅନଳ୍ପ ଅନାତପ–ପ୍ରଚୁର ଛାୟା । ୨୧ । କବଳିତ କଳା କାଦମ୍ବିନୀକାନ୍ତି କେଳି–କୃଷ୍ଣବର୍ଣ୍ଣ ମେଘଭଳି ମନୋହର । ୨୨ । ସ୍ୱପାଦସାରସ–ନିଜ ପାଦରୂପ ପଦ୍ମ । ୨୩ । ଭୁଜଙ୍ଗପୁଙ୍ଗବତଳ୍ପ–ଅନନ୍ତ ନାଗ ଉପରେ ଶୋଇଥିବା । ଧରାଧରରୁ–ପର୍ବତର ବଜ୍ର । ୨୪ । ଉତ୍ତୁଙ୍ଗମହୀଧ୍ର ବୃଦ୍ଧି–ଉଚ୍ଚପର୍ବତଜ୍ଞାନ । ପ୍ରାସାଦ–ବଡ଼ ଦେଉଳ । ଜମ୍ଭାରିଦମୋଳି–ବଜ୍ର । ୨୫ । ପାତକୀ ଜନ୍ତୁମନ୍ତୁ–ପାପୀ ଜୀବଙ୍କର ଅପରାଧ । ୨୬ । ହିରଣ୍ୟ -କଶିପୁ ରାକ୍ଷସ ମତ୍ତ ହାତୀ ପରି ପ୍ରବଳ ହେଲା ବେଳେ । ୨୭ । ବିପତ୍ତି ଅଶକ୍ତଭକ୍ତ–ବିପତ୍ତି ସମୟରେ ଅକ୍ଷମ ହୋଇଥିବା ଭକ୍ତ ପ୍ରହ୍ଲାଦ ।୨୮ । କଣ୍ଠୀରବ–ସିଂହ । ୨୯ । ବିଭ୍ରାଜିତ–ଶୋଭିତ, ସୁରାଚାର୍ଯ୍ୟଧରାସୁରଙ୍କ–ବୃହସ୍ପତି ସଦୃଶ ବ୍ରାହ୍ମଣମାନଙ୍କର । ୩୦ । ସୁନାସୀର– ଇନ୍ଦ୍ର । ୩୧ । ତୁରୀୟ ସମୟେ–ଚତୁର୍ଥାବସ୍ଥାରେ, ପ୍ରତ୍ୟୁହ ବାଧା, ଦୁଃଖ । ୩୨। ଚଣ୍ଡଭାନୁସୁତଦଣ୍ଡ–ଯମଦଣ୍ଡ । ୩୩ । ଜଗନ୍ନାଥଙ୍କ ଭୋଗ ବିମଳାଙ୍କୁ ସମର୍ପିତ ହେବା ପରେ । “ମହାପ୍ରସାଦ’ରେ ପରିଣତ ହୁଏ ।୩୪ । ବଳରାମ ରଜୋଗୁଣରୂପୀ; ସୁଭଦ୍ରା ତମୋରୂପିଣୀ ଓ ଜଗନ୍ନାଥ ସତ୍ତ୍ୱରୂପୀ । ରଜତମହୀଧ୍ରନିକେତନ–ରୂପାପର୍ବତତୁଲ୍ୟ ପ୍ରାସାଦ, ବଡ଼ ଦେଉଳ । ୩୫। ଭଣ୍ଡପୂର୍ବଗଜାନନ–ଭଣ୍ଡ ଗଣେଶ । ୩୬ । ପ୍ରପଞ୍ଚବାସନା–ସଂସାରକାମନା । ୩୭ । ଶୃତିମୁଖ । ୩୮ । ଶିରୀକପଟବଲ୍ଲରୀ–ସୌଭାଗ୍ୟ ରୂପ କପଟଲତା । ୩୯ । ଇନ୍ଦ୍ରଦ୍ୟୁମ୍ନ ... ଧବ–ଇନ୍ଦ୍ରଦ୍ୟୁମ୍ନଙ୍କ ଆନନ୍ଦସାଗର ବଢ଼ାଇବାରେ ପୂଷ୍ଠିମା ଚନ୍ଦ୍ରସ୍ୱରୂପ । ୪୦ । ସ୍ଫୁଟଅଟ୍ଟହସନ–ଯାହାଙ୍କର ଅଟ୍ଟହାସ ବକପନ୍ତି ପରି ଓ ଯାହାଙ୍କର ବର୍ଣ୍ଣ କଳାମେଘ ପରି । ଶଂ- ବରବୃଷ୍ଟି–ମଙ୍ଗଳରୂପ ବରଦାନ ଏବଂ ଜଳବୃଷ୍ଟି । ୪୧ । ଶ୍ରୀବତ୍ସ ...ସହଚରୀ–ଶ୍ରୀକୃଷ୍ଣଙ୍କ ବକ୍ଷସ୍ଥଳ ନିବାସିନୀ । ନେତ୍ର ... ଶିରୀ–ନେତ୍ରକୋଣରେ ମୋ ସୌଭାଗ୍ୟର ସଙ୍କେତ କର । ୪୨ । ସମୃଦ୍ଧ ... ପ୍ରଭାବ–ପରାକ୍ରାନ୍ତ ରାକ୍ଷସମାନଙ୍କର ଯୁଦ୍ଧ ବୁଦ୍ଧିର ଶାସକ । ସମୀରନନ୍ଦନ–ହନୁମାନ । ୪୩ | ପୃଷଣ–ସୂର୍ଯ୍ୟ, କଳିଜମ୍ୱାଳ–କଳିକାଳଜନିତ ପାପରୂପ ପଙ୍କ । ୪୪ । ପାତାଳେଶ୍ଵର ଶିବ ଓ ଉତ୍ତରାଣୀ ଠାକୁରାଣୀ–ଯଥାକ୍ରମେ ମୋ ରକ୍ଷକ ଓ ଉଦ୍ଧାରିଣୀ ହୁଅନ୍ତୁ । ୪୫ । ଲୋକେଶ୍ଵର– ଲୋକନାଥ ମହାଦେବ, ସ୍ଵପଦନିବାସୀ ଶିବଲୋକବାସୀ ।୪୬ । ହେଳେ–ଅକ୍ଳେଶରେ, ଦିଗମ୍ବର–ଲଙ୍ଗଳା, ବୃଷା–-ଇନ୍ଦ୍ର । ୪୭ । ଈଶାନ–ସୂର୍ଯ୍ୟଙ୍କପରି ପ୍ରଭାବଶାଳୀ ଈଶାନେଶ୍ଵର । ୪୮ । ସଦାଶିବ-ଶିବ–ମଙ୍ଗଳମୟ ମହାଦେବ, ବାରିଜସୁତ–ବ୍ରହ୍ମା । ୪୯ । ପକ୍ଷିସାର୍ବଭୌମ–ପକ୍ଷିରାଜ, ଗରୁଡ଼ । ୫୦। କଳାରାହାଟ– ଜଗମୋହନ ଓ ରତ୍ନସିଂହାସନ ମଧ୍ୟରେ ଥିବା ପ୍ରଥମ ଦ୍ୱାରକୁ ଜୟ ବିଜୟ ଦ୍ୱାର ଓ ରତ୍ନସିଂହାସନର ନିକଟବର୍ତ୍ତୀ ଦ୍ୱାରକୁ କଳାରାହାଟ ଦ୍ୱାର କୁହାଯାଏ । ୫୧ । ଅବଦାତ–ଶୁକ୍ଲ ମହାମହଃ–ମହତ୍‌ ତେଜସ୍ୱରୁପ । ୫୨ । ରସାତଳଦେବେ–ବ୍ରାହ୍ମଣମାନେ । ୫୩ । ଶ୍ରୀ ହର୍ଷ–ନୈଷଧଚରିତ ନାମକ ସଂସ୍କୃତ ମହାକାବ୍ୟପ୍ରଣେତା । କବନବିମାନ–କବିତ୍ଵରୁପ ବିମାନ । ମାନ ତେଜି–ଅହଙ୍କାର ଛାଡ଼ି, ସେ ବିମାନଅନାତପ ସେବି–ସେ ବିମାନର ଛାଇକୁ ଆଶ୍ରୟ କରି । ୫୪ । ଚିରନ୍ତନ ଭିତ୍ତିଚ୍ୟୁତ–ପୁରୁଣା କାଛରୁ ଖସୁଥିବା । ଲୋଷ୍ଟ୍ରଜ–ଟେକାରୁ ଜାତ ହେଉଥିବା । ୫୫ । ହେରମ୍ବ–ବିଘ୍ନରାଜ ଗଣେଶ ।

 

ଦ୍ୱିତୀୟ ଛାନ୍ଦ

ରାଗ-କେଦାରକାମୋଦୀ

ଶାପାନୁକଂପ

 

ଶୁଣିମା ହେଉ ବିଶାରଦେ ସାଦରେ ।

ବଳଦଳନ ଶେଷ ମହା ମୋଦରେ ଯେ ।

ମହେନ୍ଦ୍ର ବସିଥିଲେ ଆରମ୍ବି ସଭା ।

କେ ଭାରତୀରେ କହୁ ସଭାର ଶୋଭା ଯେ ।୧।

 

ନବ ଦିଗୀଶ ଏକାଦଶ ଗିରୀଶ ।

ଦ୍ୱାଦଶ ବାସରେଶ ନବ ଲୋକେଶ ଯେ ।

ସପ୍ତବିଂଶତି ଋକ୍ଷ ଚନ୍ଦ୍ରାଦି ଗ୍ରହ ।

ବିରାଜି ଥିଲେ ଧରି ନିଜ ବିଗ୍ରହ ହେ ।୨।

 

ଦ୍ୱିଶତବିଂଶତି ଯେ ମହାରାଜିକ ।

ହୋଇ ନ ଥିଲେ ନିକି ସେ ସାମାଜିକ ହେ ।

ପ୍ରସିଦ୍ଧ ସିଦ୍ଧ ସାଧ୍ୟ ଧାଟୀରେ ମିଶି ।

ହରଷେ ଥିଲେ ଅଷ୍ଟବସୁଏ ବସି ଯେ ।୩।

 

ତ୍ରିଶତ ଷଡ଼ଧିକ ତୁଷିତ ସୁରେ ।

ପ୍ରବନ୍ଧସଂଖ୍ୟ ଆଭାସରୁ ନିର୍ଜରେ ହେ ।

ବ୍ରାହ୍ମୀ ପ୍ରମୁଖ ମାତା ଥିଲେ ବିରାଜି ।

ଶ୍ରୁତିମଣ୍ଡଳୀ ଥିଲେ ମୂର୍ତ୍ତିକି ଭଜି ଯେ ।୪।

 

ଭଣି ମାନବ ଗିରେ କେ କରୁ ଶେଷ ।

ଅଣିମା ଆଦି ବଭୂତିଙ୍କ ବିଳାସ ଯେ ।

ରାଶି ବାସର ତିଥି ଯୋଗ କାରଣ ।

କାଶୀବାସିଭୂଷଣ ଭୂପତିଗଣ ହେ ।୫।

 

ନିମିଷୁଁ ମନ୍ୱନ୍ତର ଯାଏ ଶରୀର-।

ମାନଙ୍କୁ ଘେନି କାଳ ଥିଲା ହାଜର ହେ ।

ଦୁଇ ଯୁଗଳ ଯୁଗ ଯାଗଙ୍କ ରାଜି ।

ଷଡ଼ଋତୁଙ୍କ ପାଶେ ଥିଲେ ବିରାଜି ଯେ ।୬।

 

ଚାରିସଂବର୍ତ୍ତ ବର୍ତ୍ତିଥିଲେ ହରଷେ ।

ସପତ ଦ୍ୱୀପ ଚାରି ସମୁଦ୍ର ପାଶେ ଯେ ।

ଅଷ୍ଟସଂଖ୍ୟକ କୁଳ ଧରିତ୍ରୀ ଧରେ ।

ଅଭ୍ରମୁରମଣାଦି ଆଶାକୁଞ୍ଜରେ ଯେ ।୭।

 

ଅତଳ ଆଦି ବିଶ୍ୱଲୋକ ନିକର ।

କରକୁ ଯୋଡ଼ି ହୋଇଥିଲେ କିଙ୍କର ଯେ ।

ପ୍ରଭବ ଆଦି ସମ୍ବତ୍ସରଙ୍କ ତୁଲେ ।

ଇନ୍ଦ୍ରପ୍ରମୁଖ ଖଣ୍ଡ ମଣ୍ଡଳେ ଥିଲେ ଯେ ।୮।

। ୧ । ବଳଦଳନ ଶେଷ–ବଳାସୁର ବିନାଶ ପରେ । ୨ । ନବଦିଗୀଶ–ଇନ୍ଦ୍ରାଦି ନବଦିପାଳ, ଦ୍ଵାଦଶବାସରେଶ–ବାରସୂର୍ଯ୍ୟ, ଲୋକେଶ–ପ୍ରଜାପତି, ରକ୍ଷ–ନକ୍ଷତ୍ର, ବିଗ୍ରହ–ଶରୀର । ୩ । ଧାଟୀ–ଧାଡ଼ି । ୪ । ତୁଷିତସୁର–ଗଣ ଦେବତାବିଶେଷ, ପ୍ରବନ୍ଧସଂଖ୍ୟ ଆଭାସୁରନିର୍ଜରେ–୬୪ ସଂଖ୍ୟକ କାନ୍ତିଦେବତା, ଶ୍ରତିମଣ୍ଡଳୀ–ବେଦସମୂହ । ୬ । ଦୁଇଯୁଗଳଯୁଗ–ଚାରିଯୁଗ । ୭ । ଚାରିସଂବର୍ତ୍ତୀ –ସଂବର୍ଭ ଆଦି ଚାରି ମେଘ, କୁଳଧରିତ୍ରୀଧରେ–କୁଳପର୍ବତମାନେ, ଅଭ୍ରମୁରମଣ–ଐରାବତହସ୍ତୀ, ଆଶାକୁଞ୍ଚରେ ଦିଗ୍‌ହସ୍ତୀମାନେ । ୮।

ଊନପଞ୍ଚାଶ ସଂଖ୍ୟ ଜଗତ ପ୍ରାଣ ।

ଅଗମ୍ୟାଦି ଅରଣ୍ୟ ଶରୀରଗଣ ହେ ।

ଅଯୋଧ୍ୟା ଆଦି ସପ୍ତପୁରୀ ମୂରତି ।

ଏକ ପ୍ରଦେଶେ ହୋଇଥିଲେ ଭରତି ଯେ ।୯।

ଅଙ୍ଗ ବଙ୍ଗାଦି ଷଟ ପଞ୍ଚାଶ ଦେଶ ।

ହଜାର ଥିଲେ ଧରି ନିର୍ଜର ବେଶ ହେ ।

ଯକ୍ଷ ଗର୍ନ୍ଧବକୁଳ ଗନ୍ଧର୍ବାନନେ ।

ହାହାଦି ମହାଗୁଣଶାଳୀ ଗାୟନେ ହେ ।୧୦।

 

ମରୀଚି ଆଦି ଅତି ଚିରତ୍ନ ଋଷି ।

ଧରି ଚିନ୍ମୟରୂପ ଥିଲେ ସେ ବସି ହେ ।

ବେଦସଂଖ୍ୟକ ସମ୍ପ୍ରଦାୟ ଆଶ୍ରମ ।

ଷଟ ପ୍ରମାଣ ବ୍ରତ ସନ୍ତତି ଶ୍ରମ ହେ ।୧୧।

 

ହ୍ରୀଭାନ୍ତି କାନ୍ତି କୀର୍ତ୍ତୀ କରୁଣା କ୍ଷମା ।

ସମୃଦ୍ଧି ଲଜ୍ଜା ଘେନି ନିଧି ଉପମା ହେ ।

ରମ୍ଭାଦି ଜମ୍ଭାରାତି ପ୍ରିୟ ସୁକେଶୀ ।

ଜୃମ୍ଭାଦି ନିଦ୍ରା ଯାଏ ଥିଲେ ବିଳସି ଯେ ।୧୨।

 

ସଂକଳ୍ପ ମଣି ମହୈାଷଧିଏ ସୁଖେ ।

ଥିଲେ ଅଶ୍ୱିନୀତନୁଭବନଙ୍କ ପାଖେ ଯେ ।

ନନ୍ଦନବନୀ ହରିଚନ୍ଦନଲତା ।

ଏ ସମସ୍ତଙ୍କ ପରିମାଣ ଦେବତା ଯେ ।୧୩।

 

ଯହିଁ ସାକ୍ଷାତ ସୁର ଈଶ୍ୱର ବିଜେ ।

କେତେ କହିବା ଯେତେ ଥିଲେ ସମାଜେ ଯେ ।

ଏକାଳେ ମେରୁପାଦ କୃତମନ୍ଦିର ।

ଲାବଣ୍ୟଧ୍ୱଜ ନାମ ଗର୍ନ୍ଧବ ବର ଯେ ।୧୪।

 

କେଳିମଞ୍ଜୁଳା ନାମ ମହିଳା ସାଥେ ।

ଘେନି ମୋହନା ନାମ ବିପଞ୍ଚୀ ହାତେ ଯେ ।

ପ୍ରବେଶ ହୋଇ ଦିବ୍ୟ ସଂସଦତଳେ ।

ଜମ୍ପତି ଶିରେ କର ଯୋଡ଼ିବା ବେଳେ ଯେ ।୧୫।

 

ଏକାବେଳେକେ ସଭ୍ୟ ନେତ୍ରମଣ୍ଡଳୀ ।

କଲା ସେ ଯୁଗଳିର ଉପରେ କେଳି ଯେ ।

ଶକ୍ରମାନସେ ଏହି ଚିନ୍ତା ରହିଲା ।

ଏ ଶତକୋଟି ଆହା ନେତ୍ର ନୋହିଲା ଯେ ।୧୬।

 

ସଂଯତ ତେଡ଼େ ବଡ଼ ବିବୁଧସଭା ।

ମଦନେ କମ୍ପିଗଲା ଚାହିଁ ତା ଶୋଭା ଯେ ।

ଗନ୍ଧର୍ବ କଲା ଗୁଣାଙ୍ଗୁଳି ସଂଯୋଗ ।

ତା ରାମା କଲା ମନୋରଞ୍ଜନା ରାଗ ଯେ ।୧୭।

 

ନୟନେ ଚାହିଁ ଛବି ଅପରିମିତ ।

ଶ୍ରବଣେ ଶୁଣି ସର୍ବୋତ୍ତର ସଙ୍ଗୀତ ହେ ।

ସଭା ଦିଶିଲା ହେଲା ପରି ଯା ଲେଖା ।

ସେ ଦିନୁ ବୋଲାଇଲେ ଗୀର୍ବାଣେ ଲେଖା ଯେ ।୧୮।

 

ଇନ୍ଦ୍ରପ୍ରମୁଖଖଣ୍ଡମଣ୍ଡଳ–ଇନ୍ଦ୍ରାଦି ନବଖଣ୍ଡ ମହୀମଣ୍ଡଳ । ୧୦ । ଗନ୍ଧର୍ବାନନେ–ଘୋଡ଼ାଙ୍କ ମୁହଁ ପରି ଯେଉଁ କିନ୍ନରମାନଙ୍କ ମୁହଁ, ଗାୟନେ–ଗାୟକମାନେ । ୧୧ । ଅତି ଚିରତ୍ନ–ଖୁବ୍ ପୁରାତନ, ଚିନ୍ମୟ–ଜ୍ଞାନମୟ, ବେଦସଂଖ୍ୟକ–ଚାରିସଂଖ୍ୟକ, ଷଟ ପ୍ରମାଣବ୍ରତ–ଜନ୍ମାଷ୍ଟମୀ ପ୍ରଭୃତି ଷଡ଼ଜୟନ୍ତୀ, ସନ୍ତତି–ଗୋତ୍ରଦେବତା, ଶମ–ଶାନ୍ତଦେବତା । ମହାପଦ୍ମାଦିନିଧିମାନେ ହ୍ରୀଭ୍ରାନ୍ତି ପ୍ରଭୃତିଙ୍କ ସଙ୍ଗେ ଶୋଭା ପାଉଥିଲେ, ଜମ୍ବାରାତିପ୍ରିୟ–ଇନ୍ଦ୍ରଙ୍କ ପ୍ରଣୟିନୀ, ଜୁମ୍ଭା–ହାଇମାରିବା (ଏକଗୋଟି ଦେବତା) । ୧୩ । ସଂକଳ୍ପମଣି–ଚିନ୍ତାମଣି, ଅଶ୍ଵିନୀତନୁଭବ–ଅଶ୍ୱିନୀକୁମାର, ପରିଣାମ ଦେବତା–ଇଷ୍ଟଦେବତା । ୧୪ । ମେରୁପାଦବୃତ ମନ୍ଦିର-ମେରୁପର୍ବତ ପାଦଦେଶରେ ଯେ ଘରକରି ରହିଥିଲା । ୧୫ । ବିପକ୍ଷୀ-ବୀଣା, ଦିବ୍ୟସଂସଦ–ସ୍ଵର୍ଗୀୟ ସଭା, ଜମ୍ପତି–ଦମ୍ପତି, ପତି ଓ ପତ୍ନୀ । ୧୭ । ଗୁଣାଙ୍ଗୁଳିସଂଯୋଗ–ବୀଣାର ତାରରେ ଆଙ୍ଗୁଠି ଲଗାଇବା । ୧୮ । ସର୍ବୋତ୍ତର-ଉକୃଷ୍ଟ, ଲେଖା–ଚିତ୍ର, ଦେବତା;

ରାକାରସିକ ବିଶ୍ୱମୟୁଖ ରଡ଼ି ।

ତାରାଡ଼ମ୍ବର ଯଥା ଛପଇ ସଡ଼ି ଯେ ।

ଯହୁଁ ଦୁହିଁଙ୍କ କରକାନ୍ତି ବାଜିଲା ।

ନିର୍ଜରଙ୍କର ତେଜଃପୁଞ୍ଜ ଭାଜିଲା ଯେ ।୧୯।

ନିର୍ବାଣାଲାତ ପରି ହେବାରୁ ଶିରୀ ।

ଗୀର୍ବାଣବଳି ଚିତ୍ତେ ହେଲା ଏପରି ଯେ ।

ଭ୍ରମରେ ହେଲେ ଏହା ସମରେ କେହି ।

ଅମରେ ଆମ୍ଭେ ଦିଶିଲାଇଁତ ନାହିଁ ଯେ ।୨୦।

 

ଭ୍ରମରୀ ତୁଲ୍ୟ କେଶ ଠାରୁ ନିରେଖି ।

ଚମରୀନୟନାକୁ ତାହାର ଦେଖି ଯେ ।

ଅମରୀ ବିଚାରିଲେ ନ ମରି ଆମ୍ଭେ ।

କାହିଁକି ଧରିଥାଇଁ ଦେହକୁ ଦମ୍ଭେ ଯେ ।୨୧।

 

ତଦନନ୍ତରେ ସୁରେ ଭାଳି ମାନସେ ।

ଗନ୍ଧର୍ବ ଦମ୍ପତିକି ବସାଇ ପାଶେ ଯ ।

କହିଲେ ତୁମ୍ଭ ରୂପ ଗୁଣ ବିଚାରି ।

ପ୍ରସନ ହେଲୁଁ ସର୍ବ ତ୍ରିଦିବଚାରୀ ଯେ ।୨୨।

 

ଏ ଲୋକେ ଆମ୍ଭ ତୁଲେ ହେବ ଦେବତା ।

ଯାହା ମାଗିବ ଏବେ ଦେବେ ଦେବତା ଯେ ।

ଦୁହେଁ ଦୁହଁଙ୍କ ଦେହ ଲାବଣ୍ୟୁଁ ଲବ ।

ଦେବଙ୍କୁ କିଛି କିଛି ଦେବୀଙ୍କି ଦେବ ହେ ।୨୩।

 

ସୁରଙ୍କ ରୂପରଙ୍କ ଭାରତୀ ଶୁଣି ।

ସରୂପ ସ୍ୱରୂପାତ ହେଲା କି ମଣି ଯେ ।

ବିସ୍ମିତ ହୋଇ କର ଯୋଡ଼ି କହିଲେ ।

ଉଚିତ ପ୍ରକାରେ ତ ଆଜ୍ଞା ନୋହିଲେ ।୨୪।

 

ନିର୍ଦ୍ଦୋଷ ରମ୍ୟରୂପ ଗୁଣପଟଳୀ ।

ଗନ୍ଧର୍ବମାନଙ୍କର ମୂଳ ସଙ୍ଖାଳି ଯେ ।

ହଜାରୁ ଅଛୁଁ ପ୍ରାଣ ସମର୍ପଣକୁ ।

କେ ଦେବ ସଉନ୍ଦର୍ଯ୍ୟ ଗୁଣ କଣକୁ ହେ ।୨୫।

 

ପରସଞ୍ଚିତେ ରଖିବାର ଈକ୍ଷଣ ।

ନୁହଇ ତୁମ୍ଭ ପରି ପ୍ରଭୁ ଲକ୍ଷଣ ଯେ ।

ଦେବ ଯାହାକୁ ନିକି ନେଇ ତାହାର ।

ଏ ରୀତି ଚତୁର୍ଦ୍ଦଶ ଲୋକୁଁ ବାହାର ହେ ।୨୬।

 

କରି ଏ କରକଶ ଗିର ଶ୍ରବଣ ।

କୁପିତ ହୋଇ ନାକନିବାସିଗଣ ଯେ ।

ଗାୟନ ଯୁବା ଯୁବତୀଙ୍କ ଉପରେ ।

ପ୍ରହାର କଲେ ତୀବ୍ରଶାପ ରୋଷରେ ଯେ ।୨୭।

 

ନିଶା ରଥାଙ୍ଗ ଯୁବା ଯୁବତୀ ପରି ।

ବିଛିନ୍ନ ହୁଅ ନିତ୍ୟେ ଛାଡ଼ି ଏ ଶିରୀ ଯେ ।

ତହୁଁ ଉଦିତ ହେଳା ପ୍ରଳୟ ଭୟ ।

ଝାମ୍ପିଲା କମ୍ପ ଜମ୍ପତିର ହୃଦୟ ଯେ ।୨୮।

 

ଶୋକବିବଶ ହୋଇ କଲେ ଏ ସ୍ତୁତି ।

ନମୋ ନମସ୍ତେ ସୁଧାଶନସନ୍ତତି ହେ ।

ନମସ୍ତେ ନାକଲୋକନିବାସିବାର ।

ଉଚିତ ନୋହେ ଦୀନ ବିନାଶିବାର ହେ ।୨୯।

 

ପୀୟୂଷ ଅମ୍ଭୋଦର ଦମ୍ଭୋଳି ବୃଷ୍ଟି ।

ସମ୍ଭବିଲେ କି ଆଉ ସ୍ତମ୍ଭିବ ସୃଷ୍ଟି ହେ ।

ରକ୍ଷକଠାରେ ହେଲେ ତକ୍ଷକରୀତି ।

ଶରଣଠାରୁ ହେଲେ ମରଣ ଭୀତି ହେ ।୩୦।

 

ଗୀର୍ବାଣ–ଦେବତା । ୧୯ । ରାକାରସିକ ପୂର୍ଣ୍ଣିମାଚନ୍ଦ୍ର, ବିଶ୍ୱମୟୁଖ-ସମଗ୍ରକିରଣ, ତାରାଡ଼ମ୍ବର–ନକ୍ଷତ୍ରମାନଙ୍କର ଶୋଭା, ଛପଇଲୁଚିଯାଏ, କରକାନ୍ତି–(ଶରୀରର) ତେଜର ଶୋଭା । ୨୦ । ନିର୍ବାଣାଲାତନିଆଁ ନିଭି ଯାଇଥିବା ଅଙ୍ଗାର ପରି । ୨୪ । ସରପ ସ୍ଵରୂପାତ–ପ୍ରକୃତ ବଜ୍ରପାତ । ୨୫ । ଗୁଣପଟଳୀ–ଗୁଣସମୂହ । ୨୮ । ନିଶାରଥାଙ୍ଗ ଯୁବାଯୁବତୀ ପରି–ରାତିରେ ପରସ୍ପର ବିଚ୍ଛିନ୍ନ ରହୁଥିବା ଚକ୍ରବାକ ଦମ୍ପତି ପରି, ପ୍ରଳୟ-ମରଣ । ୨୯ । ସୁଧାଶନସନ୍ତତି–ଅମୃତଭୋଜନକାରୀ ଦେବବୃନ୍ଦ, ନାକଲୋକନିବାସିବାର– ସ୍ଵର୍ଗଲୋକବାସିଗଣ । ୩୦ । ପୀୟୁଷଅମୋଦରୁ–ଅମୃତପୂର୍ଣ୍ଣ ମେଘରୁ, ଦୟୋଳି–ବଜ୍ର, ସ୍ତମ୍ଭିବ–ସ୍ଥିର ହେବ, ରହିବ; ତକ୍ଷକରୀତି–ସର୍ପପରି ବ୍ୟବହାର । ୩୧ । ଫନ୍ଦା–ବ୍ୟବସାୟ,

 

ଫନ୍ଦା ହୁଅଇ ନିନ୍ଦା ସର୍ବ ବଦନେ ।

ବନ୍ଦାରୁବିନାଶନ ନାହିଁ ଭୁବନେ ହେ ।

ହରିଙ୍କି ଭଜି ଯମୁଁ ଡ଼ରି କି ଲବେ ।

ତରୀକି ପାଇ ବୁଡ଼ି ମରି କି କେବେ ହେ ।୩୧।

 

ପ୍ରପନ୍ନତ୍ରାଣପରାୟଣ ଲକ୍ଷଣେ ।

ରକ୍ଷଣ କର ର’କ୍ଷା ସୁବିଚକ୍ଷଣେ ହେ ।

ଘେନି ଇତ୍ୟାଦି ସ୍ତବ ଶ୍ରବଣଫୁଟେ ।

ଦେବେ ବିହିଲେ କୃପା ହୃଦସମ୍ପୂଟେ ଯେ ।୩୨।

 

ତପ୍ତ ଅଙ୍କୁରେ ଯଥା ସୁଧା ସେଚନ ।

ରଚିଲେ ତଥା ଏହି ମୃଦୁ ବଚନ ଯେ ।

ବୃଥା ନୁହଇ କଥା ତ୍ରିଦଶଙ୍କର ।

ତଥାପି ହେଉ ବ୍ୟଥାହର ଏ ଗିର ଯେ ।୩୩।

 

ଦେହାନ୍ତେ ଏହି ରୂପ ଗୁଣ ବହିବ ।

ଏ ଦେହେ ଆଉ ତୁମ୍ଭ ସଙ୍ଗ ନୋହିବ ଯେ ।

ଏହି ନିକଟେ ଲବ୍‌ଧ ହେବ ପଞ୍ଚତା ।

ତୁ ହେବୁ ଦ୍ରୁମ,ଲତା ହେବ ବନିତା ଯେ ।୩୪।

 

ଗୋମତୀତୀରେ ହେବୁ ତୁ ଚୂତତରୁ ।

କୈଳାସେ ଦ୍ରାକ୍ଷା ଲତା ହେବ ରମ୍ଭୋରୁ ଯେ ।

ଫଳେ ଋଷିଙ୍କି ଶଶିଚୂଳ ଶିବାଙ୍କୁ ।

ତୋଷିବ ତରୁଜନ୍ମ ତରିଯିବାକୁ ଯେ ।୩୫।

 

ନୃଲୋକେ ରବିଭବ ବାହୁଜକୁଳେ ।

ଜନକଜନୟିତ୍ରୀ ତପସ୍ୟାବଳେ ଯେ ।

ବଦାନ୍ୟ ବିଶାରଦ ଶୂର ସୁନ୍ଦର ।

ହୋଇ ହୋଇବୁ ମହାରାଜକୁମାର ଯେ ।୩୬।

 

ସରୋଜସମୁଦ୍ଭବ କ୍ଷତ୍ରବଂଶରେ ।

ଗିରିସାମନ୍ତତନୁଭବା ଅଂଶରେ ଯେ ।

ଏଥୁଁ ଅଧିକ ଶୋଭା ଗୁଣକୁ ଧରି ।

ତୋ ରାମା ହେବ ଚକ୍ରବର୍ତ୍ତିକୁମାରୀ ଯେ ।୩୭।

 

ସେହି ଦେହରେ ଫୁଣି ଦମ୍ପତି ଦୁଖ ।

ପାଇବ ଯଥା ରତିଫୁଲବିଶିଖ ଯେ ।

ଏ ଆଜ୍ଞା ଅନ୍ତେ ଉର୍ଦ୍ଧ୍ୱେ ଦିଅନ୍ତେ ଦୃଷ୍ଟି ।

ହୋଇଲା କଳ୍ପତରୁ କୁସୁମବୃଷ୍ଟି ଯେ ।୩୮।

 

ସପକ୍ଷ ଯାନଯୁଗ ହଜାର ହେଲା ।

ବହି ଦୁହିଁକି ଦୁଇ ପ୍ରଦେଶେ ନେଲା ଯେ ।

ବାତାମ୍ବୁପର୍ଣ୍ଣାଶନ ତପ ଆଚରି ।

ମୁନିମଣ୍ଡଳିପାଦେ ସେବନ କରି ଯେ ।୩୯।

 

ଲାବଣ୍ୟଧ୍ୱଜ କଲା ବାସ ସେ ବନେ ।

ରହିଲା ରାମା ଉମାପାଶ ସେବନେ ଯେ ।

ତାହା ଲାବଣ୍ୟଶିରୀଗୁଣ ବିଚାରି ।

ଆହାଲାଦରେ ନିଜ ପୁତ୍ରୀକି ପରି ଯେ ।୪୦।

 

ପରମ ସ୍ନେହେ କଲେ ପରିପାଳନ ।

ଦଇବ ସଂକଳ୍ପ ହେବ କି ଆନ ଯେ ।

ଦିନେ ନାରଦ ବ୍ରହ୍ମାନନ୍ଦ ଅମଳେ  

ମଜ୍ଜି ଅମ୍ବରୋଦରେ ବିହରୁଥିଲେ ଯେ ।୪୧।

 

ବନ୍ଦାରୁ–ବନ୍ଦୀ, ଭାଟ (ଗନ୍ଧବମାନେ ଦେବତାଙ୍କର ଭାଟକାର୍ଯ୍ୟ କରନ୍ତି) । ୩୨ । ହୃଦସଂପୁଟେ – ହୃଦୟରୂପ ଫରୁଆରେ । ୩୪ । ପଞ୍ଚତା ଲବ୍‌ଧ ହେବ–ପଞ୍ଚତ୍ୱ ପ୍ରାପ୍ତ ହେବ ଅର୍ଥାତ୍ ମରିବ । ୩୬ ।-ରବିଭବ ବାହୁଜ–ସୂର୍ଯ୍ୟବଂଶୀୟ କ୍ଷତ୍ରିୟ, ବଦାନ୍ୟ–ଦାତା, ବିଶାରଦ–ପଣ୍ଡିତ । ୩୭ । ସରୋଜସମଦ୍ଭବ କ୍ଷତ୍ରବଂଶରେ–ପଦ୍ମଜାତ କ୍ଷତ୍ରିୟ କୁଳରେ , ଗିରିସାମନ୍ତତନୁଭବା ଅଂଶରେ–ପାର୍ବତୀଙ୍କ ଅଂଶରେ । ୩୮ । ଫୁଲବିଶଖ–କନ୍ଦର୍ପ । ୩୯ । ସପକ୍ଷ ପାନଯୁଗ–ପକ୍ଷ ଲାଗିଥିବା ଦୁଇଟି ବୋମଯାନ, ବାତାମ୍ବୁର୍ଣ୍ଣାଶନତପ–ଯେଉଁ ତପସ୍ୟାରେ କେବଳ ବାୟୁ, ଜଳ, ପତ୍ର ମାତ୍ର ଭକ୍ଷଣ କରାଯାଏ । ୪୦ । ବ୍ରହ୍ମାନନ୍ଦ ଅମଳ–ପରଂବ୍ରହ୍ମ ଚିନ୍ତାରୂପ ଆନନ୍ଦରେ ବା ନିଶାରେ ଉନ୍ନତ୍ତ ହୋଇ, ଅମ୍ବରୋଦରେ-ଆକାଶ ମଧ୍ୟରେ ।

 

ମହତୀ ଦଣ୍ଡ ଭୂଷା କୁସୁମମାଳ ।

ଜବନ ପବନରୁ ହୋଇ ଆନ୍ଦୋଳ ଯେ ।

ପୁନ୍ନାଗ ମଲ୍ଲୀ ଦୁଇ କୁସୁମ ଝଡ଼ି ।

ଚପଳେ ଗଲେ ଦୁଇ ଦିଗକୁ ଉଡ଼ି ଯେ ।୪୨।

 

ଗନ୍ଧର୍ବେ ପଡ଼ି ସେ ପୁନ୍ନାଗ କୁସୁମ ।

କଲା ତାହାକୁ ପିକବଲ୍ଲଭ ଦ୍ରୁ୍ମ ଯେ ।

କେଳିମଞ୍ଜୁଳା ଉରେ ବାଜିଲା ମଲ୍ଲୀ ।

ହେଲା ସେ କଇଳାସେ ମୃଦ୍ୱିକା ବଲ୍ଲୀ ଯେ ।୪୩।

 

ସମ୍ପୂର୍ଣ୍ଣ ହେଲା ଭାବି ପ୍ରତ୍ୟୁହଦ୍ୱନ୍ଦ୍ୱ ।

ଶାପାନୁକମ୍ପ ନାମ ଦ୍ୱିତୀୟ ଛାନ୍ଦ ହେ ।

ତୃତୀୟେ ସର୍ବଜନ ଶ୍ରବଣୋତ୍ସବ ।

କହିବି ମହାଗଜଘୋଷ ବିଭବ ହେ ।୪୪।

ଯେ ବନବାସୀ ହୋଇ ଅବନିପ୍ରିୟ ।

ଅସିତାମ୍ବୁଜଦ୍ୟୁତି ସୀତାପ୍ରଣୟ ଯେ ।

ସେ ରାମରମଣୀୟ ପଦସାରସ ।

ବନ୍ଦଇ ରାମଚନ୍ଦ୍ର ଦେବ ନରେଶ ଯେ ।୪୫।

 

। ୪୨ । ମହତୀନାରଦଙ୍କ ବୀଣା, ଜବନ ବେଗବାନ୍ । ୪୩ । ପିକବଲ୍ଲଭଦ୍ରୁମ–ଆମ୍ବଗଛ, ମୃଦ୍ୱିକାବଲ୍ଲୀ–ଦ୍ରାକ୍ଷାଲତା । ୪୪ । ପ୍ରତ୍ୟୁହଦ୍ୱନ୍ଦ–ବାଧା ଦୁଇଗୋଟି, ମହାଗଜଘୋଷ ରାଜଧାନୀର ନାମ । ୪୫ । ଅବନିପ୍ରିୟ–ପୃଥିବୀପତି, ଅସିତାମ୍ବୁଜିଦ୍ୟୁତି-ନୀଳପଦ୍ମପରି କାନ୍ତି ଯାହାଙ୍କର (ରାମଚନ୍ଦ୍ରଙ୍କ ବିଶେଷଣ), ସୀତାପ୍ରଣୟ– ସୀତାପତି ।

 

ତୃତୀୟ ଛାନ୍ଦ

ରାଗ-କୃଷ୍ଣକଳା

(ମହାଗଜଘୋଷ ରାଜଧାନୀର ବର୍ଣ୍ଣନା)

 

ଶୁଣ ଗୁଣନିକୁରମ୍ବ ନିପୁଣ ନାଗରେ ।

ମଳୟ ଉତ୍ତର ମେରୁ ଦକ୍ଷିଣ ଭାଗରେ ।

ଅଛି ଅଭିରାମ କାମରୂପ ନାମ ଦେଶ ।

ତହିଁ ରାଜେ ରାଜଧାନୀ ମହାଗଜଘୋଷ ହେ ।୧।

 

ଯା ପରିଖା ପରି ଖାତ ନୋହେ ମହାବର୍ଣ୍ଣ ।

ତ୍ରିକୂଟକୂଟକୁ ବଳି କରେ ନେତ୍ରୋତ୍ସବ ଯେ ।

ସ୍ୱର୍ଗୀୟ ମାର୍ଗସଂସର୍ଗୀ ମହୋନ୍ନତ ଦୁର୍ଗ ।

ଗୁରୁଜଳଧରଚୁମ୍ବି ଗୁରୁ ଯେ ଉତ୍ସର୍ଗ ଯେ ।୨।

 

ଭଣ୍ଡିରନ୍ଦ୍ରେ ମଣ୍ଡା ହୋଇବାରୁ ଚାରିପାଶେ ।

ଭାର୍ଗବମାର୍ଗଣ ଭିନ୍ନ ଗିରି ପରି ଦିଶେ ଯେ ।

ଅଶେଷ ସୁବର୍ଣ୍ଣମାନେ ହେବାରୁ ବରଣ ।

ଯାଗଶାଳା ପରି ସେ ନଗରୀ ଆଚରଣ ଯେ ।୩।

 

ଅନେକ ସହସ୍ରନେତ୍ର ମଣ୍ଡିତ ହେବାରୁ ।

ଅତିଶୟ ପ୍ରତିଷ୍ଠିତ ତ୍ରିପିଷ୍ଟପଠାରୁ ।

ଅସଂଖ୍ୟ ନର ବାହନେ ସଞ୍ଚରିବା ଘେନି ।

ଅଳକାକୁ ହସୁଛି ସେ ମହାରାଜଧାନୀ ଯେ ।୪।

 

ଅମିତ ହିରଣ୍ୟ ଗର୍ଭଗୃହ ସମ୍ପର୍କରୁ ।

ସେ ନାଗରୀ ଗରୀୟସୀ ବିରଞ୍ଚିଲୋକରୁ ।

ବହୁ କୁଣ୍ଡଳୀନ ସ୍ନେହପାତ୍ର ସେ କଟକ ।

ଏଣୁ ଜଣା ହୋଏ ତହୁଁ ଊଣା ନାଗଲୋକ ଯେ ।୫।

 

ଚିତ୍ରାବଳୀ ଅଛି ନିକି ସେ ମଧୁ ପୂର୍ଣ୍ଣମା ।

ପତ୍ରାବଳୀ ଅଛି କି ସେ ବେଶବତୀ ବାମା ।

ଗୁଣବତୀ ହେବାରୁ ପ୍ରତୀତ ସେ କି ସ୍ରଜ ।

ମହା ସେନଦରବତୀକି ଦେବ ଫଉଜ ଯେ ।୬।

 

ତୃତୀୟ ଛାନ୍ଦ

 

୧ । ନିକୁରମ୍ୱ-ସମୂହ । ୨ । ପରିଖା– ଗଡ଼ଖାଇ, ଖାତ-ଗଭୀର (ଖୋଳ ପାଇଥିବା), ତ୍ରିକୂଟକୂଟ-ଲଙ୍କାସ୍ଥିତ ତ୍ରିକୂଟ ପର୍ବତର ଶିଖର, ସ୍ୱର୍ଗୀୟ ମାର୍ଗସଂସର୍ଗୀ-ଆକାଶସ୍ପର୍ଶୀ, ଗୁରୁଜଳଧରଚୁମ୍ଭୀ–ଅତି ଉଚ୍ଚରେ ଥିବା ମେଘକୁ ସ୍ପର୍ଶ କରୁଥିବା, ଉତ୍ସର୍ଗ-ଉଚ୍ଚତା । ୩ । ଭଣ୍ଡିରନ୍ଧ୍ରେ-ପ୍ରାଚୀର ଗାତ୍ରରେ ଖୋଳା ଯାଇଥିବା ଗର୍ତ୍ତରେ, ମଣ୍ଡା-ଭୂଷିତ, ଭାର୍ଗବମାର୍ଗଣଭିନ୍ନ ଗିରି–ପରଶୁରାମଙ୍କ ଶରରେ ବିଦୀର୍ଣ୍ଣ ହୋଇଥିବା କ୍ରୌଞ୍ଚ ନାମକ ପର୍ବ (ଶ୍ଳେଷାଳଙ୍କର ) । ବରଣ-ପ୍ରାଚୀର, ଅନ୍ୟପକ୍ଷରେ-ନିଯୁକ୍ତକରଣ, ସୁବର୍ଣ ସୁନା, (ଅନ୍ୟପକ୍ଷରେ) ବ୍ରାହ୍ମଣ । ୪ । ଅନେକ ସହସ୍ର ନେତ୍ର-ବହୁସଂଖ୍ୟକପତାକା (ଅନ୍ୟପକ୍ଷରେ ) ଅନେକ ଇନ୍ଦ୍ର, ତ୍ରିପିଷ୍ଟପ-ସ୍ଵର୍ଗ, ବାହନେ-ଶୁଆରୀ ପ୍ରଭୃତି ଯାନରେ, ନରବାହନ-କୁବେର, ଅଳକା-କୁବେରପୁରୀ । ୫ । ହିରଣ୍ୟଗର୍ଭଗୃହ-ସୁବର୍ଣ୍ଣପୂର୍ଣ୍ଣ ଘର, ହିରଣ୍ୟଗର୍ଭ-ବ୍ରହ୍ମା,

ଅନୁସରି ଅଛି ଯାହା ସୁମଧୁର ଧ୍ୱନି ।

କବୀନ୍ଦ୍ର ଭାରତୀ କି ସେ ନୋହେ ରାଜଧାନୀ ।

ହେବା ଘେନି ସୁରୁଚି ରମଣୀଗଣଯୁତ ।

ଭାଗ୍ୟବନ୍ତ ଗୃହ ପରି ହୁଅଇ ପ୍ରତୀତ ।୭।

ଭାସ୍ୱଦଂଶୁ କ୍ଲାନ୍ତି ହୋଇଅଛି ଚୂଳଦେଶେ ।

ମହାପୁରୀ , କଇତବ ବିଷ୍ଣୁ ପଦୀ କି ସେ ।

 

ବହୁବିଧ ଅଗ୍ରହାରରାଜିରେ ବିରାଜେ ।

ଜବାଧରା ପୟୋଧର ବିବାଦକୁ ସାଜେ ଯେ ।୮।

 

ବିବିଧ ସୁମନ୍ତ୍ରେ ଚଳିବାରୁ ଅଧିକାର ।

ଅଯେଧ୍ୟା ନଗରୀକି ସେ କରୁଛି ଧିକ୍‌କାର ।

ସମସ୍ତ ଅର୍ଥଦାୟିନୀ ହରିଭକ୍ତି ପରି ।

ବିମାନ ଉଦୟା କି ସେ ଅନୁକୂଳା ନାରୀ ଯେ ।୯।

 

ନୀତିମତୀ ସେ ଅନୀତିମତୀ କଲା ବିହି ।

ଅବାଦିତ୍ରା ହେଲେ ହେଳେ ସବାଦିତ୍ରା ସେହି ।

ଅଗଚୟୋଚିତା ପୁଣି ସେ ନାଗରୋଚିତା ।

ଗଜଘଟା ପୂର୍ଣ୍ଣ ହୋଇ ନଗଜା ରଚିତା ।୧୦।

 

ଭୂପରାଗ ନାହିଁ ନିତି ହେବାରୁ ମାର୍ଜିତ ।

ପୁଣି ଭୂପରାଗରୁ ସେ ହୋଇଛି ନିର୍ମିତ ।

ମଧ୍ୟେ ମଧ୍ୟେ ବିଭୂଷିତ ଚିତ୍ର ପରଦାରେ ।

କାହାରି ମାନସ ହେଉ ନାହିଁ ପର ଦାରେ ।୧୧।

 

ବିରଞ୍ଚଲୋକ-ବ୍ରହ୍ମଲୋକ, ଗରୀୟସୀ–ଅତି ଉତ୍କୃଷ୍ଟ, କୃଣ୍ଡଳୀନ-କୁଣ୍ଡଳପିନ୍ଧିଥିବା, (ଅନ୍ୟପକ୍ଷରେ) କୁଣ୍ଡଳୀ ବା ସର୍ପ । ୬ । ଚିତ୍ରାବଳୀ ଚିତ୍ରସମୂହ ଓ ଚିତ୍ରାନକ୍ଷତ୍ରସମୂହ, ମଧୁପୂର୍ଣ୍ଣିମା-ଚୈତ୍ରପୂର୍ଣ୍ଣିମା, ପତ୍ରାବଳୀ-ନାନାଜାତୀୟ ବୃକ୍ଷର ପତ୍ର ଓ ସ୍ତନକପୋଳ ପ୍ରଭୃତିରେ ପତ୍ରାକୃତି ଚିତ୍ରରଚନା, ଗୁଣବତୀ–ଗୁଣଯୁକ୍ତା ଓ ସୂତାରେ ଗୁନ୍ଥା ହୋଇଥିବା, ସ୍ରଜ-ଫୁଲମାଳ, ମହାସେନାଦରବତୀ-ବହୁ ସୈନ୍ୟଙ୍କୁ ଯେ ଆଦରରେ ରଖିଅଛି ଓ ମହାସେନ ଅର୍ଥାତ୍ କାର୍ତ୍ତିକେୟଙ୍କୁ ଆଦର କରୁଥିବା, ଦେବଫଉଜ-ଦେବସେନା । ୭ । ସୁମଧୁର ଧୂନି–(ସେ ନଗରୀରେ) ସର୍ବଦା ହେଉଥିବା ସୁନ୍ଦର ଶବ୍ଦ, କବୀନ୍ଦ୍ର ଭାରତୀ-ବାଲ୍ଲୀକିଙ୍କ କଥା ବା ରଚନା । ସୁରୁଚିରମଣୀଗଣ ଯୁତ–ସୁନ୍ଦର ହୀରାପ୍ରଭୃତି ମଣିରେ ପରିପୂର୍ଣ୍ଣ, (ଅନ୍ୟପକ୍ଷରେ) ସୁରୁଚି (ସୁନ୍ଦର ରୁଚିଯୁକ୍ତା) ରମଣୀଗଣ (ସୀସମୂହ)ଙ୍କ ଦ୍ଵାରା ପୂର୍ଣ୍ଣ । ୮ । ଭାସ୍ଵଦଂଶୁକାନ୍ତି-ଶୁକ୍ଳକିରଣମୟ (ସ୍ଵର୍ଗ ଗଙ୍ଗ ପକ୍ଷରେ) ଧଳା କିରଣବୋଳା । ମହାପୁରୀକୈତବ ବିଷ୍ଣୁପଦୀ କି ସେ-ମହାରାଜଧାନୀ ଛଳନାରେ ପ୍ରକୃତରେ ସେ ବିଷ୍ଣୁପଦୀ ଅର୍ଥାତ୍ ଗଙ୍ଗା (ଅପହୃତି ଅଳଙ୍କାର), ଅଗ୍ରହାର ରାଜି–ବ୍ରାହ୍ମଣଶାସନସମୂହ ଏବଂ ଆଗରେ ପଡ଼ିଥିବା ହାର, ପୟୋଧର– କୁଚ । ୯ । ସୁମନ୍ତ୍ରେ–ଉତ୍ତମ ମନ୍ତ୍ରଣାଦ୍ଵାରା, ସୁମନ୍ତ୍ର ଦଶରଥଙ୍କ ସାରଥି ମନ୍ତ୍ରୀ, ଅର୍ଥଦାୟିନୀ–ଧନଦାତ୍ରୀ ଓ ଚତୁର୍ବର୍ଗଦାୟିନୀ, ବିମନ ଉଦୟ-ନାନାବିଧ ରଥଦ୍ୱାରା ଶୋଭମାନା ଓ ବିଶେଷ ରୁପେ ମାନବତୀ । ୧୦ । ନୀତିମତୀ-ନ୍ୟାୟପରାୟଣା, ଅନୀତିମତୀ– ଶସ୍ୟବିନାଶକ, ଇତିଭୟ ଶୂନ୍ୟ; ବିହି-ବିଧାତା, ଅବାଦିତ୍ରା–ଅବାଦୀ ଅର୍ଥାତ୍ ମିତ୍ରମାନଙ୍କୁ ରକ୍ଷା କରେ ଯେ, ସବାଦିତ୍ରା–ସର୍ବଦା ଯେଉଁଠାରେ ବାଦ୍ୟ ବାଜୁଥାଏ । ଅଗଚୟୋଚିତା– ନାନାବୃକ୍ଷପୂର୍ଣ୍ଣା, ନାଗରୋଚିତା–ରସିକପୂର୍ଣସ୍ଥାନ, ଗଜଘଟା––ହାତୀସବୁ, ନଗଜାରଚିତା–ପାର୍ବତୀମୂର୍ତ୍ତି ଶୋଭିତା । ୧୧ । ରୂପରାଗ–ଧୂଳି, ମାର୍ଜିତ–ପରିଷ୍କୃତ, ଭୂପରାଗ-ରାଜାଙ୍କ ସ୍ନେହ ଅନୁଗ୍ରହ । ଚିତ୍ର ପରଦାରେ-ଚିତ୍ରିତ ଯବନିକାରେ, ପର ଦାରେ––ପର ସ୍ତ୍ରୀ ଠାରେ

 

ଅନବରତରେ ନବରତ ମହୋତ୍ସବ ।

ଉଛୁଳେ ମଙ୍ଗଳଗୀତ, ହୁଳୁହୁଳି ରବ ଯେ ।

ଅନଙ୍ଗବିଳାସସ୍ଥଳୀ ପରି ରସୋତ୍ତର ।

ପୁଣି ଶତ ଶତ ଶତାଙ୍ଗରେ ମନୋହର ଯେ ।୧୨।

 

ମରକତ ମାଣିକ୍ୟ ସ୍ପଟିକ ବାହମୟ ।

ହୋଇ ପ୍ରତି ଗୃହାଙ୍ଗଣେ କେଳି ଜଳାଶୟ ।

ଘେନି ସର୍ବଋତୁ ମଳୟଜ ପବନକୁ ।

ସେବିଛନ୍ତି ପ୍ରତିବାଟି ପୁଷ୍ପୋପବନକୁ ।୧୩।

 

ନ ଥିବାରେ କେଳିଗିରି ମଣ୍ଡପ ଜଗତୀ ।

ନାହିଁ ତହିଁ ମହାଜନମାନଙ୍କ ବସତି ।

କୁରୁବିନ୍ଦ ଇନ୍ଦ୍ରନୀଳ ବଇଡୁର୍ଯ୍ୟମୟ ।

ହେବାରୁ ସେ ପୁରେ ଅଟ୍ଟ କୁଟ୍ଟିମ ନିଳୟ ।୧୪।

 

ଖମଣ୍ଡଳେ ଖେଳିଳା ଯା ତହୁଁ ନାନାଭାନୁ ।

ଘନେ ବୋଲାଇଲେ କାମରୂପୀ ସେହି ଦିନୁ ।

ହଜାର ସ୍ଥଳାରେ ଯହିଁ ବଜାର ବସୁଛି ।

ବାଜାର ନିର୍ଘୋଷ ତହିଁ ଉଦରେ ମିଳୁଛି ।୧୫।

 

ଗଜଘଟା ଘଣ୍ଟାନାଦ ବୃଂହିତରେ ମିଶା ।

ହରିହୟହୟାନ୍ୱୟ ହୟଚୟ ହ୍ରେଷା ।

 

ଚନ୍ଦ୍ରସୂର୍ଯ୍ୟ ଚିହ୍ନ ଚାରୁ ଚିରାଳ ମର୍ମର ।

କରି କର୍ଣ୍ଣତାଳ ଧ୍ୱନି ଘରଟ୍ଟଘର୍ଘର ଯେ ।୧୬।

 

ଉଷ୍ଟ୍ର ପଟଳୀର ପଟୁତର ଗରଜନ ।

ସଂଳାପ ଆରମ୍ଭିବାରେ ସେ ନଗରଜନ ।

ବୀଣା ରବା ବେହେଲା ସିତାରାଦି ସଂଙ୍ଗୀତ ।

କେତେ କେତେ ସ୍ଥାନେ ବାରବିଳାସିନୀ ନୃତ୍ୟ ।୧୭।

 

କେତେ ପ୍ରଦେଶରେ ରସୋତ୍ତର ବାକ୍ୟାଳାପ ।

ଛାନ୍ଦ ଚଉପଦୀ ଢଗ ପହଳୀ କଳାପ ।

ବେଦାନ୍ତ ମୀମାଂସ ତର୍କ ବ୍ୟାକରଣ ନ୍ୟାୟ ।

ସିଦ୍ଧାନ୍ତ କରନ୍ତି ଶୁକସାରୀ ସମବାୟ ।୧୮।

 

ନିଜ ମତୀ ପକ୍ଷପାତୀ ଦ୍ୱିଜାତୀ ଭାରତୀ ।

କେଉଁ କେଉଁ ସ୍ଥଳେ ଗୀତ ହେଉଛନ୍ତି ଶ୍ରୁତି ।

କବାଟ ଫେଟନା ରବେ ହୋଇଛି ସଂଯୁତ ।

ରମଣୀଗଣ ବାଜେଣୀ ଭୂଷଣଶିଞ୍ଜିତ ।୧୯।

 

ଅନବରତ–ସର୍ବଦା, ନବରତ ମହୋତ୍ସବ-ନୂତନ ରତି ମହୋତ୍ସବ, ରସୋତ୍ତର-ଶୃଙ୍ଗାରାଦି ରସର ଯୋଗ୍ୟ, ଶତାଙ୍ଗ-ରଥ । ୧୩ । କେଳିଜଳାଶୟ-କ୍ରୀଡ଼ା ପୁଷ୍କରଣୀ, ବାହମୟ-ପାର୍ଶ୍ଵଯୁକ୍ତ, ଚାରିବାହିଥିବା । ୧୪ । ଜଗତୀ-ବଡ଼କୋଠା, ଅଟ୍ଟକୁଟ୍ଟିମନିଳୟ-ସମୁଚ୍ଚ ଅଟ୍ଟାଳିକା । ୧୫ । ଖମଣ୍ଡଳ-ଆକାଶଦେଶ, ନାନାଭାନୁ-ନାନାବିଧ କିରଣ; ଘନେ–ମେଘମାନେ, କାମରୂପୀ-ନିଜ ଇଚ୍ଛାରେ ବିଭିନ୍ନ ରୂପଧାରଣକାରୀ । ୧୬ । ଗଜଘଟା-ହସ୍ତିସମୂହ, ବୃଂହିତ–ହାତୀର ରବ, ହରିହୟହୟାନ୍ୱୟ–ଇନ୍ଦ୍ରଙ୍କ ଉଚୈଃଶ୍ରବା ଅଶ୍ଵବଂଶୀୟ, ହରିଚୟ–ଅଶ୍ଵମାନେ, ହ୍ରେଷା-ଘୋଡ଼ାର ଧ୍ୱନି, ଚିରାଳ–ପତାକା, ଘରଟଘର୍ଘର––ପେଷଣାମାନଙ୍କର ଘର୍‌ ଘର୍‌ ଶବ୍ଦ, ରବା (ପାରସି ରବାବ୍)–ଏକପ୍ରକାର ବାଦ୍ୟଯନ୍ତ୍ର । ୧୮ । ରସୋତ୍ତର-ରସମୟ, ସମବାୟ-ସମୃହ । ୧୯ । ଦ୍ଵିଜାତି–ବ୍ରାହ୍ମଣ, । ଭାରତୀ-ବିଦ୍ୟା, ଶ୍ରୁତି-ବେଦ, ଫେଟନାରବ-ଫିଟାଇବା ଶବ୍ଦ, ଶିଞ୍ଜିତ–ଅଳଙ୍କାରଧ୍ୱନି ୨୦ । ସେ ନଗରୀର ପ୍ରାସାଦମାନଙ୍କରେ କେବଳ ବର୍ଣ୍ଣସଙ୍କର (ବିଭିନ୍ନ ବର୍ଣ୍ଣର ମିଶ୍ରଣ) ଦେଖାଯାଏ କିନ୍ତୁ ବର୍ଣ୍ଣସଙ୍କର ଅର୍ଥାତ୍ ମିଶ୍ରଜାତି ସେଠାରେ ନାହାନ୍ତି । ରତ ବିନା ଆନେ–ରତିକ୍ରିୟା ଛଡ଼ା

 

ସମସ୍ତ ପ୍ରାସାଦ ଚିତ୍ରଶିଳ୍ପରୁ ଇତରେ ।

ନାହାନ୍ତି ବର୍ଣ୍ଣସଙ୍କର ସେ ପୁର ଭିତରେ ।

ରତ ବିନା ଆନେ ତହିଁ ନାହିଁ କେଶଗ୍ରହ ।

ଅକ୍ଷକ୍ରୀଡ଼ା ବିନା ଦେଖା ନାହିଁ ଶୃନ୍ୟଗୃହ ।୨୦।

 

ଦନ୍ତବାସ ଗୀତ ବିନା ରାଗ ନାହିଁ ଆନେ ।

କୁଞ୍ଜରେ ମଦବିକାର ଅଛି ନାହିଁ ଜନେ ।

ବିପକ୍ଷ ବୋଲାଏ ଏକା ବିହଙ୍ଗମ ପକ୍ଷ ।

କୁଟିଳ କେବଳ କଳାବତୀଙ୍କ କଟାକ୍ଷ ।୨୧।

 

କାବ୍ୟେ ଦୃଢ଼ବନ୍ଧ ଶାସ୍ତ୍ରେ ଚିନ୍ତା କମ୍ପ ଧ୍ୱଜେ ।

କଠିନତା ମଣି ମାତ୍ର ରମଣୀଉରଜେ ।

ଜନକ କଳିତ ଦଣ୍ଡ ସିତ ଆତପତ୍ରେ ।

ଚଞ୍ଚଳତା ବାରନିତମ୍ବନୀ ଜନନତ୍ରେ ।୨୨।

 

ଜ୍ଞାନପ୍ରଦୀପରୁ ହୃଦନ୍ତରେ ତମ ନାହିଁ ।

ମଣିପୁରମୟୂଖରୁ ବାହାରେ ସେ କାହିଁ ।

ରଜୋଗୁଣ ମାତ୍ର ମନ୍ତ୍ର କେତକୀ କେଶରେ ।

ମହା ସତ୍ତ୍ୱବନ୍ତ ପ୍ରତି ଗୁଣ ପୁରୁଷରେ ।୨୩ ।

 

ରଳ ଦୁଇବର୍ଣ୍ଣ ଅଭିପ୍ରାୟ ଜାଣି ଏକ ।

ଖଳ ବୋଲି ରାସଭକୁ ଜାଣନ୍ତି ରଜକ ।

ଡଳ ଦୁଇବର୍ଣ୍ଣେ ନ ଥିବାରୁ ଭେଦମତି ।

ଜଳକୁ ସକଳେ ଜଡ଼ ବୋଲି ବିଚାରନ୍ତି ।୨୪।

 

ଅନୀକରେ ନକଚଞ୍ଚୁ ଯୋଧି ବିହଗରେ ।

ବିପତ୍ତି ବୁଦ୍ଧି କରନ୍ତି ନରେ ସେ ନଗରେ ।

ଦର ବୋଲି ତହିଁ ଜନ କମ୍ଭକୁ ଭାଷଇ ।

ବିରୋଧ ମାତ୍ରକ ଅଳାଙ୍କାରେ ଆଭାସଇ ।୨୫।

 

ଚାପ ବିଦ୍ୟା ଖୁରଳୀରେ ମାତ୍ର ଗୁଣଚ୍ଛେଦ ।

ଜନମନେ ନାହିଁ ଶରବ୍ୟରେ ଏକା ଭେଦ ।

ବାମାକଟୀ ମାତ୍ର କୃଶ କୃଶ ନାହିଁ ଜନ ।

ଜାତିହୀନ ନାହିଁ ପୁଷ୍ପ ସମୟରୁ ଆନ ।୨୬।

 

ସାତପୁରୀ ମହଲାଙ୍କ ମହୋନ୍ନତ ଶିର ।

ଧିଷଣନିଧିଷ୍ଠ ନୋହେ ଧିଷଣାଗୋଚର ।

ଦେବଙ୍କର ସଲିଳମଜ୍ଜକାଳେ ନିତି ।

ଦେବଦାସୀମାନେ ହୋଇ ସଂସଭ୍ରମ ଅତି ।୨୭।

 

ସ୍ୱସଞ୍ଚିତ ଜଳଘଟ ରାଶି ବୋଲି ଆସି ।

ଧରନ୍ତି ବଡ଼ଭୀଚୂଳ କନକ କଳସୀ ।

ନୀରନ୍ଧ୍ର ହେବାରୁ ବରଜନ୍ତି କେଉଁମାନେ ।

ପତାକାକୁ ଦେଖି କେ ହସନ୍ତି ମନେ ।୨୮।

 

ଅନ୍ୟତ୍ର, କେଶଗ୍ରହ-ମସ୍ତକର କେଶକୁ ଧରିବା, ଅକ୍ଷକ୍ରୀଡ଼ା–ପଶାଖେଳ, ଶୂନ୍ୟଗୃହ-ପଶାପାଲିରେ ଗୋଟି ଚାଲିବାରୁ ଖାଲି ହୋଇଥିବା ପାଲିର ଘର, ଶୂନ୍ୟଗୃହ-ମନୁଷ୍ୟାଦି ନ ଥିବା ଘର । ୨୧ । ଦନ୍ତବାସ–ଅଧର, ରାଗ-ରକ୍ତିମା ଅଥଚ କ୍ରୋଧ କୁଞ୍ଜରେ – ହାତୀଠାରେ, ମଦବିକାର-ମଦଜଳଧାରାର କ୍ଷରଣ, ଅଥଚ ଗର୍ବ । ବିପକ୍ଷ-ପକ୍ଷୀର ଡେଣା ଅଥଚ ଶତ୍ରୁ । କୁଟିଳ-ବକ୍ର ଅଥଚ ଠକ, ଧୂର୍ତ୍ତ । ୨୨ । କନକକଳିତଦଣ୍ଡ-ସୁନା ଦ୍ୱାରା ଶୋଭିତ ଯଷ୍ଟି, ଅଥଚ ଶାସନ ରକ୍ଷାପାଇଁ ଅର୍ଥ ଦଣ୍ଡ ହୁଏ ନାହିଁ । ସିତ ଆତପତ୍ର-ଶୁକ୍ଳବର୍ଣ୍ଣ ରାଜଚ୍ଛତ୍ର, ବାରନିତମ୍ବିନୀ–ବେଶ୍ୟା । ୨୩ । ମଣି ... କାହିଁ-ମଣିରେ ନିର୍ମିତ ଗୃହମାନଙ୍କରୁ ତେଜ ବାହାରୁଥିବାରୁ ଅନ୍ଧକାର ନଗରୀର ବହିର୍ଦ୍ଦେଶରେ ବି ନ ଥାଏ । ରଜୋଗୁଣ ରାଜସିକତା ଅଥଚ ପରାଗମୟତା; ମନ୍ତ୍ର-ମନ୍ତ୍ରଣା, କେତକୀ ଓ କେଶରେ-କେତକୀ ଫୁଲରେ ଓ ନାଗେଶ୍ୱର ଫୁଲରେ । ପ୍ରତ୍ୟେକ ପୁରୁଷଠାରେ ମହାସତ୍ତ୍ୱ ଗୁଣ ଅଛି । ୨୪ । ଖଳ-ଦୁର୍ଜନ, ଖର–ଗଧ । ୨୫ । ଅନୀକରେ–ଯୁଦ୍ଧରେ, ବିପତ୍ତି ବିପଦ ଅଥଚ ବି (ପକ୍ଷୀମାନଙ୍କର) ପତି, ଶ୍ରେଷ୍ଠପକ୍ଷୀ; ଦର-ଭୟ ଓ ଶଙ୍ଖ, ବିରୋଧମାତ୍ରକ ଅଳଙ୍କାରେ ଆଭାସଇ- ସେଠାରେ ବିରୋଧ । ଅର୍ଥାତ୍ ଶତ୍ରୁତା ନାହିଁ କେବଳ ଅଳଙ୍କାର ଗ୍ରନ୍ଥରେ ବିରୋଧାଭାସ ନାମକ ଅଳଙ୍କାର ଅଛି । ୨୬ । ଚାପବିଦ୍ୟାଖୁରଳୀରେ–ଧନୁର୍ବିଦ୍ୟା ଅଭ୍ୟାସରେ, ଗୁଣଛେଦ–ଧନୁର ଜ୍ୟା ଛିଣ୍ଡିବା ଅଥଚ ଗୁଣହୀନତା, ଶରବ୍ୟରେ ଏକା ଭେଦ- ଲକ୍ଷ୍ୟକୁ କେବଳ ଭେଦ କରାଯାଏ, କିନ୍ତୁ କାହାରି ମଧ୍ୟରେ ଭେଦଭାବ ନ ଥାଏ । ଜାତିହୀନ-ନୀଚଜାତି ଅଥଚ ମାଳତୀଫୁଲର ଅଭାବ । ୨୭ । ସାତମହଲା। । କୋଠାମାନଙ୍କର ଉପରିଭାଗଧିଷଣା ଅର୍ଥାତ୍ ବୃହସ୍ପତିଙ୍କର ମଧ୍ୟ ଧିଷଣାଗୋଚର ଅର୍ଥାତ୍‌

 

ଯହିଁ ପୁରେ ଶୋଇଥିଲା ସଚିବଯୁବତୀ ।

ମାରବିକରବିଧୁର ହୋଇ ବାଚସ୍ପତି ।

ନିଜ ଅନ୍ତଃପୁର ଭ୍ରମେ ପଶିଲେ ସେ ପୁରେ ।

ଦେଖିଲେ ଶୋଇଛି ବାଳା ପଲଙ୍କ ଉପରେ ।୨୯।

 

ନିଜ ସରସିଜନେତ୍ରା ଭ୍ରମେ ରତି କରୁ ।

ନିଦ୍ରାଭଙ୍ଗେ ପଚାରିଲା ସେ ହେମରମ୍ଭୋରୁ ।

କାହିଁ କେ ତୁ ଆସିଲୁ ଏ କେମନ୍ତ ଅନୀତି  

ଶୁଣି ସଂକୋଚରେ ବୁଝାଇଲେ ବୃହସ୍ପତି । ୩୦।

 

ପୂର୍ଣ୍ଣ ଶରଚ୍ଚନ୍ଦ୍ର ମୁଖି କୁପିତ ନୁହ ରେ ।

ନିଜପୁରୀ, ନାରୀଭ୍ରମେ ମଦନମୋହରେ ।

ସୁରଗୁରୁ ଆମ୍ଭେ ଏଥି ହୋଇଲୁ ପ୍ରବେଶ ।

ଏଥୁଁ ତତେ ନ ଲାଗିବ ବ୍ୟଭିଚାର ଦୋଷ । ୩୧।

 

ଏହି ଗର୍ଭାଧାନେ ଜାତ ହେବ ଯେଉଁ ସୁତ ।

ଏ ରାଜ୍ୟ ରାଜପୁତ୍ରର ହେବ ପ୍ରିୟମିତ ।

ଆମ୍ଭ ତୁଲ୍ୟ ରୂପବନ୍ତ ବିଦ୍ୟାବନ୍ତ ହେବ ।

ଏତେ କହି ସ୍ୱପୁରକୁ ବିଜେ କଲେ ଜୀବ । ୩୨।

 

ସୁରତାର୍ଥୀ ସୁରେ ବଳେ କରନ୍ତେ ବିବାସ ।

ଅମରୀଏ ହୋଇ ଅପତ୍ରପାରେ ବିବଶ ।

ସେ ପୁରୀ ସଉଧଚୂଳ ପତାକା ଅମ୍ବର ।

ଓଟାରି କରନ୍ତି ଆବରଣ ନିତମ୍ବର ।୩୩।

 

ବାଜି ସେ ପୁର ଅଟ୍ଟାଳୀ ଚେଳବଲ୍ଳୀବାତ ।

ହୋଏ ଦେବତରୁଣୀଙ୍କ ରତିଶ୍ରମ ହତ ।

 

ଯାହା ମହାରଜତ କୁଟ୍ଟିମ ଉନ୍ନତିରୁ ।

ଋଜୁପଥେ ରବିରଥ ନ ଚଳେ ଭୀତିରୁ ।୩୪।

 

ଦକ୍ଷିଣ ଉତ୍ତରେ ଫେରିବାରୁ ଛ ଛ ମାସ ।

ଅୟନ ବୋଲାଇ ଯୁଗେ ହୋଇଛି ବରଷ ।

ଯାହା ପତାକିକଦଣ୍ଡ ଚୁମ୍ବନ୍ତେ ଚନ୍ଦ୍ରମା ।

ରୁଣ୍ଡ ହୁଏ ସେ ଦଣ୍ଡକୁ ଶ୍ୱତଛତ୍ରରମା ।୩୫।

 

ବ୍ୟୋମଭଙ୍ଗା କଳବର ଛାଡ଼ି କୁତୂହଳେ ।

ଅଦୃଶ୍ୟ ହେବାରୁ ଚାହୁଁ ଚାହୁଁ ନିଶାଜଳେ ।

ଜନେ ସେ ନଗରଚୂଳ ଚେଳବଲ୍ଲୀ ଦେଖି ।

ପାରାବତ ମଣି ମନେ ହେଉଛନ୍ତି ସୁଖୀ ।୩୬।

 

ଯହିଁ ପୁରପତାକିକା ନୀଳମଣି ଦଣ୍ଡ ।

ବାଜି ଭାଜି ରହିବାରୁ ଯବ ତୁଲ୍ୟ ଖଣ୍ଡ ।

ସୁଧାକରେ କଳଙ୍କ ବୋଲନ୍ତି ଅଜ୍ଞ ଜନେ ।

ସେ ପୁରୀ ଉନ୍ନତି କାହିଁ ଇତର ଭୁବନେ ।୩୭।

 

ଜ୍ଞାନଗୋଚରର ନେଦିଷ୍ଟ (ନିକଟତମ) ହୁଏ ନାହିଁ । ସସଂଭ୍ରମ-ଉଦ୍‌ବିଗ୍ନ । ୨୮ । ବଡ଼ଭୀ-ଚନ୍ଦ୍ରଶାଳା, ନୀରନ୍ଧ୍ର-ଛିଦ୍ରଶୂନ୍ୟ । ୨୯ । ମାରବିକାରବିଧୁର-କାମପୀଡ଼ିତ, ବାଚସ୍ପତି-ବୃହସ୍ପତି । ୩୦ । ନିଜ ସରସିଜନେତ୍ରା ଭ୍ରମେ–ସ୍ଵକୀୟ ପଦ୍ମନେତ୍ରା ଭ୍ରମରେ । ୩୨ । ଜୀବ-ବୃହସ୍ପତି । ୩୩ । ବିବାସ-ନଗ୍ନ, ଅମରୀଏ-ଦେବୀମାନେ, ଅପତ୍ରପା-ଲଜା, ବିବଶ-ବ୍ୟାକୁଳ, ଅମ୍ବର-ଲୁଗା । ୩୪ । ମହାରଜତ କୁଟ୍ଟିମ ଉନ୍ନତିରୁ–ସୁବର୍ଣ୍ଣନିର୍ମିତ ଅଟ୍ଟାଳିକାମାନଙ୍କର ଅତି ଉଚ୍ଚତା ହେତୁରୁ । ରଜପଥ–ସରଳମାର୍ଗ । ୩୫ । ପତାକିକଦଣ୍ଡ-ପତାକାଯୁକ୍ତଦଣ୍ଡ, । ଶ୍ୱେତଛତ୍ରରମା-ଶୁକ୍ଳବର୍ଣ୍ଣିଛତ୍ରର ସୌନ୍ଦର୍ଯ୍ୟ । ୩୬ । ବ୍ୟୋମ ଭଙ୍ଗ-ଆକାଶରେ ଯେ ଲେଉଟି ଲେଉଟି ଗତି କରେ, କଳରବ-ପାରା, ନିଶାଜଳ-ହଳଦୀପାଣି । ୩୭ । ନିଳୟଧାରଣା ପାଞ୍ଚାଳିକାଗଣେ–କୋଠାଘରରେ ଧାରଣା ହୋଇଥିବା ପୁତ୍ତଳିକାସମୂହ, ଅଭିସାରରସିବଶ

 

ଯହିଁ ନିଳୟ ଧାରଣା ପାଞ୍ଚାଳିକାଗଣେ ।

ଅନିମିଷାଦି ଅନେକ ଲାବଣ୍ୟ ଲକ୍ଷଣେ ।

ପ୍ରତିନିଶା ଅଭିସାର ରସବଶ ସୁରେ ।

ଭିଡ଼ି ବାମାଭ୍ରମରେ ଚୁମ୍ବନ୍ତି ଚିବୁକରେ ।୩୮।

 

ସୁରମଣିକଦମ୍ବ କାମିତ ପୂର୍ତ୍ତିକାରୀ ।

କୃଷ୍ଣଚନ୍ଦ୍ରଙ୍କୁ ଇନ୍ଦ୍ରଙ୍କୁ ନମସ୍କାର କରି ।

ରାମଚନ୍ଦ୍ର ଛୋଟରାୟ ଦେବ କ୍ଷମାପତି ।

କଲେ ମହା ଗଜଘୋଷ ସ୍ତବ ସମାପତି ।୩୯।

 

ଉତ୍ତର ଛାନ୍ଦରେ ନୃପପୁତ୍ର ଜନ୍ମୋତ୍ସବ ।

ରସିକ ଶ୍ରବଣାନନ୍ଦ ଆରମ୍ଭ ହୋଇବ ।

ଏ ଛାନ୍ଦ ଚାରି ଚରଣ ପଦ ଚତ୍ୱାରିଶଂ ।

ସଂଖ୍ୟା ବୋଲି ଜାଣ ସଂଖ୍ୟାବାନ ଅବତଂସ ।୪୦।

 

ସୁରେ–ସଙ୍କେତ ସ୍ଥାନକୁ ରସବଶ ହୋଇ ଯାଉଥିବା ଦେବତାମାନେ । ୩୮ । ସୁରମଣୀକଦମ୍ୱ ସୁନ୍ଦରୀ ଗୋପିକାସମୂହ, ସୁନ୍ଦରୀ ଦେବାଙ୍ଗନା; ବାମିତ-କାମନା, କ୍ଷମାପତି-ପୃଥ୍ୱୀପତି, ରାଜା । ୪୦ । ସଂଖ୍ୟାବାନ ଅବତଂସ–ଗଣନାକାରୀଙ୍କ ମଧ୍ୟରେ ଶ୍ରେଷ୍ଠ ।

 

ଚତୁର୍ଥ ଛାନ୍ଦ

ରାଗ – ବଙ୍ଗଳାଶ୍ରୀ

କୁମାରୋତ୍ସବ

 

ପ୍ରମୁଦିତ ହୃଦେ ଶୁଣ ବିଶାରଦେ ସେ ମହାମଣ୍ଡଳୀ ଧବ ।

ପରତାପନର କରତା ସେ ବୀର ପରତାପକଣ୍ଠୀରବ ।୧।

ସୁନ୍ଦରପଣରେ କନ୍ଦରପ ତୁଲ୍ୟ ଚନ୍ଦରଠାରୁ ଶୀତଳ ।

ଶରଣାପନ୍ନ ରକ୍ଷଣ ବିଚକ୍ଷଣ ଲକ୍ଷଣ ଖେଳନସ୍ଥଳ ।୨।

 

ବିତରଣଗୁଣେ ଇତରଭୂନାଥମଣ୍ଡଳେ ନାହିଁ ତା ତୁଳ ।

ସିତରଶ୍ମି ତୁଲ୍ୟ ଯଶେ ଯେ ଜଗତୀ ଭିତର କରେ ଧବଳ ।୩।

ହିତରକ୍ଷକ ସଙ୍ଗୀତ ରସିକତା ଜିତରମ୍ଭା ଗୁରୁଜନ ।

ଚିତ୍ତର ଗମ୍ଭୀରଗୁଣେ ପାରାବାର ଅମିତ ରସ ବଚନ ।୪।

 

ଦଣ୍ଡିତ ନୁହଇ ଭଣ୍ଡିତ ନ ଜାଣେ ମଣ୍ଡିତ ଗୁଣ ମଣ୍ଡଳେ ।

ଖଣ୍ଡିତ ନୋହିବା ପଣ୍ଡିତପଣେ ସେ ଚଣ୍ଡୀତନୟରୁ ବଳେ ।୫।

ଅମରଙ୍କ ତୁଲେ ସମର କରିବା ସମରଥପଣ ତାର ।

ନ ମରନ୍ତି ଶିଶୁତରୁଣ ସେ ଦେଶେ ଯମର ଏପରି ଦର ।୬।

 

ଦ୍ୱିଜାତି ପୂଜାତିଶୟପରାୟ ଗୁରୁଦେବ ପାଦସେବୀ ।

ପଞ୍ଚବିଂଶ ବୟ ଚଞ୍ଚଳ ଆଶୟ ପରିତ୍ୟାଗୀ ମହାକବି ।୭।

ରସାମୃତଘଟପୟୋଧରା ପଟ୍ଟମହିଷୀ ହେମମଞ୍ଜରୀ ।

ସେ ଭୂପତି ଅକ୍ଷି ମନବ୍ୟାଜପକ୍ଷିତ୍ରିତୟ ବନ୍ଦି ପଞ୍ଜରୀ ।୮।

 

ମାରମହିଳାରୁ ଅଧିକ ଲାବଣ୍ୟ ସାରମୟ ହେବା ଘେନି ।

ହାରମଧ୍ୟମଣି ତାର ଚିତ୍ତେ ମଣି ତା ରମଣ ଥାଏ ଘେନି ।୯।

ଶଚୀର ଭାଗ୍ୟ ଭୁଞ୍ଜଇ କାନ୍ତ ସଙ୍ଗେ ରଚି ରତିରସ କେଳି ।

ଅଚିରବୟସୀ ପତିସ୍ନେହୁଁ କେବେ ନ ଚିରଇ ମହୀସ୍ଥଳୀ ।୧୦।

 

Unknown

ଚତୁର୍ଥ ଛାନ୍ଦ

 

୧ । ପରତାପନ-ଶତ୍ରୁକୁ ଦଣ୍ଡ ଦେବା, ପରତାପକଣ୍ଡୀରବ-କଣ୍ଡୀରବ ବା ସିଂହପରି ପ୍ରତାପୀ । ୨ । ଲକ୍ଷଣ ଖେଳନସ୍ଥଳ– ସୁଲକ୍ଷଣମାନଙ୍କ କ୍ରୀଡ଼ାଭୂମି ବା ଆଧାର । ୩ । ସିତରଶ୍ମି –ସିତାଂଶୁ-ଚନ୍ଦ୍ର । ୪ । ହିତରକ୍ଷକ-ଉପକାରୀମାନଙ୍କର ରକ୍ଷାକର୍ତ୍ତା, ସଙ୍ଗୀତ ... ଗୁରୁଜନ-ସଙ୍ଗୀତ ରସିକତା ବିଷୟରେ ସଙ୍ଗୀତନିପୁଣା ରମା ବେଶ୍ୟର ଗୁରୁଙ୍କୁ ଯେ ଜୟ କରିଅଛନ୍ତି, ଅମିତରସବଚନ–ଯାହାଙ୍କର କଥା ନାନାବିଧ ରସରେ ପୂର୍ଣ୍ଣ । ୫ । ଦଣ୍ଡିତ ନୁହଇ-ଦଣ୍ଡ ଦେବାରେ ଅଭ୍ୟସ୍ତ ନୁହେଁ । ଭଣ୍ଡିତ ନ ଜାଣେ-ଠକିବା କଥା ଜାଣେ ନାହିଁ । ଖଣ୍ଡିତ ନୋହିବା ପଣ୍ଡିତ ପଣରେ–ଅଖଣ୍ଡ ପାଣ୍ଡିତ୍ୟରେ, ଚଣ୍ଡୀତନୟ-ଗଣେଶ ।୮। ରସାମୃତ ... ପୟୋଧରା-ରସମୟ ଅମୃତ ମାଠିଆପରି କୁଚ ଯାହାର, ଅକ୍ଷି-ଦୁଇ ଆଖିକୁ ଓ ମନକୁ ବନ୍ଦୀ କରିବା ବିଷୟରେ ପଞ୍ଜରୀପରି । ୯ । ମାରମହିଳା–ରତି, ହାର ... ତା ରମଣ

 

ଏଡ଼େ ଭାଗ୍ୟବତୀ ହେଲେହେଁ ସେ ସତୀଶିଖା ମଣି ପ୍ରତିଦିନେ

ସନ୍ତାନ ଅଭାବ ଚିନ୍ତାରୁ ଲାଘବ ଲଭି ବିଚାରଇ ମନେ ।୧୧।

 

ଅଖଣ୍ଡମଣ୍ଡଳ ଅଚଳାଖଣ୍ଡଳ କରପଲ୍ଲବ ଧଇଲି ।

ଲକ୍ଷ୍ୟ ସାମନ୍ତାଣୀ ଶିରଭୂଷାମଣିକିରଣେ ପଦ ଧୋଇଲି ।୧୨।

 

ରତିରଙ୍ଗରେ ବିଶାରଦା ହୋଇଲି ସତର ହେଲା ବୟସ  

ମୁଁ ତ ରଖି ନ ପାରିଲି ଆଖିପାଖେ ସୁତର ମୁଖ-ରାକେଶ ।୧୩।

 

ମୋର ସଙ୍ଗେ ଧୂଳିଗୃହ ରଚି କେଳି କରୁଥିଲା ଯେତେ ସହୀ ।

ସୁତ ରଖି ତଳେ ଜୁହାରିବା ବେଳେ ଲାଜେ ନ ପାରିଲି ଚାହିଁ ।୧୪।

 

ଏମନ୍ତ ସନ୍ତତି ଅଭାବ ଚିନ୍ତନେ ସେ ମନ୍ଥରତରଗତି ।

ଉଭା ହେଲା ଦିନେ ବିଷଣ୍ଣ ବଦନେ ହେଲାପରି ମାନବତୀ ।୧୫।

 

ଚାହିଁ ତା ନରେଶ ନାହିଁ ତ ମୋ ଦୋଷ କାହିଁକି ରେ ରୋଷ ବୋଲି ।

ହେବାରୁ କାତର ଜଣାଇଲା ତାର ପ୍ରିୟସଖୀ ରସବଲ୍ଲୀ ।୧୬।

 

ଦେବ ମୋ ସଜନୀ ପୂର୍ଣ୍ଣିମା ରଜନୀ ତୁମ୍ଭେ ବିଭାବରୀଧବ ।

ଘେନ ମାନବେଶ ସେ କି ମାନବେଶ ନ କହି ଲାଜେ ରହିବ ।୧୭।

 

ନ ଛୁଇଁଲା ଶିଶୁ ଅଞ୍ଜନ ଆବିଳ ବଦନ ରଦନାଂଶୁକ ।

କେବଳ ଏ ବଳଦଳନ ସମ୍ପତ୍ତି ବୃଥା ଘେନି କରେ ଶୋକ ।୧୮।

 

ଧରାଧିପ ଶୁଣି ସୁନିର୍ବେଦଶୃଣିପରାଧିନ – ମନହାତୀ ।

ଅଙ୍କେ ବସାଇ ପଙ୍କେରୁହନେତ୍ରାକୁ ଜଣାଇଲେ ଏ ଭାରତୀ ।୧୯।

 

ଧନରେ ମନରେ କଳପିବା କଥା ଦଇବ ନ କରେ ପୂରା ।

କେଶ ଜାତ ହୁଏ କେହି ସେ ନ ଜାଣେ ଯେ ସଜାଡ଼ିପାରେ ଝରା ।୨୦।

 

ତଥାପି ସୁଭାଗା ମଥାଭୂଷା ତୁ ମୋ କଥା କିସ କହିବି ।

ନ ଥାଇ ସୁକୃତ କରିଛି କି ତତେ ବ୍ୟଥାହାରିଣୀ ବାନ୍ଧବୀ ।୨୧।

 

ପ୍ରତି ମାସେ ପୂର୍ଣ୍ଣ ସିଦ୍ଧବିନାୟକ ପ୍ରତିମା ସେବା କରିବା ।

ଯତିମାନଙ୍କୁ ଗୋମତୀମାତାଙ୍କର ତଟରେ ଅନୁସରିବା ।୨୨।

 

(ରାଜା) ତାକୁ ତାର (ଦୀପ୍ତିମୟ) ହାର ମଧ୍ୟ ମଣି ମଣି (ମନେ କରି) ଚିତ୍ତରେ ଘେନିଥାଏ । ୧୦। ଅନିରବୟସୀ-ଅଳ୍ପ ବୟସ୍କା, ନ ବିରଇ ମହୀସ୍ଥଳୀ-ମାନବତୀ ବା ଦୁଃଖିତା ହୁଏ ନାହିଁ । ୧୨ । ଲକ୍ଷ ... ଧୋଇଲି-ମୁଣ୍ଡରେ ମଣି ପିନ୍ଧିଥିବା ଅଗଣିତ ସାମନ୍ତ ରାଜାଙ୍କ ରାଣୀମାନେ ମୋ ଗୋଡ଼ତଳେ ମୁଣ୍ଡିଆ ମାରୁଅଛନ୍ତି, ଅଖଣ୍ଡ ... ଆଖଣ୍ଡଳ-ସମଗ୍ର ପୃଥିବୀର ଇନ୍ଦ୍ର । ୧୩ । ମୁଖ ରାକେଶ–ମୁଖରୂପ ପୂର୍ଣ୍ଣଚନ୍ଦ୍ର । ୧୭ । ମାନବେଶ-ମନୁଷ୍ୟଶ୍ରେଷ୍ଠ ବା ରାଜା ଓ ମାନବନ୍ଦବେଶ । ୧୮ । ନ ଛୁଇଁଲା-ପୁତ୍ରର କଜଳଲିପ୍ତ ମୁଖ ଓ ଅଧର ସ୍ପର୍ଶ କଲା ନାହିଁ । ବଳଦଳନସମ୍ପରି–ଇନ୍ଦ୍ର ସମ୍ପତ୍ତି । ୧୯ । ଶୁଣି–ଅଙ୍କୁଶ, ସୁନିର୍ବେଦଶୃଣି– ଅତି ଦୁଃଖରୂପ ଅଙ୍କୁଶଦ୍ୱାରା ଯାହାଙ୍କର ମନରୂପ ହାତୀ ପରାଧୀନ ହେଲା । ୨୦ । ଝରା-କେଶଭୂଷଣ ଫୁଲତୋଡ଼ା, ଯେଉଁ ଲୋକ କେଶକୁ ଭୂଷିତ କରିବାକୁ ଝରା ତିଆରି କରିପାରେ ସେ ଲୋକ କେଶ କିପରି ଜାତ ହୁଏ ତାହା ଜାଣେ ନାହିଁ । ୨୨ । ଗୋମତୀମାତା-ଗଙ୍ଗା । ୨୩ ।

 

ଜପନୀୟ ଭୂମିଦେବଙ୍କ ଚରଣରଜ ସେବି ପ୍ରତିଦିନ ।

ଗୋପନୀୟ କରି ତପନୀୟମୟ ଗୋପାଳଙ୍କୁ ଦେବା ଦାନ ।୨୩।

 

ଯିବା ଶିବାଶ୍ରମ ନିବାସୀଙ୍କ ନମସ୍କରଗଣେ ତୋଷିବା ।

ଶିବ ଶିବା ଦୁହେଁ ଥିବା ସୀମା ଖୋଜି ସୁବାସିତ ଫୁଲ ଦେବା ।୨୪।

 

ନିକଟେ ପ୍ରକଟ ହୋଇବ ପୁରଟଘଟିତ ଲତାରେ ଫଳ ।

ଏପରି ପ୍ରବୋଧ କରି ଅବରୋଧ ତ୍ୟଜନ୍ତେ ଧରାଖଣ୍ଡଳ ।୨୫।

 

ଅତି ବେଗେ ବେତ୍ରବଲ୍ଲରୀଧାରିଣୀ କେ ପ୍ରତିହାରିଣୀ ଜଣେ ।

ଜଣାଇଲା ଏତେ ବିନୟ ସହିତେ ବନ୍ଦି ନରନ୍ଦ୍ରେ ଚରଣେ ।୨୬।

 

ଦେବ ସିଂହଦ୍ୱାରରକ୍ଷକ ଲକ୍ଷକ ସରଦାର ଶୂରବର ।

ପେଷିଛି ସନ୍ଦେଶ ଚରଣ ସାରସ ତଳେ ହେବାକୁ ଗୋଚର ।୨୭।

 

ନଇମିଷାରଣ୍ୟ ଉଟଜରୁ ପୁଣ୍ୟପୁଞ୍ଜ ନାମା ଜଣେ ଯତି ।

ଗୁଣ୍ଡିଚାମଣ୍ଡପବେଡ଼ା ଉପବନ ବକୁଳତଳେ ଅଛନ୍ତି ।୨୮।

 

କରମାଳିବ୍ରଜ ପରି ପୁଣି ତେଜ କରମାଳାରେ ମଣ୍ଡିତ ।

ପରମାନନ୍ଦର ବିଳାସମନ୍ଦିର ଧରମାକାର ପଣ୍ଡିତ ।୨୯।

 

ସଞ୍ଚାରେ ଚରଣ ସଞ୍ଚା ରହୁ ନାହିଁ ପୁଣି ଧୂଳିମୟେ ପଥି ।

ଅଳପ ବୟସ ପରି ଦିଶୁଛନ୍ତି କଳପଜୀବୀଙ୍କ ସାଥି ।୩୦।

 

ଅନୂରୁକରପିଙ୍ଗଳ ଖର୍ବକେଶ ତନୁରୁହଶ୍ରଣୀ ଠାଣି ।

କଳିତ ତ୍ରିଦଣ୍ଡ କରକ ଅଖଣ୍ଡ ବିଭୂତିଭୂଷିତ ପୁଣି ।୩୧।

 

କାହାର ନେତ୍ର ଗୋଚର ହେଉ ନାହିଁ ଆହାର ଅଙ୍ଗୀକରଣ ।

ତଳକଳିତକରର ସର୍ବସିଦ୍ଧି ବଳକଳଆଭରଣ ।୩୨।

 

ଏ ଭାରତୀ ଭୂପଶ୍ରୁତିରନ୍ଧ୍ରକୂପ ସୁଧାପୂରରୁ ବଳିଲା ।

ଧରାଧୁରନ୍ଧର ସଚିବ ପ୍ରବର ଦ୍ୱିତୀୟ ହୋଇ ଭାଜିଲା ।୩୩।

 

ଏ ସମୟେ ରବି ବାରୁଣୀକି ସେବି ଅମ୍ବରକୁ ଦେଲେ ତେଜି ।

ଅମ୍ବୁଜିନୀ ଚାହିଁ ଅପତ୍ରପା ବହି ରହିଲା ନୟନ ବୁଜି ।୩୪।

 

ଲଜ୍ଜାଭର ଘେନି କୋକବିଳାସିନୀ କାନ୍ତପାଶୁଁ ହେଲା ଦୁର ।

କୁମୁଦିନୀ ବାସ ମୁଖେ ରଖି ହାସ ପ୍ରକାଶିଲା ଦରଦର ।୩୫।

 

ପିତୃଜନୟିତ୍ରୀ ବିଧି ସାରି ମନ୍ତ୍ରୀ ପୁବଙ୍ଗକୁ ସଙ୍ଗେ ଘେନି ।

ଗୁପତେ ନୃପତି ଗଲେ ଅର୍ଦ୍ଧରାତ୍ରକାଳେ ଯହିଁଥିଲେ ମୁନି ।୩୬।

 

ଜପନୀୟ-ଧ୍ୟାନଯୋଗ୍ୟ, ଭୂମିଦେବ-ବ୍ରାହ୍ମଣ, ତପନୀୟ ଗୋପାଳ–ସୁବର୍ଣ୍ଣନିର୍ମିତ ଗୋପାଳ ପ୍ରତିମା, ପୁରଟଘଟିତ ଲତାରେ- ସୁବର୍ଣ୍ଣନିର୍ମିତ ଲତାରେ, ଅବରୋଧ–ଅନ୍ତଃପୁର, ଧରାଖଣ୍ଡଳ-ପୃଥିବୀର ରାଜା । ୨୮ । ଉଟଜ– କୁଡ଼ିଆ । ୨୯ । କରମାଳିବ୍ରଜ–ସୂର୍ଯ୍ୟସମୂହ । ୩୦ । ସଞ୍ଚାରେ-ଯିବାବେଳେ, ଚରଣସଞ୍ଚା-ପଦଚିହ୍ନ, କଳ୍ପଜୀବୀ-ଅତି ବୃଦ୍ଧ । ୩୧ । ଅନୂରୁକରପିଙ୍ଗଳ –ଅରୁଣକିରଣ ପରି ନୀଳପୀତାଭବର୍ଣ୍ଣ, ତନରୂହଶ୍ରେଣୀ-ରୋମସମୂହ, କଳିତତ୍ରିଦଣ୍ଡକରକ–ଦଣ୍ଡକମଣ୍ଡଳୁଧାରୀ । ୩୨ । ତଳକଳିତକରର ସର୍ବସିଦ୍ଧି–ସର୍ବପ୍ରକାର ସିଦ୍ଧି ଯାହାଙ୍କ କରତଳ ସ୍ଥିତ । ବଳକଳ-ବଳ୍‌କଳ । ୩୩ । ଶ୍ରୁତିରନ୍ଧ୍ରକୃପ-କାନରୂପ କୂଅ, ସୁଧାପୁର–ଅମୃତପ୍ରବାହ । ୩୪ । ବାରୁଣୀ–ପଶ୍ଚିମ ଦିଗ, ଅମ୍ବଜିନୀ-ପଦ୍ୱିନୀ, ଅପତ୍ରପା-ଲଜ୍ଜ୍ୱା । ୩୫ । କୋକବିଳାସିନୀ-ଚକ୍ରବାକୀ । ୩୬ । ପିତୃଜନୟିତ୍ରୀବିଧ– ସନ୍ଧ୍ୟାବିଧି । ୩୮ । ପରାଗମୟ–ଧୂଳିପୂର୍ଣ୍ଣ, ଦଣ୍ଡକୁ–ଏକଦଣ୍ଡବ୍ୟାପି, ଦଣ୍ଡିବର-ଯତିଶ୍ରେଷ୍ଠ,

 

ଦେଖିଲେ ନାସିକାଅଗ୍ର ଜାକରୂକ ହୋଇଛି ନୟନତାରା ।

ବୀରାସନେ ବସି ଦିଶୁଛନ୍ତି ଋୁଷି ଏକମୁଖ ବ୍ରହ୍ମା ପରା ।୩୭।

 

ପରାଗମୟ ଭୂତଳେ ଭୂମିନାଥ ପଡ଼ି ହେଲେ ଦଣ୍ଡବତ ।

ଦଣ୍ଡକୁ ସେ ଦଣ୍ଡିବର ବରଷିଲେ ସୁକଲ୍ୟାଣ ଖଣ୍ଡବତ ।୩୮।

 

ଅହିତମଦମର୍ଦ୍ଦନ ହୋଇ ହୁଅ ମହୀତଳ - ପୁରନ୍ଦର ।

ଗୁଣମଣି ବ୍ରଜମୟ ତୋ ତନୁଜ ହେଉ ଅନଙ୍ଗସୁନ୍ଦର ।୩୯।

 

ତହୁଁ ମହାନନ୍ଦ ଜନମି ଅମନ୍ଦ ଉଲ୍ଲାସ ବିନୟେ ନୃପ ।

କହିଲେ ହେ ବିଶ୍ୱୋପକାରକାରଣ ପରମର୍ଧମ ସ୍ୱରୂପ ।୪୦।

 

ଦେଇଅଛ ସର୍ବ କେବଳ ଅପୂର୍ବ ତୃତୀୟ ଆଶୀର୍ବଚନ ।

ସିଦ୍ଧି ଅଭାବରୁ ଦୁଃଖୀ ହୋଇଛନ୍ତି ନିବାସ ମନ ଲୋଚନ ।୪୧।

 

ଏ ଜଣାଣ ଶଶୀ ଦ୍ରବାଇଲା ଋଷି ହୃଦନ୍ତର –ଶଶିମଣି ।

ନେତ୍ରମୁକୁଳିତ କରି କଲେ ଚିତ୍ତ ସମାଧିରେ ଧୀରେ ପୁଣି ।୪୨।

 

ସ୍ୱକୀୟ ଆଶ୍ରମସିଦ୍ଧ ଚୂତଦ୍ରୁମ ପଚେଳିମ ଫଳ ଆସି ।

ହେଲା କରଗତ ଦେଇ ତିରୋହିତ ହୋଇଲେ ସିଦ୍ଧ ସନ୍ନ୍ୟାସୀ ।୪୩।

 

ସାଣି ଦେଲା ପାଣିବତ ପୀତ ମଣି ପରି ପରିଣତ ଚୂତ ।

ଆଣି ରାଣୀ ମୃଦୁକଞ୍ଜପାଣିଫୁଟେ କଲେ ତାହା ସମର୍ପିତ ।୪୪।

 

ଦେବୀ ସେବି ସେ ବିଶୁଦ୍ଧ ସିଦ୍ଧ ଫଳ ସଉରଭ ମହାସୁଖେ ।

ପୁରି ସେ ନିଶୀଥ କୃତମନୋରଥ ପହୁଡ଼ିଲା ପ୍ରିୟପାଖେ ।୪୫।

 

ଅମ୍ବର ହୋଇଲା ତୋଳି ଘେନିଗଲା କୁସୁମବନିକା ପରି ।

ଝଡ଼ିଗଲା ବାସି ପ୍ରସୂନସଦୃଶୀ କେତେ ତାରକାମାଧୁରୀ ।୪୬।

 

କୁମୁଦୁଁ ବଳେ କବାଟୀ ଫେଡ଼ି ଯହୁଁ ପଳାଇଲେ ଅଳିଯାକ ।

କେ କେ ରେ କେ ବୋଲି ତାମ୍ରଚୂଡ଼ଚୟ ଡାକିଲେ ଯାମିକ ଡାକ।୪୭।

 

ପୂର୍ବାଶା ଅରୁଣ କରିଣ କୁଙ୍କୁମପଙ୍କ ରାଗବେଶେ ରସି ।

ରବିଙ୍କି ଯା ବଭାକର ବୋଲାଇଲା ପଦ୍ମିନୀଏ ଦେଲେ ହସି ।୪୮।

 

ସେହି ଦିନୁ କ୍ରମକ୍ରମରେ ସେ ହେମମଞ୍ଜରୀ ଖଞ୍ଜନଦୃଶା ।

ବିଜାତୀୟ ଶୋଭା ବହି ହେଲା ଗର୍ଭାଧାନ ବିଧାନସାଳସା ।୪୯।

 

ପାରିଜାତୁଁ ହରିହୟବନୀ ପରି ଜଳଭରୁଁ ଘନମାଳା ।

କଉସ୍ତୁଭସଙ୍ଗୀ ହେବାରୁ ରଥାଙ୍ଗୀ ଉରସ୍ଥଳୀକି ସେ ବାଳା ।୫୦।

 

ଖଣ୍ଡବତ-ସାକର ପରି । ଅହିତମଦମର୍ଦ୍ଦନ-ଶତୃଗର୍ବ-ବିନାଶକ, । ୩୯ । ଗୁଣମଣିବ୍ରଜମୟ-ନାନାଗୁଣ ପରିପୂର୍ଣ୍ଣ, ତନୁଜ-ପୁତ୍ର, ଅନଙ୍ଗ ସୁନ୍ଦର–କନ୍ଦର୍ପପରିରୂପବାନ୍ । ୪ । ଅମନ୍ଦ-ପ୍ରଚୁର । ୪୧ । ତୃତୀୟ ଆଶୀର୍ବଚନ (ପୁତ୍ରଲାଭ ରୂପ) ତୃତୀୟ ଆଶିଷ । ୪୨ । ଶଶିମଣି –ଚନ୍ଦ୍ରକାନ୍ତମଣି, ମୁକୁଳିତ–ମୁଦ୍ରିତ । ୪୩ । ପଚେଳିମ-ପାଚିଲା । ୪୪ । ସାଣି ... ସାଣ ଦେଇ–ଉଜ୍ଜ୍ୱଳ କରି ପାଣି ଦେଇଥିବା ହଳଦିଆ ବର୍ଣ୍ଣର ମଣିଭଳି, ପରିଣତବୃତ-ପାଚିଲା ଆମ୍ବ । ୪୫ । (ପ୍ରଭାତବର୍ଣ୍ଣନା) ଫୁଲ ତୋଳିନେଲେ ଫୁଲ ବଗିଚା ଯେପରି ହୁଏ, ସକାଳେ ତାରାମାନେ ମ୍ଲାନ ହେବାରୁ ଆକାଶ ସେପରି ଦେଖାଗଲା । ୪୬ । ପ୍ରସୂନ-ଫୁଲ । ୪୭ । ତାମ୍ରଚୂଡ଼-କୁକୁଡ଼ା, ଯାମିକଡାକ-ପ୍ରହରୀଙ୍କ ଡାକ । ୪୮ । ପୂର୍ବଦିଗରୂପନାୟିକା ରକ୍ତବର୍ଣ୍ଣ ଅରୁଣକିରଣରେ ଭୂଷିତ ହୋଇ ସୂର୍ଯ୍ୟଙ୍କୁ ମୋତେ ବିଭା କର ବୋଲି ଯାହା କହିଲା ତା ଶୁଣି ପଦ୍ମିନୀମାନେ (ସୂର୍ଯ୍ୟଙ୍କ ପତ୍ନୀରୂପିଣୀ) ହସି ଦେଲେ, ଅର୍ଥାତ୍ ସୂର୍ଯ୍ୟ ଉଦୟ ହେବାରୁ ପଦ୍ମ ଫୁଟିଲେ । ବିଭାକର–ବିବାହ କର ଓ ସୂର୍ଯ୍ୟ । ୪୯ | ସାଳସା–ଅଳସଯୁକ୍ତ । ୫୦ । ରଥାଙ୍ଗୀ-ଚକ୍ରଧର, ବିଷ୍ଣୁ; ପାରିଜାତ ଫୁଲ ହେତୁରୁ ନନ୍ଦନବନ । ଯେପରି ଦିଶେ, ଜଳଭାର ହେତୁରୁ ମେଘମାଳା ଯେପରି ଦିଶେ, କୌସ୍ତୁଭମଣି ଧରି ବିଷ୍ଣୁ ଯେପରି

 

ରସଗର୍ଭବତୀ କି କବିଭାରତୀ କି ଧର୍ମବତୀ ମତି ସେ ।

ନୀଳପୟୋଧର ମୁଖୀ ହୋଇବାରୁ ପ୍ରାବୃଟ ପରି ଆଭାସେ ।୫୧।

 

ଜୃମ୍ଭାବିଜୃମ୍ଭଣ ଖରଶ୍ୱାସଗଣ ବେଶଭୂଷାରେ ଅରୁଚି ।

ବଟଦଳ ପରି ଛଟକେ ଦିଶିଲା ଅଦୃଶ୍ୟ ଉଦରରୁଚି ।୫୨।

 

ବାରବାନିସୁନାଦେହା ସେ ହୋଇଲା ବାରଣଦନ୍ତପ୍ରତିମା ।

ଦ୍ୱିରଦରଦନପଲଙ୍କ ବରଜି ତଳ୍ପ କଲା ଖାଲି କ୍ଷମା ।୫୩।

 

ବରଜି ଅମୃତସଦୃଶ ଅଶନ ରସିଲା ମୃଦ ଭକ୍ଷଣେ ।

ଶିଥିଳାଇ ବାସ ପିନ୍ଧିବା ଅଳସ ଖେଳିଲା ଲୋଳଈକ୍ଷଣେ ।୫୪।

 

ପ୍ରତିଦିନ ଗୋରୀ ବ୍ରତଦିନ ପରି ହେଲା ସୁରତବିରତ ।

ତାମସ ସୁଷମାନିଧିର ଏପରି ଦଶ ମାସ ସମାପତ ।୫୫।

 

ରସବସମନା ସିନ୍ଧୁକୁ ମନ୍ଦର ପ୍ରସବ ସମୟ ହେଲା ।

ପାରିଜାତ ତରୁପରି ଜାତରୂପଦେହା ସୁତ ଜାତ କଲା ।୫୬।

 

ନାକ୍ଷତ୍ରିକଗୋଷ୍ଠୀ ସିଦ୍ଧ ହେଲା କୋଷ୍ଠୀ ଚକ୍ରବର୍ତ୍ତୀଯୋଗଯୁତ ।

କରାଇଲେ ରାଜା ମହୋତ୍ସବ ବାଜାଧ୍ୱନି ତୁନ୍ଦିଳ ଜଗତ ।୫୭।

 

ସୁବର୍ଣ୍ଣ ବରଷାପୂର୍ଣ୍ଣ ହେଲା ରସ ଧନଦ ହେଲେ ଯାଚକ ।

କି ନିଶା କି ଦିନ ନ ଜାଣିଲେ ଜନ ତିନି ସାତ ଦିନଯାକ ।୫୮।

 

ଜାତ କଲେ ନାହିଁ ସୁବୀର ବୋଲିବା ଜାତକ ନାମ ପ୍ରଥମେ ।

ସିଦ୍ଧଗିର ସ୍ମରି ସମସ୍ତେ ଡାକିଲେ ଅନଙ୍ଗ ସୁନ୍ଦର ନାମେ ।୫୯।

 

ଦିନୁ ଦିନୁ ଶଶୀପରି ଅଙ୍କମସୀ ବିନା ବଢ଼େ ଭୂପସୁତ ।

ବ୍ରଜେ ବନମାଳୀ ପରି ବାଲ୍ୟ କେଳି ରଚଇ ଅପରିମିତ ।୬୦।

 

ଶ୍ରୁତିବେଧ ହେଲା ଯହୁଁ ବିଦ୍ୟାଶାଳା ପରବେଶ କରାଇଲେ ।

ଗୁରୁପ୍ରଭାବଜ ମନ୍ତ୍ରୀସୁତ ରାଜବଲ୍ଲଭାଖ୍ୟ ସଖା ତୁଲେ ।୬୧।

 

ଅମରକେଶରୀ ଫଣୀଶ୍ୱର ପରିପାଳିତ କାବ୍ୟପଟଳୀ ।

ନାଟକ ଅଳଙ୍କାର ତର୍କ ବେଦାନ୍ତ ସ୍ମୃତି ଇତିହାସ ପାଳୀ ।୬୨।

 

ଅଷ୍ଟାଦଶମିତ ପୁରାଣ ଚରିତ ଗଣକ ଚିକିତ୍ସାମତ ।

ରତ୍ନାଶ୍ୱବାରଣ ଶସ୍ତପରୀକ୍ଷଣ ଅନଳ୍ପ ଶିଳ୍ପ ସଙ୍ଗୀତ ।୬୩।

 

ସ୍ତମ୍ଭନ ମୋହନ ବଶ ଉଚ୍ଚାଟନ ହଠ ଚମଟ ଶାବର ।

ସବୁଦେଶ ଗିର କାଳୀତାଳଦଳ ଲେଖା ବିବିଧ ଅକ୍ଷର ।୬୪।

 

ଦିଶନ୍ତି, ଗର୍ଭଧାରଣ କରି ସେ ରାଣୀ ସେହିପରି ଦିଶିଲେ । ୫୧ । ପ୍ରାବୃଟ– ବର୍ଷାକାଳ । ୫୨ । ଜୁମ୍ଭାବିଜୃମ୍ଭଣ-ହାଇ ମାରିବା । ୫୩। ବାରବାନିସୁନା ଦେହା-ଉତ୍କଳ ସ୍ୱର୍ଣ୍ଣବର୍ଣ୍ଣାଙ୍ଗୀ, ବାରଣଦନ୍ତପ୍ରତିମା-ହାତୀଦାନ୍ତ ପିତୁଳା ପରି ଧଳା, ଦ୍ୱିରଦରଦନପଲଙ୍କ-ହାତୀଦାନ୍ତ ପଲଙ୍କ, ତଳ୍ପ-ଶଯ୍ୟା, କ୍ଷମା-ପୃଥିବୀ, ମାଟି । ୫୪ । ଅଶନ-ଭୋଜନ, ମୃଦ–ମାଟି, ଲୋଳଈକ୍ଷଣେ-ଚଞ୍ଚଳ ନେତ୍ରରେ । ୫୫ । ଜାତରୂପଦେହା-ସ୍ଵର୍ଣ୍ଣାଙ୍ଗୀ । ୫୬ । ନାକ୍ଷତ୍ରିକଗୋଷ୍ଠୀ-ଗଣକ ବା ଜ୍ୟୋତିଷଗଣ (ଦ୍ଵାରା) । ତୁନ୍ଦିଳ–ପରିପୂର୍ଣ୍ଣ । ୫୭ । ଧନନ୍ଦ-କୁବେର, ଧନୀ; ଯାଚକ-ମାଗିବା ଲୋକ, ରସା–ପୃଥିବୀ, ତିନି ସାତ ଦିନ–୨୧ ଦିନ । ୫୮ । ଅଙ୍କମସୀ– କଳଙ୍କକାଳିମା । ୬୦ । ଶ୍ରୁତିବେଧ-କାନଫୋଡ଼ା, ଗୁରୁପ୍ରଭାବଜ-ବୃହସ୍ପତିଙ୍କ ଔରସଜାତ । ୬୨ । ଅମରକେଶରୀ (କୋଷକାର) ଅମର ସିଂହ, ଫଣୀଶ୍ୱର–ପ୍ରସିଦ୍ଧ ଭାଷ୍ୟକାର, ପରିପାଳିତ-ସଙ୍କଳିତ, ପ୍ରଣୀତ । କାବ୍ୟପଟଳୀ-କାବ୍ୟସମୂହ, ପାଳି-ରାଶି, ସମୂହ । ୬୩ । ଅଷ୍ଟାଦଶମିତ-୧୮ ସଂଖ୍ୟକ, ରତ୍ନ, ଅଶ୍ୱ, ବାରଣ (ହାତୀ), ଶସ୍ତ୍ର (ଖଡ଼୍ଗାଦି) ପରୀକ୍ଷା କରିବା ଶାସ୍ତ୍ର । ଅନକ୍ସ-ପ୍ରଚୁର । ୬୪ !

 

ଶତଅବଧାନ ସରସ କବନ ମହାରାଜ ନୀତିଯାକ ।

ଅସାଧ୍ୟତର ତୁରଙ୍ଗମଦମନ ଧୃତିବିନୟବିବେକ ।୬୫।

 

ନୋହିଲେ ସେ ଦୁହିଙ୍କର ସେହି ବିଦ୍ୟା ଯହିଁ ସେ ନ କଲେ ଇଛା ।

ଲୋଡ଼ିଲେ ମିଳିଲେ ନାହିଁ କି ଭାରତୀଭଣ୍ଡାର ହେବାରୁ ତୁଚ୍ଛା ।୬୬।

 

ତନୁମାତ୍ର ଭିନ୍ନ ଜୀବନେ ଜୀବନ ମନରେ ମନ ମିଶିଲା ।

ଏପରି ସମୟ ହରୁଁ ସଖାଦ୍ୱୟ କିଶୋରତା ପ୍ରକାଶିଲା ।୬୭।

 

ଅତି ସୁକୁମାର ଏ ଦୁଇ କୁମାର ବୋଲି ନ ଆଚରି ଦୟା ।

ଦିନୁଦିନୁ ମନ ବନରେ ମଦନମୃଗୟୁ କଲା ମୃଗୟା ।୬୮।

 

ଲଜ୍ଜାଗଉରବ ଘେନି ଏକ ଭାବ ଆରକେ ନୁହଇ ଜଣା ।

କରୁଥାନ୍ତି ନିତି ସରସ ଭାରତୀ ସୁଧାରେ ମନ ମାଜଣା ।୬୯।

 

ଲେଖାରେ ତୁରୀୟ ସୁଚରିତମୟ ଏକସ୍ତରୀ ମୟ ପଦ ।

ଶେଷ ଶ୍ଳେଷଯୁତ ହେଲା ସମାପତ କୁମାରୋତ୍ସବ ଏ ଛାନ୍ଦ ।୭୦।

 

ଗୋବରଧନ ବିହାରୀ ହରି ଚାରିପଦ ବାରିରୁହ ।

ରାମଚନ୍ଦ୍ର ଦେବ ମନମିଳିନ୍ଦକୁ ଦେବ ମରନ୍ଦପ୍ରବାହ ।୭୧।

 

ଶାବର-ଗୁଣିବିଦ୍ୟା । କାଳୀତାଳଦଳଲେଖା-କାଗଜଲେଖା ଓ ତାଳପତ୍ରଲେଖା । ୬୫ । ଶତଅବଧାନ-ଏକ ସମୟରେ ଶହେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବା ରୂପ ବିଦ୍ୟା, କବନ-କବିତା, ଧୀର, ବିନୟୀ, ବିବେକୀ ହେବା ଶିକ୍ଷା । ୬୮ । ମଦନମୃଗୟୁ-କାମରୂପ । ଶିକାରୀ । ୬୯। ଲଜାର ଆଧକ୍ୟରୁ ନିଜ ନିଜ ହୃଦୟର କାମବିକାର କେହି କାହାକୁ ଜଣାଉ ନା ଥାନ୍ତି; ମାତ୍ର ରସଗର୍ଭକ କଥାମୃତ ଦ୍ୱାରା ପରସ୍ପର ମନୋମୋହନ କରୁଥାନ୍ତି । ୭୦ | ତୁରୀୟ-ଚତୁର୍ଥ । ୭୧ । ଗୋବଦ୍ଧନ ପର୍ବତରେ ବିହାରକାରୀ ହରିଙ୍କର ଏବଂ ଗୋବର୍ଦ୍ଧନ (ବୃଷଭ)-ବିହାରୀ ହରଙ୍କ ଚାରି ପାଦ ବାରିରୁହ (ପଦ୍ମ) ରାମଚନ୍ଦ୍ର ଦେବ ମନରୂପ ମିଳିନ୍ଦକୁ (ଭ୍ରମରକୁ) ମରନ୍ଦ (ମକରନ୍ଦ) ପ୍ରବାହ ଦେବେ ।

 

ପଞ୍ଚମ ଛାନ୍ଦ

ରାଗ – କୌଶିକ

ବାଳାବତାର

 

ଅତ ମନମଥରସକଥାପଥ ପଥିକେ ଶୁଣ ହୃଷ୍ଟଚିତ୍ତେ ।

ମହାଗଜଘୋଷ ପୂରୁବକୁ କ୍ରୋଶ ଶତ ପଞ୍ଚକ ପରିମିତେ ।

ଅଛି ଅଶେଷ ।

ବିଭବନାମେ ରାଜ୍ୟରାଜ ।

ମଣିମଞ୍ଜୁଳା ରାଜଧାନୀ ସେ ଦେଶ ତାରାଳି ମଧ୍ୟ ଦ୍ୱିଜରାଜ ।୧।

 

ଆହା ଜଗତୀରେ ତାହା ଯଶ ଲବ କାହା ଜନ୍ମକେ କୁହାଭଳି ।

ଯାହା ଜଳିଜଳେ ରାହାଜଗୁଆଳେ ଜାହାଜ ଲକ୍ଷଲକ୍ଷ ଚାଳି ।

ହେଉ ଅଛନ୍ତି ।

ସାହା ଜଗତଜନଙ୍କର ।

ବାହାଜନ୍ୟ ଯଶେ ମିଶିଛି ବିଶେଷେ ମହାଜନପଣ ତାଙ୍କର ।୨।

 

ଦୁର୍ଗଚାରି ବାହି ଉତ୍ସର୍ଗରୁ ଯହିଁ ଅଶକ୍ତ ହୋଇ ଅନୁମାନେ ।

ଉଦୟାସ୍ତ ଉମାଗୁରୁ ବିନ୍ଧ୍ୟନାମାଚଳ ଚିହ୍ନନ୍ତି ନାହିଁ ଜନେ ।

ପ୍ରତି ପ୍ରଭାତେ ।

ପ୍ରାଚୀର ପ୍ରାଚୀର ଶିଖରେ ।

ଚିରକାଳୁ ଥିବ ଅଭିନବ ଜବାସ୍ତବକ ଭ୍ରମ ହୋଏ ସୂରେ ।୩।

 

ପଙ୍କେରୁହ ବଂଶଭବ ଅବତଂସ ହେବାରୁ ସେ ଧରାଧିନାଥ ।

ତପନୀୟମୟ ବୃତ୍ତିସମୁଦୟ ହେବାର ହୋଇଲା ଯଥାର୍ଥ ।

ବସୁନ୍ଧରାରୁ ।

ସ୍ୱର୍ଗକୁ ମାର୍ଗ ବୋଲି ଏତେ ।

ସହର ବାହାର ମଣ୍ଡା ମଣିଝଣ୍ଡା ଦଣ୍ଡରୁ ହେଉଛି ପରତେ ।୪।

 

ଜନ୍ମୁ ତହିଁ ରହି ଯଉବନ ବହି ଲଭି ତହିଁରେ ପରିଣତି ।

ସେହି ମହାରାଜଧାନୀ ସୀମା ଆଜିଯାଏ ଜନେ କଳି ନାହାନ୍ତି ।

ଆନ ଦେଶରୁ ।

ଆସିବା ଜନ କି କଳିବ ।

ଧରାରଜ ଗଣି ପାରିବ କେ ପୁଣି ମଣି ସାନୁସୁନା ତୁଳିବ ।୫।

 

ପଞ୍ଚମ ଛାନ୍ଦ

 

୧ । ମନ୍ମଥରସ–ଶୃଙ୍ଗାରରସ, ସେ କଥାପଥରେ ଯେଉଁମାନେ ପଥିକ । ରାଜ୍ୟରାଜ-ରାଜ୍ୟଶ୍ରେଷ୍ଠ, ତାରାଳି– ନକ୍ଷତ୍ରସମୂହ, ଦିଜରାଜ-ଚନ୍ଦ୍ର । ୨ । ଯେଉଁ ନଗରୀର ଯଶର ଲବମାତ୍ର ସଂସାରରେ କୌଣସି ଲୋକ ଜୀବନରେ କହିପାରିବ ନାହିଁ । ଜଳି ଜଳେ ପରିଖାର ପାଣିରେ, ରାହାଜଗୁଆଳେ-ବାଟ ଜଗିଥିବା ଲୋକମାନେ, ବାହାଜନ୍ୟ ଯଶେ– କ୍ଷତ୍ରିୟ ଯଶ ସଙ୍ଗରେ ସେହି ମହାଜନଙ୍କ ପରୋପକାର ଯଶ ମିଶିଛି । ୩ । ଉଦୟାସ୍ତ – ଉଦୟ ଓ ଅସ୍ତ ପର୍ବତ, ଉମାଗୁରୁ-ହିମାଳୟ ପର୍ବତ, ପ୍ରାଚୀର-ପୂର୍ବଦିଗର, ପ୍ରାଚୀର- ପାଚର, ଜବାସ୍ତବକ-ମନ୍ଦାରଫୁଲର ପେଣ୍ଡା, ସୂରେ-ସୂର୍ଯ୍ୟଙ୍କଠାରେ । ୪ । ପଙ୍କେରୁହବଂଶ ... ପଦ୍ମବଂଶଜାତ ରାଜାମାନଙ୍କ ଭୂଷଣସ୍ୱରୂପ, ତପନୀୟମୟବୃତ୍ତି-କେବଳ ସୁନାର କାରବାର

 

 

ସେ କି ଦାମୋଦର ଦେବଙ୍କ ଉଦର ତହିଁ ଯା ନାହିଁ କାହିଁ ନାହିଁ ।

ଦେବଙ୍କ ଅଭ୍ୟାସ ହେଲା ଅନିମିଷ ଯାହା ସମ୍ପତ୍ତି ଚାହିଁ ଚାହିଁ ।

ଯହିଁ ଆପଣେ ।

ବସେ ପଣପଣ କୁଞ୍ଜର ।

ଗଣନା କେ ପୁଣି କରିବ ସାଜେଣି ଉଷ୍ଟ୍ର ତୁରଙ୍ଗମ ପୁଞ୍ଜର ।୬।

 

ପରିବାର ହାଟ ବାଟକୁ ନିଅନ୍ତି ପରିବାରେ ଯହିଁ ହାଟକ ।

ଯହିଁ ଜନ ପଙ୍କେରୁହଚୟ ଅଙ୍କେ ଏକା ଜାଣନ୍ତି ବରାଟକ ।

ଯହିଁ ଦୁଆରେ ।

ଶାକ ଗୋ ବୋଲି ଡାକ ଶୁଣି ।

ସୁରୂପାଳୀ ନେଇ ସ୍ୱରୂପେ କୁଢ଼ାଇ ଦିଅନ୍ତି ଦିବ୍ୟ ମୋତି ମଣି ।୭।

 

ହେବା କ୍ଷଣେ ଜଣା ବଜାର ବିଛଣା ଉଠିଯିବା କାଳ ନିକଟ ।

ପୁଳିନ୍ଦସୁନ୍ଦରୀ ପଡ଼ିବା କସ୍ତୁରୀ ପଗଡ଼ କରି କୂଟକୂଟ ।

ହେଳେ ରଖନ୍ତି ।

ମିଶାଇ ଅବକର ତୁଲେ ।

ତାହାର ବସତି ଦୁଆରେ ଦିଅନ୍ତି ଗୋମୟ ଆଣ ଗୋ ଯେ ବୋଲେ ।୮।

 

ସୁନାଗରୀଆରେ ଜୀବନ ଦେ ବୋଲି ଦାସୀକି ବୋଲୁଁ ଗୃହପତି ।

ଯହିଁ କୁଟୁମ୍ବିନୀ ଆନ ଭାବ ଘେନି ହୁଅନ୍ତେ ଦୃଢ଼ ମାନବତୀ ।

ଜାଣି ଭୟରେ ।

ଅବରୋଧକୁ ଧବ ଯାଏ ।

ବସାଇ କୋଳରେ ସୁରୂପା ଢାଳରେ ଦୃଷ୍‌ଟିକି ବୋଲି ସମଜାଏ ।୯।

 

ବରଣମଉଳି ବିଷ୍ଣୁପଦୁଁ ବଳି ବ୍ୟାପିଥିବାରୁ ଚାରିପାଖେ ।

ବହୁଳ ପକ୍ଷରେ ବହଳ ଋକ୍ଷଙ୍କ ପଟଳୀ ଚୁମ୍ବିବାରେ ଶିଖେ ।

ଯେଉଁ ନଗରୀ ।

ଜନ ବିଚାରେ ତାହା ଦେଖି ।

ଏ କି ଚମତ୍କାର ଅକାଳେ ଚତୁର ଦିଗ ଅଚଳେ ଦବଶିଖୀ ।୧୦।

 

କେଉଁ ପୁରେ କ୍ଷିତି ମାର୍ଜନା କରନ୍ତି ସୁନାଖଡ଼ିକା ଝାଡ଼ୁଧରା ।

କସ୍ତୂରୀ ରୋଚନା ଗନ୍ଧସାର ସିନା କୁଙ୍କୁମ ତୁଲେ ପଡ଼େ ଛରା ।

ଚିତ୍ର କମ୍ବଳ ।

ବିଛଣା ଭ୍ରମେ ପରିବାରେ ।

କରରୁହ ଛିଡ଼ା ପୀଡ଼ାକୁ ଲଭନ୍ତି ଖାଲି ଧରାଙ୍କୁ ଝିଙ୍କିବାରେ ।୧୧।

 

ଯାହାଙ୍କର (ରାଜ ପକ୍ଷରେ); ସୂର୍ଯ୍ୟସମ୍ବନ୍ଧୀୟ (ପଦ୍ମ ପକ୍ଷରେ); ମଣିବିଭୂଷିତ ପତାକାଦଣ୍ଡ । ୫ । ମଣିସାନୁସୁନା–ମଣିମୟ ପର୍ବତ ଶୃଙ୍ଗରେ ଥିବା ସୁନା । ୬ । ଆପଣେ ବଜାରରେ, କୁଞ୍ଜର– ହାତୀ, ସାଜେଣି–ସଜିତ, ତୁରଙ୍ଗମପୁଞ୍ଜି– ଅଶ୍ଵସମୂହ । ୭ । ହାଟକ–ସୁନା, ବରାଟକ– କଉଡ଼ି ଓ ପଦ୍ମବୀଜକୋଷ; ସୁରୂପାଳୀ–ସୁନ୍ଦରୀ ସ୍ତ୍ରୀମାନେ, ସ୍ଵରୂପେ–ପ୍ରତ୍ୟକ୍ଷରେ । ୮। ପୁଳିନ୍ଦସୁନ୍ଦରୀ-ନୀଚଜାତୀୟା ସୁନ୍ଦରୀମାନେ, କସ୍ତୁରୀପଗଡ଼-କସ୍ତୁରୀର ଖଣ୍ଡ ବା କଣା; କୂଟ-କୁଢ଼, ଅବକରତୁଲ–ଅଳିଆ ସାଙ୍ଗରେ । ୯ । ସୁନା ଗରୀଆରେ-ସୁନାରେ ତିଆରି ଗରାରେ, (ଅନ୍ୟ ପକ୍ଷରେ)–ହେ ସୁରସିକା ଆ, ଜୀବନ–ପାଣି ଓ ପ୍ରାଣ, କୁଟୁମ୍ବିନୀ-ନିଜ ସ୍ତ୍ରୀ, ଅବରୋଧ–ଅତଃପୁର, ଧବ–ସ୍ୱାମୀ । ୧୦ । ବରଣମଉଳି–ପ୍ରାଚୀରର ଅଗ୍ରଭାଗ, ବିଷ୍ଣୁପଦ –ଆକାଶ, ବହୁଳ ପକ୍ଷରେ-କୃଷ୍ଣପକ୍ଷରେ, ବହଳରକ୍ଷକ ପଟଳୀ-ବହୁ ତାରକାସମୂହ । ଦବଶିଖୀ–ଦାବାନଳ, ବନାଗ୍ନି । ୧୧ । କସ୍ତୁରୀ, ଗୋରୋଚନା, ଚନ୍ଦନ, କୁଙ୍କୁମ ପ୍ରଭୃତି ବିଭିନ୍ନ ରଙ୍ଗର ଛରା ( ଛିଟିକା ) ପଡ଼ିବାରୁ ପରିବାର ଲୋକମାନେ ସେ ସବୁକୁ ଚିତ୍ରକମ୍ବଳ ମନେ କରି ବୃଥା

 

ସଲାବଣ୍ୟରସ ପୂରୁଛି ବିଶେଷ ନାହିଁ ତା ବୀଚିଜାତଦର ।

ରତନ ମକରକୁଣ୍ଡଳୀ ପ୍ରକର ସନ୍ତାନଜନ୍ମ ସୁଖାକର ।

ପ୍ରତି ପ୍ରାଙ୍ଗଣ ।

ମଣ୍ଡନେ କୀଲାଲ ଦିଶଇ ।

ଚନ୍ଦ୍ର ତୁରଙ୍ଗମ ଗଜ ଲକ୍ଷୀଜନ୍ମସ୍ଥଳୀ ସେ ସିନ୍ଧୁକୁ ହସଇ ।୧୨।

 

ନିଜ ଦାନବାରି ଗଜଦାନବାରି ବହେ ଦାନବାରି ଗୃହକୁ  

ଅର୍ଭକେ ତାହାର ଗର୍ଭକୁ ଚଳାଇ ତରୀମଣ୍ଡପ ସମୂହକୁ ।

ଖେଳି ମଣନ୍ତି ।

ମାଧବ ପ୍ରତି ମାସଯାକ ।

ମାଧବପ୍ରତିମା ଚାପକେଳିରମା ଭାବି ହେବାରୁ ସମୁତ୍ସୁକ ।୧୩।

 

ପ୍ରତିମାସେ ରାକାପ୍ରଦୋଷେ ରସିକାଜନଙ୍କ ଭ୍ରମ କି କହିବା ।

କେ ଥାଏ ତଳରେ କେ ଊର୍ଦ୍ଧସ୍ଥଳରେ ଅଟ୍ଟାଳିକାରେ ଥାଏ ଅବା ।

ଯେଟି ଉପରେ ।

ଥାଏ ସେ ଚନ୍ଦ୍ରକୁ ବନ୍ଦାଏ ।

ତଳେ ଥିବା ବାମା ଉର୍ଦ୍ଧ୍ୱଗତା ରାମାଲପନକୁ ଅର୍ଘ୍ୟ ବନ୍ଦାଏ ।୧୪।

 

ଯହିଁ ଗୃହଚୂଳ ହିରଣ୍ୟମଞ୍ଜୁଳ କଲଶୀ ଉପର ଦଣ୍ଡକୁ ।

ଚୁମ୍ବିବା ଦଣ୍ଡକ କାଳେ ଚାହିଁ ଲୋକ କଳା ବଳାହକଖଣ୍ଡକୁ ।

ମନେ ବିଚାରେ ।

ବଡ଼ଭୀ ନୀଳଚେଳବଲ୍ଲୀ ।

ଯେଉଁ ବର୍ଣ୍ଣ ଘନ ଚୁମ୍ବେ ତାକୁ ଜନ ଘେନେ ସେ ବର୍ଣ୍ଣବାନା ବୋଲି ।୧୫।

 

ଯେବେ ସର୍ବଯୋଟ ପ୍ରକାରେ ପ୍ରାବୃଟକାଳୀନ ଘନ ବ୍ୟୋମ ଘୋଟେ ।

ଦେଖି ବାତଲୋକ ସୁପୀତ ଦୁକୂଳ ଲତା ବଡ଼ଭୀ ଗିରିକୂଟେ ।

କେଉଁ ପ୍ରାସାଦେ ।

ଚାହିଁ ଅବଦାତପତାକା ।

ଜନ ଘେନେ ପୀତ କେତୁକୁ ତଡ଼ିତ ଧବଳକେତୁକୁ ବଳାକା ।୧୬।

 

ନିସର୍ଗ ଚପଳା ବଲ୍ଲରୀକଖେଳା ଆକାଶ ମଧ୍ୟରେ ଅନାଇ ।

କେ ବୋଲେ ହେ ମିତ ବଡ଼ଭୀର ପୀତ ପତାକା ଦେଖିଲ କି ନାହିଁ ।

ରବି ମୟୂଖ ।

ଛନ୍ନ ହେବାରୁ ଘନେ ସିନା ।

ଜଣାଗଲା ଏତେ ଦିନକେ ନିକେତମଉଳିଶିଖେ ପୀତ ବାନା ।୧୭।

 

ଝିଙ୍କିବାକୁ ଚେଷ୍ଟା କରି ନଖ ଛିଡ଼ିବାରୁ କଷ୍ଟ ପାଆନ୍ତି । ୧୨ । ସଲାବଣ୍ୟରସ-ଲାବଣ୍ୟ-ପୂର୍ଣ୍ଣ ଶୃଙ୍ଗାର ରସ ଓ ସୁନ୍ଦର ଜଳ, ବୀଚିଜାତଦର-ଲହରୀ ହେତୁରୁ ଭୟ, ସନ୍ତାନ-ପୁତ୍ରାଦି, କଳ୍ପବୃକ୍ଷ; କୀଲାଲ-ଜଳ ଓ କିପରି ରକ୍ତବର୍ଣ୍ଣ; ପ୍ରତି ଅଗଣାରେ ଥିବା ସୁନ୍ଦର ଜଳାଶୟମାନଙ୍କୁ ସମୁଦ୍ର ସଙ୍ଗେ ତୁଳନା କରାଯାଇଅଛି । ୧୩ । ନିଜ ଦାନବାରି-ନିଜେ ଦାନ କରିବା ବେଳେ ଦେଉଥିବା ଜଳ; ଗଜଦାନବାରି–ହସ୍ତୀମାନଙ୍କର ମଦଜଳ, ଦାନବାରିଗୃହକୁ-ସମୁଦ୍ରକୁ, । ଅର୍ଭକେ-ପିଲାମାନେ, ତରୀମଣ୍ଡପ-ଖେଳିବା ପାଇଁ କରିଥିବା ମଣ୍ଡପାକୃତି ନୌକା; ମାଧବ–ବୈଶାଖମାସ, ବୈଶାଖରେ ମାଧବ ପ୍ରତିମା (ବିଷ୍ଣୁପ୍ରତିମା)ଙ୍କର ଚାପକ୍ରୀଡ଼ାର ରମା ( ସୌନ୍ଦର୍ଯ୍ୟ) । ଭାବି ସମୁସୁକ । (ଆନନ୍ଦିତ) ହୁଅନ୍ତି । ୧୪ । ରାକାପ୍ରଦୋଷ-ପୂର୍ଣ୍ଣିମାର ସନ୍ଧ୍ୟା, ରାମାଲପନ–ସ୍ତ୍ରୀର ମୁଖ (ଚନ୍ଦ୍ର) । ୧୫ । କଳାବଳାହକ-କଳାମେଘ, ବଡ଼ଭୀ– ଚନ୍ଦ୍ରଶାଳା, । ନୀଳଚେଳବଲ୍ଲୀ-ନୀଳବର୍ଣ୍ଣର ବସ୍ତଖଣ୍ଡ । ୧୬ । ସର୍ବଯୋଟ ପ୍ରକାରେ– ଚାରିଆଡ଼ୁ ଏକାଠି ମିଳି, ପ୍ରାବୃଟକାଳୀନ-ବର୍ଷାକାଳରେ, ବାତଲୋଳ-ପବନରେ ଚଞ୍ଚଳ, ସୁପୀତଦୁକୂଳ-ହଳଦିଆ ପାଟବସ୍ତ୍ରଖଣ୍ଡ, ବଡ଼ଭୀଗିରିକୂଟେ–ଚନ୍ଦ୍ରଶାଳାରୂପ ପର୍ବତ ଶିଖରରେ, ପ୍ରାସାଦ କୋଠାରେ, ଅବଦାତ– ଧଳା, ପୀତକେତୁ-ହଳଦିଆ ପତାକା, ବଳାକା ବକପଂକ୍ତି । ୧୭ ।

 

ଭୁଜଙ୍ଗମ ନର ଦୁଇ ପୁରସାର ବିଜୟେ ଆଦର ନ କରି ।

କେଉଁ ମଣିମୟ ପ୍ରାସାଦ ନିଳୟ ଅସିତ ଅଂଶକୁ ମଞ୍ଜରୀ ।

ଜମିଯାଏ ଯା ।

ଆକାଶେ ଊର୍ଦ୍ଧ୍ୱେ ଖେଳି ଖେଳି ।

ହୁଅଇ ପ୍ରତୀତି ଜିଣି ସ୍ୱର୍ଗଦ୍ୟୁତି ତା ମୁଖେ ଲଗାଏକି କାଳୀ ।୧୮।

 

ଋକ୍ଷ ପ୍ରତିବିମ୍ବ ଡମ୍ବରାବଲୟ ନୀଳାଶ ଜଗତୀରେ ନିଶି ।

ଲାଉଲୀ ବୟସୀ ଚାରି ପାଞ୍ଚ ମିଶି କୁସୁମ ଗୁନ୍ଥୁ ଗୁନ୍ଥୁ ରସି ।

ଚୂତ କୁସୁମ ।

ବୋଲି କେ ପ୍ରତିବିମ୍ବ ଧରେ ।

ସମୀରଣ ଉଡ଼ା ଫୁଲ ଭ୍ରମେ ଛିଡ଼ା ହୋଇ କେ ତାହାକୁ ଓଟାରେ ।୧୯।

 

ଯହିଁ କେଉଁ ରସଲମ୍ପଟ ପୁରୁଷ ଗବାକ୍ଷ ପାଶେ ବସିଥିଲା  

ଅବିଦୂର ଶଶିବିମ୍ବକୁ ପ୍ରେୟସୀବଦନ ଭ୍ରମେ ଚୁମ୍ବି ଦେଲା ।

ଊଣା ହେବାରୁ ।

ମାଧୁର୍ଯ୍ୟ ବୋଇଲା ଯା ଛି ଛି ।

ସେହି ଦିନୁ ଲାଜ ଭଜି ଦ୍ୱିଜରାଜ କାଳିମା ଲଭିଅଛି କିଛି ।୨୦।

 

ରଞ୍ଜିବାକୁ ନେତ୍ରଖଞ୍ଜି କାଂସ୍ୟପାତ୍ର ଦୀପଶିଖେ କେ ଗଲା ବୁଲି  

ତହିଁ ପୁଣି ଆସି ପୁରେ ଦେଖୀ ଶଶୀ ମସି ପଡ଼ିଲା ପାତ୍ରେ ବୋଲି ।

ଭ୍ରମେ ଅଙ୍ଗୁଳି ।

ଅଗ୍ର ତା କଳଙ୍କେ ଘଷିଲା ।

କହୁଁ କହୁଁ ଶଶୀଜାଳମାର୍ଗେ ଖସି ଗଲା ଜାଣି ମନେ ହସିଲା ।୨୧।

 

ଯହିଁ ପ୍ରାଭାତିକ ବାଜା ବନ୍ଦୀଡ଼ାକ ହୟହ୍ରେଷା ଗଜବୃଂହତି ।

କରଟରଟନ ତାମ୍ରଚୂଡ଼ସ୍ୱନ ନୋହେ ପ୍ରସାଦା ଉର୍ଦ୍ଧ୍ୱଗତ ।

ଶୋଣ ରତନ ।

 

କରେ ସୂରସୁତ ସୁଷମା ।

ହେବାରୁ ଆଚ୍ଛନ୍ନ ନ ଜାଣନ୍ତି ଜନ ସମାପ୍ତ ହେବାର ତ୍ରିଯାମା ।୨୨।

 

ମରକତମୟ ସବୁରି ନିଳୟ ପ୍ରାଣଙ୍ଗ ତଳ ଉଲ୍ଲସଇ ।

କିଛି କିଛି ନୀଳୀ ମିଶିବାର କେଳିସରସୀ ପରି ଆଭାସଇ ।

ଯେବେ ନ ଥାନ୍ତା ।

ହଂସ ପଙ୍କଜ ଦ୍ୱୀପଦଣ୍ଡୀ ।

ସ୍ନାନ ଅବସରେ ସେ ନଗର ନରେ ଦୁହିଙ୍କି ନ ପାରନ୍ତେ ଉଣ୍ଡି ।୨୩।

 

ଯେଉଁ ପୁର ଅଟ୍ଟକୁଟ୍ଟିମନିକଟ ବୃନ୍ଦାରକଙ୍କ ମନ୍ଦାକିନୀ ।

ତହୁଁ ଆସି ମନ୍ଦବାତ ଅରବିନ୍ଦ ମରନ୍ଦବିନ୍ଦୁବୃନ୍ଦ ଘେନି ।

ଜଗି ବସନ୍ତ ।

ନିଦାଘ ଏ ଦୁଇ କାଳକୁ ।

ଜଳାକବାଟୀଧାଟୀ ପାଖେ ରଚଇ ଜଳଯନ୍ତ୍ର କୁତୂହଳକୁ ।୨୪।

 

ଯହିଁ କଳାବତୀକୁଳ କଳଗୀତି ଶିଖିବାକୁ ଛପି ନ ଟଳି ।

ରହିବାରୁ ଅଟ୍ଟଗୃହାଚଳକୂଟ ଘେରି ସୁରଙ୍ଗନା ପଟଳୀ ।

ଦେବେ ଜାଣନ୍ତି ।

ନାହିଁ କେ ସତ କେ କୃତ୍ରିମ ।

ଭେଦ ଜାଣିବାକୁ ମେରୁଠାରୁ ଯହିଁ ଚୂଳେ କଳସମୟ କମ ।୨୫।

 

ନିସର୍ଗ-ପ୍ରାକୃତିକ ବିଦ୍ୟୁତ୍‌ଲତାରକ୍ରୀଡ଼ା, ଛନ୍ନ ଆଚ୍ଛନ, ଆବୃତ; ନିକେତମୌଳିଶିଖେ-ଗୃହର ଅଗ୍ରଭାଗରେ । ୧୮ । ଭୂଜଙ୍ଗମ ... ପୁର– ପାତାଳ ଓ ମର୍ତ୍ତ ଦୁଇ ଲୋକର ସାରାଂଶକୁ ଜୟ କରିବାକୁ ଇଚ୍ଛା ନ କରି; ଅସିତଅଂଶୁକ ମଞ୍ଜରୀ–କଳାରଙ୍ଗର ବସ୍ତ୍ରଖଣ୍ଡ, ସ୍ୱର୍ଗଦ୍ୟୁତି– ସ୍ଵର୍ଗଶୋଭା । ୧୯ । ଋଷପ୍ରତିବିମ୍ବ ... ନିଶି-ନକ୍ଷତ୍ରମାନଙ୍କର ପ୍ରତିବିମ୍ବ ଶୋଭାର ଛାୟା ଇନ୍ଦ୍ରନୀଳମଣି କୋଠା ଉପରେ ପଡ଼େ; ଲଉଲୀବୟସୀ–ଅଳ୍ପବୟସ୍କା । ୨୦ । ଗବାକ୍ଷ-ଝରକା, ଅବିଦୂର-ନିକଟବର୍ତ୍ତୀ, ଦ୍ଵିଜରାଜ-ଚନ୍ଦ୍ର । ୨୧ । କଂସା ଥାଳିଆକୁ ଦୀପଶିଖା ଉପରେ ରଖିଲେ ତହିଁରେ ଚକ୍ଷୁର କଜଳ ଜାତ ହୁଏ, ଜାଳମାର୍ଗେ–ଝରକାବାଟେ । ୨୨ । କରଟରଟନ-କୁଆରଡ଼ି, ଶୋଣରତନ ... ରକ୍ତବର୍ଣ ରତ୍ନମାନଙ୍କ କିରଣରେ ସୂରସୁତ (ଅରୁଣ)ର ସୁଷମା (ଶୋଭା), ତ୍ରିଯାମା– ରାତ୍ରି । ୨୪ । ଅଙ୍ଗକୁଟ୍ଟମ–ଉନ୍ନତ କୋଠା, ବୃନ୍ଦାରକ ଦେବତା, ଅରବିନ୍ଦ ... ପଦ୍ମ ମକରନ୍ଦ-ବିନ୍ଦୁସମୂହ, ଧାଟୀ-ସମୂହ, ଧାଡ଼ି । ୨୫ । କଳାବତୀକୁଳ–ସ୍ତ୍ରୀ ସମୂହ, ଛପି-ଲୁଚି,

 

ପ୍ରତି ଗୃହବାଟୀ ଉପବନିକାଟିମାନଙ୍କୁ ବରନିବା କିସ ।

ଇନ୍ଦ୍ରଆନନ୍ଦନ ହେବାର ନନ୍ଦନବନେ ନାହିଁ ଯା ଶୋଭା ଲେଶ ।

ଶଶୀଉପଳ ।

ଆବାଳ ସବୁ ଲତା ମୂଳେ ।

ସୁଧାଂଶୁ ସ୍ପର୍ଶରେ ବଳକ୍ଷ ପକ୍ଷରେ ପୂରଇ ନିଜ ଦ୍ରବ ଜଳେ ।୨୬।

 

ମହୀ ମାରକତ ପ୍ରଣାଳୀ ଅମିତ ମହିମା ରକତରତନ ।

ଝଡ଼ିଯିବା ଦଳ ଫୁଲ ଫୁଲଜାଳ ଯହିଁ ରକ୍ଷକବରତନ ।

ଏଳା ଲବଙ୍ଗ ।

ପ୍ରିୟଙ୍ଗୁ ଦ୍ରାକ୍ଷା ଜାତିଫଳ ।

କ୍ରମୁକ ଲାଙ୍ଗଳୀ କର୍ପୁର କଦଳୀ ରୁଚକ ପନସ ରସାଳ ।୨୭।

 

ଡାଳିମ୍ବ ଜମ୍ଭୀର ଲେମ୍ବୁ ଜମ୍ବୁ ବରକୋଳି କମଳା ନାଗରଙ୍ଗ ।

ଏବଂବିଧ ମହୀରୁହବ୍ୟୂହେ ଯହିଁ ନାନା କୁସୁମ ଲତାସଙ୍ଗ ।

ଚମ୍ପା କେଶର ।

ପୁନ୍ନାଗ ମଲ୍ଲୀ ଛୁରିଅନା ।

ପନୀର ଅଶୋକ ଜାତି କୁରୁଣ୍ଟକ କଣ୍ଟକ ସେବତୀ ସୁମନା ।୨୮।

 

ଯୂଥିକା ନିଆଳୀ ମାଧବୀ ପାଟଳୀ ଅସିତ ଇଟାଳା ପଲାସ ।

ସ୍ଥଳୋତ୍ପଳ ଦୁଳୁଦୁଳାଙ୍ଗ ରଙ୍ଗଣୀ କୁନ୍ଦ ଗୁଲାପ ଗୁଳ୍ମବାସ ।

ବାସ ତଗର ।

ତରାଟ ରଙ୍ଗ କନିୟର ।

କରବୀର ନିତି ମଲ୍ଲିକା ସେବତୀ ବଧୂଲୀ ଅଲାର ମନ୍ଦାର ।୨୯।

 

ଦୟଣା ମରୁଆ ପଚାପତ୍ରୀ ଚୂଆ ଚୁନି ନାଗୁଣୀ କୁରୁବେଲୀ ।

ତହୁଁ ଅନୁଲକ୍ଷୀ ପୋଷା ପଶୁପକ୍ଷୀ କ୍ରୀଡ଼ନ୍ତି ମତଲ୍ଲୀ ମତଲ୍ଲୀ ।

ପୁଣି ବିରୋଧ ।

 

ନାହିଁ କାହା ତୁଲେ କାହାର ।

କେ ପଲ୍ଲବକଣ କେ ତମାଳ ତୃଣ କେ ଫୁଲ ମରନ୍ଦ ଆହାର ।୩୦।

 

ପଞ୍ଚଜାତି ମୃଗ ଗବୟ ଖଡ଼ଗ ଚମରୀ କସ୍ତୁରୀ କୁରଙ୍ଗ ।

ଶାଳିଆପତନୀ ମହୀଦାର ଘେନି କରୁଅଛନ୍ତି ନାନାରଙ୍ଗ ।

ନାନା ନିଗମ ।

ପଢ଼ା ଶାରୀ ଶୁକ ସହିତ ।

ମରାଳ ମୟୂର ରଥାଙ୍ଗ ଚକୋର ଦୁଇ କେନାଟୀ ପରଭୃତ ।୩୧।

 

ଶରାସ୍ୟଟଙ୍କାର ଶଙ୍କାର ନିଦାନ ଝଙ୍କାର ପଣ୍ଡିତ ରୋଲମ୍ବ ।

ପ୍ରସବ କଦମ୍ବ ମକରନ୍ଦଚୁମ୍ବକେଳିକି କରି ଅବଲମ୍ବ ।

ତହିଁ ଖେଳନ୍ତି ।

ଚମ୍ପକ ବିନା ମଦେ ରସି ।

ଅଖିଳ ବ୍ରତତୀ ଫୁଟନ୍ତି ଫଳନ୍ତି ଯେଉଁ ଆରାମେ ବାରମାସୀ ।୩୨।

 

ନ ଟଳି-ସ୍ଥିର ହୋଇ, ମେରୁର ଶୃଙ୍ଗାବଳୀ ସୁବର୍ଣ୍ଣମୟ ଏବଂ ଏ ନଗରର କୋଠା ଉପର ସୁବର୍ଣ୍ଣମୟ, ତେଣୁ ଭେଦ ଜାଣି ହୁଏ ନାହିଁ । କୋଠାମାନଙ୍କରେ ସୁନାର କଳସସବୁ ଥିବାରୁ ପ୍ରଭେଦ ଜଣାଯାଏ । ୨୬ । ଉପବନିକା-ବଗିଚା, ଆନନ୍ଦନ-ଆନନ୍ଦଜନକ, ପ୍ରୀତିପ୍ରଦ; ନନ୍ଦନବନ-ଇନ୍ଦ୍ରଙ୍କବଗିଚା, ଶଶୀଉପଳ-ଚନ୍ଦ୍ରକାନ୍ତମଣି (ଚନ୍ଦ୍ରକିରଣରେ ଯହିଁରୁ ପାଣି ବାହାରେ), ଆବାଳ-ଆଳବାଳ ବା ମନ୍ଦା, ବଳକ୍ଷପକ୍ଷ-ଶୁକ୍ଳପକ୍ଷ । ୨୭ । ମାରକତ ପ୍ରଣାଳୀ-ମରକତମଣି ନିର୍ମିତ ପାଣିନାଳ, ରକ୍ଷକବରତନ– ଚାକରମାନଙ୍କର ବେତନ ବା ଦରମା । ଏଳା–ଅଳାଇଚ, ଜାତିଫଳ-ଜାଇଫଳ, କ୍ରମୁକ-ଗୁଆ, ଲାଙ୍ଗଳୀ-ନଡ଼ିଆ, ରୁଚକ–ଟଭା, ରସାଳ–ଆମ୍ବ । ୨୯ । ସ୍ଥଳୋତ୍ପଳ– ସ୍ଥଳପଦ୍ମ, ଦୂଳଦୂଳାଙ୍ଗ–ଦୋହଲୁଥିବା, ଯୂଥିକା– ଯୁଈ, ଅସିତ-କଳା, ମତଲ୍ଲୀ ମତଲ୍ଲୀ–ଉକୃଷ୍ଟ ବା ପ୍ରଶସ୍ତଜାତୀୟ (ପୋଷା ପଶୁପକ୍ଷୀମାନେ) । ୩୧ । କୋଇଲି । ୩୨ ।

 

ସେ ପୁରାଧିରାଜ ବୀରଧର୍ମଧ୍ୱଜ ଗୁଣଗଣମଣିମଣ୍ଡିତ ।

ନିର୍ଜିତାରିଜାତ ଅର୍ଥିପାରିଜାତ ଆଶ୍ରିତଭରଣପଣ୍ଡିତ ।

କେଳି କଲ୍ଲୋଳା ।

ତାର ପ୍ରିୟପାଟ ଅଙ୍ଗନା ।

ମାରତୁଲ୍ୟ ତିନି କୁମାରଜନନୀ ନନ୍ଦନା ବିନା ମ୍ଲାନମନା ।୩୩।

 

ପ୍ରତିଦିନ ବାମା ଗଉରୀପ୍ରତିମା ନିଷ୍କଶତ ସ୍ୱର୍ଣ୍ଣେ ଗଢ଼ାଇ ।

ଚେଳ ଅଳଙ୍କାର ତୁଲେ ଦ୍ୱିଜଙ୍କର ମହିଳାକୁ ଦେଇ ବଢ଼ାଇ ।

ବନ୍ଦି ଚରଣେ ।

ବୋଲେ ଏ ବିନୟ ବଚନ ।

ଦ୍ୱିତୀୟ ସାବିତ୍ରୀ ସମ ଲଭ ପୁତ୍ରୀ ବୋଲ ଗୋ ଗୁରୁପତ୍ନୀମାନେ ।୩୪।

 

ଅଷ୍ଟମୀ ନବମୀ ଅମା ପଉର୍ଣ୍ଣମୀ ଚତୁର୍ଦ୍ଦୁଶୀ କୁଜବାସରେ ।

ଗଉରୀଙ୍କ ଓଷା ପୂଜୁଥାଏ ଯୋଷାରାଜି ଘେନି ଉପବାସରେ ।

ଗଙ୍ଗା ଯମୁନା ।

ଆଦି ପୁଣ୍ୟ ନଦୀ ସ୍ନାନକୁ ।

କରାଇ ବରଣ ପେଷୁଥାଏ ଗୁଣବନ୍ତ ଭୂଗୀର୍ବାଣମାନଙ୍କୁ ।୩୫।

 

ଏପରି ବୟସ ହେଲା ଊନବିଂଶ ପହୁଡ଼ିଥିଲା ନାଥ କୋଳେ ।

ସେ ବାଳାରତନ ଲଭିଲା ସ୍ୱପନ ତ୍ରିଯାମା ଅବସାନକାଳେ ।

ପୂର୍ଣ୍ଣ କନକ ।

କୁମ୍ଭ ଧରିଛି କନ୍ୟା କେହି ।

ବିଭୂଷିତା ବାଳୀ ଜଣେ କେ ମରାଳୀ ନିଜପୁରତେ ଅଛି ବହି ।୩୬।

 

ଚାହୁଁଥିଲା ବୀଣାଯନ୍ତ୍ର କେ ପ୍ରବୀଣା ଆଳାପି ଆଳାପି ରଙ୍ଗରେ ।

ପରବେଶ ହେଲା ପରି ଜଣାଗଲା ପୁଣି ରଜତାଦ୍ରି ଶୃଙ୍ଗରେ ।

ମୋଦେ ବନ୍ଦିଲା ।

ଅଚଳେନ୍ଦ୍ରଜେମା ଚରଣ ।

ଜଣାଇଲା ସୁତା ଅଭାବ ଦୁଃଖିତାଶୟ ହୋଇବା ଆଚରଣ ।୩୭।

 

ଶୁଣୀ ପୁଣି ଦେବୀ ନରେଶବାନ୍ଧବୀଠାରେ କରୁଣାଦୃଷ୍ଟି ଢାଳି ।

ସୁପୁଷ୍ଟଗୋସ୍ତନୀଲତିକାରୁ ଘେନି ଗୋଟିଏ ପରିପକ୍ୱ କୋଳି ।

ରାଣୀପାଣିରେ ।

ଦେଲାକ୍ଷଣେ ପୁଣି ଗିଳିଲା ।

ଦେବୀଙ୍କ ପୁରତେ ଥିବାର ପରତେ ହେଉଅଛି ନିଶା ଟଳିଲା ।୩୮।

 

ସେହିଦିନୁ ଗର୍ଭବତୀ ସେ ବିଦର୍ଭମହୀମହେନ୍ଦ୍ର ଜେମା ହେଲା ।

ଦିନୁ ଦିନ ତାର ଅଳସ ମନ୍ଥରଗତି ମଣ୍ଡିତ କ୍ଷମା ହେଲା ।

ନିତି ହଟିଲା ।

ଧରଣୀତଳ ଶୟନକୁ ।

କଞ୍ଜପରି କଲା ଖଞ୍ଜରୀଟଖେଳା-ମଞ୍ଜୁଳତର ନୟନକୁ ।୩୯।

 

ଅଣାଇ ବଲ୍ମୀକ ପକାଇ ଉଦକ ତା ବାସ ଆଘ୍ରାଣେ ରସଇ ।

ତୁମ୍ବିସୂନ ପିତା ଜାଣି ମୋଦେ ସୂତା ହେବ ବୋଲି ମନେ ହସଇ ।

ଖଡ଼ି ଖେଳରେ ।

ରହିବା ଦେଖି ଦୁଇ ଅଙ୍କ ।

ବିଚାରଇ ରାମା ଜାତ ହାଇ ଜେମା ଅବଶ୍ୟ ମଣ୍ଡିବ ମୋ ଅଙ୍କ ।୪୦।

 

ଭଜିଲା ଗଭୀର ଆବର୍ତ୍ତ ନାଭିର ତଳସ୍ଥଳକୁ ଲାଗିବାସ ।

ବାସି ବନ୍ଧୁଜୀବ ସୁଷମାବିଭବ ଆସି ବହିଲା ଦନ୍ତବାସ ।

ରାମା ପହଣ୍ଡେ ।

ସଞ୍ଚରିଲେ ଦଣ୍ଡେ ଫୁଟିଲା ।

ଆହାର ନାହାର ଉତ୍ସଙ୍ଗବିହାର ରାହାରୁ ଶରଧା ତୁଟିଲା ।୪୧।

 

ଶରାସ୍ୟ-ଧନୁ, ରୋଲମ୍ୱ-ଭ୍ରମର, ବ୍ରତତୀ-ଲତା । ୩୩ । ନିର୍ଜିତାରିଜାତ-ପରାଜିତ ହୋଇଅଛନ୍ତି ଶତ୍ରୁସମୂହ ଯାହାଦ୍ୱାରା, ଅର୍ଥୀ ପାରିଜାତ–ଯାଚକଙ୍କ ପକ୍ଷରେ କଳ୍ପଦ୍ରୁମ ପରି, ନନ୍ଦନା–କନ୍ୟା । ୩୪ । ନିଷ୍ପଶତସ୍ୱର୍ଣ–ଏକଶତ ମୋହର ସୁନାରେ । ୩୫ । କୁଜବାସର–ମଙ୍ଗଳବାର; ଭୂଗୀର୍ବାଣ–ବ୍ରାହ୍ମଣ । ୩୭ । ଅଚଳେନ୍ଦ୍ରଜେମା– ପାର୍ବତୀ । ୩୮ । ଗୋସ୍ତନୀଲତିକା–ଦ୍ରାକ୍ଷାଲତା । ୪୦ । ବଳ୍ମୀକ–ଉଇହୁଙ୍କା ମାଟି । ତୁମ୍ବିସୂନ– ଲାଉଫୁଲ: ଗର୍ଭଣୀ ସ୍ତ୍ରୀକୁ ଲାଉଫୁଲ ପିତା ଲାଗିଲେ ଝିଅ ଜାତ ହୁଏ । ନାଭି ... ନାହିରୁ ପାଣି ଶୁଖିଯିବା ପରେ ।

 

ଗ୍ରହପଞ୍ଚକର ଉଚ୍ଚସ୍ଥାନ ପରବେଶରେ ରହିଥିଲା ମେଷେ ।

ଅସମ ଲାବଣ୍ୟନିଧିର ଗର୍ଭକୁ ଦଶମ ମାସ ପରବେଶେ ।

ଶୁଭ ଲଗ୍ନରେ ।

ପ୍ରକାଶି ରାମାଜନ୍ମୋତ୍ସବ ।

ଜରାୟୁ ବିରାଜି ଧରାତଳ ଭଜି କଳା କୋକିଳ କଳରବ ।୪୨।

 

କୁମାର କୁମାର ବୋଲି ପରିଚାରଜନେ ଭିତରେ କଲେ ଖ୍ୟାତି ।

ଜେମାର ଯେ ମା ରଙ୍କନିଧି ଦେଖିଲା ପରି ଦେଖିଲା ତାହା ପ୍ରୀତି  

କିସ କହିବା ।

ସେ କି କୁହାଯାଏ ବଚନେ ।

ବ୍ରହ୍ମ ଅବଲୋକ ଉତ୍ସବ କି ଲୋକ ଲଭେ ସପୁଲକ ଲୋଚନେ ।୪୩।

 

ନାଭିଜଳ ତୁଟି ନାଡ଼ୀନାଳ କାଟି କରାଇ ଅଉଷଧିସ୍ନାନ ।

ଧାଈ ଗୀତ ଗାଇ ତଳପେ ଶୁଆଇ କଲେ ଅରିଷ୍ଟବିଧିମାନ ।

ସମୁଚ୍ଛଳିଲା ।

 

ମଙ୍ଗଳ ହୁଳହୁଳି ବାଜା ।

ଘେନି ରତ୍ନାଞ୍ଜଳି ନୟନଯୁଗଳି ପବିତ୍ର କଲେ ମହାରାଜା ।୪୪।

 

ତାହା ଜନ୍ମ ଶୁଣି ଯା ହାଟକଶ୍ରେଣୀ ବୃଷ୍ଟିରେ ପୂର୍ଣ୍ଣ କଲେ କ୍ଷମା ।

କବି ଭାବି କହେ ସେ କି ଶିଶୁ ନୋହେ କଳଙ୍କଦରିଦ୍ର ଚନ୍ଦ୍ରମା ।

ରାଣୀ ଉଦର ।

ଆକାଶୁଁ ହେବାରୁ ଉଚିତ ।

କଳଙ୍କୀ ଶଶୀକି ବରଜି ଆସି କି ତରାଳି ହେଲା ଭୂମିଗତ ।୪୫।

 

ଲୁଟିଲେ ପ୍ରଜାଏ ସାତଦିନ ଯାଏ ହଜାର ସଂଖ୍ୟକ ବଜାର ।

ସହସ୍ରାଂଶୁଁ ଅଂଶ ନ ଲଭିଲା ଶେଷ ଲୁଟିବାରେ ହେଲେ ବେଜାର ।

ଲକ୍ଷ ରଜକେ ।

ସଜ କରିବା ଚେଳକୂଟ ।

ବରଜି ବିଦୂରେ ଡାକିଲେ ମୋଦରେ ଆସ ହେ ଜନେ ଲୁଟ ଲୁଟ ।୪୬।

 

ଏକବିଂଶ ଦିନ ସକଳ ଭୁବନ ସେ ପରେ ପରି ଆଭାସିଲେ ।

ଗଉରବ ମୂଳ ହୋଇ ନୃପକୁଳଗୁରୁ ମହୀସୁରେ ଆସିଲେ ।

ଯେମାମଣିକି ।

ରଖନ୍ତେ ମହାରାଜ କୋଳେ ।

ଅଷ୍ଟକଞ୍ଜମାଳାଭୂଷିତ ଚପଳା ଘନାଙ୍ଗେ ଖେଳିଳା କି ଲୋଳେ ।୪୭।

 

ସେ ନରେନ୍ଦ୍ରବାଳୀ ରାଶି ଋକ୍ଷ ଭାଳି ମୀନ ରେବତୀ ମୂଳ କଲେ ।

ଚମ୍ପାମାଳା କୋଷ୍ଠୀ ଲେଖିଲା ବିମ୍ବୋଷ୍ଠୀ ଚନ୍ଦ୍ରକଳା ବୋଲି ବୋଇଲେ ।

କୋଳ ତଳପ ।

ଖଟଦୋଳି ପୂରାବୟବ ।

ଜନଙ୍କ ନୟନ ହୃଦୟ ବଚନ ସେ ଦିନୁ ହୋଇଗଲେ ଶିବ ।୪୮।

 

ନଗରୀ ଭୂପାଳରାଜବଧୂ ନୀଳ କମଳନୟନା ଜନମ ।

ପଞ୍ଚାଶତପଦ ଘଟିତ ଏ ଛାନ୍ଦ ବାଳାବତାର ଏହା ନାମ ।

ଏହା ଉତ୍ତର ।

ଛାନ୍ଦେ ପ୍ରଥମୁଁ ଯେମା ଛବି ।

ବାଳଲୀଳା ଧରି ହେବାର କିଶୋରୀ ସଂକ୍ଷେପେ ବରନିବ କବି ।୪୯।

 

କମଳାଙ୍କ ଶିଶୁ କର୍କଶପରଶୁକର – ବନ୍ଦ୍ୟ କଞ୍ଜନୟନ ।

କମଳାଙ୍କ ସ୍ତନ କର୍ପୂର ଚନ୍ଦନ କମଳଧିମଧ୍ୟଶୟନ ।

କମ୍ବୁ କଟକ ।

କମଳ ସଂହାସନେ ସ୍ଥିତ ।

କର ରାମଚନ୍ଦ୍ର ଦେବ ଧରାଧରାଇନ୍ଦ୍ରଠାରେ କରୁଣା ଦୃଷ୍ଟିପାତ ।୫୦।

 

ଅରିଷ୍ଟ–ଅନ୍ତୁଡ଼ିଶାଳ । ୪୫ । ଯା ହାଟକ ... ସୁବର୍ଣ୍ଣ ବୃଷ୍ଟିରେ ଯାହା ପୃଥିବୀକୁ ପୂର୍ଣ୍ଣ କଲେ; କଳଙ୍କଦରିଦ୍ର–କଳଙ୍କହୀନ, ତାରାଳି– ନକ୍ଷତ୍ରଗଣ । ୪୬ । ସହସ୍ରାଂଶୁ ଅଂଶ-ହଜାର ଭାଗରୁ ଭାଗେ ମଧ୍ୟ ସରିଲା ନାହିଁ । ଚେଳକୂଟ-ଲୁଗାଗଦା । ୪୭ । ଗୁରୁମହୀସୁରେ –ଗୁରୁସ୍ଥାନୀୟ ବ୍ରାହ୍ମଣମାନେ; ଅଷ୍ଟକଞ୍ଜମାଳା -ଆଠଗୋଟି ପଦ୍ମମାଳ, ଘନାକେ- ମେଘକୋଳରେ । ୫୦ | କମଳାଙ୍କ ଶିଶୁ–ବ୍ରହ୍ମା; କର୍କଶପରଶୁକର-ଶିବ; କଞ୍ଜନୟନ–ପଦ୍ମନେତ୍ର (ଜଗନ୍ନାଥ), କମଳଧି-ସମୁଦ୍ର, କମ୍ଭୁ କଟକ–ଶଙ୍ଖକ୍ଷେତ୍ର, ପୁରୀ ।

 

ଷଷ୍ଠ ଛାନ୍ଦ

ରାଗ – ଘଣ୍ଟାରବ

କୁମାରୀ ବିନୋଦରଞ୍ଜନ

 

ତଦନ୍ତେ ରସିକେ ଶୁଣ । ବୁଝି ବୁଝି ଭଲ କ୍ଷଣ ।

ଯେଉଁ ପରି ଜନେ ଦେଖନ୍ତି ନୟନେ ଜେମାର ଶୁଭ ଲକ୍ଷଣ ।୧।

ଭାବିବା ଲାବଣ୍ୟ ରାମା । କେ କହେ ନୁହେ ଏ ଜେମା ।

ଧରି ଶିଶୁଲୀଳା କନକ ଚପଳାବଲ୍ଲରୀ ମଣ୍ଡିଲା କ୍ଷମା ।୨।

 

ସୁଧାମୟଧାମସାର । ତା ଶଶମିଷ ମସାର ।

କଲା ମୁଖ କେଶ ଅବଶ ଲୋକେଶ ଏ ବସୁନ୍ଧରାଭୂଷାର ।୩।

ଲଲାଟପଟ କପଟ । ଅଷ୍ଟମୀ ବିଧୁ ପ୍ରକଟ ।

ଝଳିରେ ଝଟକି ରଖିଛୁ ଅଟକି ଲୋକନେତ୍ରକୁ ନପଟ ।୪।

 

ଦୂରୁ ଅନା ପ୍ରାଣସଙ୍ଗି । ଭୂରୁ ଅସିତ ଭୁଜଙ୍ଗୀ ।

ଆଜଠାରୁ ବହେ ଗଣନାର ଶହେ ଅହେତୁକ ଖେଳାଭଙ୍ଗୀ ।୫।

ଲାସିକା ଶୋଭା ମନ୍ଦିର । ନାସିକାକୁ ବେଦବର ।

ସାର ତିଳଫୁଲେ ସଜାଡ଼ିଛି ମାର ଭାରତି ହେବ ଆଖର ।୬।

 

ଅଧରଶୋଭାକୁ ଭାବ । ମନ୍ଦର କି ବନ୍ଧୁଜୀବ ।

ନ ଚଳଇ ଅରି ଚରଣ ଏ ଶିରୀ ଦେଖି କେଉଁ ବନ୍ଧୁ ଯିବ ।୭।

ନେତ୍ର ବିଚିତ୍ର ସାରଙ୍ଗ । ତାରା ଇନ୍ଦ୍ର ନୀଳ ଭୃଙ୍ଗ ।

କୋଟି ଶୁଭଲକ୍ଷ୍ମଜଳଧିର ପକ୍ଷ୍ମପାଳୀ ରଖିଅଛି ସଙ୍ଗ ।୮।

 

ଗଣ୍ଡ ଦରପଣ ବିମ୍ବେ । ଭିତ୍ତିଚିତ୍ର ପ୍ରତିବିମ୍ବେ ।

କେଡ଼େ ଭାଗ୍ୟବତୀ ନରେନ୍ଦ୍ରଯୁବତୀ ଗଣ୍ଡେ ଯା ଏହାକୁ ଚୁମ୍ବେ ।୯।

ଯୋଗବଶୁଁ ଆଦରଶେ । ପ୍ରତିଫଳ ଯେବେ ଦିଶେ ।

ଯଥା ରାଜେ ରଙ୍ଗ ପକ୍ୱନାଗରଙ୍ଗ ତଥା ଚିବୁକ ଉଲ୍ଲାସେ ।୧୦।

 

ଷଷ୍ଠ ଛାନ୍ଦ

 

୩ । ସୁଧାମୟ ଧାମସାର-ଚନ୍ଦ୍ରଲୋକର ସାରଭାଗ, ତା ଶଶମିଷ ମସାର-ଚନ୍ଦ୍ରର ଶଶରୂପୀ କଳଙ୍କ କପଟ ଇନ୍ଦ୍ରନୀଳମଣି ପରି, କଲାମୁଖ ... ବ୍ରହ୍ମା ଚନ୍ଦ୍ର ଲୋକର ସାରାଂଶ ଓ ତନ୍ମଧ୍ୟସ୍ଥ ଇନ୍ଦ୍ର ନୀଳମଣି (କଳଙ୍କ) ଆଣି ଅବଶ ହୋଇ ଯଥାକ୍ରମେ ଏ ସୁନ୍ଦରୀର ମୁଖ ଓ କେଶକୁ ନିର୍ମାଣ କରିଛି । ୪ । ଝଳି-କାନ୍ତି । ନିପଟ-ଏକାନ୍ତ ଭାବରେ । ୫ । ଭୂରୁ -ଭ୍ରୂ, ଅସିତଭୁଜଙ୍ଗୀ-କୃଷ୍ଣସର୍ପୀ । ୬ । ଲାସିକା-ନିତ୍ୟସ୍ଥଳ, ଆଖରକୁ (ଶେଷରେ) କନ୍ଦର୍ପର ଶରଣା ହେବ ବୋଲି ବ୍ରହ୍ମା ନାସିକାକୁ ରାଶିଫୁଲର ସାରବସ୍ତୁରେ ସଜାଡ଼ି ରଖିଛି । ୮ । ସାରଙ୍ଗ-ପଦ୍ମ । ତାରା–ଆଖିର ପୁଅ, କନୀନିକା; କୋଟିଶୁଭଲକ୍ଷ୍ମଜଳଧିର ଶୁଭଲକ୍ଷଣ ସମୂହ ଯାହାଠାରେ । ଏକତ୍ର 'ମିଳିତ ହୋଇଅଛି । ପକ୍ଷ୍ମପାଳୀ-ଚକ୍ଷୁର ଲୋମ ପଙ୍‌କ୍ତି । ୯ । ଭିତ୍ତଚିତ୍ର-କାନ୍ଥର ଚିତ୍ର,

 

ଅନାଇ ଏହାର ଶ୍ରୁତି । ଏପରି ହୁଏ ପ୍ରତୀତି ।

ନେତ୍ରମୃଗ ଖସି ନ ଯିବାକୁ ପାଶି ରଖିଛି କେଳତିପତି ।୧୧।

 

କନକ କପୋତ ପୋତ । ତୁଳା ନୁହେ କଣ୍ଠରୁତ ।

ଅକାରଣଭବ ସକୁରଣରବ ଜିଣେ କଳକଣ୍ଠରୁତ ।୧୨।

 

ଆଜୁଁ ହେଲାଣି ସଞ୍ଚିତ । ଜେମାର କିଳକିଞ୍ଚିତ ।

ତ୍ରାସହାସ କାନ୍ଦ ସମକ୍ରୋଧ ମନ୍ଦସ୍ମିତ ମିଶ୍ରିତ କିଞ୍ଚିତ ।୧୩।

 

ସ୍ୱର୍ଣ୍ଣମୟ ସୁକୁମାର । ସ୍ୱର୍ଣ୍ଣଦୀମୃଣାଳ ସାର ।

ବିରଚିଲା ଆଣି ଯତ୍ନେ କୁଶପାଣି ବାହୁଯୁଗ ସୁଦୃଶାର ।୧୪।

 

କନକ କଳିତ ମହୀ । ବକ୍ଷକୁ ବିଚାରି ବିହି ।

ମେରୁ ମଞ୍ଜି ପୋତିଥିଲା ପରି ଦ୍ୟୁତି ସ୍ତନସ୍ଥାନ ଅଛ ବିହି ।୧୫।

 

ଶୋଣମଣି ମଧ୍ୟ ସୁନା । କଞ୍ଜପାଣିପାଦ ସିନା ।

ତ୍ରିଗଜତୀଯୋଷା ମଣ୍ଡନକୁ ଭୂଷା ହେବ ଏ କୁନ୍ଦଦଶନା ।୧୬।

 

ନଜର ଦିଅ ଉଦରେ । ମଜ୍ଜା ଏ କି ପ୍ରମୋଦରେ ।

ସ୍ୱଲାବଣ୍ୟ ଜଳପୁଟର କମଳ ନବଦୋଳଶୋଭା ଧରେ ।୧୭।

 

ନାଭିବିଳ ଆବତର । ଛବିକି ଅନବରତ ।

ଦେଖି ସୁଖୀ ହେଲା ଆମ୍ଭ ନେତ୍ର ଭଲା ଆଚରିଥିଲା ବରତ ।୧୮।

 

କି ସୁନ୍ଦର ଊରୁଦ୍ୱୟ । ହେଲେ ଯଉବନୋଦୟ ।

ବିପରୀତ ସୁନା କଦଳୀର ଦଳି ଦେବ ଏ ଶୋଭା ନିଶ୍ଚୟ ।୧୯।

 

ଅନା ଜାନୁତଳଶିରୀ । କରେ ମନଧନ ଚୋରି ।

ଅଟେ ସ୍ମରରାଣୀ ପହୁଡ଼ିବା ମଣିଖଟସୁନାଖୁରାପୁରି ।୨୦।

 

ଈଦୃଶ ସୁଷମାସୀମା । ସେ ମହୀମହେନ୍ଦ୍ର ଜେମା ।

କ୍ରମେ ବିବର୍ଦ୍ଧିତ ହେଲା ଅବଦାତ ପକ୍ଷରେ ଯଥା ଚନ୍ଦ୍ରମା ।୨୧।

 

ଜଗତୀ ଲୋଚନ ବେଡ଼ି । ଉତ୍ତାନ ଶୟନ ଛାଡ଼ି ।

କେତେଦିନେ ପୁଣି ପ୍ରକାଶିଲା ଠାଣି ଉଦରମାଡ଼ି ପହୁଡ଼ି ।୨୨।

 

ଦିନୁଁଦିନ ସୁକୁମାରୀ । ବହିଲା ଅଭୁତ ଶିରୀ ।

ଅଣି ହେବା ଶୋଭା ଭଣିବାକୁ ପ୍ରଭୁ ଫଣୀଶ୍ୱର ଗଲେ ହାରି ।୨୩।

 

ଅବରୋଧତମ ଦୁଃଖ । ହରିଲା ଛବି ମୟୂଖ ।

ବିଶ୍ୱମନବାଣଲାଖ ସେ ମଣ୍ଡିଲା ପାଖ ଦାସୀଙ୍କର କାଖ ।୨୪।

 

ଜେମାଙ୍କ ଗଣ୍ଡଦେଶରୁପ ଦର୍ପଣଖଣ୍ଡରେ ପ୍ରତିବିମ୍ବିତ ହେଉଅଛି । ୧୦ । ଆଦରଶେ । ପତିଫଳ-ପ୍ରତିବିମ୍ବ, ଯୋଗବଶୁଁ-ଦୈବାତ । ୧୧ । କେଳତିପତି-କନ୍ଦର୍ପ, ପାଶ-ପାଶଯନ୍ତ୍ର, ଫାଶ (କାନକୁ ଫାସ ସଙ୍ଗେ ତୁଳନା କରାଯାଏ) । ୧୨ । କଳକଣ୍ଠରୁତ-କୋକିଳଧ୍ୱନି କିଳକଞ୍ଚିତ-ନାୟକ ସମୀପରେ ହର୍ଷ ହେତୁରୁ ନାୟିକା ହାସତ୍ରାସ ପ୍ରଭୃତି ଯେଉଁସବୁ ସମୟରେ ପ୍ରକାଶ କରେ । ୧୪ । ବିଧାତା ବକ୍ଷସ୍ଥଳକୁ ସ୍ୱର୍ଣ୍ଣଘଟିତ ପୃଥିବୀ ମନେ କରି ତହିଁରେ ମେରୁପର୍ବତର ବୀଜର ଜ୍ୟୋତିପରି ସ୍ତନସ୍ଥାନକୁ ନିର୍ମାଣ କରିଅଛି । ୧୫ । ଶୋଣମଣି ମଧ୍ୟସୁନା--ସୁନାଭିତରେ ରକ୍ତବର୍ଣ୍ଣ ମଣିପରି । କଞ୍ଜପାଣିପାଦ-ପଦ୍ମହସ୍ତ ଓ ପଦ୍ମପାଦ । ୧୭ । ନିଜ ଲାବଣ୍ୟରୂପ ଜଳରେ ପୁରଟକମଳ (ସ୍ଵର୍ଣ୍ଣପଦ୍ମ) ନୂତନପତ୍ରର ଶୋଭାକୁ ଧରିଅଛି । ୧୮ । ନାଭିବିଳଆବରତ– ନାଭିଗର୍ଭରୂପ ଆବର୍ତ୍ତ ବା ଭଉଁରୀ, ବରତ-ବ୍ରତ । ୨୧ । ଅବଦାତପକ୍ଷ-ଶୁକ୍ଲପକ୍ଷ । ୨୨ । ଜଗତୀଲୋଚନ ବେଡ଼ି–ଲୋକଚକ୍ଷୁର ବନ୍ଧନସ୍ୱରୂପା, ଉଭାନ ଶୟନ-ଚିତ୍‌ ହୋଇ ଶୋଇବା ବା ଉପରକୁ ମୁହଁ କରି ଶୋଇବା । ୨୩ । ଫଣୀଶ୍ୱର--ଅନନ୍ତନାଗ । ୨୪ ।

 

 

ଦେବଙ୍କ ପ୍ରସାଦ ଧରି । ମଇତ୍ରୀ ଯଥା ଆଚରି ।

ଏକ କରତଳୁ ଆରେକ ନିଅନ୍ତି ଭିତରଭୂଷା ସୁନ୍ଦରୀ ।୨୫।

 

ସମ୍ଭବନ୍ତେ କୁତୂହଳ । ଗୋଳେ ବରଜିଲା କୋଳ ।

ଦେଖି ପୁର ମରକତ ବସୁଧାର ପୃଷ୍ଠେ ନିଜ ପ୍ରତିଫଳ ।୨୬।

 

ଭିତ୍ତିଧରି ତହୁଁ ପୁଣି । କେତେବେଳେ ଧାତ୍ରୀପାଣି ।

ଧରି ମନ୍ଦ ମନ୍ଦ ଚରଣାରବିନ୍ଦ ଯୁଗେ ମଣ୍ଡଇ ଧରଣୀ ।୨୭।

 

ସମ୍ଭାଳି ନପାରି ଉଭା । ଖସିପଡ଼େ ହେମପ୍ରଭା ।

ଖସିଗଲା କି ଆଭାସିଯାଏ ବିଶ୍ୱମଉଳି ଚମ୍ପକଗଭା ।୨୮।

 

ସେ ଧରାଧବ ଦୁଳାଳୀ । ସଂସର୍ଗ କୁତୁକଭଳି ।

କୁନ୍ଦଲତା ନାମ ସମବୟା ବାଳୀ ଜଣେ ହେଲା ପ୍ରିୟ ଆଳୀ ।୨୯।

 

ତାହା ବାହାରେ ବହୁତ । ଳଳିତା ବନିତା ମିତ ।

ବନିତା ତୁଲେ ତାମସୀଦିନ ସୁଖେ ନେବାର କଲେ କାମିତ ।୩୦।

 

ସଖୀଙ୍କି ମୋଦେ ଫୁଲାଇ । ରଚିଲା କେଳି ଗେଲାଇ ।

ଘେନି ଚାମୀକ୍‌ର ସିକତାନିକର ଭରତି ସୁନା କୁଲାର ।୩୧।

 

ଖେଳେ ବଳିବାକୁ ମତି । କରିଚି ତ ପ୍ରଜାପତି ।

ଜନମରୁ ପ୍ରତି ବାଳିକା ମୂରତିମାନଙ୍କୁ ସ୍ୱରୂପବତୀ ।୩୨।

 

ଘେନି ସହଚରୀ ରାଜି । ପରମ ହରଷ ଭଜି ।

ବାଳିକା ଦିଏ ପାଞ୍ଚାଳିକା ବିବାହ ମହୋତ୍ସବେ ମହାଭୋଜି ।୩୩।

 

ବଢ଼ାଇ କାନନାଉଳୀ । ବିନ୍ଧାଇ ଦେଲେ ବାଉଳୀ ।

ଦୁରବୋଧ ଗଲା ବୋଧ ବହ୍ନିଶିଖା ହାଉଳି ବାଜି ଝାଉଁଳି ।୩୪।

 

ଶୁଦ୍ଧାନ୍ତ ଦୁଃଖ କାଉଳି । ହୋଇ ହୋଇଲା ବାଉଳି ।

ବିଚାରିଲା ଏହା ଉଦୟରୁ ଆହା ଗଲି ଆଉଳି ପାଉଳି ।୩୫।

 

ଯଥା କଞ୍ଜକୋଷେ ବାସ । କରିଥାଏ ଆଗୁଁ ବାସ ।

ନିମିତ୍ତ କାରଣ ଅରୁଣକିରଣ ଛୁଇଁଲେ ଲଭେ ପ୍ରକାଶେ ।୩୬।

 

ସେହି ରୂପେ ବିଦ୍ୟାଶାଳା । ବିଧିକି ମାତ୍ର ଦେଖିଲା ।

ସଜାଡ଼ିବା ବେଳୁ ଅଜାଡ଼ି ବିଧାତା ସକଳ ଗୁଣ ରଖିଲା ।୩୭।

 

ଅତିଶୟ ଲୋଳ ଛଟା । ଦୁରାପଦ୍ରବ୍ୟରୁ ହଟା ।

ଛାଡ଼ିଲା ଜାଣିଲା ବାଣୀ ଳାଳିତ୍ୟରେ କରିବାର ସଟାବଟା ।୩୮।

 

ଅନ୍ତଃପୁରର ଅନ୍ଧକାରରୂପ ଦୁଃଖକୁ ତାହାର କାନ୍ତିର କିରଣ ଦୂର କଲା । ୨୫ । ମଇତ୍ରୀ-ମିତ୍ରତା, ବନ୍ଧୁତ୍ୱ ! ୨୬ । ଦେଖି ... ଅନ୍ତଃପୁରର ମରକତମଣିରେ ନିର୍ମିତ ଭୂପୃଷ୍ଠରେ ନିଜ ପ୍ରତିବିମ୍ବ ଦେଖି । ୨୮ । ହେମପ୍ରଭା- ସ୍ଵର୍ଣ୍ଣାଙ୍ଗୀ ଚନ୍ଦ୍ରକଳା, ବିଶ୍ୱମଉଳିଚମ୍ପକଗଭା-ସଂସାର ମସ୍ତକର ଚମ୍ପାଫୁଲର ଝରାପରି । ୩୦ । ତାମସୀଦିନ-ରାତି ଓ ଦିନ । କାମିତ– କାମନା । ୩୧ । ଚାମୀକର ସିକତାନିକର– ସୁନାର ଧୂଳିସମୂହ । ୩୩ । ପାଞ୍ଚଳିକା-ପିତୁଳା, କୁଣ୍ଡାଇ । ୩୪ । କାନନାଉଳୀ–କର୍ଣ୍ଣବେଧବିଧି, ବାଉଳି–ଫାଶିଆ, ହାଉଳି-ହାଉଆ, ଝାସ, କର୍ଣ୍ଣବେଧ ଅଗ୍ନିଶିଖା ବାଜିବାରୁ ବାଲ୍ୟକାଳର ଅଜ୍ଞତା ଝାଉଁଳି ପଡ଼ିଲା । ୩୫ । ଶୁଦ୍ଧାନ୍ତ–ଅନ୍ତଃପୁର, କାଉଳି-ଅସ୍ଥିର, ଯୁବ୍‌ଧ ବାଉଳି– ବାତୁଳ, ଏହା ଉଦୟରୁ-ଚନ୍ଦ୍ରକଳାର ଜନ୍ମ ହେତୁରୁ; ଆଉଳିପାଉଳି-ଅତି ବ୍ୟାକୁଳ । ୩୬ । କଞ୍ଜକୋଷ–ପଦ୍ମକଢ଼ରେ, ବାସ--ସୁଗନ୍ଧ । ୩୮ । ଲୋଳଛଟା-ଚଞ୍ଚଳତା, ଦୁରାପଦ୍ରବ୍ୟରୁ ହଟା–ଦୁଷ୍ପ୍ରାପ୍ୟବସ୍ତୁ ପାଇବା ପାଇଁ ଅଳି କରିବା, ସଟାବଟା କରିବା–ଠକି ଦେବା । ୩୯ ।

 

କଥା ସମଜିଲା ହେଲା । ମଥା ସଜ୍ଜ ଭରଜିଲା ।

ଯଥା ବୁତାଇଲେ ଗୁରୁଜନେ ଭଲେ ତଥା ପଦକୁ ଭଜିଲା ।୩୯।

 

ବିଡ଼ିଆ ମଣୋହି ରସେ । ବୁଡ଼ି ଯାମିନୀ ଦିବସେ ।

ତାମ୍ବୁଳକରଙ୍କ ବାହିନୀଙ୍କ ରଙ୍କ ପରାଏ ରଖିଲା ପାଶେ ।୪୦।

 

ତନୁନିର୍ଜିତ ରୋଚନା । ସେ ଶିଶୁ ମୃଗଲୋଚନା ।

ମଣ୍ଡିବା ଦଣ୍ଡିବା ଜାଣିଲା ମଣିଲା ଗୁଣ ଦୋଷ ବିବେଚନା ।୪୧।

 

ସଖୀମୁଖେ ଭଣାଇଲା । ଜନକକୁ ଜଣାଇଲା  

ଦ୍ୱିପାନ୍ତରୁ କୋଟିମୂଲ୍ୟ ଭୂଷାପେଟୀ ସଞ୍ଚୟକୁ ଅଣାଇଲା ।୪୨।

 

କଥା କର୍ଣ୍ଣନେ ରସିଲା । ତା ମଜ୍ଜା ବୁଝି ହସିଲା ।

ମୁଖେ ଚେଳାଞ୍ଚଳ ଦେଇ ଅଚଳଞ୍ଚ ହୋଇ ଉତ୍ସଙ୍ଗେ ବସିଲା ।୪୩।

 

ଧନୀ ତୀବ୍ରତା ବର୍ଜିଲା । ଅନୀତି ଦେଖି ତର୍ଜିଲା ।

ସୁନୀତି ନିମନ୍ତେ ସୁବାସିତ ସୂନବନୀ ତିଆରି ସର୍ଜିଲା ।୪୪।

 

ଅଭିଷେକରେ ନରେଶ । କଲେ ଶରଧା ବିଶେଷ ।

ବିରାଜିଲା ରାମା ଲାଗିହୋଇ ଜାମା ପଗଡ଼ି ସିପାହିବେଶ ।୪୫।

 

ଭୂରୁ ଯନ୍ତ୍ରଣା ଶିଖିଲା । ମୁରୁଜ ଚିତ୍ର ଲେଖିଲା ।

କୁରୁଜାତଦେହା ଗୁରୁଜାତ ଗିରେ ଉରୁ ଜାଗରୂକ ହେଲା ।୪୬।

 

ନାନାଜାତି ଫୁଲ ଭୂଷା । ବନାଇଲା ନୀଳକେଶା ।

ଖେଳିଳା ସେ ବେଳ ଜାଣି ନ୍ୟାୟବଳ ଶକଟା ଗଞ୍ଜପା ପଶା ।୪୭।

 

ଜନନୀଙ୍କି ଜଣାଇଲା । ବୀଣାଯନ୍ତ୍ର ଅଣାଇଲା ।

ତହିଁ ବିଶ୍ୱଜିଣା ହେବାକୁ ପ୍ରବୀଣା ଚଣ୍ଡୀସ୍ତବ ଗୁଣାଇଲା ।୪୮।

 

ପଢ଼ି ବିନୟ ଅରଜି । ତାରତମ ନ ବରଜି ।

ପ୍ରତିଲେଖ ଲେଖି ଜାଣିଲା ସୁମୁଖୀ ଶ୍ରିତମରଜି ଭରଜି ।୪୯।

 

ସମାନ ବୟସୀ ଆଳୀ । ଛାମୁରେ କଲେହେଁ ଅଳି ।

ଭାବ ନ ଥିବାର ଜାଣି ବରଜିଲା ଧାବ ନ ଥିବାର କେଳି ।୫୦।

 

ଅତରସୁବାସୀ ଭଲା । ଅତର୍କିତେ ବିଜେ କଲା ।

ତାଜି ମନ ଦେଲେ ସଜନୀ ଇଙ୍ଗିତେ ଲାଜିମ ତା ଜମା କଲା ।୫୧।

 

କାଳିକାକାନ୍ତ ଶ୍ରୀଧର । ପରଶୁମୁରଲୀଧର ।

ରାମଚନ୍ଦ୍ର ଛୋଟରାୟ ଭୂନାଥର ଅମନ୍ଦ ହରଣ କର ।୫୨।

 

ନେତ୍ରାଧିକ ପଞ୍ଚାଶତ । ପଦପୁଞ୍ଜରେ ନିର୍ମିତ ।

କୁମାରୀ ବିନୋଦରଞ୍ଜନ ଏ ଛାନ୍ଦ ଶୁଭେ ହେଲା ସମାପାତ ।୫୩।

 

ମଥାସଜ-ମୁଣ୍ଡ ଘୋଡ଼ାଇବା । ୪୦ । ତାମୂଳକରଙ୍କ ବାହିନୀ-ପାନବଟା ଧରିଥିବା ସ୍ତ୍ରୀ । ୪୧ । ରୋଚନା–ଗୋରୋଚନା । ୪୨ । କୋଟିମୂଲ୍ୟ ଭୂଷାପେଟୀ ସଞ୍ଚୟ–ବହୁମୂଲ୍ୟ ବେଶ ହେବା ପେଡ଼ୀ (toilet box) ସମୂହ । ୪୩ । କଥା କର୍ଣ୍ଣନେ-କଥା ଶୁଣିବାରେ । ୪୪ । ଧନୀ-ସୌଭାଗ୍ୟବତୀ (ଚନ୍ଦ୍ରକଳା); ସୁନବନୀ-ଫୁଲବଗିଚା । ୪୬ । କୁରୁଜାତଦେହା-ସ୍ଵର୍ଣ୍ଣମୁଦ୍ରା (ଅଳଙ୍କାର) ପୂର୍ଣ୍ଣ ଦେହ ଯାହାର । ଗୁରୁଜାତଗିରେ–ଗୁରୁଜନଙ୍କ ବଚନରେ । ଭରୁଜାଗରୂକ-ଅତ୍ୟନ୍ତ ଜାଗ୍ରତ୍ । ୪୯ । ବିନୟ-ଅରଜି-ବିନୟପୂର୍ଣ୍ଣ ପ୍ରାର୍ଥନାପତ୍ର । ପ୍ରତିଲେଖ ଲେଖି–ପ୍ରତ୍ୟୁତ୍ତର ଲେଖି ଦେଇ । ଶ୍ରିତମରଜି– ଆଶ୍ରିତମାନଙ୍କର ହୃଦୟ । ୫୦ । ଭାବ ନ ଥିବାର ଜାଣି ... ପ୍ରକୃତ ଭାବ ନାହିଁ; ଅଥଚ ପ୍ରୟୋଜନସିଦ୍ଧି ନିମିତ୍ତ ଯେଉଁମାନେ ଦୌଡ଼ାଦୌଡ଼ି କରନ୍ତି ସେମାନଙ୍କୁ ତ୍ୟାଗ କଲା । ୫୧ । ତାଜି ମନ ଦେଲେ-ମନକୁ ଉତ୍ତେଜିତ କରିଦେଲେ । ଲାଜିମ ତା ଜମା କଲା-ତାକୁ ଲିଜା ଦେଲା ।

 

ସପ୍ତମ ଛାନ୍ଦ

ରାଗ – କଲ୍ୟାଣଆହାରୀ

କୁମାରୀ କଉତୁକ

 

ଅଥ ବିଚକ୍ଷଣେ ଘେନ ତ ଈକ୍ଷଣେ ପିଇବା ପରି ଜେମାଶିରୀ ।

ସେ ମୃଦୁଜଳପମୋହନା ଅଳପ ହୋଇ ଆସିବାରୁ କିଶୋରା ।

ପ୍ରତିମା ।

ପ୍ରତିମୁହୂର୍ତ୍ତେ ଆନ ଆନ ।

ଯେଉଁ ରୂପେ ତପନୀୟ ଭଜେ ରୂପ ଦାହାଦହକେ ବାନ ବାନ ।୧।

 

ବିରଞ୍ଚି ବିନ୍ଧାଣି ଦେଲା କି ରସାଣି ହାଟକ ହଟପିତୁଳାକୁ ।

ନ ଦେଖିଲେ ଜନେ ଜଗତେ ନୟନେ ତା ନଖାଗ୍ର କାନ୍ତି ତୁଳାକୁ ।

ମ୍ରଦିମା ।

ଘେନି ସେ ଊରୁବର୍ତ୍ତୁଳାକୁ ।

ଯୋଗ୍ୟ ନୋହେ ଘେନି ନ କଲେ ସଜନୀ ପାହାଡ଼ା ହଂସୁଲୀତୂଳାକୁ ।୨।

 

ଅମାନୀ ଗହନ ଗଜ ଅଭିମାନ ଛୁଇଁ ଆସିଲା ଗମନକୁ ।

ଶିଶୁ ସଖୀମାଳା ଆଚରିବା ଖେଳା ଯୋଗାଇଲା ନାହିଁ ମନକୁ ।

ଆନକୁ ।

ନିପଟ ନୋହିଲା ନଜର ।

ଅନାରତ ରସପ୍ରସଙ୍ଗେ ମାନସ ହୋଇ ଆସିଲା ଜରଜର ।୩।

 

ଦରସ୍ଫୁଟ ମଲ୍ଲୀହାସୀ ଭୂରୁମଲ୍ଲୀ ଖେଳିବା ଖୁରଳୀ ଶିଖିଲା ।

ଅସିତ ଭୁଜଙ୍ଗା ସୃଷ୍ଟି ଖେଳାଭଙ୍ଗୀ ଅହଙ୍କାର ସାର ଶୁଖିଲା ।

ଆଳାପ ।

ମଧ୍ୟ ମଧ୍ୟରେ ନାସାପୁଟ ।

ଫୁଲିଉଠିବାରୁ ବତାଇଲା ଗୁରୁ ହୋଇ ସ୍ୱମଣ୍ଡନକୁ ନାଟ ।୪।

 

ଜେମାକାନ୍ତି ଝଳି ଚାହିଁ ନ ସମ୍ଭାଳି ମନୁ ଜାତ ପ୍ରେମପ୍ରବାହ ।

ସଜନୀ କେବଳ ସଜ ନୀଳୋତ୍ପଳ ମଣ୍ଡିବାରେ କରି ଉତ୍ସାହ ।

କପୋଳ ।

ଚୁମ୍ବୀ ନୀଳୋତ୍ପଳ ଖୋସିଲା ।

ମୁକୁରେ କଦମ୍ବ କଳି ପ୍ରତିବିମ୍ବପରି ଦନ୍ତୁରିତ ଦିଶିଲା ।୫।

 

ସପ୍ତମ ଛାନ୍ଦ

 

୧ । ମୃଦୂଜଳପମୋହନା–କୋମଳ ଭାଷଣ ଯୋଗୁଁ ମନୋହରା । ଯେଉଁରୂପେ..ସୁନା ଯେପରି ପ୍ରତି ପୋଡ଼ରେ ଭିନ୍ନ ଭିନ୍ନ ତେଜ ଧରେ । ୨ । ହାଟକହଟପିତୁଳାକୁ-କୌତୁକିଆ ସୁନାର ପ୍ରତିମୂର୍ତ୍ତିକୁ ( ଚନ୍ଦ୍ରକଳାକୁ); ନ ଦେଖିଲେ ... ଲୋକେ ତା ନଖ ଅଗର କାନ୍ତର ଶୋଭାକୁ ତୁଳନା କରିବାପାଇଁ ସଂସାରର କୌଣସି ପଦାର୍ଥ, ଦେଖିଲେ ନାହିଁ । ମ୍ରଦିମା–-ମୃଦୁତା, କୋମଳତା ଉରୁବର୍ତ୍ତୁଳା –ସୁଗୋଲଜଘନବିଶିଷ୍ଟା, ପାହାଡ଼ହଂସୁଲୀତୁଳାକୁ-ଯିବାପାଇଁ ବାଟରେ ପଡ଼ିବା ହଂସପରର ତୁଳାନିର୍ମିତ ଗଦିକୁ । ୩ । ଅମାନୀ ଗହନଗଜ– ଅମାନିଆ ବଣହାତୀ, ନଜର-ଦୃଷ୍ଟି । ଅମାନୀ ଗମନକୁ ... ଚନ୍ଦ୍ରକଳାର ଗତି ବଣୁଆ ମତ୍ତଗଜ ଗତିପରି ହେଲା । ଅନାରତ-ଅବିରତ, ସର୍ବଦା; ଜରଜର–ଜର୍ଜର, ମଜ୍ଜିତ; ୪ । ଖୁରଳୀ-ଅଭ୍ୟାସ, ଅସୀତଭୁଜଙ୍ଗୀ ... କଳାସର୍ପର

 

କହିବା ମାଧୁରୀ ବିଶେଷରୁ ଗୋରୀ ମୁଖସୁଧାକର କମ୍ପିଲା ।

ଝଲକା ମୁକୁତା ଝୁଲାକ୍ରମକୁ ତା ନୟନଖଞ୍ଜନ ଝାମ୍ପିଲା ।

ନିରେଖି ।

ପ୍ରବନ୍ଧ ପଟପଟଳୀକି ।

ଅନାଇଲା ହସି ସମାନବୟସୀ ମନ ଅନୁରୂପ ଆଳିକି ।୬।

 

ସେ କାଳେ କେ ଗୁରୁଜନ ଯେବେ ଦୂରୁ ଲୋଚନଗୋଚର ହୋଇଲା ।

ଉଦାସୀନ ଲୀଳା ପ୍ରବାହରେ ବାଳା ତା ଶଙ୍କାପଙ୍କରୁ ଧୋଇଲା ।

ନଜିକେ ।

ହେବ କି ସେ କୁସୁମଉତ୍ସବ ।

ଆଗୁଁ ରତିବାର ଦେଲା ଅତି ବରତୁଳ କରି ହୃଦେ ଉଦ୍‌ବେଗ ।୭।

 

ଚୁମ୍ବିଲା ଡମରୁ ଡମ୍ବରକୁ ସରୂଶିରୀ ଧରି ମଧ୍ୟପ୍ରଦେଶେ ।

ହେଲା ନିତମ୍ବରୁ ନିଧୁବନେ ଗୁରୁ ବିଜୟ ଡିଣ୍ଡିମ ଆଭାସ ।

ତାଦୃଶ ।

ସ୍ପଷ୍ଟ ନୋହିଲେହେଁ ତ୍ରିବଳି ।

ଭାବଗର୍ଭ ଦରହାସୀର ଉଦରଶୋଭା ସଂସାରୁ ଗଲା ବଳି ।୮।

 

ଦ୍ରବ୍ୟ ବିନା ଛାୟା ବିଳସିବା ମାୟା ଜେମା ଉଦରେ ଉଲ୍ଲସିଲା ।

ରୋମରାଜି ବ୍ୟାଜ କଳା ନାଗରାଜ ଶିଶୁପରି ଦିଶୁ ଦିଶିଲା ।

ଚାଲିବା ।

ବେଳ ଛାଇକି ଅନାଇଲା ।

ବେଶେ ହେବା ମନ ନ ପ୍ରକାଶି ଧନ କୁସୁମଭୂଷା ବନାଇଲା ।୯।

 

ବାଳାବର ଊରସ୍ଥଳ ପଞ୍ଚଶର ସାଧନ ଆଖେଟ ମହୀକି ।

ଦ୍ରୋଣତୁଲ୍ୟ ଗୁରୁ କରିବା ବିଚାରୁ ଅତି ଯତ୍ନେ ଆଣି ତହିଁକି ।

ଥାପିଲା ।

ଦ୍ରୋଣ ଭଇରବ ଦୁହିଙ୍କି ।

ଆଗୁଁ ପଡ଼ିଥିବା ମେରୁବୀଜ ଅବା ଅଙ୍କୁରିତ ହେଲା ନାହିଁ କି ।୧୦।

 

ଫିଟିଲେ ପ୍ରଲମ୍ବ କୁନ୍ତଳ ନିତମ୍ବ ଲଙ୍ଘି ଦିଶିଲା କି ବହଳ ।

ତା ଅଙ୍ଗ ଅମରଲତାର କି ମରକତମଣିମୟ ଓହଳ ।

ଲାବଣ୍ୟ ।

ରମାରକେତକୀ ପ୍ରଭାସେ ।

ଧୂଳି ବିନା ଦେଖି ସୁଖୀ ହୋଇ ଲାଖିଅଛି ଭୃଙ୍ଗାଳି ଏ ଆଭାସେ ।୧୧।

 

ଖେଳିବା ଭଙ୍ଗୀର ସୌନ୍ଦର୍ଯ୍ୟ ଗର୍ବ ନଷ୍ଟ ହୋଇଗଲା । ୬ । ଝଲକା–ଏକପ୍ରକାର କାନଫୁଲ, ଝୁଲାକ୍ରମ– ଝୁଲିବା ଭଙ୍ଗୀ, ପ୍ରବନ୍ଧପଟପଟଳୀକି-ପରସ୍ପର ସନ୍ନିବିଷ୍ଟ ରତି ଚିତ୍ରସମୂହକୁ, ଆଳି-ସଖୀ । ୭ । ସେକାଳରେ-ଚିତ୍ରଦର୍ଶନସମୟରେ, ଉଦାସୀନ ଲୀଳାପ୍ରବାହରେ-ନ ଜାଣିବାପରି ହୋଇ, ନଜିକେ-ନିକଟରେ, କୁସୁମଉତ୍ସବ-ପ୍ରଥମ ରଜୋଦର୍ଶନ, ହୃଦୟରେ-ଛାତିରେ, ଅତି ବର୍ତ୍ତୁଳ ଉଦ୍‌ବେଗ-ଗୋଲାକାର କୁଚରୂପ ଉତ୍କଣ୍ଠା । ୮। ମଧ୍ୟପ୍ରଦେଶ-କଟିଦେଶ, ଡମରୁ ଡମ୍ବର-ଡମରୁର ଆଡ଼ମ୍ବର ବା ଶୋଭା, ସରୁଶିରୀ-କ୍ଷୀଣଶୋଭା, ନିତମ୍ବ-ପିଚା, ନିଧୁବନେ ଗୁରୁ-ରତି ବିଦ୍ୟାରେ ଶିକ୍ଷକ । ୯ । ଦୁବ୍ୟବିନା ... ପଦାର୍ଥ ନ ଥିଲେ ଛାଇ ଯେପରି ଦେଖାଯାଏ ନାହିଁ, ସେହିପରି ଜେମାର ଉଦର ନ ଥିଲା ପରି ଜଣାଗଲା, ଅର୍ଥାତ ଜେମା କ୍ଷୀଣୋଦରୀ (ସ୍ତ୍ରୀ ଉଦର କ୍ଷୀଣ ହେବା ସୌନ୍ଦର୍ଯ୍ୟର ପରିଚାୟକ । ରୋମରାଜି ବ୍ୟାଜକଳା ନାଗରାଜଶିଶୁ ପରି ଦିଶୁ ଦିଶିଲା ... ଜେମାର ନାଭିତଳକୁ ଯାଇଥିବା ରୋମରେଖା ନକଲି କଳାନାଗଛୁଆ ପରି - ଅଳ୍ପକେ ଦିଶିଲା । ୧୦ । ଉରସ୍ଥଳ-ଛାତି, ପଞ୍ଚଶରସାଧନଆଖେଟମହୀ– ମଦନର ବ୍ୟାୟାମ ସାଧନର ଆଖଡ଼ାଭୂଇଁ, ଦ୍ରୋଣ-କୌରବମାନଙ୍କ ଅସ୍ତ୍ରଗୁରୁ, ଦ୍ରୋଣ ଭଇରବ ଦୁହିଙ୍କି-ମାପଅଢ଼ା ଓ ଶିବମୂର୍ତ୍ତି (କୁଚଦ୍ୱୟ) । ମେରୁବୀଜ-ମେରୁପର୍ବତର ମଞ୍ଜି । ୧୧ । ତା ଅଙ୍ଗ ଅମଲତାର-ତାହାର ଶରୀରରୂପ

 

ତ୍ରିଧାଟୀ କିଙ୍କଣୀ ବଦାବଦ ମଣି କଠାଉ ଲାଗି ଚାଲି ଚାକି ।

ମାନିଲା ଜାଣିଲା ସ୍ନେହରେ ଦେହରେ ଜମାଇ ବୟସ୍ୟାଙ୍କୁ ଯାକି ।

ସୁନ୍ଦର ।

ଶିଶୁଙ୍କ ଗଣ୍ଡରେ ଚୁମ୍ବିଲା ।

ଚାହିଁଲେ ସରାଗେ ଯେଉଁ ଅଙ୍ଗ ଲାଗେ ନିଜ ମୁଖ ପ୍ରତିବିମ୍ବିଲା ।୧୨।

 

ସୀତା ସୀତାଧବ ମାଳତୀମାଧବ ଭୀମଜା ତା ଧବ ଚରିତ ।

ରତି ପଞ୍ଚବାଣ ଘଟଣା ପୁରାଣେ ଶ୍ରବଣେ ବଳାଇଲା ଚିତ୍ତ  

ପୁଲକି ।

ଉଠିଲା ଶୁଣି ପରିରମ୍ଭ ।

ବିପ୍ରଯୋଗ ଶୁଣି ନେତ୍ରଯୁଗେ ପୁଣି କଲା ବିକାଳେ ଅଶ୍ରୁଅମ୍ଭ ।୧୩।

 

ରହସଉଧର ମଧ୍ୟେ ପୟୋଧର ଅଙ୍କୁର ଚାହେଁ ହୃଷ୍ଟମନେ ।

ଶାଢ଼ୀ ପାଲଟିବା ଛଳେ ନବ ଜବାଧରା ଦୃଷ୍ଟି ଦିଏ ଜଘନେ ।

ବିପୁଳ ।

ଊରୁଯୁଗଳ ନେତ୍ର ଚୁମ୍ବେ ।

ଫେରାଇ ବଦନ ପୁଣି ଦୁଃଖିଧନ ନଜର ଦିଅଇ ନିତମ୍ବେ ।୧୪।

 

ତରୁଣୀକି କାନ୍ତକରଜାଗ୍ରକ୍ଷତ କି ମାନେ ଏହା ଭାବି ବାଳା ।

ଲେଖି କକ୍ଷାନ୍ତର ସ୍ଥଳରେ ସିନ୍ଦୂରଦ୍ରବରେ ଶିଶୁ ଶଶିକଳା ।

ପ୍ରମୋଦେ ।

ଚାହେଁ କାଞ୍ଚୁଲା ତଟ ଟେକି ।

ତହୁଁ କି ଆଭାସି ଯାଏ ଇଷି ଭାଷି ଊରୁଯୁଗଳ ଦିଏ ଯାକି ।୧୫।

 

ପଛୁଁକେ ସଜନୀ ଆସିଲା କି ଘେନି ଚମକି ସଂଯତ ହୋଇଲା ।

ଦକ୍ଷିଣ ଅଙ୍ଗ ଘୋଳି ହେଉଅଛି ରେ ଆଳି ବୋଲି ବେଳେ ବୋଇଲା ।

ବାଲିଶ ।

ତେଜି ଆଉଜିଲା ସହୀକି ।

ଜୃମ୍ଭାରମ୍ୟମୁଖ୍ୟ ତାଳେ ଲୟ ରଖି ଅଙ୍ଗୁଳି ଠୁଙ୍କିଲା ମହୀକି ।୧୬।

 

ନିରକ୍ଷର ସଖୀ ଗିରେ ଚନ୍ଦ୍ରମୁଖୀ ନ ରଖିଲା ଲବେ ଖାତର ।

ସ୍ୱସମ ଅମଳତର ଗୁଣବୃନ୍ଦ କୁନ୍ଦଲତା ମୁଖେ ମାତର ।

ଆକୂତ ।

 

ତୁନ୍ଦିଳ ଦୃଷ୍ଟି ଖେଳାଇଲା ।

ଇତରଙ୍କ ତୁଲେ ଇତରଙ୍କୁ ଗେଲେ ଲଗାଇ ରସେ ଚଳାଇଲା ।୧୭।

 

କଳ୍ପଲତାର, ମରକତମଣି-ଶାଗୁଆ ବର୍ଣ୍ଣର ମଣିବିଶେଷ । ଲାବଣ୍ୟ ଆଭାସେ-ଚନ୍ଦ୍ରକଳାର ଶରୀର ଲାବଣ୍ୟ ଲକ୍ଷ୍ମୀଙ୍କର କେତକୀପୁଷ୍ପ ବର୍ଣ୍ଣର କାନ୍ତି କି ? କେତକୀ ଫୁଲରେ ଧୂଳି ଥିବାରୁ ଭ୍ରମର ତା ପାଖକୁ ଯାଏ ନାହିଁ, ମାତ୍ର ଏଥିରେ ଧୂଳି ନ ଥିବାରୁ କେଶଗୁଚ୍ଛ ଛଳରେ ଭ୍ରମରମାନେ ଆସି ତହିଁରେ ଲାଗିଅଛନ୍ତି–ଏହିପରି ଆଭାସୁଛି । ୧୨ । ତ୍ରିଧାଟୀ ... ଚାକି-ବାରମ୍ବାର ବାଜୁଥିବା ତିନି ଧାଡ଼ି ମଣିଲଗା କଠାଉ ମାଡ଼ି ଚାଲିବାର ଭଙ୍ଗୀ, ବୟସ୍ୟା... ସଙ୍ଗିନୀକୁ ଦେହରେ ସ୍ନେହରେ ଜମାଇ ଯାକି ଜାଣିଲା ଅର୍ଥାତ୍ ସଜନୀମାନଙ୍କୁ ସ୍ନେହରେ ଗାଢ଼ ଆଲିଙ୍ଗନ କରି ଶିଖିଲା ।୧୩। ମାଳତୀମାଧବ-ମହାକବି ଭବଭୂତିଙ୍କ ପ୍ରଣୀତ ସଂସ୍କୃତ ନାଟକ । ଭୀମଜା––ଦମୟନ୍ତୀ, ପରିରମ୍ଭ––ଆଲିଙ୍ଗନ, ମିଳନ; ବିପ୍ରଯୋଗ– ବିରହ, ବିଚ୍ଛେଦ; ବିକଳେ ... ବିକଳରେ କାନ୍ଦିପକାଇଲା । ୧୪ । ରହସଉଧର ମଧ୍ୟେ – ନିର୍ଜନ ପକ୍କାଘର ଭିତରେ । ପୟୋଧରଅଙ୍କୁର-ଗଜରୁଥିବା କୁଚ । ଜଘନ-କଟିଦେଶର ସମୁଖଭାଗର ନିମ୍ନଦେଶ । ୧୫ । କରଜାଗ୍ରକ୍ଷତ– ନଖକ୍ଷତ; କି ମାନେ–କିପରି ଶୋଭାପାଏ । କକ୍ଷାନ୍ତରସ୍ଥଳରେ–କାଖ ନିକଟରେ । ଶିଶୁଶଶିକଳା–ଦ୍ୱିତୀୟାଚନ୍ଦ୍ରପରି ନଖକ୍ଷତସୂଚକ କ୍ଷୀଣରେଖା, କାଞ୍ଚୁଲାତଟ-ନିଜର ପିନ୍ଧିଥିବା କାଞ୍ଚଲାର ଧଡ଼ି । ୧୬ । ବାଲିଶ-ବାଲିଶ୍ ତକିଆ, ଜୃମ୍ଭାରମ୍ୟମୁଖୀ-ହାଇମାରିବା ଯୋଗୁଁ ସୁନ୍ଦର ଦେଖାଯିବା ମୁଖଯୁକ୍ତା । ୧୭ । ନିରକ୍ଷର–ମୂର୍ଖା ସଖୀମାନଙ୍କ କଥାରେ, ସ୍ଵସମଅମଳତର– ନିଜଭଳି ଅତି

 

ଅରୁଣ ଉଦୟ ସମୟୁ ସମୟହୃଦୟା ପହୁଡ଼ ଭାଜିଲା  

ଶାଟୀକି ପାଲଟି ଝଳି ଦନ୍ତପାଟି ହୀରାଙ୍କୁରରାଜି ମାଜିଲା ।

ବାଜିଲା ।

କ୍ଷଣେ ପ୍ରଥମ ନାଡ଼ୀ ଖୁରୀ ।

ସାଜିଲା ମାଜଣାକୁ ସେ ବିଚକ୍ଷଣା ମାଜିଲା ମୁକୁରାସ୍ୟ ଶିରୀ ।୧୮।

 

ବହଳ ବିଚିତ୍ର ସପବିତ୍ର ଚିତ୍ର ଆସନେ ରାଜିଲା ଗେଳାଇ ।

ଚାହିଁ ଆଦରେଶ ଶ୍ରୁତିପାଶୀ ପାଶେ କଲମା କୁନ୍ତଳ ବୁଲାଇ ।

ଅଳିକେ ।

ମଣ୍ଡନ ତିଳକ ଘେନିଲା ।

କଞ୍ଜମାଞ୍ଜିମାଳା ଜପ ସେ କମଳାସନକୁ ଆହା କି ମାନିଲା ।୧୯।

 

କ୍ଷିତିଭୂଷାଟିକି କ୍ଷୀରୋଦ ଶାଟୀ କି ମାନିଲା ମାଜଣା ଶେଷରେ ।

କ୍ଷୀରୋଦସମ୍ଭବା ପ୍ରତିବିମ୍ବ ଅବା ବିରାଜିଲା ଜିବାନ୍ୟାସରେ ।

କିଶୋରୀ ।

ଦିଶିଗଲା ସେ ବିପରୀତ ।

ରସି ସମ୍ଭୋଦରରେ କି ଜମ୍ବୁନାଦରେ ମିଶିଗଲା ସୁରସରିତ ।୨୦।

 

ଜୟଦେବ କୃତି ଗଜେନ୍ଦ୍ର ବିପତ୍ତି ମୋକ୍ଷଣ ଗୋପାଙ୍ଗନା ଗୀତା ।

ପାଠକଲା ଆରୁମନ୍ଦାର ସେ ଚାରୁଚମରୀନୟନା ବନିତା ।

ତୁଳସୀ ।

ଗୁରୁ କପିଳାଧେନୁ ପୂଜା ।

ପ୍ଲକ୍ଷ ପ୍ରଦିକ୍ଷଣ ସାରି ସଦକ୍ଷିଣ ଦାନ ଦିଅଇ ନାରୀରାଜା ।୨୧।

ବଢ଼ିଲେ ଆଶିଷଗ୍ରହଣ କାଶୀସମାଧିଖଣ୍ଡନା ନିକଟେ ।

ଆଡ଼ଣୀ ଚାମର ଯୁଗଳୀ ମୟୂର ଝୁଲୀ ନିଯୋଗୀ ଜନ ଖଟେ ।

ଶ୍ରୀଭୁଜ ।

ପଇଠ ଧରି ପ୍ରିୟସହୀ ।

ଇଷ୍ଟଦେବ ଦରଶନକୁ ସୁନ୍ଦର ଚରଣକଞ୍ଜେ ମଣ୍ଡେ ମହୀ ।୨୨।

ସାରି ଦରଶନ ବିଧିକି ସେ ଜନ ନୟନମୃଗବନ୍ଦିପାଶୀ ।

ଲାବଣ୍ୟଖନି କି ରଙ୍ଗେ ଜନନୀଙ୍କି ଜୁହାରେ ପ୍ରତିଦିନ ଆସି ।

ଆଶିଷ ।

ତୁଲେ ଦେଲେ ଚୁମ୍ବଯୁଗଳୀ ।

ମଣୋହି କୋଠାକୁ ଅବଧାନ ତାକୁ ଦିଅନ୍ତି ଆସି ବିପ୍ରଆଳୀ ।୨୩।

ମାଏ ବେଳେ ବେଳେ କବଳେ କବଳେ ସବତେ ସବତେ ରୋପଣେ ।

ପୀୟୁଷକଳପ କବଳ ଅଳପ ଅଶନ କରାନ୍ତେ ଆପଣେ ।

ରୁଚିକି ।

ପ୍ରକଟ ନକରି ଅତିଶେ ।

ସୁରଭିତ ବନେ ଚିର ଆଚମନେ ରସେ ମଦଗଜପତି ସେ ।୨୪।

 

ଉତ୍କୃଷ୍ଟ ଗୁଣସମୂହ ଲାଭ କରିଥିବା କୁନ୍ଦଲତା ନାମକ ସଖୀ ଆଡ଼କୁ, ଆକୃତତୁନ୍ଦିଳଦୃଷ୍ଟି ଅର୍ଥାତ ଅଭିପ୍ରାୟଯୁକ୍ତ ସ୍ଥୂଳଚକ୍ଷୁରେ ଚାହିଁଲା । ୧୮। ହୀରାଙ୍କୁରରାଜି-କ୍ଷୁଦ୍ର ହୀରାଖଣ୍ଡ ପରି ଉଜ୍ଜଳ ଦାନ୍ତମାନଙ୍କୁ, ନାଡ଼ିଖୁରୀ–ଦଣ୍ଡଜ୍ଞାପକ ଘଣ୍ଟା, ମାଜଣା-ସ୍ନାନ, ମୁକୁରାସ୍ୟଶିରୀ-ଦର୍ପଣତୁଲ୍ୟ ମୁଖର ଶୋଭା । ୧୯ । କଲମାକୁନ୍ତଳ– କାନପାଖରେ ବାହାରିଥିବା କ୍ଷୁଦ୍ର କ୍ଷୁଦ୍ର କେଶ ଅଳିକେ-ଲଲାଟରେ, କଞ୍ଜମଞ୍ଜିମାଳା-ପଦ୍ମବୀଜର ମାଳି । ୨୦ । କ୍ଷୀରୋଦଶାଟୀ-କ୍ଷୀରୋଦ୍ରୀ ପାଟଶାଢ଼ୀ; କ୍ଷୀରୋଦସମ୍ଭବା-ଲକ୍ଷ୍ମୀ, ସମ୍ଭୋଦରେ- ନଦୀସଙ୍ଗମ ସ୍ଥଳରେ, ଜମ୍ଭୁନଦ– ଯେଉଁ ନଦୀର ତୀରରୁ ସୁନା ଉତ୍ପନ୍ନ ହୁଏ (ହରିଦ୍ରାଭ) । ସୁରସରିତ-ସ୍ଵର୍ଗଙ୍ଗା (ଶୁକ୍ଳାଭ) । ୨୧ । ଜୟଦେବକୃତି– ଗୀତଗୋବିନ୍ଦ, ଗଜେନ୍ଦ୍ର ବିପତ୍ତିମୋକ୍ଷଣ– ଗଜୋଦ୍ଧାରଣ ସ୍ତବ, ଗୋପାଙ୍ଗନାଗୀତା-ଭାଗବତ ରାସପଞ୍ଚାଧ୍ୟାୟୀର ପ୍ରସିଦ୍ଧ ଗୋପୀଗୀତା, ଆରୁମନ୍ଦାର–ଆରୁଆ (ତାମିଲ ଭାଷା)ରେ ଲେଖା ହୋଇଥିବା ସ୍ତୋତ୍ର ? କପିଳା ଧେନୁ-ହଳଦିଆ କଳାମିଶା ବର୍ଣ୍ଣର ଗାଈ, କୋଇଲା ଗାଈ, ପ୍ଳକ୍ଷ-ଅଶ୍ଵତ୍ଥ ବା ଓସ୍ତଗଛ । ବଢ଼ିଲେ–ସମାପ୍ତ ହେଲେ । ୨୨ । ଆଶିଷଗ୍ରହଣ ବ୍ରାହ୍ମଣମାନଙ୍କଠାରୁ ଆଶୀର୍ବାଦ ଗ୍ରହଣବିଧି କାଶୀଶସମାଧିଖଣ୍ଡନା–ଶିବଙ୍କର ଯୋଗ ଭାଙ୍ଗିବାରେ କ୍ଷମା। ଶ୍ରୀଭୁଜପଇଠ–ଚନ୍ଦ୍ରକଳାର କରତଳର ଭରା, ଭାର । ୨୩ । ଜନନୟନମୃଗବନ୍ଦୀପାଶୀ-ମନୁଷ୍ୟମାନଙ୍କର ନୟନରୂପ ମୃଗକୁ

 

ଜନୟିତ୍ରୀ ଲାଗି ଚେଳାଞ୍ଚଳେ ଯୋଗିବମୋହନମୁଖୀ ମୁଖ ପୋଛେ ।

କର୍ପୁର ବିଡ଼ିଆ ବିଡ଼ିଆଳୀ ଆଳୀ ଘେନି ହଜାରେ ହୋଏ ପଛେ ।

ତାମ୍ବୁଳ ।

ଯୋଗାଣ ଫରମାସୀ ମାଏ ।

ଅନ୍ତର ହୁଅନ୍ତେ ଘେରନ୍ତି ସନ୍ତତେ ଖଟିବା ଖଟଣୀ ବାମାଏ ।୨୫।

 

ଦରସ୍ଫୁଟରସ ପ୍ରସଙ୍ଗ ସରସ ସମ୍ଭାଷଣେ କ୍ଷଣେ ବସଇ ।

କ୍ଷଣେ ପ୍ରାତରିନ୍ଦୀବରଶୋଭା ବନ୍ଦିବାସପରି ନେତ୍ର ଦିଶଇ ।

ଯହୁଁ ସେ ।

ଅପହୁଡ଼ ହୁଏ କେଶରୀ ।

ଦ୍ୱିତୀୟ ମାଜଣା ଅବକାଶ ଜଣା ହୋଏ ଘେରନ୍ତି ପରିଚାରୀ ।୨୬।

 

ବ୍ୟୋମଲତାଫଳ ମାର୍ତ୍ତଣ୍ଡ ମଣ୍ଡଳ ବାସରାବସାନ କ୍ରମରେ ।

ପାଚି ପ୍ରତୀଚୀସମୁଦ୍ରେ ଝଡ଼ିପଡ଼ୁଁ କୁମୁଦେ ମାତନ୍ତେ ଭ୍ରମରେ ।

କିଶୋରୀ ।

ବଢ଼ାଇ ସନ୍ଧ୍ୟା ଦରଶନ ।

ସଂଗୀତସଭାକୁ ପୁଆଏ ଶୋଭାକୁ ଏହି ତା ନୀତି ନିତି ଦିନ ।୨୭।

 

ଯାହା ପାପଲ୍ଲବ ମାହାପାପ ଲବ ନ ରଖେ ସ୍ମରଣକ୍ଷଣରେ ।

ଯାହା ଦରଚକ୍ର ଜନଦରଚକ୍ର ଚୂର୍ଣ୍ଣ କରନ୍ତି ବୀକ୍ଷଣରେ ।

ସେ ପ୍ରଭୁ ।

ଚରଣ-ପଙ୍କଜ ଯୁଗଳେ ।

ଜଳନ୍ତରଭୂପ ମାନସମଧୁପ ମରନ୍ଦପାନଲୋଭେ ମିଳେ ।୨୮।

 

ଊନତ୍ରିଂଶ ପଦ କଳିତ ଏ ଛାନ୍ଦ ନାମ କୁମାରୀ କଉତୁକ ।

କୁମାର ବଳୟ ହୃଦକୁବଳୟ ଅଖଣ୍ଡଳମଣ୍ଡଳ ମୃଗାଙ୍କ ।

ନୃପତି ।

ଯୁବତୀ ନିତି ଆଦରଶ ।

ମୂରୁଖ ତରୁଣୀଗଣ ହେବେ ଗୁଣି ମନେ କଲେ ଏହା ସ୍ପରଶ ।୨୯।

 

ବାନ୍ଧିବା ଫାସସ୍ୱରୂପା ଚନ୍ଦ୍ରକଳା) । ୨୪ । କବଳେ କବଳେ–ଗୁଣ୍ଡାଏ ଗୁଣ୍ଡାଏ । ସବତେ ସବତେ ରାଣ ପକାଇ । ରୋପଣ–ଅର୍ପଣ, ପୀୟୁଷକଳ୍ପ–ଅମୃତତୁଲ୍ୟ । ଅତିଶେ–ଅତିଶୟରେ । ସୁରଭିତବନେ– ସୁବାସିତ ଜଳରେ । ୨୬ । ପ୍ରାତରିନ୍ଦୀବରଶୋଭା - ବନ୍ଦୀବାସ ପରି-ସକାଳ ଅର୍ଦ୍ଧମୁଦ୍ରିତ ନୀଳକଇଁ ପରି ଆଖି ଦିଶେ, ଅପହୁଡ଼-ନିଦରୁ । ଉଠିବା । ୨୭ । ବୋମଲତା ... ଝଡ଼ିପଡୁ– ସୂର୍ଯ୍ୟମଣ୍ଡଳ ଆକାଶରୁପ ଲତାର ଫଳସ୍ଵରୁପ, ସେ । ଫଳ ଶେଷବେଳକୁ ପାଚି ଅର୍ଥାତ୍ ଲାଲବର୍ଷ ଧରି ପରିପକ୍ୱ ହୋଇ ପ୍ରତୀଚୀ ସମୁଦ୍ରରେ (ପଶ୍ଚିମ ଦିଗର ସମୁଦ୍ରରେ) ଝଡ଼ି ପଡ଼ନ୍ତେ ଅର୍ଥାତ୍ ସନ୍ଧ୍ୟା ହୁଅନ୍ତେ । ସଙ୍ଗୀତ ... ସଙ୍ଗୀତସଭାକୁ ଶୋଭିତ କରେ । ୨୮ । ପାପଲ୍ଲବ-ପାଦକିଶଳୟ, ଲବ–କ୍ଷୁଦ୍ରାଂଶ, ଦରଚକ୍ର ଶଙ୍ଖ ଓ ଚକ୍ର ଏବଂ ଭୟସମୂହ । ୨୯ । କୁମାରବଳୟ ... ଯୁବକ-ମଣ୍ଡଳଙ୍କ ହୃଦୟ କୁମୁଦ ପକ୍ଷରେ ପରିପୂର୍ଣ୍ଣମଣ୍ଡଳ ମୃଗାଙ୍କ (ଚନ୍ଦ୍ରମା) ପରି; ନିତି ଆଦରଶ-ଦୈନିକ ଆଦର୍ଶ ।।

 

ଅଷ୍ଟମ ଛାନ୍ଦ

ରାଗ - କେଦାର ଚକ୍ରକେଳି ବାଣୀ

କୁସୁମୋଦ୍‌ଗମ

 

ଏଥିୁ ଅନନ୍ତରେ ଶୁଣ ସରସେ ।

ବଇଶାଖ ମାସ ବିଧୁଦିବସେ ।

ଶୁକ୍ଳପଞ୍ଚମୀ ଧନିଷ୍ଠାଖ୍ୟ ରକ୍ଷ ।

ଶୁଭଚନ୍ଦ୍ର କରଣ ଗଣ ମୁଖ୍ୟ ।୧।

 

ଯୋଗ ସମୂହ ରାଜ ଶୁଭଯୋଗ ।

କରିଥିଲା ସେ ଦିନଯାକ ଭୋଗ ।

ସାରି ମଣୋହି ତାମ୍ବୁଳ ଭୋଜନ ।

ଘେନି ସଂଗତେ ପ୍ରିୟସଖୀଗଣ ।୨।

 

ଫୁଲ ମଣ୍ଡପେ ଜେମା ଚନ୍ଦ୍ରକଳା ।

ନ୍ୟାୟବଳ କେଳିରେ ବିଜେ କଲା ।

ଖେଳୁ ଖେଳୁ ତା ମୃଦୁ ଅଙ୍ଗଦେଶେ ।

ବିଳସିଲା ଅଳସଭାବ ଲେଶେ ।୩।

 

ଜୃମ୍ଭାଜୃମ୍ଭିତ ମୁଖକଳାନିଧି ।

ଘେରି ଦେଲା ବାହୁପାଶ ପରିଧି ।

ସାୟନ୍ତନ ଶ୍ୟାମଳ କଞ୍ଜଶିରୀ ।

ଛୁଇଁ ଆସିଲା ନୟନଶଫରୀ ।୪।

 

ଜାଣି ସଖୀ ହୃଦେ ତ୍ୱରା ପାଇଲେ ।

ଦନ୍ତଚ୍ଛତ୍ର ପଲ୍ୟଙ୍କ ବିଛାଇଲେ ।

ତହିଁ କେଶରୀ ତୂଳିକି ସଜାଇ ।

ଚନ୍ଦ୍ରଚୂର୍ଣ୍ଣେ ମିଶାଇ ଦଳଜାଈ ।୫।

 

ସଜ ବକୁଳ ଗର୍ଭଗତ କିଆ ।

ଫୁଲ ବାଲିଶ ଆଦି ସବୁ ନୂଆ ।

ମୁଖ୍ୟ ମଖମଲ ସନ୍ଧି ମୁଚୁଳୀ ।

ସ୍ଥାନ ଜାଣି ରଖିଲେ ପ୍ରିୟ ଆଳୀ ।୬।

 

ଗାଢ଼ା ଗୁଲାବ ଦ୍ରବ୍ୟ ସିଞ୍ଚା ଝୁନା ।

କଲେ ଆସ୍ତରଣ କେହି ନବୀନା ।

ଛୁରିଅନା ଫୁଲି ଜାଲି ପରଦା ।

ଟେକି ଧଇଲା କେଉଁ ବିଶାରଦା ।୭।

 

କୁନ୍ଦଲତା ଉପରେ ଭୁଜଭର ।

ଦେଇ ଉଭା ହୁଅନ୍ତେ ବାଳାବର ।

ଦାସୀମାନେ ରଖି ସେକାଳେ ଟାକ ।

ଦେଲେ ପହଣ୍ଡ ସାବଧାନ ଡାକ ।୮।

 

ନୀଳପାହାଡ଼ରେ ପାଦଯୁଗଳୀ ।

ନ୍ୟାସ କରନ୍ତେ ସେ ବିଶ୍ୱସଙ୍ଖାଳି ।

ସୂରନନ୍ଦନା ସଲିଳପ୍ରବାହ ।

ମଣ୍ଡି ଦେଲା କି ଶୋଣ-ଜଳରୁହ ।୯।

 

ଅଷ୍ଟମ ଛାନ୍ଦ

 

୧ । ବିଧୁଦିବସ-ସୋମବାର । ୪ । ଜୃମ୍ଭାଜମ୍ଭିତ–ହାଇ ଦ୍ୱାରା ପ୍ରକାଶିତ, ବାହୁପାଶ ପରିଧି-ବାହୁପାଶ ବେଷ୍ଟନ । ସାୟନ୍ତନ– ସନ୍ଧ୍ୟାକାଳୀନ, କଞ୍ଜଶିରୀ-ପଦ୍ମଶୋଭା । (ଆଖି ବୁଜ ହୋଇ ଆସିଲା । ନୟନଶଫରୀ– ନେତ୍ରରୂପ ମୀନ । ୫ । ଦନ୍ତଛତ୍ର-ହାତୀଦାନ୍ତଦ୍ଵାରା ଆଚ୍ଛାଦିତ । କେଶରୀତୃଳି-ନାଗେଶ୍ଵର ଧୂଳିପୂର୍ଣ୍ଣ ତୁଳାଶେଯ । ଚନ୍ଦ୍ରଚୂର୍ଣ୍ଣେ-କର୍ପୂର ଚୂନାରେ, ଦଳଜାଈ–ଜାଈଫୁଲ ଦଳ ବା ପାଖୁଡ଼ା । ୭ । ଗୁଲାବଦ୍ରବ–ଗୋଲାପ ଅତର, ଝୁନା– ଏକପ୍ରକାର ସରୁ ଚାଦର । ଆସ୍ତରଣ– ଶଯ୍ୟା । ୮ । ଟାକ-ଅପେକ୍ଷା । ୯। ସୂରନନ୍ଦନା

 

ହରଉତ୍ସଙ୍ଗେ ଗିରିଜେମା ପରି ।

ଦନ୍ତପର୍ଯ୍ୟଙ୍କେ ପହୁଡ଼ିଲା ଗୋରୀ ।

ସିତ ଅସିତ ଚାମରଯୁଗଳୀ ।

ଧରି ଖଟିଲେ ନୀଳା ମୋତିମାଳା ।୧୦।

 

ଚମ୍ପା ମାଳୀ ଘେନି ଫୁଲ ଆଡ଼େଣୀ ।

ମନ୍ଦ ମନ୍ଦ ଚାଲିଲା ମନ ଜାଣି ।

ବସି ଆଶ୍ୱାସି କୁନ୍ଦନ ରତନ ।

କଲେ ପାଦ ସମ୍ବାହନ ଯତନ ।୧୧।

 

କେହି ଟାକି ଅପହୁଡ଼ ସମୟ ।

ଜାଗରୂକ ଅଛନ୍ତି ସଖୀଚୟ ।

ବାସପାଣି ଭରି ହେମମଞ୍ଜରୀ ।

ଜଗି ରହିଛି ଧରି ହେମଝରି ।୧୨।

 

କରେ ଧରି ଝୁନାକଷ ଚାଦର ।

ହେଲା ଲବଙ୍ଗକଳିକା ହାଜର ।

ହେମ ହଂସେ ବିଡ଼ିଆ ବିଡ଼ା ଭରି ।

ଗୁଣ ଜଳଧି ଅଛି ଅନୁସରି ।୧୩।

 

ଚିତ୍ରଲେଖା କନକ ପିକଦାନୀ ।

ଅତି ପ୍ରମାଦେ ଅଛି କରେ ଘେନି ।

ଧରି କିଙ୍କିଣୀ ଝୁମୁକୀ କଠାଉ ।

ରସକଳା ଝଟକେ ଦାଉ ଦାଉ ।୧୪।

 

ଶୋଭାଲହରୀ ଘେନି ଗନ୍ଧସାର ।

ଚୂରି ମିଶାଇଅଛି ଘନସାର ।

ମୃଗମଦୁଁ ଭିନ୍ନ କରି ରୋଚନା ।

ଅତି ଯତ୍ନେ ଦଳୁଛି ସୁଲୋଚନା ।୧୫।

 

ନବ କୁଙ୍କୁମ କୁଙ୍କୁମ ଦଳୁଛି ।

ନବନୀତେ କି ସିନ୍ଦୁର ଗୋଳୁଛି ।

କିଆ କରଜେ କସୁଛି ପାନିଆ ।

ଝରାମଣି ବନାଉଛି ମାନିଆଁ ।୧୬।

 

ଜାଈଗଭା ନିବାଡ଼ୁଛି ସେବତୀ ।

ଝରା ସଜାଡ଼ୁଅଛି ଲୀଳାବତୀ ।

ପ୍ରେମମଞ୍ଜୁଳା ମଣ୍ଡନ ଚାଙ୍ଗଡ଼ା ।

ରଖି ଧରି ବରାହକେଶ ବିଡ଼ା ।୧୭।

 

କରୁଅଛି ମାଜିବାକୁ ଆରମ୍ଭ ।

କେହି ହାଟକ ବାସବାରିକୁମ୍ଭ ।

ପୁଞ୍ଜି ପୁଞ୍ଜି କରି ରଖୁଅଛନ୍ତି ।

କେହି ଖାଡ଼ିକୁଞ୍ଚା ଶାଢ଼ୀ ବାଛନ୍ତି ।୧୮।

 

ମଲ୍ଲୀ ନିଆଳୀ କେତକୀ ସୁମନା ।

ଚାରି ପରିଚାରୀଏ ଏକମନା ।

ଭୟ ପ୍ରମୋଦେ ଜଳେ ଅବଗାହି ।

ମରକତ ଚଉକି ନେଇ ବହି ।୧୯।

 

ମଣିମକର ଚାନ୍ଦନୀ ମଣ୍ଡପେ ।

ଧୀରେ ଥୋଇ ଜଗିଲେ ତା ସମୀପେ ।

ହେଲା ତୁରୀୟ ଯାମ ସମାଗମ ।

ଶୁଦ୍ଧ କୁଳୀରଲଗ୍ନ ଭୋଗ କ୍ଷମ ।୨୦।

 

ବାଳା ପୁଲକେ ଦିଶିଲା ସୁନ୍ଦର ।

ଚମକିଲା ଫୁଲଧନୁମନ୍ଦିର ।

ମଧ୍ୟ ହୋଇଲା ବୁକୁ ଦମ ଦମ ।

ହୃଦେ ଛୁଇଁଲା କିଛି କମ୍ପକ୍ରମ ।୨୧।

 

ସୂର୍ଯ୍ୟକନ୍ୟା ଯମୁନା, ଶୋଣଜଳରୁହ ରକ୍ତପଦ୍ମ । ୧୦ । ନୀଳା ମୋତିମାଳୀ– ଦୁଇଜଣ ସଖୀଙ୍କ ନାମ । ୧୧ । ଚମ୍ପାମାଳୀ କୁନ୍ଦନରତନ–ସଖୀଙ୍କ ନାମ । ଫୁଲିଆଡ଼େଣୀ- ଫୁଲରେ ତିଆରି ତ୍ରାସ, ପାଦସମ୍ୱାହନ–ଗୋଡ଼ ମୋଡ଼ିବା । ୧୨ । ହେମ ମଞ୍ଜରୀ–ସଖୀ, ହେମଝରି-ସୁନାର ସୁରେଇ । ୧୩ । ଝୁନାକଷ ଚାଦର–ପାତଳ ରଞ୍ଜିତ ଚାଦର । ହେମହଂସେ ସୁନାରେ ତିଆରି ହଂସ ଆକୃତିବିଶିଷ୍ଟ ଡବା। ୧୫ । ଗନ୍ଧସାର–ଚନ୍ଦନ, ଘନସାର– କର୍ପୂର, ମୃଗମଦୁ-କସ୍ତୁରୀରୁ, ରୋଚନା–ଗୋରୋଚନା। ୧୬ । କୁଙ୍କୁମ-ସଖୀର ନାମ, ନବନୀତ-ଲହୁଣୀ, କିଆ-ସଖୀର ନାମ, କରଜ-ନଖ, କସୁଛି-ପରୀକ୍ଷା କରୁଛି, ଝରାମଣି-ସଖୀ, ମାନିଆ-ଫୁଲଗଭା । ୧୭ । ଝରା–ଫୁଲତୋଡ଼ା, ବରାହବାଳବିଡ଼ାରେ ଅଳଙ୍କାର ପ୍ରଭୃତି ସଫା ହୁଏ । ୧୮ । ଖାଡ଼ିକୁଞ୍ଚା ଶାଢ଼ୀ–ସୂକ୍ଷ୍ମଭାବରେ କୁଞ୍ଚା ହୋଇଥିବା ଶାଢ଼ୀ । ୨୦ । ତୁରୀୟ ଯାମ-ଚତୁର୍ଥ ପ୍ରହର । କୁଳୀରଲଗ୍ନ-କକଡ଼ାଲଗ୍ନ । ଭୋଗକ୍ଷମ ହେଲା-ଭୋଗ କରିବାକୁ ପ୍ରବେଶ କଲା । ୨୧ । ପୁଲକେ––ରୋମାଞ୍ଚିତ ହୋଇ । ୨୨ ।

 

ଅପହୁଡ଼ ସମୟ ହେଲା ଆସି ।

ଋତୁ ଲଭିଲା ଲଉଲୀ ବୟସୀ ।

ଚାରିଶର ରଖି ରତି ନାୟକ ।

ଏକା ବିନ୍ଧିଲା କଙ୍କେଳୀ ସାୟକ ।୨୨।

 

ଜେମା ମନ ଲକ୍ଷ୍ୟ ଫୁଟି ଫିଟିଲା ।

ନିଜ ସିଂହଦୁଆରେ କି ଛୁଟିଲା ।

ଜାଣିପାରି ସେ କିଶୋରୀ ଈଶ୍ୱରୀ ।

ଅବିଳମ୍ବେ ମହୀକି ଅବତରି ।୨୩।

 

ସଖୀ ସମୂହେ ନ ଦେଇ ଦୃଷ୍ଟିକି ।

କଲା ସ୍ଥଳଜଳରୁହ ବୃଷ୍ଟିକି ।

ମଣିପାଦୁକାରେ ନାହିଁ ନଜର ।

ଅତି ବିଜନେ ହୋଇଲା ହାଜର ।୨୪।

 

ବାସବତୀ କି ସଂଙ୍କେତ ପାଇଲା ।

ଏକା ଗହଣେ ସେହି ଗୋଡ଼ାଇଲା ।

ବାତବକ୍ରନାଳ ନୂଆ କମଳ ।

ପରି ନୁଆଇଁ ଶ୍ରୀମୁଖମଣ୍ଡଳ ।୨୫।

 

ଊରୁସନ୍ଧି ବାସେ ନୂଆ ଛଇଳା ।

ଯହୁଁ ନେତ୍ରଖଞ୍ଜନ ଖେଳେଇଲା ।

ନବଗବୟ ଶୃଙ୍ଗବାଡ଼ି ଅନ୍ତେ ।

ହେଲା ପଦ୍ମରାଗ ପରି ପରତେ ।୨୬।

 

କାଚଭିତ୍ତିରେ କିବା ଆଡ଼ମ୍ବର ।

ଦିଶେ ବନ୍ଧୁଜୀବ ପ୍ରତିବମ୍ୱର ।

ନିଜ ଗୋପୁର ଚିତ୍ର ଅର୍ଥେ ଅବା ।

ରୂପାଥାଳୀରେ ପ୍ରସୂନଧନବା ।୨୭।

 

ଗଇରିକ ଗୋଳାଇ ଅଛି ରଖି ।

ଦେଖି ମଣିଲା ପୂର୍ଣ୍ଣଚନ୍ଦ୍ରମୁଖୀ ।

ରତି ଭାଲକରି ବିନ୍ଦୁ ସୁନ୍ଦର ।

ସେହି ବାସେ ପୋଛିଲା କି ସିନ୍ଦୁର ।୨୮।

 

ତହୁଁ ତଳକୁ ପୁଣି ଦେଉଁ ଦୃଷ୍ଟି ।

ତହିଁ ଦେଖିଲା ସେହି ଶୋଭା ବୃଷ୍ଟି ।

 

ହେମ ପ୍ରାସାଦରେ ବସି ଦର୍ପକ ।

ଦ୍ୱାରେ ଫିଙ୍ଗିଦେଲା କି ପାନପିକ ।୨୯।

 

ତାକୁ କୁସୁମପ୍ରିୟ ବୋଲି ଜାଣି ।

ଦ୍ରବମୟ କୁସୁମେ କୁଶପାଣି ।

ସଂତର୍ପଣ ବିଧିରେ ମନକରି ।

ସ୍ୱର୍ଣ୍ଣପାତ୍ରରେ ତହୁଁ କିଛି ଭରି ।୩୦।

 

ରଖିଅଛି ସବୁ କରି ଠୁଳ ।

ସିଞ୍ଚି ପୁଲକ ଇନ୍ଦ୍ରନୀଳ ତିଳ ।

ଜାଣି ଯଉବନ ରାଜା ବିଜୟ ।

ମନେ ହେବାରୁ ସଂଭ୍ରମ ଉଦୟ ।୩୧।

 

ସେ ସମୟେ ସୁଷମା କଳାବତୀ ।

ହେଉଁ ଅତି ତରଳତରମତି ।

ଅଲକତ ସଂଭବଦ୍ରବଛରା ।

ହେମପ୍ରାଙ୍ଗଣେ ପକାଇଲା ପରା ।୩୨।

 

କଙ୍କେଳୀସାୟକ-ଅଶୋକ ଫୁଲର ବାଣ । ୨୩ । ଜେମାମନଲକ୍ଷ୍ୟଫୁଟି ଫିଟିଲା ... ସେ ଶର ଚନ୍ଦ୍ରକଳା ମନରୂପ ଲକ୍ଷ୍ୟକୁ ଫୁଟାଇ ବା ଭେଦକରି ନିଜ ସିଂହଦ୍ୱାରକୁ ଚାଲିଗଲା କି ? ୨୪ । କଲାସ୍ଥଳ ... ସ୍ଥଳପଦ୍ମକୁ ବର୍ଷିଲା ଅର୍ଥାତ୍‌ ତଳଆଡ଼କୁ ଆଖି ପକାଇଲା । ୨୫ । ବାତବକ୍ରନାଳ–ପବନରେ ଯାହାର ନାଡ଼ ବଙ୍କା ହୋଇଅଛି । ୨୬ । ନବଗବୟ ... ଗବୟ (ଗୋଜାତୀୟ ଜୀବ)ର ନୂଆ ଶିଙ୍ଗରେ ନିର୍ମିତ ପେଡ଼ୀଭିତରେ ପଦ୍ମନାଗମଣି ଥିଲା ପରି ଜଣାଗଲା । ୨୭ । କାଚଭିଭିରେ-କାଚକାନ୍ଥରେ । ବନ୍ଧୁଜୀବ ପ୍ରତିବିମ୍ବ-ବଧୂଲିଫୁଲର ଛାୟା । ଗୋପୁର—ବହିର୍ଦ୍ୱାର । ପ୍ରସୂନଧନବା– ପୁଷ୍ପଧନ୍ୱା କନ୍ଦର୍ପ । ୨୮ । ଗୈରିକ-ଗେରୁ । ରତି ... ରତିଦେବୀ ନିଜ ଲଲାଟରେ ସୁନ୍ଦର ବିନ୍ଦୁଟିଏ ରଚନା କରିସାରି ଚନ୍ଦ୍ରକଳାର ସେହି ଲୁଗାରେ । ସିନ୍ଦୂରକୁ ପୋଛି ଦେଲା କି ? ୨୯ । ହେମପ୍ରାସାଦ-ସୁନାର କୋଠା (ଚନ୍ଦ୍ରକଳାର ଶରୀର) । ଦର୍ପକ-କନ୍ଦର୍ପ । ୩୦ । ତାକୁ – ଚନ୍ଦ୍ରକଳାକୁ । ଦ୍ରବମୟକୁସୁମେ-ତରଳ ରକ୍ତବର୍ଣ୍ଣ ଫୁଲରସରେ । କୁଶପାଣି--ବ୍ରହ୍ମା, ସ୍ରଷ୍ଟା । ୩୨ । ସୁଷମାକଳାବତୀ–ଶୋଭା ଓ ସୁକ୍ଷ୍ମକଳାର ନିଧାନ (ଚନ୍ଦ୍ରକଳା) । ଅଲକତଦ୍ରବସମ୍ଭବ ଛରା– ଅଳତାରସର ଛିଞ୍ଚା ବିନ୍ଦୁ । ହେମପ୍ରାଙ୍ଗଣ––ସୁନା ଅଗଣା । ୩୩ ।

 

ଜଗଜ୍ଜୟ ସଂକଳ୍ପେ କାମରାଜା ।

କଲା ତ୍ରିକୋଣ ହେମଯନ୍ତ୍ର ପୂଜା ।

ଉପହାର ନିମନ୍ତେ କରି ଅବା ।

ସମରପିଛି ଅଭିନବ ଜବା ।୩୩।

 

ନିଜ ମନ୍ଦିର ଦେହଳୀର ପାଶେ ।

ରତି ବସିଛି ପ୍ରିୟ ଅଙ୍କଦେଶେ ।

ତାହା ଲାଗି କୁସୁମ୍ଭା ଚେଳାଞ୍ଚଳ ।

ପଡ଼ି ଦେହଳୀ କରିଛି ମଞ୍ଜୁଳ ।୩୪।

 

କିବା ନବୀନ ଯଉବନରମା ।

ମଣ୍ଡିବାକୁ ଚିତ୍ରରେ ଭାଲସୀମା ।

ରଖି ପରିଣତତର ତାମ୍ବୁଳ ।

ତହିଁ ଦଳିଅଛି କିଛି ହିଙ୍ଗୁଳ ।୩୫।

 

ଚଳଦଳଚ୍ଛବି ପରିପନ୍ଥୀକି ।

ଦେଇ ମନ୍ମଥମନ୍ଦିର ମନ୍ଥିକି ।

ତାହା ଲୋହିତରେ ଚିତା ଘେନିଲା ।

ସେହିପରି ସେ ସମୟ ମାନିଲା ।୩୬।

 

ରସ ବରଷା ସମୟେ ପ୍ରବେଶେ ।

ସ୍ୱର୍ଣ୍ଣ ଭୂମିରେ ଇନ୍ଦ୍ରଗୋପ କି ସେ ।

ଭାଜି ସନ୍ଦେହ ହୁଅନ୍ତେ ନିଶ୍ଚୟ ।

କରି ହୃଦୟ ରସାନନ୍ଦମୟ ।୩୭।

 

ଉଭା ହୁଅନ୍ତେ ହସି ମଥା ପୋତି ।

ପାଟ ବଢ଼ାଇ ଦେଲା ବାସବତୀ ।

ଲାଜମୋହ ମିଶ୍ରିତ କରି ମନ ।

କରି ମଣିଭିତ୍ତି ଦିଗେ ଗମନ ।୩୮।

 

ପ୍ରତିବିମ୍ବିତ ବାଳଶୋଭା ଚାହିଁ ।

ଲଭି ଦ୍ୱିଗୁଣ ସୁଖ ଚାନ୍ଦମୁହୀଁ ।

କୁସୁମିତ ଦୁକୂଳକୁ ପାଲଟି ।

ଲାଗି ହୁଅନ୍ତେ ଲାଲ ପାଟଶାଟୀ ।୩୯।

 

ହେମଲତା ପଲ୍ଲବମୟ ହେଲା ।

ପରି ଦିଶିଲା ସେ ବରମହିଳା ।

ତେଣେ ଆଳୀଏ ମଣି ଚମତ୍କାର ।

କଲେ ପରସ୍ପରେ ଏହି ବିଚାର ।୪୦।

 

କାଳ ବେଳ କେ ନ ଥିବାର ନିତି ।

ଦେଖାଗଲା ଏ କି ବିଚିତ୍ର ରୀତି ।

କିଛି ଊଣା ଏକାଦଶ ବରଷ ।

ଜେମାମଣିକି ହୋଇଲା ବୟସ ।୪୧।

 

ଆମ୍ଭେମାନେ ତା ଲାଗି ଲୁଗାପରି ।

ଶିଶୁକାଳରୁ ଥାଇ ଅନୁସରି ।

ନ ଥିବାରେ ଆମ୍ଭେ ତାହା ସାଥିରେ ।

ସ୍ୱପ୍ନେ ଏକାନ୍ତ କରି ନାହିଁ ଥରେ ।୪୨।

 

ଲବେ ନ ବିଚାରି ଅନୁରୋଧକୁ ।

ବିଜେ କଳାବେଳେ ଅବରୋଧକୁ ।

ବାସବତୀକି ନେତ୍ରେ ଠାରି ଦେଲା ।

ଆଜ ବିଜନରେ କି ବିଚାରିଲା ।୪୩।

 

ଆଉ ଆଶ୍ରିତେ କି କାଳ ହରିବା ।

ବୁଝି ଯେ ଯାହା ଉପାୟ କରିବା ।

ଶୁଣି ଜଣେ କହିଲା ଏ ବାଣୀକି ।

ଏହିପରି ଏବେ ସିନା ହେବ ଏଣିକି ।୪୪।

 

କହୁଥିଲେ ବୋଲୁଥିବା ମଣିମା ।

ମନକଥାଟି କେହି ନ ଜାଣିମା ।

ନିରନ୍ତରେ ଏଥର ଫୁଲବାଣ ।

ଜେମାଠାରେ କରିବ ମନ୍ତ୍ରୀପଣ ।୪୫।

 

ଜାଣି ତାର ଏ ସମୟ ମରଜି ।

କେତେ ଗଲେନି ସ୍ୱସ୍ଥାନ ବରଜି ।

ଗତିଜବ ଚରଣରୁ ନିରାଶ ।

ହୋଇ କଲାନି ନୟନେ ନିବାସ ।୪୬।

 

ଅବିବେକ ପୃଥୁଭାବ ପଳାଇ ।

ସ୍ଥାନ କଲା ନିତମ୍ବବିମ୍ବେ ଯାଇ ।

ରସ କୃଶତା ହୃଦୟରୁ ଖସି ।

ହୋଇଲାନି ମଧ୍ୟଦେଶନିବାସୀ ।୪୭।

 

ନବଜବା-ନୂଆ ମନ୍ଦାର ଫୁଲ । ୩୪ । ଦେହଳୀ–ଏରୁଣ୍ଡିବନ୍ଧ; ତାହା ଲାଗି କୁସୁମ୍ଭାଚେଳାଞ୍ଚଳ–ରତିର ପିନ୍ଧା ରଙ୍ଗଶାଢ଼ୀର ପଣନ୍ତ । ୩୫ । ପରିଣତତର ତାମ୍ବୁଳ––ଅତି ପାଚିଲା ପାନ । ୩୬ । ମନ୍ମଥମନ୍ଦିର (କର୍ତ୍ତା) ଚଳଦଳଛବି (ଅଶ୍ୱତଥପତ୍ର) ରୂପ ପରିପନ୍ଥୀକି (ଶତ୍ରୁକୁ) ମଛି ଦେଇ ତା ରକ୍ତରେ ଚିତା ଘେନିଲା କି ? ୩୭ । ରସବରଷା ସମୟ–ଜଳବୃଷ୍ଟି । କାଳ, ଇନ୍ଦ୍ରଗୋପ-ସାଧବ ବୋହୁ ପୋକ । ୪୦ । ହେମଲତା ... ସୁବର୍ଣ୍ଣର ଲତାରେ ପତ୍ର ଧଇଲା କି ? ୪୬ । ଗତିଜବ ... ସେ ବର୍ତ୍ତମାନ ଚଞ୍ଚଳଗତି ଛାଡ଼ି ଚଞ୍ଚଳନେତ୍ରୀ ହେଲାଣି । ୪୭ ।

 

ତେଜି କାର୍କଶ ମନ ନଗରୀକି ।

କଲା ଅବଲମ୍ବ ବକ୍ଷସରିକି ।

ଦେଖୁ ନାହିଁ କି ଏବେ ସେ ଦ୍ୟୁତିକି ।

ଜଗତ୍ତ୍ରୟ ନୟନସମ୍ପତ୍ତିକି ।୪୮।

 

ଏହି ସମୟେ ଚେଟୀ ରତ୍ନଚୁଡ଼ି ।

ଦୃଶ୍ୟ ହୋଇଲା ଘେନି ଲାଟଶାଢ଼ୀ ।

ସେ କି ସଂଚରିବା ହେମମଞ୍ଜରୀ ।

ଅଛି ସିତ କୁସୁମଗୁଚ୍ଛ ଧରି ।୪୯।

 

ସଉରଭ ଲୋଭରେ ଭୃଙ୍ଗାରଜି ।

ଚାରିପାଶେ ଘେରୁଅଛି ଗରଜି ।

ଅବା ଆଳୀଙ୍କ ସନ୍ଦେହ ଛିଡ଼ିଲା ।

ଅଳିଶ୍ରେଣୀ ଦମ୍ଭେ ବ୍ୟୋମେ ଉଡ଼ିଲା ।୫୦।

 

ଖେଳା ଚପଳ କଳହଂସୀ ପରି ।

ଅତି ହରଷେ ଧାଇଁ ସହଚରୀ ।

ଲଜ୍ଜାନମ୍ରମୁଖୀକି ପରିହାସେ ।

ଘେରି ରହି ଜଣାଇଲେ ଏ ରସେ ।୫୧।

 

ସଖୀ ଏଡ଼େ ନିର୍ମଳ ହୃଦପଟ ।

ଅର୍ଦ୍ଧଅଙ୍ଗେ ବହିଲା ତ କପଟ ।

କରିଥାଉ ଯେ ତେଡ଼େ ଅନୁରାଗ ।

ଆଉ କେଉଁ ଭାଗ୍ୟରୁ ଦେବୁ ଭାଗ ।୫୨।

 

ଲୁଚାଇଲେ କି ଲୁଚେ ଏହି ମାନ ।

ଫୁଲବାସନା ମାନଇଁ କି ଆନ ।

ଘନ ଆଚ୍ଛନ୍ନ କଲେ କଲେ ଲୋକନେତ୍ର ।

ଘନେ ଆଚ୍ଛନ୍ନ ହୁଅଇ କି ମିତ୍ର ।୫୩।

 

ଦେଇ ଶିଖରେ କରକିଶଳୟ ।

ଜେମା ଲୁଚାଉଛି କି ସୁରାଳୟ ।

କର କ୍ରୋଡ଼େ କି ସମୁଦ୍ର ଲୁଚିବ ।

ସତ୍ୟ ହେଲେ ଏ କାହକୁ ରୁଚିବ ।୫୪।

 

ଛାଇପରି କରି ତୋର ଭଜନ ।

ଏତେ ମାତ୍ରକୁ ନୋହିଁଲୁଁ ଭାଜନ ।

ଯେତେବେଳେ କୁରଙ୍ଗଶିଶୁଦୃଶା ।

ନେବୁ ରମଣଅଙ୍କେ ବସି ନିଶା ।୫୫।

 

ମଞ୍ଜୁ ମଞ୍ଜୀର ବାଚାଳ ରସନା ।

କିଛି କହିବେ ଏହି ଦୁହେଁ ସିନା ।

ତୁ ତ କହିବା ପରି ଦିଶୁ ନାହିଁ ।

ପଚାରିବାକୁ ଆମ୍ଭ ବଳ କାହିଁ ।୫୬।

 

ଶୁଣି ଲବଙ୍ଗକଳିକା ହସିଲା ।

ଛଳି ସଖୀଙ୍କି ଏ ବାଣୀ ଭାଷିଲା ।

ମନ ଧରି କହୁଅଛି ସହୀକି ।

କାଳଯାକ ସେବାଫଳ ଏହି କି ।୫୭।

 

ନେତ୍ରସମ୍ପତ୍ତି କିଛି ନ ଦେଖିବ ।

ଭିତ୍ତିତଟରେ କେ ପୁଣି ଲାଖିବ ।

ଦିନେ ହେଲେ କି ମରଦନ ବେଳେ ।

ସ୍ତନତଟକୁ ନ ଦେଖିବା ଡୋଳେ ।୫୮।

 

ଶିଶୁଶଶୀ ତ ସବୁ ଦେହ କହି ।

ଆଉ ବଡ଼ ବଡ଼ଙ୍କ ଯାଏ କାହିଁ ।

ବାଳା ବୋଲିବ ଅବା ତହିଁ ବାସ ।

ଥିବ ନିବିଡ଼େ କାହିଁ ଅବକାଶ ।୫୯।

 

ଅବିବେକ ... ବିବେକଶୂନ୍ୟତାରୂପ ସ୍ଥଳତା ପଳାଇ ନିତମ୍ବରେ ରହିଲା ଅର୍ଥାତ୍ ବିବେକ ବୃଦ୍ଧ ହେଲା ଓ ନିତମ୍ବ ସ୍ଥୂଳ ହେଲା । ରସକୃଶତା ... କ୍ଷୀଣରସଭାବ ହୃଦୟରୁ ଯାଇ ମଧ୍ୟଦେଶନିବାସୀ ହେଲାଣି (କଟୀଦେଶରେ ବାସ କଲାଣି) ଅର୍ଥାତ୍‌ ହୃଦୟ ରସପୂର୍ଣ୍ଣ ଓ କଟୀ କ୍ଷୀଣ ହେଲାଣି । ୪୮ । ମନରୂପ ନଗରକୁ ଛାଡ଼ି ଏବେ ଏହାର ବକ୍ଷ ଦେଶରେ ବାସ କରିଛି (ଏହାର କୁଚଦ୍ୱୟ ଏବେ କର୍କଶ ହେଲାଣି) । ୪୯ । ଚେଟୀ-ଦାସୀ, ଲାଟଶାଢ଼ୀ-ପୁରୁଣା ପିନ୍ଧାଶାଢ଼ୀ, ସଞ୍ଚରିବା ହେମମଞ୍ଜରୀ–ଚାଲୁଥିବା ସ୍ଵର୍ଣ୍ଣବୃନ୍ତ କି ? ସିତକୁସୁମଗୁଚ୍ଛ –ଧଳା ଫୁଲପେଣ୍ଡା । ୫୦ । ଅଳିଶ୍ରେଣୀଦମ୍ଭରେ–ଭ୍ରମର ପଂକ୍ତି ବ୍ୟାଜରେ । ୫୩ । ଘନ-ମେଘ, ମିତ୍ର– ସୂର୍ଯ୍ୟ । ୫୪ । ଦେଇ ଶିଖରେ ... ଅଗ୍ରଭାଗରେ କରରୂପ ନୂଆ ପତ୍ରଟିଏ ଘୋଡ଼ାଇ ଜେମା ଚନ୍ଦ୍ରକଳା) ସୁରାଳୟ (ମେରୁପର୍ବତ)କୁ ଲୁଚାଉଅଛି କି ? । ୫୫ । କୁରଙ୍ଗଶିଶୁଦୃଶା– ବାଳମୃଗାକ୍ଷୀ । ୫୬ । ମଞ୍ଚୁ ମଞ୍ଜୀର-ମନୋହର ନୂପୁର (ଚରଣ ଅଳଙ୍କାର), ରସନା ଚନ୍ଦ୍ରହାର (ଅଣ୍ଟାର ଅଳଙ୍କାର) । ୫୮ । ଭିଭିତଟରେ––କାନ୍ତ ପାଖରେ । ୫୯ । ଶିଶୁ ଶଶୀ-ବାଳଚନ୍ଦ୍ର (ନଖକ୍ଷତ),

 

ବାସ ସିନା ସମସ୍ତ ପ୍ରକାଶିବ ।

ପୁଣି ରଦବାସ ତୁଲେ ମିଶିବ ।

ଦୁହେଁ ମିଶି କରିବେ ସବୁ ଜଣା ।

ଆହା କି କରିବଟି ସୁଲକ୍ଷଣା ।୬୦।

 

ଏବଂବିଧ ପରିହାସ ନ ସରୁ ।

ସରୁମଧ୍ୟା ଯାଇଁ ଜେମା ପାଶରୁ ।

ଜଣାଇଲା ଶ୍ରୀ ମହାଦେଈ ପାଶେ ।

ସେ ତ ଜେମା ଜନନୀ ଅତି ତୋଷେ ।୬୧।

 

ନିଜ କରରୋପିତ ସୁନାଲତା ।

ସତେ ହୋଇଲା ମଣି କୁସୁମିତା ।

 

ମୋଦ ଅଖଟେ ଚିତ୍ତକୁ ସଧାଇ ।

ଦେଲେ ନିଜ ଅଙ୍ଗଭୂଷା ବଧାଇ ।୬୨।

 

ଏ ସମୟେ ଭେଟି ଅନ୍ୟ ବନିତା ।

ପାଟକଠିନୀକରରତ୍ନସୁତା ।

ଜେମା କୁସୁମୋତ୍ସବ ଯୋଗ ଧାଟୀ ।

ଲେଖି ବଢ଼ାଇଦେଲା ପତ୍ରିକାଟି ।୬୩।

 

ମହାଦେବୀ ତ ପରମ ବିଦୁଷୀ ।

ତହିଁ ଚାହିଁ ସୁଭାଗ୍ୟ ଯୋଗରାଶି ।

ଗଦ ଗଦ ସ୍ୱରେ ହୋଇ ସହାସ ।

କଲେ ଶରମନ୍ଦିର ଫରମାସ ।୬୪।

 

ଆଜ୍ଞା ପ୍ରମାଣେ ବାଳା ସହଚରୀ ।

ଘେନି ସଙ୍ଗତେ ସର୍ବପରିଚାରୀ ।

ରାମ ବିବାହଗୀତ ହୁଳହୁଳି ।

ନାଦେ ଭରତି କଲେ ମହୀସ୍ଥଳୀ ।୬୫।

 

ବୀଣା ରବା ପଖାଉଜ ମର୍ଦଳ ।

ଭେରୀ ଆରବୀ ତେଲିଙ୍ଗୀ କଂସାଳ ।

 

ଆଦ୍ୟ ବାଦ୍ୟ ନାଦେ ସେ ଭୂମଣ୍ଡଳୀ ।

ସିନ୍ଧୁ ତୁଲେ କି ଆରମ୍ଭିଲା କଳି ।୬୬।

 

ଅତିପ୍ରବଳ ହୋଇ ବାଜୁଁ ବାଜା ।

ଉଠିଆସୁ ସଭାରୁ ମହାରାଜା ।

ଦେବୀ ପ୍ରମୋଦ ଭେଟରୁ ଜାଣିଲେ ।

ଯତ୍ନ କର ବୋଲି ମୋଦେ ଭଣିଲେ ।୬୭।

 

ତହୁଁ ବାଳା ସଖୀ ସର୍ବ ବିମ୍ବୋଷ୍ଠୀ ।

ମାଷ ତଣ୍ଡୁଳେ ବନାଇଲେ କୋଷ୍ଠୀ ।

ଚାରିକୋଣେ – ପଞ୍ଚବର୍ଣ୍ଣ କୋଠିର ।

ସ୍ଥିରତର ପୋତିଲେ ଚାରି ତୀର ।୬୮।

 

ଚାରି ପ୍ରହର କରିବାକୁ ରକ୍ଷା ।

ଚାରି ପ୍ରହାର ପୋତିଲେ କି ଦକ୍ଷା ।

ରସକଳା ହସି ବୋଲେ ତହିଁ କି ।

ବାଳା ସମ୍ଭାଳି ପାରିବ ନାହିଁ କି ।୬୯।

 

ଏକ ଅତନୁ ମାରର ଏ ଗୁଣ ।

ଏବେ ସତନୁ ଚାରି ମାରଗଣ ।

ଜଗିରହିଲେ ରଜନୀ ଦିବସ ।

ସୁକୁମାରୀ ନୋହିବେ କି ବିବଶ ୭୦।

 

ପୁଣି ଦେଲେ ଚାରୁ ଚେଳ ବେଢ଼ାଇ ।

ଦେଲା ଏହି ଊହକୁ ସେ ବଢ଼ାଇ ।

ହରି ଆଣି ତ୍ରିଲୋକ ସମ୍ପତ୍ତିକି ।

ତହିଁ ଲୁଚାଇବ ପ୍ରଜାପତିକି ।୭୧।

 

ବାସ–ବସ୍ତ୍ର, ଅବକାଶ–ସ୍ଥାନ । ୬୦ । ରଦବାସ–ଅଧର । ୬୧ । ସରୁମଧ୍ୟା – ଜଣେ ସଖୀ, ମହାଦେଈ–ଚୁନ୍ଦ୍ରକଳାର ମା । ୬୨ । ମୋଦିଆଖେଟେ ... ଆନନ୍ଦରୂପ ମୃଗୟାରେ ମନକୁ ସାଧନ କରି ଅର୍ଥାତ୍ ମନରେ ପ୍ରକୃତ ଆନନ୍ଦ ଅନୁଭବ କରି । ବଧାଇ-ପାରିତୋଷିକ, ଉପହାର । ୬୩ । ପାଟକଠିନୀକରରତ୍ନସୁତା–ପ୍ରଧାନ ଜ୍ୟୋତିଷ୍ଠୀ ଖଡ଼ୀରତ୍ନଙ୍କ ଝିଅ । କୁସୁମୋତ୍ସବଯୋଗଧାଟୀ-ଋତୁମତୀ ହେବା ଯୋଗନକ୍ଷତ୍ରାଦିର ଜ୍ୟୋତିଷ ଗଣନା । ୬୪ । ଶରମନ୍ଦିର-କ୍ଷତ୍ରିୟ କନ୍ୟାର ପ୍ରଥମ ଋତୁସ୍ନାନରେ କରାଯିବା ଉତ୍ସବ । (ପରେ ଏହି ଉତ୍ସବର ବର୍ଣ୍ଣନା ହେଉଛି) । ୬୮ । ମାଷ-ବିରୀ; ସ୍ଥିରତର-ଦୃଢ଼ଭାବରେ । ୭୦ । ଶରୀର ନ ଥିବା ଏକ ମାର (କନ୍ଦର୍ପ)ର ଏତେ ଗୁଣ, ବର୍ତ୍ତମାନ ଶରୀର ଥିବା ଚାରିଗୋଟା ମାର୍ଗଣ (ଶର) ଦିନରାତି ଜଗି ରହିଲେ । ବାଳିକା ବିବଶ (ଅସ୍ଥିର) ହୋଇ ପଡ଼ିବ ନାହିଁ କି ? । ୭୧ । ପୁଣି ଦେଲେ ... ତା ପରେ ସଖୀମାନେ

 

ଚାରିପାରୁଶେ ଶିଶୁରମ୍ଭାସ୍ତମ୍ଭ ।

ପାଖେ ରଖିଲେ ସୁନା ପୂର୍ଣ୍ଣକୁମ୍ଭ ।

ପିକବଲ୍ଲଭପଲ୍ଲବ ମାଳିକା ।

କଲେ ତୋରଣ ତରୁଣ ବାଳିକା ।୭୨।

 

ଟାଣିଦେଲେ ବିଚିତ୍ର ଚନ୍ଦ୍ରାତପ ।

କୋଣେ ଲମ୍ବାଇ ନୂଆ କୁଞ୍ଚ ଥୋପ ।

ଜେମାରୁଚି ଜିଣିଲା ସାତଦ୍ୱୀପ ।

ବୋଲି ସୂର୍ପେ ରଖିଲେ ସାତଦୀପ ।୭୩।

 

ତଦନନ୍ତର ତରୁଣୀବରକୁ ।

ବିଜେ କରାଇ ଶରମନ୍ଦିରକୁ ।

ଝିଲୀ ଖଜା ଖଇରଚୁର ନାଡ଼ୀ ।

ଲଡ଼ୁ ବସନ୍ତ ଆରିଷା ପାପୁଡ଼ି ।୭୪।

 

ଜଗନ୍ନାଥବଲ୍ଲଭ ହଂସକେଳି ।

ମନୋହର ଡାଳିମ୍ବ ସରପୁଳୀ ।

ଖଜା ପେଡ଼ା ଦିବ୍ୟପୁରୀ ତ୍ରିପୁରୀ ।

ଖଣ୍ଡମଣ୍ଡା କାନ୍ତି ପୁର ଇଣ୍ଡୁରି ।୭୫।

 

ପାରିଜାତ ସରଖଇ ଖୁରୁମା ।

ସର ସରପାପୁଡ଼ି ଅନୁପମା ।

 

କ୍ଷୀରି କ୍ଷିରୀସା ବାସ ଅଟକାଳି ।

ବଡ଼ା ସୁପୁରୀ କାକରା ଶୂଆଳୀ ।୭୬।

 

ଦେବା ନେବା ଖାଇବା ରଖାଇବା ।

ବାସି ଗିରି ସଦୃଶ ପକାଇବା ।

ଏହିପରି ସେ ରାଜଧାନୀଯାକ ।

ପ୍ରତି ମନ୍ଦିରରେ ଉତ୍ସବ ଅସ୍ତୋକ ।୭୭।

 

ସେ ନଗର ତ ଦୁର୍ଲ୍ଲଭ ଅରାତି ।

ସେହି ସାତ ଦିନ ହେଲା ଅ–ରାତି ।

ସାରି ଶରପୁରବସା ବିଧିକି ।

ତହୁଁ ଅବତାରି ଶୋଭାନିଧିକି ।୭୮।

 

ଶତହ୍ରଦା ଗୋରୀଏ ଏକମେଳେ ।

ସାତ ଶାତକୁମ୍ବ କୁମ୍ଭମଙ୍ଗଳେ ।

କାହିଁ କୁଙ୍କୁମ କାହିଁ ଗନ୍ଧସାର ।

କାହିଁ ଭରି କୁରଙ୍ଗମଦସାର ।୭୯।

 

ଦଳି ଗୋଳି ସେ ସକଳ ଶୁଭାଙ୍ଗୀ ।

ପରସ୍ପରେ ହୋଇଲେ ଫିଙ୍ଗାଫିଙ୍ଗି ।

ଏକ ଉପରେ ପଡ଼ିଲେ ଆରକେ ।

ଦେଖା ନାହିଁ ସେ ଉତ୍ସବ ତ୍ରିଲୋକେ ।୮୦।

 

ନୀରେ ପନୀରେ ତଡ଼ ଉଚ୍ଛଳିଲେ ।

ସ୍ନାନ କରାଇ ନାନା ତୀର୍ଥଜଳେ ।

ଦିବ୍ୟ କଷାବାସରେ ଅଙ୍ଗ ପୋଛି ।

ଦେଲେ ପ୍ରଲମ୍ବ କେଶପାଶ ଉଞ୍ଛି  ।୮୧।

 

ନୂଆବାସ ନବ ରତ୍ନାଭରଣ ।

କରି ଜଗତୀଭୂଷାକୁ ଶରଣ ।

ଧନ୍ୟ ମଣିଲେ ନିଜ ଜନମକୁ ।

ଘେନି ବାଳା ଅଙ୍ଗୀକାର କ୍ରମକୁ ।୮୨।

 

ଦେଲେ ଅଣାଇ ମୁଖ୍ୟ ଦ୍ୱିଜକୁଳ ।

ଧେନୁ ଧରା ହିରଣ୍ୟ ଅନ୍ନ ଚେଳ ।

ଦାନାନନ୍ତରେ କୁଶେ ତୀର୍ଥୋଦକ ।

ଘେନି ପୁରୋଧା କଲେ ଅଭିଷେକ ।୮୩।

 

ସେହି ଶରମନ୍ଦିରକୁ ଚାରୁଚେଳ (ସୁନ୍ଦର ବସ୍ତ୍ର)ଦ୍ୱାରା ଆବତ କରିଦେଲେ । ସେ ଆବରଣ ଏହି ଉହ (ଅନୁମାନ)କୁ ବଢ଼ାଇଦେଲା ଅର୍ଥାତ୍ ତହିଁରୁ ଏପରି ଅନୁମାନ ହେଲା—ବ୍ରହ୍ମା ତିନିଭୁବନର ସମ୍ପତ୍ତିକି ଚୋରାଇ ଆଣ ଏହିଠାରେ ଲୁଚାଇବ କି ? । ୭୨ । ପିକବଲ୍ଲଭ ... ଆମ୍ବଗଛର ନୂଆପତ୍ର । ୭୩ । ଟାଣିଦେଲେ ... ‘‘ସୁନ୍ଦର ଚାନ୍ଦୁଆ ଟାଣିଦେଇ ତା ଚାରିକୋଣରେ ନୂଆଲୁଗା କୁଞ୍ଚି ଥୋପ କର ଓହଳାଇ ଦେଲେ । ସାତଦ୍ୱୀପ-ପ୍ରାଚୀନ ମତରେ ପୃଥିବୀ ସାତଗୋଟି ଦ୍ୱୀପର ସମଷ୍ଟ, ସୂର୍ପ-କୁଲା । ୭୭ । ଅସ୍ତୋକ ଉତ୍ସବ-ବଡ଼ ଉତ୍ସବ । ୭୮ । ଅରାତି-ଶତ୍ରୁ ଓ ରାତିର ଅଭାବ (ଦିବସ) । ଶରପୁରବସା ବିଧି-ଶରମନ୍ଦିରରେ ବସିବା ବିଧାନ । ୭୯ । ଶତହ୍ରଦା ଗୋରୀଏ– ବିଜୁଳି ପରି ଗୌରାଙ୍ଗୀମାନେ; ସାତ ଶାତକୁମ୍ଭ କୁମ୍ଭମଣ୍ଡଳେ-ସାତଗୋଟି ସୁନା ମାଠିଆରେ । କୁରଙ୍ଗ ମଦସାର––ଉକୃଷ୍ଟ କସ୍ତୁରୀ । ୮୦ । ଶୁଭାଙ୍ଗୀ–ସୁନ୍ଦରୀ ସ୍ତ୍ରୀ । ୮୧ । ପନୀର– ସୁବାସିତ ଜଳ, ତଡ଼-ପ୍ରାନ୍ତ (ସେହି ମନ୍ଦିରର), ଉଚ୍ଛୁଳିଲେ-ଉଛୁଳାଇ ଦେଲେ । କଷାବାସ– ରଞ୍ଜିତ ବସ୍ତ୍ର । ୮୩ । ଧେନୁ–ଗାଈ, ଧରା– ଭୂମି, ହିରଣ୍ୟ–ସୁନା, ଚେଳ ବସ୍ତ୍ର,

 

 

ଇଷ୍ଟ ଦେବତା ତ୍ରିପୁରସୁନ୍ଦରୀ ।

ଦରଶନବିଜୟ ବେଳ ଶିରୀ ।

ଛାନ୍ଦ ବିସ୍ତାର ହେବା ଭୟେ ଦବି ।

ଆଉ ବର୍ଣ୍ଣନା କଲା ନାହିଁ କବି ।୮୪।

 

ଠାକୁରାଣୀଙ୍କ ଚଳନ୍ତି ପ୍ରତିମା ।

ପରି ବିରାଜିଲା ସେ ରାଜଜେମା ।

ଜୀବ ଅବା ପ୍ରତିବିମ୍ବେ ଘଟିଲା  

ସେ କି ଜଗଜ୍ଜନନୀଙ୍କି ଭେଟିଲା ।୮୫।

 

ଖଞ୍ଜି ପ୍ରସାଦ ଫୁଲମାଳା ଗଳେ ।

ତହୁଁ ବିଜେ କାରାଇଲେ ସଲୀଳେ ।

ଭେଟାଇବାକୁ ନେଉଁ ଜନନୀଙ୍କି

ବରବାରଣରାଜଗମନୀକି ।୮୬।

 

ଦ୍ୱାରେ ପ୍ରବେଶ ହେଲା କ୍ଷଣେ ବାଳା  

ଦେବୀ ନିଦଶୁଁ ଆସି ବାଳାମାଳା ।

ହୁଳହୁଳିମିଶା ଗୀତ ଗାଇଲେ  

ଅନ୍ନ ଗୋମୟରେ ନିଉଁଛାଇଲେ ।୮୭।

 

ଚନ୍ଦ୍ରାନନାର ବନ୍ଦାପନା ବିଧି ।

ସାରି ସକଳ କାମକଳାନିଧି ।

ମୃଦୁ ସୁନ୍ଦର ଶ୍ରୀହସ୍ତେ ଜେମାର ।

ଦିଆଇଲେ ଅର୍ଘ୍ୟକୁ ଅର୍ଯ୍ୟମାର ।୮୮।

 

ଉଭାକଲେ ମାତାଙ୍କ ଆଗେ ନେଇ  

ଦେଲେ ଯୋଡ଼ା ପାଟଶାଢ଼ୀ ବଢ଼ାଇ ।

ଗୁରୁତରମନ୍ଦାକ୍ଷେ ମନ୍ଦେ ହସି  

ନିଉଁଛାଳି କରି ଶୋଭାସରସୀ ।୮୯।

 

ମହୀ ମଥାରେ ଛୁଇଁ ଜୁହାରିଲା ।

ରାମା ଉପମା ମଣ୍ଡଳୀ ସାରିଲା ।

ତୋଳି ଜନନୀ ସ୍ନେହେସ୍ରୋତେ ପଡ଼ି ।

ମୁଖଚନ୍ଦ୍ରରେ ଚୁମ୍ବି ଗାଢ଼େ ଭିଡ଼ି ।୯୦।

 

ଶିଶୁ ସମୟୁଁ ବଳିଆଇ ଗେଲେ ।

ଧରି ଚିବୁକ ଏ ଆଶିଷ ଦେଲେ ।

ଜେମା ହାତୀ ମୋ ନୟନସମ୍ପତ୍ତି ।

ବାବୁ ହୁଅ ପରମ ଭାଗ୍ୟବତୀ ।୯୧।

 

ଅନୁରୂପ ଚକ୍ରବର୍ତ୍ତୀ କୁମାର ।

କର ଗ୍ରହଣ କର ଧନ ମୋର ।

କାଳଯାକ ତୋ ପଦ ଅଲକତ ।

ନାଥ ମୁକୁଟ କରୁ ଆରକତ ।୯୨।

 

ଜୀଇ ଶଚୀର ପରି ଚିରକାଳ ।

ଗୁଣମଣ୍ଡଳେ ମଣ୍ଡ ଦୁଇ କୁଳ ।

କର ଧରାରେ ଧର୍ମକୁ ଅମନ୍ଦ ।

ହେଲା କୁସୁମୋଦ୍‌ଗଦ ନାମ ଛାନ୍ଦ ।୯୩।

 

ନାଗାନ୍ତକ ଯାହାଙ୍କର ବାହାନ ।

ଅରିଦରେ ଅରିଦର ଦହନ ।

ଦୁର୍ଗା ମାଧବ ପଦଯୁଗଦ୍ୱୟ ।

ଭଜେ ଶ୍ରୀରାମଚନ୍ଦ୍ର ଛୋଟରାୟ ।୯୪।

 

ପୁରୋଧା–ପୁରୋହିତ । ୮୫ । ପ୍ରତିବିମ୍ବ – ଛାୟା, ଜୀବ ... ଛାୟା ସଜୀବ ହୋଇ ଜଗଜ୍ଜନନୀ (ଦୁର୍ଗାଙ୍କୁ) ଭେଟିଲା କି ? ୮୬ । ସଲୀଳେ-କୌତୁକରେ । ୮୭ । ବାଳାମାଳା– ବାଳିକାସମୃହ । ନିଉଁଛାଇଲେ– ବନ୍ଦାଇଲେ । ୮୮ । ଅର୍ଯ୍ୟମା–ସୂର୍ଯ୍ୟ । ୮୯ । ଗୁରୁତର ମନ୍ଦାଷେ–ଅତି ଲଜାରେ । ନିଉଛାଳି-ବନ୍ଦନା କରି, ଶୋଭାସରସୀ– ସୌନ୍ଦର୍ଯ୍ୟନିଧାନ (ଚନ୍ଦ୍ରକଳା) । ୯୨ | କାଳଯାକ .. ସବୁଦିନ ତୋ ପାଦ ଅଲକତ (ଅଳତା) ନାଥ ମୁକୁଟ (ସ୍ଵାମୀର ମୁକୁଟ )କୁ ଆରକ୍ତ କରୁ ଅର୍ଥାତ୍ ସବୁଦିନେ ସ୍ଵାମୀ ତୋର ପଦାନତ ହୋଇ ରହୁ । ୯୩ । ଗୁଣମଣ୍ଡଳେ– ଗୁଣସମୂହଦ୍ୱାରା । ଅମନ୍ଦ-ଉନ୍ନତ, ବଡ଼ । ୯୪ । ଅରିଦରେ–ଚକ୍ର ଓ ଶଙ୍ଖଦ୍ଵାରା, ଅରିଦର ଶତ୍ରୁଭୟ । ନାଗାନ୍ତକଗରୁଡ଼ ।

 

ନବମ ଛାନ୍ଦ

Unknown

ରାଗ – ରସକୁଲ୍ୟା

ନେପଥ୍ୟ ପଥ୍ୟ

 

ତଦନନ୍ତରେ ଶୁଣ ସହୃଦୟେ ।

ଦିନେ ଜେମା ଯାମତ୍ରୟ ସମୟେ ।

ପ୍ରିୟ ବୟସ୍ୟାଙ୍କୁ ଘେନି ସମୀପେ ।

ବିରାଜି ମୁକୁରମୟ ମଣ୍ଡପେ ସେ ।

ଲେଖିଲା ବିଚିତ୍ର ପଟ ଯେ ।

ଶୋଭାମୃତକୂପ ଜନନୀଙ୍କ ରୂପ ସେ ପଟେ କଲା ପ୍ରକଟ ହେ ।୧।

 

ଊଣାମାତ୍ର ଚାଲି ଗିର ପଲକ ।

ବନାଇଲା ବାଳୀପ୍ରତିପ୍ରତୀକ ।

ସେହି ଶୋଭା ସେହି ମୃଦୁବୟସ ।

ଅକ୍ଷୀଣ ଦକ୍ଷିଣ ଦେଶର ବେଶ ସେ ।

ଲେଖିଲା ବାଳାରତନ ଯେ ।

ଦେଖି ଦେଖାଇବା ପ୍ରମୋଦ ଅମଳୁଁ ନୋହିଥିଲେ ସାବଧାନ ଯେ ।୨।

 

ଏହି ସମୟ ସଉଭାଗ୍ୟବଶେ ।

ସେ ପୁର ମଣିପ୍ରାଙ୍ଗଣ ପ୍ରଦେଶେ ।

ରଟିଲା କଠାଉଯୁତ କିଙ୍କିଣୀ ।

ଅତରକିତେ ବିଜେ କଲେ ରାଣୀ ତା ।

ଜାଣି ସେ ଜଗତଶୋଭା ଯେ ।

ଭିତ୍ତି ପ୍ରତିଫଳ ସଖୀଙ୍କ ମଣ୍ଡଳ ତୁଲେ ହେଲା ବେଗେ ଉଭା ଯେ ।୩।

 

ଲଜ୍ଜା ଗଉରବ ମିଶ୍ରିତ ହାସ ।

ସୁଧାମୟ କରି ଦଶନବାସ ।

ବାସରେ କଲେ ହେଲେ ଅପ୍ରକଟ ।

ଝଟ ଝଟ ଦିଶିବାରୁ ସେ ପଟ ଯେ ।

ଛନ୍ନ କରି ନ ପାରିଲା ଯେ ।

ମେନାଙ୍କୁ ମୀନାଙ୍କପରନାରୀ ପରି ଜନନୀଙ୍କି ଜୁହାରିଲା ଯେ ।୪।

 

ଆଶିଷପୂର୍ବକ ଅଶେଷ ଚୁମ୍ବେ ।

ଉଲ୍ଲସି ଘଞ୍ଚ ରେମାଞ୍ଚକଦମ୍ବେ ।

ତନୁଜାକୁ ଦମ୍ଭେ କରାଇ କୋଳେ ।

ତନୁ ଜାକୁ ଜାକୁ ପ୍ରଣୟବଳେ ସେ ।

ସେ ଚିତ୍ରେ ପଡ଼ିଲା ଦୃଷ୍ଟି ଯେ ।

ଚିନ୍ତିଲେ ପ୍ରପଞ୍ଚ ଜୟକୁ ବିରଞ୍ଚି କଲା କି ଏ ଚିତ୍ର ସୃଷ୍ଟି ଯେ ।୫।

 

ନବମ ଛାନ୍ଦ

 

୧ । ପଟ-ଚିତ୍ରପଟ, ଶୋଭାମୃତକୂପ– ସୌନ୍ଦର୍ଯ୍ୟରୁପ ଅମୃତର ଆଧାର (ଜନନୀ) । ୨ । ଊଣାମାତ୍ର–କେବଳ, ନ ଥିବା; ଚାଲି-ଗତି, ଗିର-କଥା, ପଲକ-ପକ୍ଷ୍ମପାତ, ପ୍ରତିପ୍ରତୀକ ପ୍ରତ୍ୟେକ ଅଙ୍ଗ । ଅକ୍ଷୀଣ–ଯାହା କେବେହେଁ ମ୍ଲାନ ହୁଏ ନାହିଁ, ପ୍ରମୋଦ ଅମଳୁଁ-ଆନନ୍ଦଜନିତ ଉଦ୍‌ବେଗ ହେତୁରୁ । ୩ । ଭିତ୍ତି ପ୍ରତିଫଳ ... ମା’ଙ୍କ ଆଖିରେ ଯେପରି ନ ପଡ଼ିବ ସେଥିପାଇଁ କାନ୍ଥରେ ଥିବା ଚିତ୍ର ଆଗରେ ସଖୀମାନଙ୍କ ସହିତ ଠିଆ ହୋଇଗଲା । ୪। ଦଶନିବାସ-ଅଧର, ବାସରେ-ବସ୍ତ୍ରଦ୍ୱାରା । ଛନ୍ନ–ଆବୃତ, ଗୋପନ: ମେନା-ପାର୍ବତୀଙ୍କ ଜନନୀ, ମୀନାଙ୍କପରନାରୀ-କାମଶତ୍ରୁ ଶିବଙ୍କ ସ୍ତ୍ରୀ, ପାର୍ବତୀ । ୫ । ତନୁଜା– କନ୍ୟା, ତନୁଜାକୁ ଜାକୁ––ଦେହକୁ କୁଣ୍ଢାଉଁ କୁଣ୍ଢାଉ,

 

ପଟେ ପଟୁତର ଚିତ୍ରରମାକୁ ।

ଉତ୍ସଙ୍ଗରେ ଚନ୍ଦ୍ରକଳା ଜେମାକୁ ।

ଭିତ୍ତି ପ୍ରତିଫଳ ସୁପ୍ରତିମାକୁ ।

ଚାହିଁ ନ କଳି ଲାବଣ୍ୟସୀମାକୁ ଯେ ।

ଗୁଣଗଣ ଅନବଦ୍ୟା ଯେ ।

ବାଳିକା ଆଳୀଙ୍କି ଚାହିଁ ପଚାରିଲେ କାହାର ଏ ଶିଳ୍ପବିଦ୍ୟା ଯେ ।୬।

 

ଏ ଗିରେ କର କରି କୋରକିତ ।

ଜଣାଇଲେ ଜଣେ ଜେମା ସଙ୍ଗାତ ।

ଜନ୍ମୁ ତ ତୁମ୍ଭର ଉତ୍ସଙ୍ଗ ଖେଳ ।

ଅଭ୍ୟସ୍ତ କରି ହରିଅଛି କାଳ ଯେ ।

ଏବେ ତ ଏ ଚନ୍ଦ୍ରମୁହୀଁ ଯେ ।

ତାରୁଣ୍ୟ ଜାତ ଲାଜରୁ ଶ୍ରୀଛାମୁରେ ଉଭା ହୋଇ ପାରୁ ନାହିଁ ଯେ ।୭।

 

ମୋ ସହୀ ନ ସହି ବିଶ୍ଲେଷ କ୍ଲେଶ ।

କରି ତୁମ୍ଭ ପ୍ରତିକୃତିବିନ୍ୟାସ ।

ପହୁଡ଼ିବାକାଳେ ଛତ୍ର ପଲ୍ୟଙ୍କେ ।

ଥିବା ପରି ଘେନି ତୁମ୍ଭର ଅଙ୍କେ ସେ ।

ସୁଖେ ନେବ କାଳ ପୁଣି ଯେ ।

ବାତ୍ସଲ୍ୟ ପ୍ରମୋଦ ରସଗଦଗଦ ଏହା ଶୁଣି ହେଲେ ରାଣୀ ଯେ ।୮।

 

ଚନ୍ଦ୍ରାନନ ଚାରୁ ଚିବୁକେ ପାଣି ।

ଦେଇ କହିଲେ ଏ ସପ୍ରେମବାଣୀ ।

ଆହା ମୁଁ ମରଇ ତ ପ୍ରାଣବନ୍ଧୁ ।

ମୋ ଦୁଃଖସଙ୍ଖାଳି ଲାବଣ୍ୟସିନ୍ଧୁ ତୁ ।

କାଲି ଖେଳୁଥିଲୁ ଧୂଳି ରେ ।

ଏବେ ଗୁଣବତୀ ପଣେ ତୋହ ତୁଲେ ନୋହେ ଭାରତୀକି ତୁଳି ରେ ।୯।

 

କାହୁଁ ଶିଖିଲୁ ରେ ଶିଖଣ୍ଡକେଶା ।

ମୋ କୁଳନିଳୟ ନୟନଭୂଷା ।

ଏଡ଼େ ମୃଦୁଳ ବୟସେ ଏମାନ ।

ଯହିଁ ରହୁ ନାହିଁ ମୋ ଅନୁମାନ ତୁ ।

ସ୍ନେହ କେତେ ଜାଣୁ ପୁଣି ରେ ।

ମୋ ଉତ୍ସଙ୍ଗସଙ୍ଗ ବିଚ୍ଛେଦ ଭୟୁଁ କି ଏ ଚିତ୍ର ଅଛୁ ନିର୍ମାଣି ରେ ।୧୦।

 

ତହୁଁ ଚାହିଁ ବାଳା ପ୍ରିୟ ଆଳୀକି ।

ବୋଇଲେ ଆଜ ମୋ ଗଳାମାଳୀକି ।

ଏହି ଦାକ୍ଷିଣାତ୍ୟ ବେଶରେ ସାଣି ।

ବିଜେ କରାଇ ମୋ ଛାମୁରେ ଆଣି ଯେ ।

ନେବ ଯେ ଯାହା ବଧାଇ ଲୋ ।

ଫରମାସି ଏହା ବିଜେକଲେ ମହାଦେଈ ଦୁଇ ଚୁମ୍ବ ଦେଇ ଯେ ।୧୧।

 

ତହୁଁ ପ୍ରମୋଦେ ବାଳା ସହଚରୀ ।

କେହି କାହାକୁ କିଛି ନ ପଚାରି ।

ଅଭିନବ ଚିତ୍ରାସନରେ ମଣ୍ଡି ।

ହଂସୁଲୀ ତୂଳି ଗର୍ଭ ଚଉଖଣ୍ଡି ସେ ।

ଜଣାଇଲେ ସହଚରୀ ଯେ ।

ଚତୁର୍ଦ୍ଦଶ ଲୋକ ମୋହମନ୍ତ୍ରଧାଟୀ ବିଜେହେଉ ସୁକୁମାରୀ ରେ ।୧୨।

 

ଜଣାଉ ଥାଉଁ ନିତି ଶତବାର ।

ନ କରୁ ଶିରୀଷାଙ୍ଗି ଅଙ୍ଗୀକାର ।

ଦିଆଇବୁ ବୋଲି ଆଳୀଙ୍କି ଜାଳି ।

ବାଳିକାରତନ ଥିଲୁ କି ଭାଳି ତୁ ।

କ୍ଷମାକର ଆମ୍ଭ ଦୋଷ ଗୋ ।

ତଇଲଙ୍ଗ ବେଶଭଙ୍ଗି ଅଙ୍ଗୀକାରେ ମଣ୍ଡନାବଳୀକି ତୋଷ ଗୋ ।୧୩।

 

ପ୍ରପଞ୍ଚ-ସଂସାର, ବିରଞ୍ଚ-ବିଧାତା । ୬ । ଚିତ୍ରରମା-ଚିତ୍ରର ସୌନ୍ଦର୍ଯ୍ୟ, ଗୁଣଗଣ ଅନବଦ୍ୟା ––ଅନିନ୍ଦନୀୟ ଗୁଣଗୁଣଯୁକ୍ତା । ୭ । କର କୋରକିତ କରି–ହାତ ଯୋଡ଼ି । ୮ । ବିଶେଷ କ୍ଳେଶ-ବିଚ୍ଛେଦ ଦୁଃଖ, ପ୍ରତିକୃତି-ଚିତ୍ର । ଛତ୍ରପଲଙ୍କେ-ହାତୀ ଦାନ୍ତରେ ଆଚ୍ଛାଦିତ ପଲ୍ୟଙ୍କରେ ବା ଉପର ଚାନ୍ଦୁଆଥିବା ପଲ୍ୟଙ୍କରେ । ଭାରତୀ-ସରସ୍ୱତୀ, ତୁଳିରେ-ମୁଁ ତୁଳନା କରେ । ୧୦ । ଶିଖଣ୍ଡକେଶା-ମୟୁରପୁଚ୍ଛ ପରି କେଶ ଯାହାର; ମୋ କୁଳ ... ମୋ ବଂଶ, ଗୃହ ଓ ଆଖିର ଭୂଷଣରୂପା ! ୧୧ । ସାଣି–ମାର୍ଜିତ ଭାବରେ ସଜାଇ । ୧୨ । ଅଭିନବ ... ହଂସପର ତୁଳାଗଦି ପଡ଼ିଥିବା ଚୌକିରେ ନୂଆ ଚିତ୍ରିତ ଆସନ ପକାଇ; ଚତୁର୍ଦ୍ଦଶ ଲୋକ ... ଚୌଦଭୁବନ ମୋହ କରିବାର

 

ଏତେ କହି ଧରୁଁ ଭୁଜ ପଇଠ ।

ହସିକରି ମୁଖଚନ୍ଦ୍ରକୁ ହେଠ ।

କରିବାକୁ ଚନ୍ଦ୍ର ଗର୍ବ କମ୍ପନ ।

ତା ଉଦୟ ଦିଶେ କରି ଲପନ ସେ ।

ସେ ଆସନେ ବିରାଜିଲା ଯେ ।

ବେଶମାନଙ୍କର ଅକୃତାର୍ଥ ଶଙ୍କା ସେହିଦିନଠାରୁ ଭାଜିଲା ଯେ ।୧୪।

 

ବାଳା ପ୍ରତିବିମ୍ବ ସୁନ୍ଦରପଣ ।

ସଙ୍ଗରୁ ହେବାକୁ ଅଦରପଣ ।

ଛାମୁରେ ଧରି କେ ସୁଦରପଣ ।

ଜଣାଇଲା ଏଣେ ନଜରପଣ ।

ନର୍ମଲୋଳ ଭର୍ମଲତା ରେ ।

କର୍ମବଳ ଦେଇ ବଢ଼ାଅ ଏହାର ଅତିଶୟ ନିର୍ମଳତା ରେ ।୧୫।

 

ଏ ଗିରେ ଅସ୍ଫୁଟ ମହାହରଷେ ।

ଉଲସାଇ ଗଣ୍ଡ ସବ୍ରୀଡ଼ ହାସ୍ୟେ ।

ଅଧ ଚାହାଣି କରି ଅବଲମ୍ବ ।

ଦେଖି ମୋହିନୀ ନିଜ ପ୍ରତିବିମ୍ବ ସେ ।

ମନେ କଲା ଏହି ଚିନ୍ତା ରେ ।

ଏହାଠାରେ ଜୀବ ନିବେଶି ପୁଂଭାବ ନ ଦେଲା ମୋତେ ବିଧାତା ଯେ ।୧୬।

 

ଶିଥିଳାଇ ନିଜ କେଶବଲ୍ଲରୀ ।

ଅଣ୍ଟାଇ କଣ୍ଟା ସେବତୀ ଫୁଲାରୀ ।

ନ ଜାଣିଲା ପରି ଅତି ଆଦରେ ।

ପୋଛି ଅମଳାନ ଝିନାଚାଦରେ ସେ ।

କରେ କସି କଙ୍କତିକା ରେ ।

ଚିକ୍‌କଣ ଚାମର ଚଳି ମରୁ ବୋଲି ଚାଲିଲା କୁନ୍ଦଲତିକା ଯେ ।୧୭।

 

ସରଙ୍ଗ ପଟ୍ଟସୂତ୍ର ଜରି ଡୋରେ ।

ଅଟକି ରଖି ଭିଡ଼ି ନିବିଡ଼ରେ ।

ଚାମୀକର କିଆଦଳ ତଳକୁ ।

ରଖି ରୁଚିର ଚତୁରୀ ଠୁଳକୁ ସେ ।

ପୁଞ୍ଜି ସୁନାଜରି ଫୁଲି ଯେ ।

ଜଗତୀଧୃତିକି ଝୁଲା ଶିଖାଇଲା ଆପଣେ କି ଝୁଲି ଝୁଲି ଯେ ।୧୮।

 

ବାମ ଦକ୍ଷିଣେ ସେ ଠୁଳ ମୂଳରେ ।

ନ ରଖି ଭେଦ ସୁଷମା ତୁଳରେ ।

ଖଞ୍ଜି କୁନ୍ଦନସୁନା ଦୂବବିଡ଼ି ।

ଅବଶେଷେ ଡୋରେ ନିବିଡ଼େ ଭିଡ଼ି ସେ ।

ଆରମ୍ଭିଲେ ଯହୁଁ ବେଣୀ ଯେ ।

ତର୍ଜିତ ହେଲା ପଞ୍ଚବାଣ କମାଣ ଗୁଣୀଭୂତ ଅଳିଶ୍ରେଣୀ ଯେ ।୧୯।

 

ମନ୍ତ୍ର ଧାଡ଼ିପରି । ୧୪ । ହେଠ-ନତ, ନମ୍ର; ତା ଉଦୟ ଦିଶେ-ଚନ୍ଦ୍ରୋଦୟର ଦିଗ ପୂର୍ବକୁ । ୧୫ । ଅଦର-ପଣ-ନିର୍ଭୟତା । ବାଳା ପ୍ରତିବିମ୍ବ ... ଚନ୍ଦ୍ରକଳାର ପ୍ରତିବିମ୍ବର ସୌନ୍ଦର୍ଯ୍ୟ ସଙ୍ଗରୁ ନିର୍ଭୟ ହେବାକୁ । ନଜରପଣ-ଦୃଷ୍ଟି ଦିଅ । ନର୍ମଲୋଳ ଭର୍ମଲତା-ହେ କ୍ରୀଡ଼ାଚଞ୍ଚଳ ସ୍ୱର୍ଣ୍ଣଲତିକା । ୧୬ । ଏହିଠାରେ ... ଏହି ପ୍ରତିବିମ୍ବରେ ଜୀବନ ଦେଇ (ସ୍ତ୍ରୀଭାବରେ) ମୋତେ କାହିଁକି ବିଧାତା ପୁରୁଷତ୍ୱ ନ ଦେଲା ? । ୧୭ । କେଶବଲ୍ଲରୀ-କେଶଗୁଚ୍ଛ । ଅଣ୍ଟାଇ କଣ୍ଟା ... କଣ୍ଟା ସେବତୀ ଫୁଲର ଫୁଲରୀତେଲ ଯଥେଷ୍ଟ ଦେଇ । ଝିନାଚାଦରେ–ସୂକ୍ଷ୍ମ ଚାଦରରେ । ଅମଳାନ-ଅମ୍ଲାନ, ପରିଷ୍କୃତ; କଙ୍କତିକା– ପାନିଆଁ, ଚାମର ଚଅଁର (କେଶସଙ୍ଗେ ତୁଳିତ) । ଚଳି ମରୁ–(କେଶଗୁଚ୍ଛଠାରୁ ଉଣା ବୋଲି) ବିରକ୍ତ ହୋଇ ନଷ୍ଟ ହେଉ । ୧୮ । ସରଙ୍ଗ ... ଜରି ଲାଗିଥିବା ଲାଲ ପାଟସୂତାରେ । ଚାମୀକର କିଆଦଳ–ସୁନାରକିଆପତ୍ରୀ (ଅଳଙ୍କାର ବିଶେଷ); ଜଗତୀ ... ଚଉଁରି ଜୂଡ଼ାତଳେ ସୁନା ଜରିଲଗା ଫୁଲିପୁଞ୍ଜିକୁ ଝୁଲାଇବାରୁ ଉପେକ୍ଷା କରାଯାଉଛି, ସେ ନିଜେ ଝୁଲି ଝୁଲି ଲୋକଙ୍କ ଧୈର୍ଯ୍ୟକୁ କମ୍ପନ ଶିଖାଇଲା କି ? । ୧୯ । ଠୁଳ ମୂଳରେ-ଚଉଁରିବନ୍ଧା ଜୂଡ଼ା ମୂଳରେ । ସୁଷମା ତୁଳରେ–ସୌନ୍ଦର୍ଯ୍ୟ

 

 

ବେଣୀ ନୁହଇ ସେ କି ଶିଶୁଶେଷ ।

କରି ସୁରାଳୟ ଧରା ପ୍ରବେଶ ।

ସେ ଘେନି ନ ଥିଲା ବିବେକ ଲେଶ ।

କଳା ପଡ଼ିଗଲା ନିଜ ଅଯଶ ସେ ।

ହେଲା ଏପରି ପ୍ରତୀତି ଯେ ।

କେଳିଲୋଳ କଳା କୁଣ୍ଡଳୀ ଛାର କି ଜୟେ ଯାହା କଲେ ମତି ଯେ ।୨୦।

 

କ୍ରମରେ ସତାରସୁଧାଂଶୁରେଖା ।

ଖଞ୍ଜିଲେ ଯା ନାହିଁ ତ୍ରିଲୋକେ ଦେଖା ।

ଦରଶ କ୍ଷୟ ଭୟ ମୟ ଚିତ୍ତେ ।

ବେଣୀ କୁହୁ ପ୍ରବାହକୁ ନିରତେ ସେ ।

ସେବିଲେ କି ଶିଶୁ ଦିନୁ ରେ ।

ପ୍ରାନ୍ତେ ବଡ଼ ଚୂନୀ ଗୁଣ୍ଡିଫୁଲ ତିନିବିଧ ସାଜିଲେ ସୁତନୁ ଯେ ।୨୧।

 

ଲଲାଟପଟ ନିକଟକୁ ବୋଲି ।

ରହିଲା ମୋତିପଞ୍ଜୀ ଛକ ଜାଲି ।

ମଣିରାଗିଡ଼ି ଚନ୍ଦ୍ରମା ଅର୍ଯମା ।

କେଶ ଅମାରେ ହେବା ପରି ଜମା ସେ ।

ଚାହିଁ ଚମତ୍କାର ଖଞ୍ଜା ଯେ ।

ଭଲ ମନ୍ଦ କିବା ଅଛି ଏ ବିଚାରେ ତାରା ହେଲେ ପୁଞ୍ଜା ପୁଞ୍ଜା ଯେ  ।୨୨।

 

ବିନ୍ଦୁ ଝାଲରିଆ ଅଳକେ ଗୁନ୍ଥି ।

ଖଞ୍ଜି ଦିଅନ୍ତେ ମୁକୁତା ସୀମନ୍ତୀ ।

ତ୍ରିଜଗତୀ ଧୃତି ଦେବାକୁ ମନ୍ଥି ।

ଫିଟିଲା ହାତ ହରପରିପନ୍ଥୀ ସେ ।

ମଉଳିମଣି ଉତ୍ତାରୁ ଯେ ।

ନବରତ୍ନ ଚିତା ସପତ ମୁକୁତା ଝୁମ୍ପି ଦେଇ କଲେ ଚାରୁ ଯେ ।୨୩।

 

ସିତାଷ୍ଟମୀ ନିଶା ନାଥକୁ ହଟି ।

ଜିଣିଲା ତା ଭାଲପଟ ଯାହାଟି ।

ସପ୍ତ ମୁକୁତା ଛଳେ ସପ୍ତ ଋଷି ।

ସମାଧାନ ପାଇ ଅବଶ୍ୟ ଆସି ସେ ।

ଥରିଲେ କି ଭୟ ବହି ଯେ ।

ଯୋଡ଼ା ଗନ୍ଧସାର ପାଟୀ ତରୁଆର ଝିଙ୍କା ହେବା ସ୍ଥଳ ଚାହିଁ ଯେ ।୨୪।

 

ଶ୍ରିତ ବାଞ୍ଛିତ ଫଳ ନାନାଜାତି ।

ଦେବାର ତ ବାଳା ସୁରବ୍ରତତୀ ।

ମୋତି ସୀମନ୍ତୀ ତା କୁସୁମ କେରା ।

ମୂଳେ ଆଳି ଭଳି ଖଞ୍ଜିଲେ ପରା ସେ ।

ଜାମ୍ବୁନଦ ଆମ୍ବକସି ଯେ ।

ପେଣ୍ଡି ପେଣ୍ଡି ହୋଇ ମଣ୍ଡିବାରୁ ସେ କି ବିରାଜିଲା ମଦାଳସୀ ଯେ ।୨୫।

 

ତୁଳନାରେ । ପଞ୍ଚବାଣ କମାଣ ... କନ୍ଦର୍ପଧନୁରେ ଗୁଣ ହୋଇଥିବା ଭ୍ରମରମାନେ ତାକୁ ଦେଖି ଡରିଲେ ଅର୍ଥାତ୍‌ ତା ଅପେକ୍ଷା ସେ ବେଶୀ ଅଧିକ ସୁନ୍ଦର ହେଲା । ୨୦ । ଶିଶୁଶେଷ-ସର୍ପରାଜ ଶେଷଦେବଙ୍କ ସାନପିଲା । ସୁରାଳୟଧରା ... ମଦଖଟିରେ ପ୍ରବେଶ କରିବାର ନିଜ ଅକୀର୍ତ୍ତି ହେତୁରୁ କଳା ପଡ଼ିଗଲା କି ? କେଳିଲୋଳ ... କ୍ରୀଡ଼ାସକ୍ତ କଳା ସାପମାନେ ଯାହା ସେ ବେଣୀକୁ ଜୟ କରିବାକୁ ଇଚ୍ଛା କଲେ ତାହା କି ଛାର ! କି ସାମାନ୍ୟ । ୨୧ । ସତାରସୁଧାଂଶୁରେଖା-ତାରକା ସହିତ ଖଣ୍ଡଚନ୍ଦ୍ର, ଦରଶ-ଦର୍ଶ, ଅମାବାସ୍ୟା: କୁହୁ-ଅମାବାସ୍ୟା, ଅମାବାସ୍ୟା ତିଥ କ୍ଷୟ ହେଉଥିବାରୁ ଚନ୍ଦ୍ରତାରାମାନେ ଚନ୍ଦ୍ରକଳାର ବେଣୀରୂପ ଅମାବାସ୍ୟାର ବିସ୍ତାରକୁ ତା ପିଲାଦିନୁ ଆଶ୍ରୟ କଲେ କି ? ପ୍ରାନ୍ତେ–ବେଣୀଶେଷରେ, ତିନିବିଧ-ତିନିପ୍ରକାର । ୨୨ । ମଣିରାଗିଡ଼ି– ରତ୍ନରେ ନିର୍ମିତ ମସ୍ତକର । ଅଳଙ୍କାରବିଶେଷ [ଚନ୍ଦ୍ର ଓ ଅର୍ଯମା (ସୂର୍ଯ୍ୟ) ରୂପ] କେଶରୁପ ଅମାବାସ୍ୟାରେ ଏକତ୍ର ଅଛନ୍ତି (ଅମାବାସ୍ୟାରେ ଚନ୍ଦ୍ର ସୂର୍ଯ୍ୟ ଏକ ରେଖାରେ ଅଛନ୍ତି), ମୋତିପୁଞ୍ଜ ଏଠାରେ ନକ୍ଷତ୍ର ସ୍ଥାନୀୟ । ୨୩ । ହରପରିପନ୍ଥୀ–କନ୍ଦର୍ପ, କନ୍ଦର୍ପ ହାତକୁ ମେଲିଲା କି ? ମଉଳିମଣିଉତ୍ତାରୁ–ମଥାମଣି ଆଗକୁ ରହିବାରୁ । ୨୪ । ସିତାଷ୍ଟମୀ ନିଶାନାଥ– ଶୁକ୍ଳପକ୍ଷର ଅଷ୍ଟମୀ ଚନ୍ଦ୍ର, ସମାଧାନ––ଆସ୍ଥାନ, ଯୋଡ଼ାଗନ୍ଧସାର ... ଦୁଇ ଭ୍ରୁଲତା ଉପରେ ଦିଆଯାଇଥିବା ଚନ୍ଦନପାଟିକୁ ଖଣ୍ଡା ବୋଲି ମନେ କରି ଭୟରେ ଥରିଲେ କି ? । ୨୫ । ଶ୍ରିତବାସ୍ଥିତ-ଚନ୍ଦ୍ରକଳା ଆଶ୍ରିତମାନଙ୍କୁ ବାଞ୍ଚିତ ଫଳ ଦେବାରେ ସୁରବ୍ରତତୀ (କଳ୍ପଲତା) ତୁଲ୍ୟ, ମୋତିରେ ନିର୍ମିତ ସୀମନ୍ତି-ସିନ୍ଥୀ (ଅଳଙ୍କାର ବିଶେଷ) ସେ ଲତାର ।

 

 

ଗାଙ୍ଗେୟ ସଙ୍ଗ ସକାଶରୁ ଚାରୁ ।

ମଣିକର୍ଣ୍ଣିକା ସମ୍ପର୍କ ପ୍ରଚାରୁ ।

କବିମତିକି ଏମନ୍ତ ଆଭାସେ ।

ବାଳାବଦନ ବାରାଣସୀ କି ସେ ଯେ ।

କାହିଁ ନାହିଁ ସେ ମାଧୁରୀ ଯେ ।

ଗଣ୍ଡଯୁଗ ଚୁମ୍ବି ଭଲା ମାନିଲା ସେ କଲମାଯୁଗଳୀ ଶିରୀ ଯେ ।୨୬।

 

ଗଣ୍ଡେ ତ ମକରୀଲୀଳା ନିଳୟ ।

ଶ୍ରୀମୁଖ ଲାବଣ୍ୟ କମଳାଶୟ ।

ମାଜିଦେବା ମୃଦୁ ସମୀର ବାଜି ।

ଏକ ପ୍ରଦେଶେ କି ଗଲେ ଆଉଜି ଯେ ।

ଚୂର୍ଣ୍ଣକେଶଶଇବଳ ଯେ ।

ମନ୍ଦାକ୍ଷ ପ୍ରମୋଦ ରୋଚନ ଲୋଚନଯୁଗ ଯହିଁ ନୀଳୋତ୍ପଳ ଯେ ।୨୭।

 

ସୁନା ଭୁଜଙ୍କ ମଲ୍ଲୀ ଅବତଂସ ।

ଆରମ୍ଭିଲା ଭଲା ବିବେକ ଧ୍ୱଂସ ।

ହେଲେ ଲୋଚନ ଦୁଃଖୀ ଶିଳାଟଙ୍କ ।

ବେଣ୍ଡୁଲାଫୁଲ ଝଲକା ତାଟଙ୍କ ସେ ।

ଅଂସଲମ୍ବୀ ଚାରୁ ଝୁମ୍ପା ଯେ ।

ଗହବ ସିନ୍ଧୁବାର ମୋତିମାଳିକା ଦୁହେଁ ହେଲେ ଦରକମ୍ପା ଯେ ।୨୮।

 

ହଟକରୁଛି ଜିଣିବାକୁ ଯାହା ।

ହଟ କରୁଅଛି ସେ ଝକ ଦେହା ।

ସୁବର୍ଣ୍ଣାବଳି କେଳିନିକେତନ ।

ସୁବର୍ଣ୍ଣପ୍ରଭୁଜା ତା ଅପଘନ ଯେ ।

ଏଣୁ ବିଚାରି ଶରଣ ଯେ ।

ସୁବର୍ଣ୍ଣାବଳୀ ଭୂଷଣଗଣ ଆସି କଲେ କି ଅନୁସରଣ ଯେ ।୨୯।

 

ଝୁଲା କିପରି ମାନିବ ଏ ଭାବେ ।

ବୁଲାକି ଖଞ୍ଜିଦେଲେ ଗଉରବେ ।

ବେଢ଼ ତ ପଚାକୁରୁବିନ୍ଦ ଅନ୍ତେ ।

ଅନ୍ତ ମୁକୁତାରୁ ହୋଏ ପରତେ ସେ ।

ଚଞ୍ଚପୁଟେ ସୁନା କୀର ଯେ ।

ସ୍ଥୂଳ ଲବଳୀଫଳ ଦୋଳା କରୁଛି ବିମୋହକୁ ପିନାକୀର ଯେ ।୩୦।

 

ଅଥ ରଜନୀନାଥମୁଖୀ ନାସା ।

ନଥର ଯୋଗେ ମଣ୍ଡିଲା କେ ଯୋଷା ।

ନ ଥର ବୋଲି ଦେଲେହେଁ ଖାତରସା

ପତର ହେଲେ ସେ ସଚରାଚର ଯେ

ନଥର ଥରିଲା ହେଲା ଯେ ।

ପଥରମ୍ୟକାରୀ ବାଳା ପଦକଞ୍ଜ ବଶ ମୁଁ ବୋଲି ଚିନ୍ତିଲା ଯେ ।୩୧।

କସମଗୁଚ୍ଛ । ଜାମ୍ମୁନଦ ଆମ୍ବକସି-ସୁନା ଆମକସି ( ଅଳଙ୍କାର ବିଶେଷ) ।୨୬ । ଗାଙ୍ଗେୟ-ସୁନା ଓ ଗଙ୍ଗା ସମ୍ବନ୍ଧୀୟ, ମଣିକର୍ଣ୍ଣିକା–-ମଣିରେ ନିର୍ମିତ କର୍ଣ୍ଣଭୂଷଣ ଓ କାଶୀର ପ୍ରଧାନ ତୀର୍ଥ, କଲମା ଯୁଗଳଶିରୀ-କଣ୍ଠ ନିକଟବର୍ତ୍ତୀ ବକ୍ରାକାର କ୍ଷୁଦ୍ର କେଶ ଭଙ୍ଗୀର ଶୋଭା । ୨୭ । ମକରୀ-ଗଣ୍ଡରେ ଚିତ୍ରିତ ମକରାକୃତି ଚିତ୍ର ଓ ସ୍ତ୍ରୀମଗର, ଲାବଣ୍ୟ କମଳାଶୟ-ଲାବଣ୍ୟ ଲକ୍ଷ୍ମୀଙ୍କର ସ୍ଥାନ ଏବଂ ଲାବଣ୍ୟ ରୂପ ଜଳାଶୟ, ମାଜିଦେବା– ଘଷିଦେବା, ଚୂର୍ଣ୍ଣକେଶରୁପ ଶୈବଳ (ଶିଉଳୀ), ମନ୍ଦାକ୍ଷ––ଲଜ୍ଜ୍ୱା, ପ୍ରମୋଦ–ଆନନ୍ଦ, ରୋଚନ -ପ୍ରୀତିପ୍ରଦାନ । ୨୮ । ସୁନାଭୁଜଙ୍ଗ ( ସର୍ପ) ଲଗାମଲ୍ଲୀକାବତଂସ (ମଲକଢ଼ୀନାମକ) କର୍ଣ-ଭୂଷଣ, ହେଲେ ... ତାହାର ଚକ୍ଷୁ ଦୁଃଖୀ ଅର୍ଥାତ୍ ବିରହୀ ପକ୍ଷରେ ଶିଳାଟଙ୍କ (ପଥରକଟା ଟାଙ୍ଗିଆ ଅସ୍ତ୍ର) ସ୍ଵରୁପ ହେଲେ । ତାଟକ-କାପ, ଅଂସଲମୀ-କାନ୍ଧଯାଏ ଲମ୍ବିଥିବା, ଗହବ– ଗହଳିଆ, ସିନ୍ଧୁବାରମୋତି–ସମୁଦ୍ରଜାତ ମୋତି । ୨୯ । ହାଟକ ରୁଚି-ସୁନାର କାନ୍ତି, ସୁବର୍ଣ୍ଣାବଳି-ସୁନ୍ଦର ଅକ୍ଷର ସମୂହ ବା ବିଦ୍ୟାସମୂହ, ସୁବର୍ଣ୍ଣପ୍ରଭୁଜା ... ଉତ୍କୃଷ୍ଟ ଜାତୀୟ ରାଜାଙ୍କଠାରୁ ଜନ୍ମ ଯାହାର, ସୁବର୍ଣ୍ଣାବଳୀ– ସୁନ୍ଦର ରୂପସମୂହ ଥିବା । ୩୦ । ବୁଲାକି– ଏକପ୍ରକାର ଦଣ୍ଡି, ବେଢ଼-ଚାରିପାଖରେ ବେଷ୍ଟନ; ପଚାକୁରୁବିନ୍ଦ–ଏକପ୍ରକାର ପଦ୍ମରାଗମଣି; ଚଞ୍ଚୁପୁଟ–ଥଣ୍ଟ; ସୁନାକୀର-ସୁନାଶୁଆ; ଲବଳୀଫଳ-ନରକୋଳି; ପିନାକୀ-ଶିବ । ୩୧ ରଜନୀନାଥମୁଖୀ-ଚନ୍ଦ୍ରମୁଖୀ, ନଥ-ନୋଥ (ନାକର ଅଳଙ୍କାର ବିଶେଷ); ନ ଥର-କମ୍ପ ନାହିଁ ଓ

 

ଉରୋଜସ୍ୱୟମ୍ଭୂ ଶମ୍ଭଯୁଗଳୀ ।

ସେବାର ହାଜର ହେବାକୁ ଭାଳି ।

ଖଞ୍ଜିଲେ ନାନାବିଧ ମାଳିମାନ ।

କ୍ରମରେ ଜଗିଲେ ଯେ ଯାହା ସ୍ଥାନ ଯେ ।

ବାଳାକଣ୍ଠକମ୍ବୁ ଘେନି ଯେ ।

ଯୋଡ଼ ଯୋଡ଼ି କରଯୁଗ ନିରନ୍ତର କି ଭାବେ ରହିଲେ ମାନି ଯେ ।୩୨।

 

ନାୟିକାମଣି ବାହୁମୂଳ ସ୍ତନ ।

ରାଇକା ପାଇ କାନ୍ତିରେ ଶୋଭନ ।

ଜରି ବୁଟା କଞ୍ଜ କସିଦା ପଡ଼ି ।

କୁସୁମ୍ଭାଦ୍ରବେ ଯାଇ ଅଛି ଜଡ଼ି ସେ ।

ଦିଶିଲା ଏମନ୍ତ ତୋରା ଯେ ।

ପ୍ରଳୟ କାଳ କ୍ରୋଧାରୁଣ ଶମ୍ଭର ମସ୍ତକ ତକିଆ ପରା ଯେ ।୩୩।

 

ସୁଗ୍ରୀବାଡ଼ମ୍ବର ସମୀପେ ଚାହିଁ ।

ଅଙ୍ଗଦ ଶରଣ ନ ଲଭି କାହିଁ ।

ବାଳୀର ବାହୁଛାୟାକୁ ଭଜିଲା ।

ଭଜିଲା ନାହିଁ ତ ଭଲା ମଜିଲା ସେ ।

ମଣି ଥିବାରୁ ବହୁତ ଯେ ।

ତାରାସୁତର ସାନ୍ନିଧ୍ୟବଶୁଁ ତାର ଗୁଣ ତ ଅପରିମିତ ଯେ ।୩୪।

 

ଜେମାମଣି ମଣିବନ୍ଧରେ ଆଳୀ ।

ଖଞ୍ଜିଲେ ତିଗା କଞ୍ଜି କଡ଼ିଆଳୀ ।

ସମୀପେ ସିଆକାଟୁ ଦେଲେ ପାଞ୍ଚି ।

ନବରତନ ସେବତୀ ପହଞ୍ଚି ସେ ।

ହେଲା ଶୋଭା ଅଂସକୋଚ ଯେ ।

ପଞ୍ଚସଂଖ୍ୟକରେ ଖଞ୍ଜିଲେ ସୁସଞ୍ଚଇନ୍ଦ୍ରନୀଳମଣି କାଚ ଯେ ।୩୫।

 

ଭାବିନୀଭୁଜ ଭାରି ହେବା ଡରୁ ।

ଭୂରିଭୂଷଣ ନ ଖଞ୍ଜିଲେ ଭୀରୁ ।

କୁଞ୍ଜରଗମନା କେବଳ ବଳେ ।

କଞ୍ଜ ମଞ୍ଜୁର ଗୁଞ୍ଜର ଯୁଗଳେ ସେ ।

ମଣ୍ଡିଲା କାଚ ଅନ୍ତିକ ଯେ ।

କାନ୍ଦିଶୀକ ନୋହି ବନ୍ଦୀ ହେଲା ତହିଁ ସଉନ୍ଦର୍ଯ୍ୟସାରଯାକ ଯେ ।୩୬।

 

ଅଙ୍ଗୁଳି କଳିକା ନଖାଗ୍ର ଶିରୀ ।

ସୁନ୍ଦର ଭାବ ଶୁଚିରସ ଝରି ।

ଦଶଧାର ହୋଇ ପଡ଼ିବ ବହି ।

ଏହି ଶଙ୍କାରେ କେହି ପ୍ରିୟସହି ଯେ ।

ମୁଦି ଦେଲା ଯତ୍ନ କରି ଯେ ।

ହେଲା କୁସୁମିତ ପଞ୍ଚଶାଖାଯୁତ ମନ୍ଦାରପଲ୍ଲବ ପରି ଯେ ।୩୭।

 

ଯା ନିକଟେ ହଂସ କରୁଛି ଲୀଳା ।

ସେ ଚରଣ ଶୋଣକଞ୍ଜେ କେ ବାଳା ।

ମଞ୍ଜୁରବ ଶୁଣି ହେବାକୁ ସୁଖୀ ।

ମଞ୍ଜୀରଯୋଗେ ପୂତ କରି ଆଖି ଯେ ।

ରଚିଲା ବଙ୍କିଆ ଲାଗି ଯେ ।

ସୁରମହୀମଳୟଜ ଲତାମୂଳ ଭଜିଲା କି ରାଜଭୋଗୀ ଯେ ।୩୮।

 

୯ ଥର, ଖାତର ଦେଲେ–ଦମ୍ଭ ଦେଲେହେଁ, ପଥରମ୍ୟକାରୀ ... ବାଟକୁ ସୁନ୍ଦର କରୁଥିବା ତାହାର ପାଦପଦ୍ମର ମୁଁ ଅଧୀନ ଅର୍ଥାତ୍‌ ସେ ଚାଲିଲେ ମୁଁ ହଲିବି ! ୩୨ । ଉରୋଜକନ ସ୍ଵୟମ୍ଭାଶୟୁ ---ସ୍ଵଭାବଜାତ ଶିବ, ମାଳିହାର ଓ ମାଳୀଜାତୀୟ ସେବକ, କଣ୍ଠକମ୍ୱୁ-କଣ୍ଠରୂପ ଶଙ୍ଖ । ୩୩ । ରାଇକା – କାଞ୍ଚୁଲା, କୂସୂମ୍ଭାଦ୍ରବ-କୁସୁମ ଫୁଲ ବର୍ଣ୍ଣର ତରଳ ରଙ୍ଗ । ୩୪ । ସୁଗ୍ରୀବାଡ଼ମ୍ବର-ସୁନ୍ଦର ଗୀବାଦେଶର ଶୋଭା, କପିରାଜ ସୁଗ୍ରୀବର ଐଶ୍ଵର୍ଯ୍ୟ; ଅଙ୍ଗଦ-ବଳୟ ଓ ତାରାପୁତ୍ର, ବାଳୀ-ଚନ୍ଦ୍ରକଳା ଓ କପିରାଜ ବାଳୀ, ତାରାସୁତ-ଅଙ୍ଗଦ । ୩୫। ମଣିବନ୍ଧ-କଚଟୀ, ତିଗା, କଡ଼ିଆଳୀ, ସିଆକାଟୁ ନବରତ୍ନ ନିର୍ମିତ ସେବତୀ ଫୁଲ ପରି ପହଞ୍ଚି (ପଞ୍ଚଖଡ଼ୁ)– ଏଗୁଡ଼ିକ ହସ୍ତାଳଙ୍କାର; ସୁସଞ୍ଚ–ସୁନ୍ଦର । ୩୬ । ଭାବିନୀ–ଯୁବତୀ (ଚନ୍ଦ୍ରକଳା), ଭୁରିଭୂଷଣ– ବହୁ ଅଳଙ୍କାର, ବଳେ-ନିଜ ଇଚ୍ଛାରେ, କଞ୍ଜମଞ୍ଜୁଳ-ପଦ୍ମପରି ସୁନ୍ଦର, ଗୁଞ୍ଜର ଯୁଗଳ– ଗୁଞ୍ଜର ଖଡ଼ୁ, ଦିଓଟି, କାନ୍ଦିଶୀକ–ଭୟରେ ପଳାୟିତ । ୩୮ । ହଂସ-ହଂସକ, ମଲ; ଚରଣଶୋଣକଞ୍ଜେ-ପାଦରୂପ ରକ୍ତପଦ୍ମରେ, ମଞ୍ଜୀର-ନୂପୁର, ବଙ୍କିଆ-ପାଦାଳଙ୍କାର ବିଶେଷ,

 

ତ୍ରିଗୁଣ କିଙ୍କିଣୀ ଖଞ୍ଜି ପଉଞ୍ଜୀ ।

ଦେଇ ସେ କଞ୍ଜରୀଟନେତ୍ରା ଖଞ୍ଜି ।

ଝୁଣ୍ଟିଆ ପ୍ରମୁଖ ଅଙ୍ଗୁଳିଭୂଷା ।

ଖଞ୍ଜ ମନେ କଲେ ଏହି ପ୍ରଶଂସା ସେ ।

ଜଙ୍ଗମ ହେମ ନଳିନ ଯେ ।

ନିଜ ଜାତି ବ୍ରଜ ଜିଣିମାରୁ ଆଜ ଲଭିଲା କନକସ୍ନାନ ଯେ ।୩୯।

 

ପଙ୍କଜାକୃତି ହେମପାତ୍ରେ ଦଳି ।

ଯାବକ ରଖିଥିଲା ଯେଉଁ ବାଳୀ ।

ସ୍ୱକର ମଣ୍ଡି ବାମା ବାମ ପାଦେ ।

ଦକ୍ଷିଣ ଚରଣ ଚାହେଁ ପ୍ରମୋଦେ ସେ ।

ଲଭି ସେ ଭାଜନ ଭ୍ରାନ୍ତି ଯେ ।

ଆଲେଖ୍ୟଶଳାକା ଚାଳନ୍ତେ ବାଳିକା ହସିଦେଲା ମଥା ପୋତି ଯେ ।୪୦।

 

ଆଳୀ ହସି କରତାଳିକି ଘେନି ।

ଜଣାଇଲେ ଆରେ ବରବର୍ଣ୍ଣିନି ।

ସମ୍ପାଦିଛୁ ଭଲା ଲାବଣ୍ୟଭୂତି ।

ଭରମି ନ ଯିବ କାହାର ମତି ଯେ ।

ଏହାର କି ଦୋଷ ହେଲା ଯେ ।

କାହାର କରିବ କଞ୍ଜସୁତ ତତେ ଯାହାର ସୁକୃତ ଭଲା ରେ ।୪୧।

 

ଏ କଉତୁକ ରସ ବରଷାରେ ।

ପଡ଼ି କେ କାହା ଉପରେ ରସାରେ ।

ପଡ଼ି ସତ୍ୟ ଲାକ୍ଷା ପାତ୍ରୀ ରସରେ ।

ଚିତ୍ର ଚାତୁର୍ଯ୍ୟଭର ପ୍ରକାଶରେ ।

ସାଜିଲେ ପାଦଯୁଗଳୀ ଯେ ।

ସୁନାବଲ୍ଲରୀ ପଲ୍ଲବ ରଚିଲା କି ସୁରଭି ଶିରୀମଣ୍ଡଳୀ ଯେ ।୪୨।

 

ଶାଢ଼ୀଲାଚିକି ସଜାଡ଼ି ସମ୍ଭାର ।

ଉଭାକଲେ ଧରି ଶୁଭାଙ୍ଗୀକର ।

ବ୍ରୀଡ଼ା ଲୋଳନେତ୍ର କ୍ରୀଡ଼ାରୁ ଜାଣି ।

ଦୂର ହେଲେ କେତେ କୁରଙ୍ଗେକ୍ଷଣୀ ସେ ।

ଲାଗି ହେଲା ମେଘାମ୍ବର ଯେ ।

ସୁମ ଲତିକାରେ ମିନା ଫୁଙ୍କିଲା କି କଉତୁକୀ ବେଦବର ଯେ ।୪୩।

 

ନୀରନ୍ଧ୍ର ଆନ୍ଧ୍ର ଡଉଲରେ ପିନ୍ଧି  

ପୁରୁଷାୟିତ ବେଶ ନୀବୀ ବାନ୍ଧି ।

ପଦାଞ୍ଚଳଚୁମ୍ବୀ ଅଞ୍ଚଳ କୁଞ୍ଚ ।

ଚଞ୍ଚଳାକ୍ଷୀ କରେ ଭିଡ଼ି ସୁସଞ୍ଚ ସେ ।

ଖଞ୍ଜିଲେ କମରପଟା ଯେ ।

କମର ସୁଷମା ଅମରପୁଙ୍ଗବ ସ୍ତୋମର ଧଇର୍ଯ୍ୟଫଟା ଯେ ।୪୪।

 

ସୁରମହୀ–ସ୍ଵର୍ଗ, ମଳୟଜଲତା- ଚନ୍ଦନଲତା, ରାଜଭୋଗୀ-ସର୍ପରାଜ ବାସୁକି । ୩୯ । ତ୍ରିଗୁଣକିଙ୍କିଣୀ-ତିନିଗୁଣିଆଁ ଘାଗୁଡ଼ିଲଗା ଅଣ୍ଡାର ଅଳଙ୍କାର, ପଉଞ୍ଜୀ-ପଇଞ୍ଚ ନାମକ ଅଳଙ୍କାର, ଜଙ୍ଗମହେମନଳିନ-ଚଳନ୍ତା ସ୍ଵର୍ଣ୍ଣପଦ୍ମ ଚନ୍ଦ୍ରକଳାର ପାଦ) । ୪୦ । ଯେଉଁ ସଖୀ ପଦ୍ମାକୃତି ସୁନା ପାତ୍ରରେ ଅଳତା ରସ ରଖିଥିଲା, ସେ ବାମ ପାଦରେ ଅଳତା ଦେଇସାରି ଦକ୍ଷିଣ ପାଦକୁ ଭ୍ରମରେ ସୁନା ଅଳତାପାତ୍ର ଭାବି ତହିଁରେ ଆଲେଖ୍ୟଶଳାକା (ଚିତ୍ର କରୁଥିବା ବା ଅଳତା ଦେଉ ଥିବା କାଠୀ ବା ତୁଳୀ)କୁ ବୁଡ଼ାଇବାକୁ ଚେଷ୍ଟା କରିବାରୁ ଚନ୍ଦ୍ରକଳା ମୁଣ୍ଡପୋତି ହସିଦେଲା । ୪୧ । ଲାବଣ୍ୟଭୂତି – ସୌନ୍ଦର୍ଯ୍ୟସମ୍ପତ୍ତି, କଞ୍ଜସୁତ-ବ୍ରହ୍ମା, ପ୍ରଜାପତି । ୪୨ । ଏ କୌତୁକରୁପ ରସ (ଜଳ) ବର୍ଷାରେ, ରସା–ପୃଥିବୀ, ସୁନାବଲ୍ଲରୀ ସ୍ୱର୍ଣ୍ଣଲତା ଚନ୍ଦ୍ରକଳାର ଦେହ,) ପଲ୍ଲବ– (ରକ୍ତବର୍ଣ୍ଣ) ନୂଆପତ୍ର, ସୁରଭିଶିରୀମଣ୍ଡଳୀ ବସନ୍ତ ଶୋଭାରାଶି । ୪୩ । ସମ୍ଭାର– ଆୟୋଜନ, ଶୁଭାଙ୍ଗୀ–ସୁନ୍ଦରୀ, ବ୍ରୀଡ଼ା-ଲଜ୍ଜ୍ୱା, ମେଘାମ୍ଭର–ଏକପ୍ରକାର ଶାଢ଼ୀ, ସୁମଲତିକା ... କୌତୁକୀ ବିଧାତା ସୁନାଲିତାର ମିନା ଫୁଙ୍କିଲା ଅର୍ଥାତ୍ ରତ୍ନ ବସାଇବା ରୂପ ଶିଳ୍ପଚାତୁରୀ ଦେଖାଇଲା କି ? । ୪୪ । ନୀରନ୍ଧ୍ରଆନ୍ଧ୍ରଡଉଲରେ-ଠିକ ତୈଲଙ୍ଗ ଢଙ୍ଗରେ । ପୁରୁଷାୟିତ– ବିପରୀତରତି, ନୀବୀ-କଟିବସ୍ତ୍ରର ଗଣ୍ଠି, ସୁସଞ୍ଚ –ଯତ୍ନରେ, କମର-କଟି, ଅମର-ପୁଙ୍ଗବସ୍ତୋମର–ବଡ଼ ବଡ଼

 

ବାର ଷୋଳସୋରା ଜାଲି ମଞ୍ଜୁଳ ।

ତ୍ରିଗୁଣ ହେମକିଙ୍କଣୀ ବାଚାଳ ।

ରସନାଦାମ ତହୁଁ ଦେଲେ ବାନ୍ଧି ।

ଏହି ଉପମାନ ରହିଲା ରୁନ୍ଧି ସେ ।

ନୁହଇ ନିତମ୍ବବିମ୍ବ ଯେ ।

ମଦନବିଜୟଡିଣ୍ଡିମଯୁଗଳୀ ହେଲା ମଣ୍ଡନାବଲମ୍ବ ଯେ ।୪୫।

 

ଯାହା ଲାବଣ୍ୟ ସ୍ୱାଦସୁଧା ଆଶେ ।

ଦଇବ ଖଞ୍ଜିଛି ରସନାପାଶେ ।

ସୂକ୍ଷ୍ମ ନେତ୍ରେ ତହିଁ ଜଗି ଥିବାର ।

ଘେନିଲେ ହେଲା କେଉଁ ଚମତ୍କାର ସେ ।

ତହୁଁ ସେ ଆସନେ ନେଇ ଯେ ।

ବିଜେ କରାଇଲେ ସେ ମୃଗଲୋଚନା ତିଳକ ରଚନା ପାଇଁ ଯେ ।୪୬।

 

ମଞ୍ଜୁଳନୟନ ଖଞ୍ଜନ ଯୁଗେ ।

ଲାଞ୍ଜୀ ମନୋହର ଅଞ୍ଜନ ଯୋଗେ ।

ତା ଡୋଳାମସୀର ମୟୂଖରେଖା ।

କର୍ଣ୍ଣାକାଶ ତୁଲେ ହେଲା କି ସଖା ସେ ।

କି ତା ନେତ୍ର ଦୀର୍ଘ ଭାବ ଯେ ।

ଲାଞ୍ଜୀବ୍ୟାଜନୀଳ ଦଣ୍ଡରେ ମାପିଲା ସରସୀରୁହସମ୍ଭବ ଯେ ।୪୭।

 

ବିଶିଷ୍ଟାଦ୍ୱୟିତ୍ୱ ମତାନୁସାରୀ ।

ଚଳନ୍ତେ ସୁନ୍ଦର ସିନ୍ଦୂରଶିରୀ ।

ସୁର୍ଭାନୁରଦ ବ୍ରଣରେଖା ପାଇ ।

ଦରେ ପୂର୍ଣ୍ଣ ସୁଧାକର ପଳାଇ ସେ ।

କେଶ ଜଳଦ ଗହନେ ଯ ।

ହେବାରୁ ପ୍ରବେଶ ଅର୍ଦ୍ଧଅଙ୍ଗ ଦେଶ ଦିଶେ କି ପ୍ରତୀତ ମନେ ଯେ ।୪୮।

 

ନିର୍ମାଣିଲେ ବିନ୍ଦୁ କସ୍ତୂରୀ ବୋଳେ ।

ଚନ୍ଦନ ନିତି ମଲ୍ଲୀ ତାହା ତୁଲେ ।

ଲେଖିଲେ କୁରଙ୍ଗମଦ ଆଖିଆ ।

ଦେଖିବା ଜନ ବିବେଚନାଖିଆ ସେ ।

ରଦବାସେ ମସୀମାଛି ଯେ ।

ଚିବୁକେ ମକରୀ ରୂପକ ମକରୀ ଯୋଗାଡ଼ିଲେ ହାର ବାଛି ଯେ ।୪୯।

 

ସ୍ଥୂଳ ମୁକୁତା ଘନସାରମାଳୀ ।

ଗହବ ଗୁନ୍ଥା ଛିଟ ପୁଷ୍ପପାଳୀ ।

ଚନ୍ଦ୍ରହାରା ତୁଲେ ରାଜନ୍ତେ ମିଶି ।

ତ୍ରିଗୁଣମୟୀ ଅବିଦ୍ୟା ସଦୃଶୀ ଯେ ।

ବିଦ୍ୟାନିଧି ଆଭାସିଲା ଯେ ।

ଅଂସ ଚୁମ୍ବିବାର ଇଟଳା ଗଭାର ମଧ୍ୟେ କେ ଝରା ଖୋସିଲା ଯେ ।୫୦।

 

ଗଭା ନୋହେ କି ସେ ବାଳା କଟାକ୍ଷ ।

ପୃଥୁଳ ମୃଦୁଳ ପ୍ରଥମ ଲକ୍ଷ୍ୟ ।

ତହିଁ ଖୂରଳୀ ଯେବେ ହେଉଥିବ ।

ସୂକ୍ଷ୍ମ କର୍କଶ ଲକ୍ଷ୍ୟ ଦ ଭେଦିବ ।

ବିଧି ବିଚାର କି ଏହା ଯେ ।

ତୁଳିତ ଶଙ୍କର ଯତୀଶ୍ୱରଙ୍କର ବତାଇବା ରକ୍ଷା ରାହା ଯେ  ।୫୧।

 

ଦେବତାସମୂହର । ୪୫ । ବାଚାଳ-ଶବ୍ଦାୟମାନ ରସନାଦାମ-ଚନ୍ଦ୍ରହାର, ବିଜୟଡିଣ୍ଡିମ-ଜୟ ଢକ୍‌କା । ୪୬ । ଯାହା ଲାବଣ୍ୟ ଯେଉଁ ଗୁପ୍ତଅଙ୍ଗର ସଦରୂପ ଅମୃତ ଆଶାରେ ବିଧାତା ରସନା । (ଚନ୍ଦ୍ରହାର ଓ ଜହ୍ମା)କୁ ତା ନିକଟରେ ଖଞ୍ଜିଛି, ସୂକ୍ଷ୍ମନେତ୍ର-ତୀକ୍ଷ୍‌ଣ ଚକ୍ଷୁ ଅଥଚ ସରୁ ବସ୍ତ୍ରଖଣ୍ଡ । ୪୭ । ଡୋଳାମସୀର ମୟୁଖରେଖା-ଆଖିଡୋଳାର କାଳିମାର ଜ୍ୟୋତିରେଖା ଲାଞ୍ଜୀବ୍ୟାଜନୀଳଦଣ୍ଡ-ଲାଞ୍ଜୀରୁପ କପଟନୀଳଯଷ୍ଟି, ସରସୀରୂହସମ୍ଭବ-ବ୍ରହ୍ମା । ୪୮ । ବିଶିଷ୍ଟଦ୍ୱୈତମତାନୁସାରୀ-ବେଦାନ୍ତବାଦୀ ଶ୍ରୀ ବୈଷ୍ଣବଙ୍କ ପରି (ଶ୍ରୀ ବୈଷ୍ଣବମାନେ ଭାଲିଦେଶରେ ସିନ୍ଦୂର ତିଳକ କରନ୍ତି) । ସ୍ଵର୍ଭାନୁରଦ ... ରାହୁଦନ୍ତର ଆଘାତଜନିତ ରକ୍ତବର୍ଣ୍ଣ ଗାର ଦେଖି ପୂର୍ଣ୍ଣଚନ୍ଦ୍ର ପଳାଇ ଯାଇ କେଶରୂପ ମେଘଗହନରେ ପଶିଗଲା କି ? ମସ୍ତକରେ ଘେନିଥିବା ଅର୍ଦ୍ଧଚନ୍ଦ୍ରାକୃତି ସ୍ଵର୍ଣ୍ଣାଳଙ୍କାର ସେହି ଲୁଚିଥିବା ଚନ୍ଦ୍ରର ଅର୍ଦ୍ଧଅଙ୍ଗ ପରା । ୪୯ । କସ୍ତୂରୀବୋଳେ-କସ୍ତୂରୀରସରେ, ଚନ୍ଦନ ... ତା ସଙ୍ଗରେ ଚନ୍ଦନବିନ୍ଦୁ ଓ ନିତି ମଲ୍ଲୀବିନ୍ଦୁ ଦେଲେ । କୁରଙ୍ଗମଦ–ମୃଗମଦ ବା କସ୍ତୂରୀ, ଆଖିଆ–ଅର୍ଦ୍ଧଚନ୍ଦ୍ରାକୃତିରେଖା, ରଦବାସ– ଅଧର, ମସୀମାଛି-କସ୍ତୁରୀରେ ମହୁମାଛି । ମକରୀ ରୂପକ ମକରୀ-ମାଈ ମଗର ପରି ମକରିକା ଚିତ୍ର । ୫୦ । ଘନସାରମାଳୀ– କର୍ପୂରମାଳା, ଛିଟପୁଷପାଳୀ-ଚିତ୍ରିତ ଫୁଲମାଳ, ତ୍ରିଗୁଣମୟୀ ... ସତ୍ତ୍ୱ, ରଜ ଓ ତମୋଗୁଣମୟୀ ଅବିଦ୍ୟା (ମାୟା)

 

ମୋହନବେଶ ନିବିଡ଼ିବା ଚାହିଁ ।

ତାମ୍ବୂଳକରଙ୍କବାହିନୀ କେହି ।

କର୍ପୂର ବିଡ଼ିଆ ବିଡ଼ି ଖଟିଲା ।

ଅନ୍ତର କାନ୍ତି ବାହ୍ୟକୁ ଫୁଟିଲା ଯେ ।

ଲାଗିଲା ମସାଲ ଯୋଡ଼ି ଯେ ।

ଚାମର ମୟୂର ଝୁଲ ଆଦି ଜମା ହେଲା ନାନାରାଜଛାଡ଼ି ଯେ ।୫୨।

 

ସାୟନ୍ତନ ଦୀପ କଳିକାଯାକ ।

ହୋଇଥିଲେ ଯେ ଭୂଲୋକ ଅନେକ ।

ଅଦ୍ୱିତୀୟ ମୂର୍ତ୍ତି ହୋଇ କି ମିଶି ।

ଚଳିଷ୍ଣୁ ହେଲା ସହୀରୂପେ ଦିଶି ସେ ।

ଜନନୀ ପୁରକୁ ଗଲା ଯେ ।

ଘନ ନୀଳକେଶୀଠାରେ କା ନୟନ ମନ ନିମଗ୍ନ ନୋହିଲା ଯେ ।୫୩।

 

ନରକଚ୍ଛେଦୀ ଶିରୀ କଣ୍ଠଭୂଷ ।

ବିଭୂତ୍ୟବଲେପ ବିଭୋ ଧରେଶ ।

ପନ୍ନଗାଶନଲାଞ୍ଛନ ଶୋଭଦ ।

ପନ୍ନଗଶୟ ପନ୍ନଗମଣ୍ଡନ ହେ ।

ଦୁହିଙ୍କ ପଦାରବିନ୍ଦ ଯେ ।

ଭଜି ରାମଚନ୍ଦ୍ର ଦେବ ଗଣେ ଏହା ନେପଥ୍ୟପଥ୍ୟ ଏ ଛାନ୍ଦ ଯେ ।୫୪।

 

କାଞ୍ଚନଦେହାଙ୍କ ମନୋରଞ୍ଜନ ।

ବଞ୍ଚାଇବା ଯୁବ ନିବହ ଦିନ ।

ସଞ୍ଚାର କରିବ ଏ ଯାହା ହୃଦେ ।

ପଞ୍ଚାଶପଞ୍ଚ ପରିମିତ ପଦେ ଯେ ।

ଘୁଞ୍ଚାଇବ ତା କଦନ ଯେ ।

ମଞ୍ଚରେ ଭାରତୀ ଦେବୀ ଲାଗିବାସ ଅଞ୍ଚଳ ବୋଲି ଏ ଘେନ ହେ ।୫୫।

 

ପରି । ଅଂସ-କାନ୍ଧ, ଇଟଳାଗଭା–-ଅଁଳାଫୁଲ ସଦୃଶ ଜୁଡ଼ା ଯାହାର, ଝରା-ଫୁଲତୋଡ଼ା । ୫୧ । ଖୁରଳୀ- ଅସ୍ତ୍ରକ୍ଷେପଣ ଶିକ୍ଷାର ଅଭ୍ୟାସ । ୫୩ । ସାୟନ୍ତନଦୀପ ... ସନ୍ଧ୍ୟାବେଳେ ପୃଥିବୀରେ ଜାତ ହୋଇଥିବା କଳିକାକୃତି ଦୀପଶିଖାମାନେ ଏକରୂପରେ ମିଳିତ ହୋଇ ଚନ୍ଦ୍ରକଳାର ସଖୀରୂପ ଧରି ଚଳିଷ୍ଣୁ (ଗତିଶୀଳ), ହେଲେ କି ? । ୫୪ । ନରକଛେଦୀ-ନରକାସୁରବିନାଶନ, ଶିରୀକଣ୍ଠଭୂଷ–ଲକ୍ଷ୍ମୀଦେବୀ ଯାହାଙ୍କର କଣ୍ଠର ଭୂଷଣସ୍ୱରୁପ (ବିଷ୍ଣୁ,) ବିଭୂତ୍ୟବଲେପ-ବିଭତିଭୂଷଣ, ଧରେଶ–ଗିରୀଶ (ଶିବ), ପନ୍ନଗାଶନଲାଞ୍ଚନ–ଗରୁଡ଼ଧ୍ୱଜ, ପନ୍ନଗଶୟ– ଶେଷଶଯ୍ୟାଶାୟୀ (ବିଷ୍ଣୁ), ପନ୍ନଗମଣ୍ଡନ-ସର୍ପଭୂଷଣ (ଶିବ), ନେପଥ୍ୟପଥ୍ୟ––ବେଶର ହିତକର ।

 

ଦଶମ ଛାନ୍ଦ

ରାଗ – ବସନ୍ତ

(ବନବିହାର)

 

ଅଥ ବିଚକ୍ଷଣେ କ୍ଷଣେ ସାବଧାନେ ଘେନ ।

କୁସୁମ ସମୟମୟ ହୋଇଲା ଭୁବନ ।

ହେଲା କ୍ଷଣପ୍ରଭାପ୍ରଭାପରି କ୍ଷଣେ କ୍ଷଣେ ।

ଶ୍ରୀଅଙ୍ଗ ଜେମାର ମାରମାରଗଣ ଗଣେ ଯେ ।୧।

 

ତହୁଁ ସେ ପରମରମଣୀୟାଙ୍ଗୀ ରାମାଳି ।

ଏଥିକି ଯତନେ ତ ନ କଲେ ନୋହେ ଭାଳି ।

କହିଲେ ରେ କର କର ବୀଜଦନ୍ତି କର ।

ଧ୍ୱନି ଶୁଣୁଛ ତ ଚୂତଶିଖେ ପିକଙ୍କର ।୨।

 

ଚନ୍ଦନ ପବନ ବନ କଲା ସକମ୍ପନ ।

ପରାଗଧୂସର ସରଣୀରେ ଚଳେ ଜନ ।

ଅଶେଷ ରୋଲମ୍ବ ଲମ୍ବ କରି ନିଜ ଶ୍ରେଣୀ ।

କଲେନି ଗର୍ଜନ ଜନଧୃତିହୃତି ଜାଣି ।୩।

 

ବିକଚ ବକୁଳ କୁଳ ସଙ୍ଗେ ମନ ଝାଳି ।

ବାସ ପ୍ରସାରୁଚି ରୁଚିଦାୟିନୀ ନିଆଳୀ ।

ଏକାଳ ଭ୍ରମଣ ମଣ ଶ୍ରୀଅଙ୍ଗକୁ ପଥ୍ୟ ।

ଶୁଣି ବାଳାମଣି ମଣି ମନେ ମହାତବ୍ୟ ।୪।

 

ରଖି ପ୍ରମୋଦରେ ଦରେ ରଦବାସେ ହାସ ।

ଲୋଚନ ଅଞ୍ଚଳ ଚଳେ କଲା ଫରମାସ ।

ଜାଣି ପରିବାରୀ ବାରିଜାକ୍ଷୀ ମନୋରଥ ।

କଲେ ପରିଷ୍କୃତ କୃତକୃତ୍ୟ ହୋଇ ପଥ ।୫।

 

ବିଜେ ବଡ଼ଭୀରୁ ଭୀରୁ କେଳିବନ ସରି ।

ସିଞ୍ଚିଲେ ପନୀର ନିରତରେ ବିନ୍ଦୁ କରି ।

ବିଞ୍ଚିଗଲେ ଘନ ଘନସାର ସାରରଜ ।

ବିଛାଇଲେ ନବନବମାଳୀ ଦଳବ୍ରଜ ।୬।

 

ଆଦ୍ୟ ପ୍ରାନ୍ତ କରି କରିଦନ୍ତସ୍ତମ୍ଭ ପୋତି ।

ଟାଣି ଚନ୍ଦ୍ରତାପ ତପନରୁ ଛାଡ଼ି ଭୀତି ।

ଆଡ଼ଣୀ ଚାମର ମରକତ ପିକଦାନୀ ।

ମୁଠାରେ ଭରମରମଣୀୟ ମୁଠା ଘେନି ।୭।

 

ଅମୂଲ୍ୟ ଶୁକସଙ୍କାଶ ମୁଖବାସ ଝରୀ ।

ପ୍ରମୋଦବଶରୁ ସରୁ ମର୍ଦଳ ଖଞ୍ଜରୀ ।

ତାହାର ଶ୍ରୀକର କରବାଳ ଗଣ୍ଡାଢାଲ ।

ବିଭାବରୀକର କରମାଳିଆ ଚିରାଳ ।୮।

 

ରତ୍ନଅବିକଳ କଳଧୌତ ଛଡ଼ି ଧରିସା

ଭେଟିଲେ କିଙ୍କରୀ କରିଗମନାକୁ ଘେରି ।

ଚାହିଁ ସଖୀ ଲେଖା ଲେଖାକନ୍ୟା ସ୍ୱରୂପାର ।

ସାଜିଲେ ଗୁଲାଲ ଲାଲ ରଜର ସମ୍ଭାର ।୯।

 

ଭିଡ଼ି ଅବଲଗ୍ନ ଲଗ୍ନ ଚାରୁ ଚେଳାଞ୍ଚଳେ ।

ବାନ୍ଧିଲେ ଅବୀର ବୀରବେଶା କୁତୂହଳେ ।

ଛାଡ଼ି ଭୁଜଭର ଭରମାଙ୍ଗୀ ବୟୋମଦେ ।

ହସି ଉଭା ହେଲା ହେଲା ପ୍ରକାଶି ପ୍ରମୋଦେ ।୧୦।

 

ମହୀଦୁଃଖାପହ ପହଣ୍ଡରେ ରଖି ଟାକ ।

ଗଲା ଆହା ବିଜେ ବଜେ ମଣିମା ଏ ଡାକ ।

ଶ୍ରୀହସ୍ତ ସିତାର ତାର ଧଇଲା କେ ସହୀ ।

ବିବାଦକୁ ଡାକି ଡାକି ବଜାଇଲେ କେହି ।୧୧।

 

ଧଇଲା ଖଞ୍ଜରୀ ଜରୀ ତକିଆମଣ୍ଡିତା ।

ନରେନ୍ଦ୍ରତନୟା ନୟାଗମ ସୁବଣ୍ଡିତା ।

ଆନନ୍ଦଅମଳ ମଲ୍ଲବେଶାକୁ ଘାରିଲା ।

ମଦଦ୍ୱିରଦର ଦର ରଖି ବାହାରିଲା ।୧୨।

 

ଅଳଙ୍କୃତ ଝଣ ଝଣ ନାଦେ ପଥ ଭରି ।

ବିଜେ କଲା ରଣରଣ ସମରକୁ ପରି ।

ସରସ ସାହସ ହସ ପ୍ରକାଶି ଜଗତ ।

କଲା ବିଶାରଦା ରଦାଂଶୁରେ ଧବଳିତ ।୧୩।

 

କରି ପରବେଶ ବେଶବତୀ ହୃଷ୍ଟ ମନେ ।

ଚାହିଁ ମଧୁରମାର ମାଧୁର୍ଯ୍ୟ କେଳି ବନେ ।

କୁସୁମଲବନେ ବନେ ବିହରିବା ଚିନ୍ତି ।

ବିହିଲାଇଁ ସାରା ସାରା ମଣ୍ଡଳ ବିଭୂତି ।୧୪।

 

ହୃଦୟ ଆକୂତକୁ ତରଳାକ୍ଷୀର ଜାଣି ।

ତୋଳିଲେ କୁସୁମ ସୁମଧୁରା ଶ୍ରେଣୀ ।

ଜେମାସଖୀବ୍ରଜ ବ୍ରଜଦେବୀଙ୍କ ଡଉଲେ ।

ପରିହାସ ରସର ସଞ୍ଚାର କରାଇଲେ ।୧୫।

 

ପୁନ୍ନାଗଭୂରୁହରୁ ହରିଣନେତ୍ରା ଜଣେ ।

ତୋଳେନ୍ତେ ପ୍ରସୂନ ସୁନୟନା କେହି ଭଣେ ।

ପୁରୁଷ ଏ ତରୁ ତରୁଣୀ ରେ ତତେ ଜଣା ।

ଫୁଟିଛି ଏ ଘେନି ଘେନିଲୁ କି ମନେ ଉଣା ।୧୬।

 

ଯେତେ ଲାଟ ସାର ସାର ହେଲେହେଁ ତାହାର ।

ପୁନ୍ନାଗେ ଭରସି ରସିବାର ଅସୁନ୍ଦର ।

ସେ ବୋଲେ ରେ ସହି ସହି ପାରିବି ନାହିଁଟି ।

ପାଖେ ଛୁରିଅନା ଅନା କଣ୍ଠୀରବକଟୀ ।୧୭।

 

ତହୁଁ ସୁଧୀରା କେ ରାକେଶ୍ୱରମୁଖୀ କହେ ।

ତୁ ଜଗତୀଭୂଷା ଭୂଷା ଚମତ୍କାର ନୋହେ ।

କେହି ପୁଣି କର କରବୀରକୁ ବଢ଼ାନ୍ତେ ।

କେ ବରାରୋହା ସହାସେ ରସି ବୋଲେ ଏତେ ।୧୮।

 

କଲୁ ତ ନିକର କର ବୀରେ ଖେଳିବାର ।

ମଧ୍ୟରେ ଅବୀର ବିରଚିବା କି ପ୍ରକାର ।

ତୋଳନ୍ତେ କଂକେଳି କେଳିରତା କେ ଛଇଳା ।

ତାର ସମୁକୁଳକୂଳଶାଖାକୁ ଧଇଲା ।୧୯।

 

ପଛରୁ କେ ଯାଇ ଜାଈମୃଦୁଦେହା ଗେଲେ ।

ଭିଡ଼ିଲା ତା କୁଚକୁ ଚତୁରୀ ଛାତି ତୁଲେ ।

ସେ ଭାଷିଲା ଆଳି ଆଲିଙ୍ଗନୁ ଦିଅ ଛାଡ଼ି ।

ମୁକୁଳବତୀ ରତିରସରେ ଅଛି ବୁଡ଼ି ।୨୦।

 

ମୃଦୁବାତେ ମଧୁ ମଧୁ ଅଙ୍ଗେ ପକାଇଲା ।

ଚମକି କେ ବଧୂ ବଧୂଲିକି ତକାଇଲା ।

କେ ବାମାବର ସେ ରସେ ବୋଇଲା ତହିଁକି ।

ମୋର ପ୍ରାଣବନ୍ଧୁ ବନ୍ଧୁକରେ ପଡ଼ିଲୁ କି ।୨୧।

 

ସୁମନ୍ଦାରରାଜି ରାଜି କରି କେ ନାଗରୀ ।

ଜଳପିଲା ମଦେ ମଦେଭେନ୍ଦ୍ରଗତି କରି ।

ଦେଖ ଭୋଗ କରେଁ କରେ ସୁବରଜବାଳୀ ।

କୃଷ୍ଣଟି ମୁଁ ମାନ ମାନବାଏ ଧର୍ମପାଳି ।୨୨।

 

ଧରି ସିନ୍ଧୁବାରବାର କରୋଦରେ ଗେଲେ ।

ଜିଣିଲି କୁମ୍ଭଜ ଭଜ ମୋତେ ଲୋକେ ବୋଲେ ।

ନାଗିଣୀ ପାଖରେ ଖରେ ଚାହିଁ ବିଚକିଳ ।

ବିହିଲା କେ ମଲ୍ଲୀ ମଲି ବୋଲି କୋଳାହଳ ।୨୩।

 

ବ୍ରଜଦେବୀଙ୍କ ଡଉଲେ-ଗୋପୀମାନଙ୍କ ପରି । ୧୬ । ପୁନ୍ନାଗଭୂରୁହ-ପୋଲାଙ୍ଗଗଛ ଓ ପୁରୁଷଶ୍ରେଷ୍ଠ, ପୁରୁଷ ... ପୁରୁଷରୂପ ପୋଲାଙ୍ଗ ଗଛ ଫୁଟିଛି ଅର୍ଥାତ ‘ପୁଷ୍ପବତୀ’ ହୋଇଛି, ଏହା ଯେତେ ଉକୃଷ୍ଟ ଦେଖି ତୋ ମନ ଉଣା ହେଲା କି ? । ୧୭ । ଯେତେ ଲାଟ ... ତାହାର ପୁଷ୍ପ ହେଲେହେଁ, ପୁନ୍ନାଗ-ପୋଲାଙ୍ଗ ଓ ପୁରୁଷ ହାତୀ । ୧୮ । ରାକେଶ୍ଵର ମୁଖୀ-ପୂର୍ଣ୍ଣଚନ୍ଦ୍ରବନା, କରବୀର– ଏକପ୍ରକାର ପେଛାଫୁଲ (କନିଅର ନୁହେଁ) । ୧୯ । କଲୁ ତ–ବୀରସଙ୍ଗେ ଖେଳିବାକୁ ନିକର (ନିଶ୍ଚୟ), କରୁ କଲୁ (ହାତ ଦେଲୁ), ଅବୀର–ଫଗୁ, ଯେ ବୀର ନୁହେ । କଂକେଳି–ଅଶୋକ, ସମୂକୁଳକୂଳଶାଖାକଢ଼ ହୋଇଥିବା ନିକଟବର୍ତ୍ତୀ ଡାଳ । ୨୦ | ଜାଈ ମୃଦୁଦେହାଜାଈଫୁଲ ପରି କୋମଳ ଦେହ ଯାହାର । ମୁକୁଳବତୀ-କ୍ଷୁଦ୍ର କୁଚଯୁକ୍ତା, ତେଣୁ ପୁଷ୍ପବତୀ ହୋଇ ନ ଥିଲେହେଁ ରତିନିପୁଣା ଅଟେ, ଅଥଚ ଫୁଲ ନ ଧରି ଅଶୋକ ମୁକୁଳ ଧରି ଲେହେଁ ଖେଳି ଜାଣେ । ୨୧ । ମଧୁ-ବସନ୍ତକାଳ, ମଧୁ-ପୁଷ୍ପରସ, ବଧୁଲି– ବନ୍ଧୁକ ଫୁଲ, ସାତଘଡ଼ିଆ ଫୁଲ; ରସେ– କୌତୁକରେ, ପ୍ରାଣବନ୍ଧୁ –(ସଂଶୋଧନ), ବନ୍ଧୁକରେ ମୋ ସ୍ୱାମୀ ହାତରେ ଅଥଚ ବନ୍ଧୁକ (ବଧୁଲି) ଫୁଲରେ । ୨୨ । ସୁମନ୍ଦାରରାଜି– ସୁନ୍ଦର ମନ୍ଦାର ଫୁଲମାନଙ୍କୁ; ରାଜି କରିତୋଳି, ମଦେଭେନ୍ଦ୍ର–ମତ୍ତହସ୍ତୀ, ସୁବରଜବାଳୀ– ସତ୍ୟଭାମା, କରେ–ସୁଖରେ (ସତ୍ୟଭାମାଙ୍କ ପାଇଁ କୃଷ୍ଣ ସ୍ୱର୍ଗରୁ ମନ୍ଦାରଫୁଲ ଆଣିଥିଲେ) । ୨୩ । ସିନ୍ଧୁବାର-ବେଗୁନିଆ ଫୁଲ ବାରସମୂହ, କରୋଦରେ-ହାତମୁଠା ଭିତରେ, କୁମ୍ବଜ-ଅଗସ୍ତ ଋଷି ଅଗସ୍ତ୍ର ଗୋଟିଏ

ଘେନି ନାଗେଶ୍ୱର ସ୍ୱର ରଚି କେ ସେପରି ।

କାଳୀଦଳନର ନରତନୁକୁ ଆଚରି  

ବୋଲେ ମତେ ବହୁ ବହୁମାନ କରି ରଖ ।

ମୁଁ ଜାଙ୍ଗଳିକଟି କଟୀ ଭାଙ୍ଗି ନାଚେଁ ଦେଖ ।୨୪।

 

ଜାଣେ ଆଶୀବିଷ ବିଷହର ନାମ ଗଦ ।

ରବିସୁତାସର ସରଜିତ ତୋଳା ପଦ ।

ତୋଳୁଁ କଢ଼ୀକୁନ୍ଦ କୁନ୍ଦନାଙ୍ଗୀ କେହୁ ସ୍ନେହେ ।

କେଉଁ କଳାବତୀ ବତିଶାର୍ଦ୍ଧବୟା କହେ ।୨୫।

 

କିରେ ସଖି ଆଜ ଆଜନମ ସ୍ନେହତିଳେ ।

ମାନସେ ନ କଳି କଳି ଲୋଡ଼ୁଚୁ ତ ବଳେ ।

ଧରୁ କେ ଶୁଭାଙ୍ଗୀ ଭାଙ୍ଗି ସେବତୀରୁ ଡାଳେ ।

ହସି କେ ଅବଳା ବଳାହକକେଶା ଛଳେ ।୨୬।

 

ଏ ପାରିବାପଣ ପଣସଂଖ୍ୟ ଜନେ ଥିବ ।

ଅଛି କି ସନ୍ଧାନେ ଧାନେ ଉପାୟ ବିଭବ ।

ତୋଳନ୍ତେ ପାଟଳୀ ଟଳି ଭାଷେ କେ କୁତୁକେ ।

ତତେ କର୍ଣ୍ଣସମ ସମଜନ୍ତି ପରା ଲୋକେ ।୨୭।

 

ଅର୍ଥୀରେ ଉତ୍ତମ ତ ମହତ୍ତ୍ୱ ରଖାଇଲୁ ।

ସହଜ ନାମର ମରଜି ଯା ଦେଖାଇଲୁ ।

ବୋଇଲା ରଙ୍ଗଣୀ ଗଣି ଗଣି କେଉଁ ବାମା ।

ନାହିଁ ଧୀରାଗଣ ଗଣନାରେ ମୋ ଉପମା ।୨୮।

 

କିଶୋରୀ ଏପରି ପରିହାସରସେ ହଟି ।

ଅଟ୍ଟହାସାଧାରୀ ଧରିତ୍ରୀରେ ଯାଏ ଲୋଟି ।

ତଦନନ୍ତର ସେ ରସେଙ୍ଗିତଜ୍ଞାରଜାକୁ ।

କାଞ୍ଚନଫରୁଆରୂଆ ପୀନ ଉରଜାକୁ ।୨୯।

 

କୁଚଜିତାଚଳା ଚଳାପାଙ୍ଗୀ ସୁଷମାକୁ ।

ସକଳ ଭୁବନ ବନ ସୁରଭିରମାକୁ ।

ସଖୀଏ ବିଚାରି ଚାରି ପାଞ୍ଚଗଲେ ଗେଲେ ।

ମନୋହର ବାସ ବାସନ୍ତିକ ବେଶ କଲେ ।୩୦।

 

କଲେ ଯେ ଯାହାର ହାର ଆଦି ଫୁଲ ଭୂଷା ।

ପ୍ରଫୁଲ୍ଲ ବ୍ରତତୀତତି ପରି ହେଲେ ଯୋଷା ।

ନବୀନ ପ୍ରବାଳ ବାଳ ଅରୁଣୋଷ୍ଠୀଗଣ ।

କଲେ ଶ୍ରୁତିପାଶ ପାଶ ପରି ବିଭୂଷଣ ।୩୧।

 

ସମୁଦ୍ରକୁ ଚଳୁ କରିଥିଲେ, ମାତ୍ର ମୁଁ ବାର ବାର (ଦ୍ୱାଦଶ ସଂଖ୍ୟକ) ସିନ୍ଧୁକୁ ହାତମୁଠାରେ ଧରିଲି, ନାଗିଣୀ-ଏକଜାତୀୟ ମଲ୍ଲୀଫୁଲ, ବିଚକିଳ-ଅନ୍ୟ ଜାତୀୟ ମଲ୍ଲୀଫୁଲ, ମଲ୍ଲୀମଲ୍ଲୀ-ମଲ୍ଲୀଫୁଲ, ମଲ୍ଲୀଫୁଲ ଅଥଚ ମରିଗଲି ମରିଗଲି । ୨୪ । ନାଗେଶ୍ୱର-ନାଗେଶ୍ୱର ଫୁଲ ଓ ସାପୁଆଙ୍କ ବାଜା, ନରତନ–ନର୍ତ୍ତନ, ନୃତ୍ୟ; ଜାଙ୍ଗଳିକ-ସାପୁଆକେଳା । ୨୫ । ଆଶୀବିଷ-ସର୍ପ, ବିଷହର ନାମକ ଗଦ । ରବିସୁତାସର-ଯମୁନା ନଦୀ, ସରସିଜତୋଳାପଦ– ପଦ୍ମତୋଳା ପଦ କଢ଼ୀକୁନ୍ଦ-କୁନ୍ଦଫୁଲର କଢ଼କୁ, ବତିଶାଦ୍ଧବୟା–ଷୋଳବୟସୀ । ୨୬ । କଳି– କଳକା ବା କଢ଼ ଅଥଚ କଳହ । ବଳାହକକେଶା-ଘନକେଶା। ୨୭ । ପାଟଳୀ–ପାଟଳୀଫୁଲ, ଟଳି-ହଲି ହଲି, ହେ ପାଟଳି ! ତୋତେ ଲୋକେ କର୍ଣ୍ଣସମ (କାନପରି, ପାଟଳୀ ଫୁଲ ସଙ୍ଗେ କାନର ତୁଳନା ହୁଏ ଅଥଚ ଦାତାକର୍ଣ୍ଣ ଭଳି) ବୁଝନ୍ତି ପରା । ୨୮ । ଅର୍ଥୀରେ ଉତ୍ତମ କର୍ଣ୍ଣ-ଯାଚକମାନଙ୍କ ପ୍ରତି ଉତ୍ତମ ଥିଲେ । ୨୯ । ରସେଙ୍ଗିତଜ୍ଞାରଜାକୁ-ଯେଉଁମାନେ ରସର ଇଙ୍ଗିତ (ମନୋଗତ ଭାବ) ବୁଝି ପାରନ୍ତି, ସେମାନଙ୍କ ମଧ୍ୟରେ ଶ୍ରେଷ୍ଠା । କାଞ୍ଚନଫରୁଆରୁଆ ସୁନା ଫରୁଆ ପରି ଉଠିଥିବା, ପୀନ-ସ୍କୁଳ । ୩୦ । କୁଚଜିତାଚଳା-କୁଚଦ୍ୱାରା ପର୍ବତକୁ ଜୟକରିଛି । ସକଳ ... ସମଗ୍ର ବ୍ରହ୍ମାଣ୍ଡର ଅରଣ୍ୟର ବସନ୍ତଲକ୍ଷ୍ମୀକୁ । ମନୋହର-ବାସ ବାସନ୍ତିକ– ମନୋହର ସୌରଭଯୁକ୍ତ ବାସନ୍ତିକ ପୃଷ୍ଠରେ ବେଶ କଲେ । ୩୧ । ପ୍ରଫୁଲୁବ୍ରତତୀତତି-ପ୍ରସ୍ତୁଟିତ ଲତାସମୂହ । ପ୍ରବାଳ–ନୂଆପତ୍ର, ବାଳଅରୁଣୋଷ୍ଠ-ବାଳଅରୁଣ ( ସକାଳଅରୁଣ) ପରି ( ରକ୍ତବର୍ଣ) ଓଷ୍ଠ

 

ହସି ବାଳାବର ବରଷିଲା ଫଗୁମୁଷ୍ଟି ।

ଆହା ରସାଳସା ଲସାଇଲା ଶୋଭାସୃଷ୍ଟି ।

ଯଥାଟି ମାଧୁପୀ ଧୂପି ପିଅଇ ମରନ୍ଦ ।

ଫେରେ ଲଭି ତାପ ତା ପରାଗେ ହୋଇ ଅନ୍ଧ ।୩୨।

 

ମାଣିକ୍ୟଖଣିରୁ ନିରୁପମ ଶିଳ୍ପ କରି ।

କଲା କି ସେ ଜାତ ଯାତ ଚାରିମୁଖଧାରୀ ।

ହିଙ୍ଗୁଳଦ୍ୱୀପର ପର ଦେବତାମଣ୍ଡଳୀ ।

ଆସି ସେ ବନୀକି ନିକି ଆରମ୍ଭିଲେ କେଳି ।୩୩।

 

ଅନୁରାଗ ରସର ସଂକୋଚ ନ ଥିବାରୁ ।

ଅଛନ୍ତି କି ବହି ବହିରନ୍ତରେ ରମ୍ଭୋରୁ ।

ଗାଇବା ହେତୁରୁ ୠତୁରାଜ ହୋରୀଗୀତ ।

ତେଜିଲେ କୂଜିତ ଜିତ ହେଲେ ପରଭୃତ ।୩୪।

 

ଜେମା ହାତୀ ମାର ମାର ବୋଲି ଏହା ଡରେ ।

ବୋଲି କେ କାହାର ହାର ଆଡ଼ିଆ ଧଇଲେ ।

ଜିଣଇ ଚପଳା ପଳାଇବା ବେଳେ କହି ।

ଆଣେ କେ ଅବଳା ବଳାତ୍କାରେ ଧରି ବହି ।୩୫।

 

ଦକ୍ଷିଣ ମରୁତରୁ ତ ଚେଳ ଉଡ଼େ ଦେଖି ।

ଫିଙ୍ଗେ ଲାଲରଜ ରଜନୀଶବିମ୍ବମୁଖୀ ।

ଭିଡ଼ନ୍ତେ ଦୁକୂଳକୁ ଲଜ୍ଜାରେ ସେ ସୁନ୍ଦରୀ ।

ମାରଇ ମୁଖକୁ ଖ – କୁ ଉଡ଼ାଇଲା ପରି ।୩୬।

 

ହୋଇ ସବିନୟ ନୟନରେ ଦେଉ ପାଣି ।

ଫିଙ୍ଗିଲା ତଳକୁ ଲକୁଚକୁଚା ତରୁଣୀ ।

ସଖୀ ନୀବୀପାଶ ପାଶ ଗଲା ତାର ଦିଶି ।

ଅନଙ୍ଗନିକେତେ କେତେ ରଜ ଗଲା ମିଶି ।୩୭।

 

ବରଜ ବରଜ ରଜବତୀଟାକୁ ବୋଲି ।

ଖେଳନ ସାହାସୀ ହସି କରେ ଦିଏ ପେଲି ।

ଫଗୁଖେଳ ସରୁ ସରୁମଧ୍ୟମା ଛଇଳା ।

ଅତର ପନୀର ନୀର ଖେଳେ ମନ ଦେଲା ।୩୮।

 

ଯାହାଙ୍କର । ଶ୍ରୁତିପାଶ–ସୁନ୍ଦର କୟକୁ ପାଶ ପରି ( କର୍ଣ୍ଣକୁ ଫାଶ ସଙ୍ଗେ ତୁଳନା କରାଯାଏ ) । ୩୨ ।-ବାଳାବର – ଏଠାରେ ଚନ୍ଦ୍ରକଳା, ଲସାଇଲା–ଦବାଇଲା, ପରାସ୍ତ କଲା. ମଧୁପୀ-ଭ୍ରମରୀ, ଧୂପି–ଧାଇଁ ଯାଇଁ, ମରନ୍ଦ-ମକରନ୍ଦ, ତାପ-ଦୁଃଖ । ତା ପରାଗରେ-ତା ରେଣୁରେ । ୩୩ । ନିରୁପମ-ଉପମାରହିତ । ମାଣିକ୍ୟଖଣି-ରକ୍ତବର୍ଣ୍ଣର ଖଣି, ସେ ଯାତ୍ରାକୁ ଜାତ କଲା କି ? ଚାରିମୁଖଧାରୀ-ବିଧାତା । ହିଙ୍ଗୁଳଦ୍ୱୀପ- ହଂସପାଦ ନାମକ ଗାଢ଼ ରକ୍ତବର୍ଣ୍ଣବିଶିଷ୍ଟ ଦ୍ୱୀପ । ପରଦେବତା ମଣ୍ଡଳୀ–ଉତ୍କୃଷ୍ଟ ଦେବୀମାନେ, ବନୀ–ଉପବନ । ୩୪ । ଅନୁରାଗରସ– ସ୍ରୋହରସ (ସ୍ନେହ ରକ୍ତ ବର୍ଣ୍ଣ ବୋଲି କବିମାନେ ବର୍ଣ୍ଣନା କରନ୍ତି) । ଅଛନ୍ତି କି ରୟୋରୁ-ସଖୀମାନେ ଭିତରେ ଓ ବାହାରେ ରକ୍ତବର୍ଣ୍ଣ ହୋଇଅଛନ୍ତି କି ? କୂଜିତ–ପକ୍ଷୀଙ୍କର ମଧୁର ଶବ୍ଦ । ପଉଭୃତ-କୋକିଳ । ୩୫ । ଆଡ଼ିଆ- ହାତୀ ପ୍ରଭତି ବନ୍ୟଜନ୍ତୁଙ୍କ ନିବାରଣ ପାଇଁ କରାଯିବା ଯଷ୍ଟି ପ୍ରଭୃତିକୁ ଆଡ଼ିଆ କହନ୍ତି । (ଏଠାରେ ଚନ୍ଦ୍ରକଳା ରୂପ ହାତୁଣୀ ଫଗୁ ମାରୁଥିବାରୁ ତାକୁ ନିବାରଣ କରିବାପାଇଁ ହାରରୂପ ଆଡ଼ିଆକୁ ଧରିଲେ) । । ଚପଳା-ବିଜୁଳି । ୩୬ । ମରୁତରୁ ପବନ ହେତୁରୁ । ଲାଲରଜ-ଫଗୁ, ରଜନୀଶବିମ୍ୱମୁଖୀ ଚନ୍ଦ୍ରମୁଖୀ । ଖ-କୁ– ଆକାଶକୁ । ୩୭ । ଲକୁଚ-ଜେଉଟ ଫଳ, ନୀବୀପାଶପାଶ-ପିନ୍ଧାଲୁଗାର ଅଣ୍ଟାପାଖ, ଖୋସଣୀ ପାଖ । ଅନଙ୍ଗନିକେତ-ଗୁପ୍ତଅଙ୍ଗ । ୩୮ । ରଜବତୀ-ପୁଷ୍ପବତୀ । ସରୁମଧ୍ୟମା– କ୍ଷୀଣକଟି । ୩୯ । ନଳି-ପିଚକାରୀ । ୪୦ ।

 

 

ବିବିଧ ଅତର ତ ରମଣୀମଣି ତୁଲେ ।

ସୁନାକଲଶୀରେ ଶିରେ ଦାସୀ ବହିଥିଲେ ।

ମଣିମୟ କମ କମନୀୟ ବାଛି ଦେଖି ।

କରେ ଦେଲା ନଳି ନଳିନାକ୍ଷର କେ ସଖୀ ।୩୯।

 

ଖେଳିଳା ଅଖଞ୍ଜ ଖଞ୍ଜାନାକ୍ଷୀ ନାରୀରାଜା ।

ମଣ୍ଡନଶିଞ୍ଜିତଜିତ ହେଲା ଘନ ବାଜା ।

ବହିଲା ଅତରତରଙ୍ଗିଣୀ ସ୍ରୋତ ପରି ।

ଘେରିଲେ ଭ୍ରମର ମରକତଗୋଳ ସରି ।୪୦।

 

ଉପବନ ତଳ ତ ଲସଇ ଚନ୍ଦ୍ରୋପଳ ।

କୁସୁମରଜରେ ଜରେ ଅତରକଲ୍ଲୋଳ ।

କାର ଏକପାକ ପା ଖସିଲେ କେ ହସିଲା ।

ଦୁଇପଦ ତାର ତାରତମ୍ୟରେ ଖସିଲା ।୪୧।

 

ପରାଗଜମ୍ବାଳ ବାଳମୃଗାକ୍ଷୀ କେ ଧରି ।

ଆଲିଙ୍ଗି କ୍ଷେପି ଲେପିଲେ ହସଇ କିଶୋରୀ ।

କେ କାହା ଉପରେ ପରେ ଭର ଦେଇ ପଡ଼େ ।

ଧରି କରତାଳ ତାଳସ୍ତନା ହସି ପଡ଼େ ।୪୨।

 

ନିଜ ପ୍ରତିବିମ୍ବ ବିମ୍ବଅଧରୀ କେ ଲେଖି ।

କହେ ଭ୍ରମେ ଅନା ଅନାୟତ୍ତ ହେଲା ସଖୀ ।

ତୋଳି ଧରିବା କି ବାକି ରହିଯିବ ସିନା ।

ନୋହେ ଆମ୍ଭ ସମ ସମରଥା ଏ ନୂତନା ।୪୩।

 

କିରୂପେ ଗୋ ସହ ସହଚରୀ ଏ କି ପ୍ରୀତି ।

ଶୁଣି ଏ ଭାରତୀ ଋତିତୁଲ୍ୟାଏ ହସନ୍ତି ।

ତିନିଯାମୁଁ ବଳି ବଳିଶୋଭିନୀ ଖେଳିଲା ।

ଅତି ମୃଦୁତନୁ ତ ନୂତନା ଶ୍ରାନ୍ତ ହେଲା ।୪୪।

 

କୃଶ ମଧ୍ୟମ ତ ମତ୍ତଗଜଗମନାର ।

ଚାମୀକରଘଟ ଘଟନୀୟ ପୟୋଧର ।

ଅଙ୍ଗକୁ ଶିରୀଷର ସମତା ନାହିଁ ଯାର ।

ସେ ହେଲେ ଆଶ୍ରମୀ ଶ୍ରମରତ ଚମତ୍କାର ।୪୫।

 

କଲା ସୁସଂଯତ ଯତନରେ ଲାଗି ବାସ  

ହୋଇଲା ଜବନ ବନରୁହବାସ ଶ୍ୱାସ ।

ନୟନ ଅଞ୍ଜନ ଜନମୋହନାର ଭଲା ।

ସ୍ୱେଦରେ ଗାଧୋଇ ଧୋଇ ହୋଇ କି ଛଇଳା ।୪୬।

 

କଞ୍ଜଜୟ ଦୟଦକ୍ଷରକୁ ବୁଲାଇ ।

ଜେମାଦେଈ ଦେଇ ଆଳି ଅଂସରେ ଗେଲାଇ ।

ମଧ୍ୟେ ଦେଇ ବାମ ବାମକର ହେଲା ଉଭା ।

କେ କରିବ ଶେଷ ସେ ସମୟେ ତାର ଶୋଭା ।୪୭।

 

ଅଖଞ୍ଜଖଞ୍ଜନାକ୍ଷୀ-ନିର୍ଦୋଷଖଞ୍ଜନପକ୍ଷୀ ପରି ଚଞ୍ଚଳ ଆଖି ଯାହାର, ମଣ୍ଡନଶିଞ୍ଜିତ- ଅଳଙ୍କାରଧ୍ୱନି, ଘନବାଜା-ଉଚ୍ଚ ସ୍ଵରରେ ବାଜୁଥିବା ବାଦ୍ୟ, ଅତରତରଙ୍ଗିଣୀ–ଅତରର ନଈ, ..ମରକତଗୋଳ ସରି–ମରକତମଣିର ଗୋଲି ପରି । ୪୧ । ଉପବନ ... ଚନ୍ଦ୍ରକାନ୍ତମଣିରେ ତିଆରି ହୋଇଥିବା ବଗିଚାର ତଳଦେଶ ଲସଇ (ତଳକୁ ଦବିଗଲା) । ୪୨ । ପରାଗଜମ୍ୱାଳ– ଫଗୁକାଦୁଅ, କ୍ଷେପି-ଫୋପାଡ଼ି, ପରେ–ଅନ୍ୟ ଉପରେ । ୪୩। ନିଜ ପ୍ରତିବିମ୍ବ-ଚନ୍ଦ୍ରକଳାର ସ୍ଵପ୍ରତିକୃତି , ସଖି (ଚନ୍ଦ୍ରକଳା) ଅନାୟତ୍ତ (କ୍ରାନ୍ତ) ହେଲା । ୪୪ । ମଧ୍ୟମ-କଟିଦେଶ, ଚାମୀକରଘଟ ଘଟନୀୟ–ସୁନା ମାଠିଆ ପରିସୁନ୍ଦର, ଶିରୀଷର ସମତା-କୋମଳ ଶିରୀଷ ଫୁଲର ସାମ୍ୟ, ଶ୍ରମରତ–ପରିଶ୍ରମକ୍ରାନ୍ତ, ଆଶ୍ରମୀ ହେଲେ-ଆଶ୍ରମ ମଣ୍ଡପରେ ବସିଲେ । ୪୬ । ହୋଇଲା ... ପଦ୍ମଗନ୍ଧବିଶିଷ୍ଟ ନିଶ୍ଵାସ ଶୀଘ୍ର ଶୀଘ୍ର ବହିଲା । କି ଛଇଳା-କି ସୁନ୍ଦର । ୪୭ । କଞ୍ଜଜୟ–ପଦ୍ମ ଅପେକ୍ଷା ସୁନ୍ଦର । ଦୟଦକ୍ଷକର-ଦୟାପୂର୍ଣ୍ଣ ଦକ୍ଷିଣ ହସ୍ତ, ଅଂସ-କାନ୍ଧ, ମଧ୍ୟ ଦେଇ ... ଅଣ୍ଟାରେ ବାମ (ସୁନ୍ଦର) ବାମକର ଦେଇ । ୪୮। ଦରକଣ୍ଠି –କମ୍ବୁକଣୀ,

 

ମଜ୍ଜାଇ ଚାଦର ଦରକଣ୍ଠୀ କେ ପନୀରେ ।

ପୋଛିଲା ସୁନ୍ଦର ଦରପଣମୁଖୀ ଧୀରେ ।

ଆତପ ସକଳ କଳକଣ୍ଠୀବାଣୀ ଦେହେ ।

ନ ବାଧିଲା ପରି ପରିପାଳିବାକୁ ସ୍ନେହେ ।୪୮।

 

ଧଇଲା କେ ବିଧୁ ବିଧୂନନହାସଦ୍ୟୁତି ।

ବିଶାଳ ପେଷଳ ସଲକ୍ଷଣ ଫୁଲଛତି ।

ମୃଦୁଳ ପବନେ ବନେ ଏପରି ବିହରୁ ।

କଲା ସୁତରଙ୍ଗ ରଙ୍ଗରସେ ମନେ ଭୀରୁ ।୪୯।

 

ପଞ୍ଚାଶତ ଏକ ଏ କବୀଶ ପଦେ ଛାନ୍ଦ ।

ବନବିହାର ସରସ ଜାଣିବେ କୋବିଦ ।

ହେଲେ ରସବଶ ବସନ୍ତରେ ପାଠ ହେବ  

ଉତ୍ତରରେ ସଳିଳ ଳୀଳାରସ ବରଷିବ ।୫୦।

 

ପ୍ରପନ୍ନ ଜନର ନରକାଦି ମହାଦୁଃଖ ।

ଯେଉଁ ପ୍ରଭୁ ହରେ ହରେ ଉଚ୍ଚାରନ୍ତେ ମୁଖ ।

ତାଙ୍କ ସନ୍ନିଧିରେ ଧୀରେ ଜଳନ୍ତରପତି ।

ସଗରିମାଦର ଦରଶନ କଲେ ନିତି ।୫୧।

 

ଆତପ-ଖରା, କଳକଣ୍ଠବାଣୀ-କୋକିଳଭାଷିଣୀ । ୪୯ । ବିଧୁବିଧୂନନହାସଦ୍ୟୁତି- ଯାହାର ହାସ୍ୟର ଶୋଭା ଚନ୍ଦ୍ରକୁ କମ୍ପାଇ ଦିଏ, ପେଷଳ–ସୁନ୍ଦର, ସଲକ୍ଷଣ-ଶୁଭଚିହ୍ନଯୁକ୍ତ ସୁତରଙ୍ଗରଙ୍ଗରସେ – ସୁନ୍ଦର ଲହରୀ ଥିବା ପୁଷ୍କରିଣୀ କ୍ରୀଡ଼ାରେ

। ୫୦ । କବୀଶପଦେ-ବଡ଼ କବିଙ୍କଦ୍ଵାରା ପ୍ରଯୁକ୍ତ ପଦରେ । ୫୧ । ହରେ-ହେ ହରି ! ସଗରିମାଦର-ଗୌରବ ଓ ଆଦର ସହିତ । ପ୍ରପନ୍ନ-ଶରଣାଗତ ।

 

ଏକାଦଶ ଛାନ୍ଦ

ରାଗ – ସିନ୍ଧୁଡ଼ା

(ଜଳବିହାର)

 

ଶୁଣ ହେ ସୁଜନ ମଧୁ କାଳ ବନ-ବିହାର କୁସୁମ ତୋଳା ।

କୁତୁକ ଶେଷରେ ଶ୍ରୀଅଙ୍ଗ ଦେଶରେ ଅଳସ ଲଭିଲା ବାଳା ସେ ।

ମହାରାଜକୁମାରୀ ।

ନବ ଶିରୀଷରୁ ସୁକୁମାରୀ ସେ ।

ଚିତ୍ତେ ଚିନ୍ତିଲା ସୁଶୀତ ବାରି ସେ ।୧।

 

ମନ ଜାଣି ପ୍ରାଣ ସହଚରୀଗଣ କୁସୁମ ତରାସ ଟେକି ।

ଧୀରେ ଧୀରେ ଗେଲେ ବିଜେ କରାଇଲେ ସତରଙ୍ଗ ସରସୀକି ଯେ ।

ଧରା ଚମ୍ପକଗଭା ।

ତିନି ଭୁବନ ଇନ୍ଦିରା ଶୋଭା ସେ ।

ସରତୀରେ ଯାଇ ହେଲା ଉଭା ସେ ।୨।

 

ସଳୀଳ ଲହରୀ କଞ୍ଜ ମଦୁଝରି ସଙ୍ଗ ଶୀତଳ ମରୁତ ।

ମୃଦୁ ମୃଦୁତର ସ୍ପରଶରୁ ତାର ତନୁ କଲା ଆପ୍ୟାୟିତ ସେ ।

ସେହି ସମୟ ଟାକି ।

ରଖି ମର୍ଦନ ମଣିଚଉକି ।

ବିଜେ କରାଇ ନେଲେ ତହିଁକି ଯେ ।୩।

 

ସଂଯତ ରସନା ହୋଇ ସୁଦଶନାମଣ୍ଡଳୀ ବାଳାକୁ ଘେରି ।

ତା ଶୋଭାସଦନ ଅଙ୍ଗେ ମରଦନ କଲେ କେତକୀ ଫୁଲରୀ ଯେ ।

ଦିବ୍ୟ ଝୁନା ଚାଦରେ ।

ଅତି ଯତ୍ନେ ପୋଛିଲେ ଆଦରେ ।

ଅନୁରାଗରୁ ଅବିବାଦରେ ଯେ ।୪।

 

ପଟୀର ସୁବାସ ଘଟୀକି ସେ କୃଶକଟୀ ଅଙ୍ଗୁଟିରେ ବୋଳି ।

ଗ୍ରନ୍ଥିଳ ତ୍ରିଯାମା ପଙ୍କ ତୁଲେ ବାମା କୁଙ୍କୁମକୁ ଥିଲେ ଦଳି ଯେ ।

ବୋଳିଦେଇ ବହଳେ ।

ଉତାରିଲେ ହେମବଂଶ ଦଳେ ଯେ ।

ତନୁକାନ୍ତି କୁନ୍ଦନକୁ ଛଳେ ସେ ।୫।

 

ଏକାଦଶ ଛାନ୍ଦ

 

୨ । ସତରଙ୍ଗ-ତରଙ୍ଗଯୁକ୍ତ । ତିନିଭୁବନର ଇନ୍ଦିରା-ଲକ୍ଷ୍ମୀଙ୍କ ପରି ସୁନ୍ଦରୀ । ୩ । ସଲୀଳଲହରୀ ... ଖେଳୁଥିବା ତରଙ୍ଗ ଉପରେ ଥିବା ପଦ୍ମମାନଙ୍କର ମଧୁ (ମକରନ୍ଦ)ର ଝରି (ପ୍ରବାହ) ସଙ୍ଗ ହେତୁରୁ ଶୀତଳ; ଆପ୍ୟାୟିତ– ସନ୍ତୋଷିତ, ମର୍ଦନମଣିଚଉକି-ରତ୍ନନିର୍ମିତ ଯେଉଁ । ଚୌକିରେ ବସି ତୈଳ ମର୍ଦ୍ଦନ କରାଯାଏ । ୪ । ସଂଯତ ରସନା ଆଠ ସରିଆ କାନ୍ଧୀଦାମକୁ ଜାକି ଦେଇ, କେତକୀଫୁଲରୀ-କେତକୀଫୁଲର ଅତର, ଝନା-ପାତଳ । ୫ । ପଟୀର-ଚନ୍ଦନ, ପଟୀର ... ବାସଚନ୍ଦନର ଅର୍କ ଥିବା ପାତ୍ରକୁ । ଗ୍ରନ୍ଥିଳ ତ୍ରିଯାମାପଙ୍କ ତୁଲେ-ଗଣ୍ଠିହଳଦୀ ବଟା

 

 

ବିଚାରିଲା କବି ଜେମା ଅଙ୍ଗଚ୍ଛବି ସମାନ ନୋହିବା ଘେନି ।

ରଜନୀ କାଶ୍ମୀର ଶ୍ରୀଅଙ୍ଗରେ ତାର ନ ରଖି ପ୍ରିୟସଜନୀ ସେ ।

ଡରେ ବୋଇଲେ ଛି ଛି ।

ଅଙ୍ଗତୁଲ୍ୟ ନୋହିବାରୁ କିଛି ଯେ  

ସେହିକ୍ଷଣେ ପକାଇଲେ ପୋଛି ଯେ ।୬।

 

କି ଅବା ଅବଳାମଣିଦ୍ୟୁତିତୁଳା ଲଭିବା ବାଞ୍ଛାରେ ରସି ।

ତା ଶରୀର ସୁରତରଙ୍ଗିଣୀପୁର ମଧ୍ୟରେ ମୁହୂର୍ତ୍ତେ ଝାସି ସେ  

ହେଲେ ଯହୁଁ ତା ସଙ୍ଗୀ ।

ପାପ ପଙ୍କଯାକ ଦେଲେ ଫିଙ୍ଗି ଯେ ।

ଧନ୍ୟ କାମଦାୟିନୀ ଶୁଭାଙ୍ଗୀ ସେ ।୭।

 

କୁନ୍ଦନଖୋପୀ ନୀଳ ମୃଗ ଚଉଁରୀ ଯତନେ ରଖି ଖସାଇ ।

କମ୍ବୁକଣ୍ଠୀର କଣ୍ଠୀରବମଧ୍ୟାଏ କବରୀକି ଲହସାଇ ଯେ ।

ସେହି ସହୀ ତାହାର ।

କରି ଜାଣନ୍ତି ଶୋଭା ବାହାର ସେ ।

ତୁଙ୍ଗ ଉରୁଜକୁ ଯଥା ହାର ଯେ ।୮।

 

ପୁଣି ଲାଗି ଶାଢ଼ୀ ଅଞ୍ଚଳ ନିବାଡ଼ି ଭିଡ଼ି ଛାଡ଼ିଦେଲେ ଫେର ।

ବାନା କି ସେ ଡାକି ମୃଗେନ୍ଦ୍ରକଟୀକି ଜେମା ମଧ୍ୟ ଜିଣିବାର ଯେ ।

କାଞ୍ଚୀ ତାହା ତଳରେ ।

କହେ କିଙ୍କିଣୀ ଧ୍ୱନି ଛଳରେ ସେ ।

ଧନ ସାବଧାନଟି ଜଳରେ ।୯।

 

ସ୍ତବକାବନତା ତପନୀୟଲତା ସଞ୍ଚାରିଣୀ ହେଲା ପରି ।

ତମାଳ ତଳ କୁରୁବିନ୍ଦ ଚାନ୍ଦନୀ ଉପରେ ଭ୍ରମୁ କିଶୋରୀ ଯେ ।

ତାହା ଛାମୁରେ ରହି ।

କେଉଁ ପରିଣତ ଚନ୍ଦ୍ରମୁହାଁ ଯେ  

ସରଶୋଭା ଘେନାଇଲା କହି ସେ ।୧୦।

 

ଚାହାଁରେ ଚିତ୍ର ଦରଶନ ଚକିତଚମରୀଚାରୁନୟନା ।

ତୋ ଅଙ୍ଗ ଆଲିଙ୍ଗନ ଲୋଭେ ତଡ଼ାଗ ବେଶେ ହୋଇଛି ଅଙ୍ଗନା ସେ ।

ଚଳାଚଳ ଶଫରୀ ।

ଳୀଳାଲୋଳ ବାଳ ନେତ୍ର ପରି ସେ  

ଅରବିନ୍ଦ ତ ବଦନ ସରି ସେ ।୧୧।

 

ଜଳଜସନ୍ତତିବୃନ୍ତ ଗ୍ରୀବିକାନ୍ତି ଚୋରିକଲା ପରି ଦିଶେ ।

ଆଲିଙ୍ଗିତ ଅଙ୍ଗ ପୃଥୁଳ ରଥାଙ୍ଗମିଥୁନ ସ୍ତନ ସଦୃଶେ ଗୋ ।

ସତେ କେଡ଼େ ସୁଗମ ।

ଜଳନୀଳୀ ରୋମରାଜି ସମ ଗୋ ।

ଜଳଭ୍ରମି ନାଭିହ୍ରଦୋପମ ଗୋ ।୧୨।

 

ସାଙ୍ଗରେ, ହେମବଂଶଦଳେ–ସୁନା ବାଉଁଶ ପତ୍ରରେ, କୁନ୍ଦନ-ସୁନା । ୬ । ରଜନୀକାଶ୍ମୀର - ହଳଦୀ ଓ କୁଙ୍କୁମ । ୭ । ଦ୍ୟୁତିତୁଳା-କାନ୍ତିର ତୁଳନା; ତା ଶରୀର ସୁରତରଙ୍ଗିଣୀପୁରମଧ୍ୟରେ-ଚନ୍ଦ୍ରକଳାର ଶରୀରରୂପ ସ୍ୱର୍ଗଙ୍ଗାପ୍ରବାହରେ, କାମଦାୟିନୀ-ଅଭିଳାଷ ପୂରଣକାରିଣୀ । ଶୁଭାଙ୍ଗୀସୁନ୍ଦରୀ (ଚନ୍ଦ୍ରକଳା) । ୮ । କୁନ୍ଦନଖୋପୀ–ସୁନା ଚଉଁରୀଭୁଣ୍ଡିରେ ଲାଗିଥିବା, କବରୀ-ବେଣୀ ବା ଜୁଡ଼ା, ଲହସାଇଦେଲେ – ହୁଗୁଳା କରିଦେଲେ ବା ଫିଟାଇ ଦେଲେ । ୯ । ବାନା କି ସେ–ସେ ଫେର ଜେମାର କଟିଦେଶ ଡାକି (ଡମରୁ) ଓ ମୃଗେନ୍ଦ୍ରକଟୀ (ସିଂହକଟି)କୁ ଯେ ଜିଣିଅଛି ତାହାର ଜୟପତାକା କି ? କାଞ୍ଚୀ– କଟିମେଖଳା । ୧୦ । ସ୍ତବକାବନତା-ଫୁଲପେଣ୍ଡା ହେତୁରୁ ନଇଁ ପଡ଼ିଥିବା ତପନୀୟ ଲତା-ସର୍ଣ୍ଣଲତା, କୁରୁବିନ୍ଦ-ପଦ୍ମରାଗମଣି । ୧୧ । ଚିତ୍ରଦର୍ଶନ-ବିଚିତ୍ର ଶୋଭା, ପୋଖରୀ ସ୍ତ୍ରୀ ବେଶ ଧାରଣ କରିଅଛି । ଚଳାଚଳ ଶଫରୀ-ଚଞ୍ଚଳ କେରାଣ୍ଡି ମାଛ, ଅରବିନ୍ଦ- ପଦ୍ମ । ୧୨ । ଜଳଜସନ୍ତତିବୃନ୍ତ-ପଦ୍ମସମୂହର ଡେମ୍ଫ; ଆଲିଙ୍ଗିତ ... ପରସ୍ପର ଜକାଜକି ହୋଇ ରହିଥିବା ସ୍ଥୂଳ ଚକ୍ରବାକୀ ଜଳନୀଳୀ-ଶୈବାଳ, ଶିଉଳି, ଜଳଭ୍ରମି–ପାଣିଭଉଁରୀ; ନାଭିହ୍ରଦୋପମ

 

 

ହେମସୋପାନଆବଳି ତ୍ରିବଳିରୁ ବଳିଛି କଳନା କର ।

ଏହା ଲହରୀକି ଭୂରୁବଲ୍ଲରୀକି ତୁଳିଦେଲେ ବରାବର ଗୋ ।

ରସେ ରହିଛି ପୂରି ।

କୋକନାଦ ପାଣି ପାଦ ପରି ରେ  

କୂର୍ମଜଘନା ଏ ବରନାରୀ ରେ ।୧୩।

 

କେ ବୋଲେ ରେ ଭୀରୁ ବଇଜୟନ୍ତୀରୁ ମୁକୁରଭିତ୍ତିଶକଳ ।

ଖସି ପଡ଼ି କେହି ସରଦମ୍ଭେ ରହି ମଣ୍ଡିଛି ମହୀମଣ୍ଡଳ ସେ ।

ଦିବି ଅମରୀକୁଳ ।

ଚାହିଁବାରୁ ମୁଖ ପ୍ରତିଫଳ ସେ ।

ପଦ୍ମବ୍ୟାଜେ ହୋଇ ଦିଶେ ଠୁଳ ସେ ।୧୪।

 

ରମଣୀର ମଣିରମଣୀୟ ମୁଖ ପୁରୁଷ ଚୁମ୍ବିଲା ପରି ।

ସାରସ ସାର ଷଟପଦମାନେ ନେଉଛନ୍ତି ହରି ରେ ।

ବାତ ବାଜି ବାରିକ ।

ଆନ୍ଦୋଳିତ ହୋଇବାର ବ୍ୟାଜ ଗୋ ।

ନାହିଁ ନାହିଁ ବୋଲି କରେ ଲାଜ ଗୋ ।୧୫।

 

ହୀରା ଇନ୍ଦ୍ରନୀଳ ଗୋମେଦ ପ୍ରବାଳ କପୋତକ ପାରାବତ ।

ବରୁଣ ବିମାନସମ ଦ୍ୱୀପଦଣ୍ଡି ମଣ୍ଡିଅଛନ୍ତି କେମନ୍ତ ଗୋ ।

ଦେଖ ଶିଖରିଦନ୍ତି !

ଏ କି କୃତିମ ପରି ଦିଶନ୍ତି ଗୋ ।

ଜୀବ ଥିଲା ପରି ହେବ ଭ୍ରାନ୍ତି ଗୋ ।୧୬।

 

ସକୁଳଶକୁଳସଂକୁଳ ଏ ସର ନ କର ନ କର ଭୀତି ।

ରସରେ ରସରେ ରସ ରେ ଏହାର ବାରଣବାରଣଗତି ଗୋ ।

ପୁଷ୍ପାବଚୟ ଶ୍ରମ ।

ଜଳକେଳିରୁ ଲଭୁ ବିରାମ ଗୋ ।

ସୁଶୀଳା ଶୀତଳ ସରେ ରମ ଗୋ ।୧୭।

 

ଜଣାଣ ଶେଷର ସମୟେ ସେ ସରସରସିଜନେତ୍ରାଞ୍ଚଳେ ।

ଅଧର କାମୋଡ଼ି ହେଲେ ଭିଡ଼ାଭିଡ଼ି ଆପଣା ଦୁକୂଳାଞ୍ଚଳେ ଯେ ।

ଚାହିଁ ହସୁଛି ଜେମା  

ଜମା ହେବାର ସକଳ ବାମା ସେ ।

ରୂପେ ସମସ୍ତେ ଉର୍ବଶୀସମା ସେ ।୧୮।

 

-ଗଭୀର ନାଭି ସଦୃଶ । ୧୩ । ହେମସୋପାନଆବଳି-ସୁନାର ପାହାଚସବୁ । ଭୂରୁବଲ୍ଲରୀ–ଭୂଲତା (ଲହରୀସଙ୍ଗେ ତୁଳିତ, ରସ) ଜଳ ଓ ଶୃଙ୍ଗାରଭାବ, କୋକନଦ ରକ୍ତପଦ୍ମ, କୁର୍ମଜଘନା-ବଡ଼ କଇଁଛ ପରି ଜଘନ ଯାହାର । ୧୪ । ବୈଜୟନ୍ତୀ-ଇନ୍ଦ୍ରପୁରୀ, ମୁରଭିତ୍ତିଶକଳ-ଦର୍ପଣ କାନ୍ଥଖଣ୍ଡ, ସରଦମ୍ଭେ] –ପୋଖରୀ ବ୍ୟାଜରେ, ଦିବି–ସ୍ୱର୍ଗରେ । ୧୫ । ମଣି ରମଣୀୟମୁଖ-ମଣି ପରି ସୁନ୍ଦର ମୁଖ, ସାରସ-ସରରେ ଜାତ, ସାରସ-ପଦ୍ମ, ସାର–ମକରନ୍ଦାଦି ନିର୍ଯ୍ୟାସ, ଷଟ୍‌ପଦ-ଭ୍ରମର, ବାତବାଜି ... ପବନ ବାଜି ପଦ୍ମ କମ୍ପୁ ନାହିଁ ଯେ, ଭ୍ରମର (ପୁରୁଷ) ପୁଷ୍କରିଣୀ (ରମଣୀ)ର ପଦ୍ମ (ମୁଖ) ଚୁମ୍ବିବାରୁ ସେ ଲାଜରେ ନାହିଁ କରି ମୁହିଁ ହଲାଉ ଅଛି । ୧୬ । ହୀରା-ଶକ୍ତିବର୍ଣ୍ଣ ରତ୍ନ, ଗୋମେଦ–ପୀତବର୍ଣ୍ଣର ରତ୍ନ; ଶୁକ୍ରାଦି ଚତୁର୍ବିଧ ବର୍ଣ ରତ୍ନରେ ନିର୍ମିତ କପୋତ ଓ ପାରାମାନେ ବରୁଣଙ୍କ ବିମାନ ପରି ଦିଶୁଥିବା ଦ୍ୱିପଦଣ୍ଡିରେ କି ସୁନ୍ଦର ଦିଶୁଅଛନ୍ତି । ହେ ଶିଖରିଦନ୍ତି–ହେ ସୂକ୍ଷ୍ମାଗ୍ରଦନ୍ତଧାରିଣି, ଏମାନେ ଆଉ ନିର୍ଜୀବ କୃତ୍ରିମ ପିତୁଳା ପରି ଦିଶୁ ନାହାନ୍ତି, ପ୍ରାଣ ଥିବାପରି ଭ୍ରମ ହେବ । ୧୭ । ସକୁଳଶକୁଳସଂକୁଳ-ସ୍ୱଜାତୀୟ ଅନ୍ୟ ମାଛଙ୍କ ସହିତ ଶକୁଳ (ଶେଉଳ) ମାଛମାନଙ୍କରେ ଏ ସର ସଂକୁଳ (ପୂର୍ଣ୍ଣ) ହୋଇଅଛି, ନକର( ନକ୍ର), କୁମ୍ଭୀର– ଏଥିରେ କୁମ୍ଭୀର ଅଛି ବୋଲି ଭୟ କରନା, ରେ ବାରଣ-ବାରଣଗତି-ରେ ଗଜଗତି ପରାଜୟକାରିଣି ! ଏହାର ରସରେ (ଜଳରେ), ରସରେ (ଆନନ୍ଦରେ) ରସ (କ୍ରୀଡ଼ାକର), ପୃଷ୍ଠାବଚୟ-ଫୁଲତୋଳା, ସୁଶୀଳା–ହେ ସୁସ୍ୱଭାବା (ଚନ୍ଦ୍ରକଳା) । ୧୮ । ସେ ସର ସରସିଜନେତ୍ରାଞ୍ଚଳେ-ସେ ପୁଷ୍କରିଣୀର ପଦ୍ଧମାନଙ୍କ ପରି

 

 

ଚନ୍ଦ୍ରକଳାକର ଘେନି କୁମୁଦିନୀ ହେଲା ପରି ପ୍ରମୁଦିତ ।

ବାଳାକର ଧରି ଜଳେ ସେ ସୁନ୍ଦରୀ ପ୍ରକାଶିଲେ ସେହି ମତ ସେ ।

କିବା ନିର୍ମଳ ଘନେ ।

ଲୋଳେ ଖେଳିଲେ ଚପଳାମାନେ ଯେ ।

ବାଳା ଖେଳିଲେ ଅତି ଶୋଭନେ ଯେ ।୧୯।

 

ସରଚରୀ ପରି ଲହରୀରେଖାର ପହଁରିଲେ ହରିଣାକ୍ଷୀ ।

କଳହଂସକୁଳ ହୋଇଲେ ନିଶ୍ଚଳ ବାଳାବଳୀ ଖେଳ ଦେଖି ସେ ।

କେହି ନୟନ ବୁଜି ।

ସଖୀ ନ ଚାହୁଁ ରହେ ନିମଜ୍ଜି ସେ ।

ଆର ସଖୀ ମଜ୍ଜିଯାଏ ଖୋଜି ଯେ ।୨୦।

 

କେ କାହାର ଜଳନିମଗ୍ନ ବିପୁଳ ଊରୁଯୁଗ ତଳେ ବୁଡ଼େ ।

ଚମକି ସେ ଡରେ ଭୁଜେ ନିବିଡ଼ରେ ସମୀପ ସହୀକି ଭିଡ଼େ ଯେ ।

ଜାଣି ହସେ ହରଷେ ।

ତାର ସୁନ୍ଦର ମୁଖସାରସେ ଯେ ।

କରାଞ୍ଜଳିରେ ଜଳ ବରଷେ ଯେ ।୨୧।

 

କେ ବାଳା କାହାର ଶିଥିଳାଇ ଫେର ନିତମ୍ୱ ନିକଟ ହେଜି ।

ନଖ ଚଳାଇ ଚମକାଇ ପଳାଇ ସଲୀଳେ ମଜ୍ଜି ଯେ ।

ଦୂରେ ଯାଇ ବାହାରି ।

 

ଅଟ୍ଟହାସ କଲା ମନୋହାରୀ ଯେ ।

କେହି କାହାକୁ ଖେଳେ ନ ହାରି ଯେ ।୨୨।

 

କେ ଗେଲେ ଗୁହାରି କହଇ ଜୁହାରି ଜେମା ସନ୍ନିଧିରେ ହସି ।

ଦେଖୁଅଛୁ ପରା ପ୍ରଭୁ ତୁ ତ ଧରାମଣ୍ଡନା ତମାଳକେଶି ରେ ।

କାହିଁପାଇଁ ଏ ମୋର ବକ୍ଷସ୍ଥଳ କଲା ଦିଗମ୍ବର ଗୋ ।

ଲଜ୍ଜା ରଖିଲା ସିନା ଶମ୍ବର ଗୋ ।୨୩।

 

ବାଳା ଶୁଣି କହେ ଅତଥ୍ୟ ଏ ନୋହେ ଏହାର ଏ ହାରି ହେବ ।

ପୁରୁଷେ ପାଣିରେ ରହିବାରୁ ସିନା ବଞ୍ଚାଇଲୁ ଅବୟବ ରେ ।

ଆନ ସହାୟ ବଳେ ।

ବଞ୍ଚି ପାରନ୍ତୁ କି ଜଳଖେଳେ ରେ ।

ବୁଝାଯିବ ବେହରଣ ବେଳେ ରେ ।୨୪।

 

ଜେମାର ବିପୁଳ ଜଘନକୁ ଜଳ ଯହିୁଁ କଲା ଆଲିଙ୍ଗନ ।

ଯୁବରାଜ ପାଣିଲାଗି ପରି ମଣି ପୁଲକନ୍ତେ ଅପଘନ ଯେ ।

ହସି କେଉଁ ମହିଳା ।

ଛଳି ଆନକୁ ଚାହିଁ କହିଲା ଯେ ।

କାଳ କଳି ହେଲେ କି ନୋହିଲା ଗୋ ।୨୫।

 

ନେତ୍ରପ୍ରଦେଶ ଯେଉଁମାନଙ୍କର ସେହି ସଖୀମାନେ । ୧୯ । ଚନ୍ଦ୍ରକଳାକର- ଚନ୍ଦ୍ରଲେଖାର କିରଣ, ଲୋକେ-ଚଞ୍ଚଳ ହୋଇ, ଚପଳାମାନେ-ବିଜୁଳିସବୁ । ୨୦ । ଲହରୀରେଖାର-ସହଚରୀପରିଲହରୀ ସମାନ ହୋଇ, ବାଳାବଳୀ–ଯୁବତୀସମୂହ । ୨୧ । ଜଳନିମଗ୍ନ ବିପୁଳ ଉରୁ ଯୁଗଳେ––ପାଣିରେ ବୁଡ଼ିଥିବା ବଡ଼ ଜଙ୍ଘଦ୍ୱୟ ତଳରେ, ମୁଖସାରସେ-ମୁଖପଦ୍ମରେ, କରାଞ୍ଜଳିରେ ହାତ-ଆଞ୍ଜୁଳାରେ । ୨୨ । ଫେର–ଜଙ୍ଘ ନିକଟରେ ଥିବା ଲୁଟ, ନିତମ୍ୱନିକଟ ହେଜି– ପିଚାପାଖ ଜାଣି ପାରି, ସଲୀଳେ-କୌତୁକରେ, ସଲିଳେ–ପାଣିରେ । ୨୩ । ତମାଳକେଶୀ– ତମାଳ ଗଛର ପତ୍ର ପରି କେଶ ଯାହାର, ଦିଗମ୍ବର-ବସ୍ତ୍ରଶୁନ୍ୟ, ଶମ୍ବର–ଜଳ । ୨୪ । ବାଳ–ଏଠାରେ ଚନ୍ଦ୍ରକଳା, ଅତଥ୍ୟ-ମିଥ୍ୟା, ଏହାରି–ଏ ସଖୀର . ହାରି ହେବ–ଏଥିରେ ପରାଜୟ ହେବ, ପୁରୁଷେ ପାଣିରେ–ଏକପୁରୁଷ ପରିମିତ ପାଣି ଭିତରେ ଅଥଚ ପୁରୁଷର ପାଣି ବା ହାତରେ । ବେହରଣବେଳେ–ସଭା ବୈଠକ ସମୟରେ । ୨୫ । ଜେମାର ବିପୁଳ ... ଜେମା ଯେତେବେଳେ ଜଙ୍ଘେ ପାଣିରେ ପଶିଲା, ରାଜପୁତ୍ରର ହାତ ଲାଗିଲା

 

ପରକୁ ଯେ ଯାହା କରିଥାଇ ତାହା ଅନୁଭବ କରେ ଆପେ ।

ସବୁ ପ୍ରାଣୀଙ୍କର ଘରବୁଡ଼ା ମାରଘର ବୁଡ଼ିଗଲା ଆପେ ଗୋ ।

ଶୁଣି ଲାଜେ କିଶୋରୀ ।

ନେତ୍ର ଅନ୍ତରେ ମିଶାଇ କରି ଯେ ।

ଉଞ୍ଚାଇଲା ନୀଳକଞ୍ଜ ଧରି ସେ ।୨୬।

 

ଦେଖି ଅତି ବେଳ ହେଲା ଜଳଖେଳ ଜେମାର ସଇରିନ୍ଧ୍ରୀକା ।

ଆଳୀନିକରକୁ ତିଆରି ଗିରକୁ କହିଲା ଏ କି ଜୀବିକା ଗୋ ।

ଦେଖ ପ୍ରତୀଚୀ ଦିଗ ।

ବହିଲାନି ଅଲକତରାଗ ଗୋ ।

ଶୁଣି ଲଭିବେ ଦେବୀ ଉଦ୍‌ବେଗ ଗୋ ।୨୭।

 

ଶରମ ତାର ଶ୍ରୀ ଅଙ୍ଗୁଜନ୍ମାଇବ ଅତିଶୟ ‘ସରମତା’ ।

ବିପରୀତ ଶେଷ ବିଧିମୂଖ କରେ ଦିଅ ଧରୁ ଭୂପସୁତା ଗୋ ।

ଶୁଣି ଜେମା ସାହାସେ ।

ସଇରିନ୍ଧ୍ରୀକି କହେ ହରଷେ ସେ ।

ଅଛି ବିଶେଷ ଲୋଡ଼ା ନାହିଁ ସେ ଗୋ ।୨୮।

 

ଅଲୋମ ବିଲୋମ ଆଦ୍ୟ ପ୍ରାନ୍ତ କ୍ରମ ଅନ୍ତ ଆଦ୍ୟ କର ରୁଣ୍ଡ ।

ଉଭୟ ବହିର୍ଲିପିକାରେ ହୋଇବ ତ୍ରିଶଙ୍କୁ ନୃପତି ଦଣ୍ଡ ଗୋ ।

ପ୍ରଶ୍ନ ବର୍ଣ୍ଣଯୁଗଳୀ ।

ରଙ୍ଗେ ତହୁଁ ପଡୁଥିବ ଗଳି ଗୋ ।

ତହିଁ ଥିବ ସେ ଉଭୟ କେଳି ଗୋ ।୨୯।

 

ଅର୍ଦ୍ଧ ଅଲୋମ ବିଲୋମରେ ହୋଇବ ସସିରସିହସିରୁସି ।

କଳପୁଥିଲେ ସେ ବର୍ଣ୍ଣ ଧାଟି ହେବ କଳପଲତା ସଦୃଶୀ ଗୋ ।

ମୋତେ ଦିଅ ସେ ଫୁଲ ।

 

ପୁଣି ନୃପ ଆଦେଶକୁ ବୋଲ ଗୋ ।

ତଦନନ୍ତର ପ୍ରଶ୍ନ ତ ଭଲ ଗୋ ।୩୦।

 

ନ ସହି କଳି ଆରମ୍ଭିଲା ଲୋକକୁ କି ବୋଲନ୍ତି ବୁଧ ନରେ ।

ନିବାସ ମାଗିବା ଲୋକକୁ କି ବୋଲନ୍ତି ବଚନରେ ସେ ।

ଆଦ୍ୟେ ବିନ୍ଦୁକୁ ପାଇ ।

କେଉଁ ଦ୍ୱିବର୍ଣ୍ଣ ଗଜ ଦଳଇ ସେ ।

କୃଷାଣକୁ ପ୍ରାବୃଷିକି କହି ସେ ।୩୧।

 

ଶୁଚିରସମିତ୍ର କେ ,ସଖୀ ସଖୀକି ଶିଖାଏ ପ୍ରିୟ ହୋଇ ।

ବିଦ୍ୟାର୍ଥୀକି ନିରକ୍ଷରେ ସେ କି ବୋଲି ସରସ ହୃଦେ କି ଥାଇ ସେ ।

ଶୁଣ ସେ ତ ଚତୁରୀ ।

ବାଳା ଚିବୁକକୁ ସ୍ନେହେ ଧରି ସେ ।

ଗଲା ପ୍ରମୋଦ ପୁଲକେ ପୂରି ସେ ।୩୨।

 

ଜଣାଇଲା ଆରେ ପଣ୍ଡିତାମଣ୍ଡଳୀମଉଳୀରତନଭୂଷା ।

ପରିପାଳିଲୁ ତ ମୋହରି ବଚନ ଆନ ହେଲା ସିନା ଭାଷା ଗୋ ।

ତୁ ତ ଈଶ୍ୱରୀ ମୋର ।

ତେଣୁ ବଳିଳା ଏକ ଅକ୍ଷର ଗୋ ।

ସେବ୍ୟ ସେବକେ କେତେ ଅନ୍ତର ଗୋ ।୩୩।

 

ପରି ଅନୁଭବ କରି ଶରୀରର ରୋମ ଟାଙ୍କୁରି ଉଠିଲା, କଳିକାଳ ହେବାରୁ କଅଣ ନ ହେଲା ? । ୨୬ । ମାର (କନ୍ଦର୍ପ) ସମସ୍ତଙ୍କର ଘର ବୁଡ଼ାଏ ଅର୍ଥାତ୍‌ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରେ, ଏବେ ମାରଘର (ଜେମାର ଗୁପ୍ତ ଅଙ୍ଗ) ନିଜେ ପାଣିରେ ବୁଡ଼ିଗଲା । ୨୭ । ସଇରିନ୍ଧ୍ରୀକା-ବେଶକାରିଣୀ ସ୍ତ୍ରୀ, ପ୍ରତୀଚୀଦିଗ ... ପଶ୍ଚିମ ଦିଗରେ ଅଳତା ରାଗ ହେଲାଣି ଅର୍ଥାତ୍ ସନ୍ଧ୍ୟା ନିକଟବର୍ତ୍ତୀ, ତିଆରି-ଶାସନ କରି, ଗିର–କଥା, ଦେବୀଜେମାଙ୍କ ମା ପାଟରାଣୀ । ୨୮ । ଶରମ–ପରିଶ୍ରମ ବା କ୍ରାନ୍ତି, ଅତିଶୟ ସରମତା–ଅତ୍ୟନ୍ତ ସୁଖଭାବ, ଅତ୍ୟନ୍ତ ସୁକୁମାରୀ ହେତୁରୁ ବେଶି ଖେଳିଲେ ସେ କ୍ଳାନ୍ତ ହୋଇ ପଡ଼ିବ, ବିମୁଖଚାରି, ‘ସରମତା’ ଶବ୍ଦର ... ବିପରୀତ ‘ତାମରସ’ ହୁଏ, ଅତଏବ ତା ହାତରେ କ୍ରାନ୍ତି ଦୂର କରିବା ପାଇଁ ତାମରସ (ପଦ୍ମ) ଦିଅ । ୨୯-୩୩ । ସରସିରୁହ ଶବ୍ଦର ପ୍ରତ୍ୟେକ ଅକ୍ଷରକୁ ଓଲଟ ପାଲଟ କରିଦେଲେ ଏହି ପାଞ୍ଚପଦର ଅର୍ଥ ବାହାରିବ; କୃଷାଣ-କୃଷକ, ପ୍ରାବୃଷି-ବର୍ଷାକାଳରେ,

 

କ୍ଷିତିପତିକନ୍ୟା ଆଗେ କେ ମଣ୍ଡିଲା ଚିତି ପହଁରାରେ ଅମ୍ବୁ ।

ପାଶୀ ସ୍ୱର୍ଗକୁ ଯିବାକୁ ପଡ଼ିଲା କି କାଶୀଆରିଜରୀ ତମ୍ବୁ ଯେ ।

ଆଭାସିଲା ସେପରି ।

ତାର ଉନ୍ନତ ଉରଜଶିରୀ ଯେ ।

ମାର ହୃଦୟକୁ ଦିଏ ଘାରି ଯେ ।୩୪।

 

ଏକାବେଳେ ଜଳେ ବୁଡ଼ିଲେ ସକଳେ ଭାସିଲା ଊର୍ଦ୍ଧ୍ୱେ କେବଳ ।

ଇନ୍ଦ୍ରନୀଳ ଛାୟା ଚାମର ନିଚୟ ପ୍ରଲମ୍ବ କୁନ୍ତଳକୁଳ ଯେ ।

ସରୁଁ ଏକ ପ୍ରଦେଶ ।

ଧଇଲା କି ସୁରସୁତା ବେଶ ଗୋ ।

ଅବା ତମାଳଛାୟା ପ୍ରବେଶ ଯେ ।୩୫।

 

ସ୍ଫୁରିବାରୁ କଚ ସୁବାସ ବିକଚ କୁସୁମ ବନ ଉପେକ୍ଷି ।

ଅଗଣିତ ଭୃଙ୍ଗରାଜି ତହିଁ ଅଙ୍ଗ ଜମାଇ ରହିଲେ ଲାଖି ସେ ।

କେ ସେ ଭ୍ରମରବଳୀ ।

କେ ସେ କିଶୋରୀଙ୍କ କେଶପାଳୀ ।

ହେଲା କେବଳ ଧ୍ୱନିରୁ କଳି ଯେ ।୩୬।

 

ସେ କେଳିମନ୍ଦିର ହୋଇବାରୁ କ୍ଷୀରସାଗର ଉଦରଗତ ।

ବାଳା ବୃନ୍ଦ ତୁଲେ ସମ୍ଭବି ଲଭିଲେ ଦ୍ରବିଣ ଅପରିମିତ ଯେ  

ଅଇରାବଣଗତି ।

ମଣିସନ୍ତତି ମଣି ସନ୍ତତି ଯେ ।

ଗିରେ ହୋଇଲା ଯେ ସୁଧା ପ୍ରତୀତି ଯେ ।୩୭।

 

ନିଜ ଅଙ୍ଗ ହରିଚନ୍ଦନବଲ୍ଲରୀ କଟାକ୍ଷ କଳାଗରଳ ।

ବଦନ ନିକର ପରିଣତତର ହରିଣଧରମଣ୍ଡଳ ଯେ ।

ପୁଣି ହେଲା ଉପମା ।

 

ପଦ୍ମସୁବାଦିତଅଙ୍ଗୀ ବାମା ଯେ ।

ଲୀଳାପଦ୍ମ ଧରିବାରୁ ରମା ସେ ।୩୮।

 

ମନ୍ଦହାସୀଚୟ ଯେ ଯାହା ସିଚୟ ଫେରାଇ ହୋଇ ହାଜର ।

କେତକୀଦଳୁ ହିମକୁ ପରି ଛାପିଦେଲେ ତା ଶ୍ରୀଅଙ୍ଗ ନୀର ଯେ ।

ଊରୁ ନିତମ୍ବ ସ୍ତନ ।

ଭେଦିଥିଲା ସୁଝିନ ବସନ ଯେ ।

ତାର ଶୋଭାଦୃଷ୍ଟି ନେଲା ଆନ ଯେ ।୩୯।

 

ଛାର ନୀଳମଣି ଚାମର ନୀରଦ ସମ କରିବାର ଜାଣି ।

ଜଳବିନ୍ଦୁ ଛଳେ ଅଶ୍ରୁ ମୁଞ୍ଚୁଥିଲା ଜେମାର କୁନ୍ତଳଶ୍ରେଣୀ ଯେ ।

ତାକୁ ବୋଧିଲା ପରି ।

ମୃଦୁ ଆଶ୍ୱାସନେ ଯତ୍ନେ ଧରି ସେ ।

ଛାପିଦେଲେ ପ୍ରିୟ ସହଚରୀ ଯେ ।୪୦।

 

ଶୁଚିରସ-ଶୃଙ୍ଗାର ରସ । ୩୪ । ପାଶୀ-ବରୁଣ, କାଶୀଆରିଜରୀତମ୍ବୁ-ଜରୀଲଗା ଦୁଇଗମ୍ୱୁଜ ଥିବା ବନାରସୀ ତମ୍ଭୁ । ୩୫ । ଇନ୍ଦ୍ରନୀଳ ... ଇନ୍ଦ୍ରନୀଳମଣିର କାନ୍ତିଯୁକ୍ତ ନୀଳଭଅଁର ପରି କେଶଗୁଚ୍ଛ; ସରୁ ... ସେ ପୋଖରୀରୁ ଏକ ଅଂଶ ସୂରସୁତା (ଯମୁନା) ନଦୀ ବେଶ ( ଯମୁନାର ଜଳ ନୀଳବର୍ଣ୍ଣ) ଧଇଲା କି ? ଅବା ପୋଖରୀର ସେ ଅଂଶରେ ତମାଳ ବୃକ୍ଷର ଛାୟା ପ୍ରବେଶ .. କଲା କି ? । ୩୬ । କଚ–କେଶ, କେଶର ସୁବାସ ବାହାରିବାରୁ ଅସଂଖ୍ୟ ଭ୍ରମର ବିକଚ (ପ୍ରସ୍ପୁଟିତ) ପୁଷ୍ପବନ ଛାଡ଼ି ସେ ସବୁ କେଶରେ ଦେହକୁ ଲୀନ କରି ଲାଖିଗଲେ, କେଶପାଳୀ-କେଶସମୁହ । ୩୭ । ସେମାନଙ୍କ କେଳି ମନ୍ଦିର ପର୍ବତ ପରି, ପୋଖରୀ କ୍ଷୀରସାଗର ପରି, ଦ୍ରବିଣ-ଧନ । ଐରାବଣ-ଐରାବତ ହାତୀ, ମଣିସନ୍ତତି– ମଣିସମୂହ । ୩୮ । ସମୁଦ୍ରମନ୍ଥନରୁ ହରିଚନ୍ଦନ ଲତା ପ୍ରଭୃତି ଜାତ ହୋଇଥିଲେ, ଏଠାରେ ଚନ୍ଦ୍ରକଳା ପ୍ରଭୃତିଙ୍କର ଅଙ୍ଗ ହରିଚନ୍ଦନଲତା ପରି, କଟାକ୍ଷ କଳାଗରଳ (ବାଳକୂଟ) ପରି, ସୁଖସମୂହ ପରିଣତର (ପୂର୍ଣ୍ଣ) ହରିଣଧରମଣ୍ଡଳ (ଚନ୍ଦ୍ରମଣ୍ଡଳ) ପରି ପଦ୍ମପରି ସୁଗନ୍ଧ ଶରୀରଧାରିଣୀ ଚନ୍ଦ୍ରକଳା ହସ୍ତରେ ଲୀଳାପଦ୍ମ ଧରିବାରୁ ରମା (ଲକ୍ଷ୍ମୀ)ଙ୍କ । ସଙ୍ଗେ ତୁଳିତ ହେଲା । ୩୯ । ସିଚୟ–ବସ୍ତ୍ର, ଫେରାଇ ହୋଇ-ବଦଳାଇ ହୋଇ, କେତକୀ ପାଖୁଡ଼ାରୁ କାକର ପୋଛି ଦେଲା ପରି । ୪୦ । ଛାର-ତୁଚ୍ଛ, ନୀଳମଣି, ଚାମର ଓ ନୀରଦ

 

ବୋଧିବା ବେଳେ ମୁଦିବା ପରି ଦେଇ ବଦନରେ କରପୁଟୀ ।

କାନ୍ତାରତନର କୁନ୍ତଳ ପ୍ରାନ୍ତରେ ପକାଇଲେ କୁଶବେଣ୍ଟୀ ସେ ।

ପେଣ୍ଡାଯାଏ ମଣ୍ଡିଲା ।

ନେତ୍ର କଦନ ଧନ ତଣ୍ଡିଲା ସେ ।

ଶିଖିକଳାପମଦ ଖଣ୍ଡିଲା ସେ ।୪୧।

 

ଚଳଦଳ ହେମରମ୍ଭାସ୍ତମ୍ଭ କାମରଥ ଚକ୍ରତୁଲେ ବାଦେ ।

ବାଳାର କେହି ଗୁପତ ଅଙ୍ଗମାନେ ଦିବ୍ୟବିଧି ଚିନ୍ତି ହୃଦେ ଯେ ।

ଜଳେ ନିମଜ୍ଜିଥିଲେ ।

ଜିଣି ବିଳମ୍ବେ ଯା ବାହାରିଲେ ଯେ ।

ପ୍ରଭୁପଣ ପ୍ରକାଶିଲା ଭଲେ ଯେ ।୪୨।

 

ହରଗଉରୀ ଜରୀ ଜାଲୀ କୁସୁମବଟା ଧଡ଼ି ପଡ଼ି ଶାଢ଼ୀ ।

ତିନିକି ମୁନିଙ୍କ ଧଇର୍ଯ୍ୟ ଧ୍ୱଂସିନୀ ବାନ୍ଧିଲା ଶାଢ଼ୀ ନିବାଡ଼ି ଯେ ।

ବହୁମାନର ଶେଷେ ।

ପ୍ରଶଂସିଲେ ସଜନୀ ବିଶେଷ ଯେ ।

ତାର ସ୍ତନ ଘଟିବ ବା ଶେଷେ ଯେ ।୪୩।

 

ସ୍ତନଯୁଗ ପୁଣି ପୁଆଇଲା ଜିଣି ମଣିସାକୁ ମନେ ଦକା ।

ସୁନା ଜରୀ ମଲ୍ଲୀକସିଦା ମତଲ୍ଲୀ କୁସୁମ୍ବା ରଙ୍ଗ ରାଇକା ଯେ ।

ଦେଲା ତାହାଙ୍କୁ ବାଳା ।

ତଦୁପୁରି ଦିବ୍ୟ ମୋତିମାଳା ଯେ ।

ମୃଦୁ ବୟସେ କେଡ଼େ ବତ୍ସଳା ଯେ ।୪୪।

 

ତଦନନ୍ତରେ ଅନ୍ତରଙ୍ଗ ତରଙ୍ଗଚଳନେତ୍ରା ଜଣେ ଲୋଳେ ।

ବିଜେବେଳ ଜାଣି ଖଟାଇଲା ମଣି କଠାଉ ଚରଣତଳେ ଯେ ।

ଧନ୍ୟ ସେ ରାଜଜେମା ।

ଜଗନ୍ନୟନ ଭାଗ୍ୟପ୍ରତିମା ସେ ।

ଆହା କି ମଣ୍ଡିଲା ମହୀସୀମା ଯେ ।୪୫।

 

(ମେଘ) ଏମାନେ ଜେମାର କେଶଗୁଚ୍ଛ ସଙ୍ଗେ ତୁଳିତ ହେବାରୁ ତାହା ଯେପରି ବିନ୍ଦୁ ବିନ୍ଦୁ ଜଳପାତ ଛଳରେ କାନ୍ଦୁଥିଲା । ୪୧ । କେହି କାନ୍ଦୁଥିଲେ ଯେପରି ତାକୁ ବୁଝାଇ ତା ମୁହରେ କରପୁଟୀ ( ହାତପାପୁଲି) ଦିଅନ୍ତି, ସେହିପରି ସେ କେଶଗୁଚ୍ଛକୁ ଧୀରେ ଧୀରେ ପୋଛି ଦେଇ ତହି ଅଗରେ କୁଶଗଣ୍ଠି ପକାଇ ଦେଲେ, ନେତ୍ରକଦନ ... ସେ କେଶଗୁଚ୍ଛ ନେତ୍ର କଦନ ଅର୍ଥାତ୍ କେଶରୂପ ଧନକୁ ତଣ୍ଡିଲା ଅର୍ଥାତ୍ କ୍ଲେଶ ଦୂର କଲା । ଶିଖିକଳାପ ... ମୟୁର ପୁଚ୍ଛର ଗର୍ବ ଧ୍ୱଂସ କଲା । ୪୨ । ଚଳଦଳ–ଅଶ୍ଵତ୍ଥପତ୍ର (ଗୁପ୍ତ ଅଙ୍ଗେ ସଙ୍ଗେ ତୁଳିତ), ହେମରମ୍ବାସ୍ତମ୍ଭ-ସୁନା କଦଳୀଗଛ (ଉରୁ ସଙ୍ଗେ ତୁଳିତ); କାମରଥଚକ୍ର-କନ୍ଦର୍ପରଥର ଚକ (ନିତମ୍ବ ସଙ୍ଗେ ତୁଳିତ) । ଦିବ୍ୟବିଧି-ଶପଥ ବିଧି; ଜେମାର ସେହି ତିନିଅଙ୍ଗ ଉପମିତ ଅଶ୍ୱଥ ପତ୍ର, ସୁନା କଦଳୀଗଛ ଓ କାମରଥ ଚକକୁ ଜିଣିବା ଇଚ୍ଛାରେ ବହୁକ୍ଷଣ ପାଣିରେ ବୁଡ଼ିରହି ସେମାନଙ୍କୁ ଜିଣିଲେ (ଆଗେ ଅନ୍ୟକୁ ଜିଣିବାପାଇଁ ଏହିପରି ଜଳଦିବ୍ୟବିଧି ଚଳୁଥିଲା, ଯେ ବହୁକ୍ଷଣ ଜଳରେ ବୁଡ଼ିରହି ପାରୁଥିଲା ସେ ଜୟୀ ବୋଲି ବିବେଚିତ ହେଉଥିଲା) । ୪୩ । ହରଗଉରୀଜରୀ (ଧଳା ଓ ହଳଦିଆ ରଙ୍ଗର ଜରୀ)ରେ ଜାଲି ପଡ଼ିଥିବା ଓ କୁସୁମବୁଟାଧଡ଼ି (ଫୁଲବୁଟା ପଡ଼ିଥିବା ଧଡ଼ି) ଶାଢ଼ୀଦ୍ଵାରା ସେ ତିନିଙ୍କୁ ମୁନିଧୈର୍ଯ୍ୟନାଶିନୀ ଚନ୍ଦ୍ରକଳା (ଦୃଢ଼ରୂପେ ବାନ୍ଧିଲା) । ୪୪ । ସେହି ସ୍ତନଦ୍ୱୟ ମଣିସାନୁ (ମେରୁ ପର୍ବତକୁ ଜିଣି) ପୁଣି ତା ମନରେ ଦକା ପୁଆଇଲା ( ଭୟ ଦେଲା) ଅର୍ଥାତ୍ ଅତି ଉନ୍ନତ ଦିଶିଲା, ତେଣୁ ଚନ୍ଦ୍ରକଳା ସେ ଦୁହିଙ୍କ ପ୍ରତି ଅତି ଦୟାର୍ଦ୍ର ହୋଇ ସୁନାଜରୀ ଲାଗିଥିବା ମତଲ୍ଲୀ (ଅତ୍ୟୁତ୍‌କୃଷ୍ଟ) କୁସୁମ୍ୱାରଙ୍ଗ (ଲାଲବର୍ଣ୍ଣର) ରାଇକା (କାଞ୍ଚଲା) ତାଙ୍କୁ ଦେଲା ଅର୍ଥାତ୍ ସୁନାଜରୀଲଗା ମଲ୍ଲୀଫୁଲ ପଡ଼ିଥିବା ଗୋଟାଏ ନାଲି କାଞ୍ଚଲା ସ୍ତନ ଦ୍ୱୟ ଉପରେ ପିନ୍ଧିଲା ଇତ୍ୟାଦି । ୪୫ ।

 

 

ମୋ ନାଦ ଶୁଣିଲେ ମଦନ ଅମଳେ ଯୁବାଙ୍କ ହୃଦୟ ଝୁମୁ ।

ଜଗତୀ ଧୃତି ହରଣରେ ମୁଁ ଠକ ବୋଲି କହେ ଧ୍ୱନି କ୍ରମୁ ଯେ ।

ଭଲା ତା ଜନ୍ମ ଲୋକେ ।

ନାହିଁ ତା ଭାଗ୍ୟ ଶକ୍ରମସ୍ତକେ ଯେ ।

ଦୁଃଖ ପାସୋରାଏ ଅବଲୋକେ ଯେ ।୪୬।

 

ହରପୁରପୂଜା ସରପଣା ସ୍ୱାଦୁତର ପଥ୍ୟ ଭାଷୀ ବାଳା ।

ନରପତିଜେମାବର ପଙ୍କେରୁହ କର ପଇଠ ଧଇଲା ଯେ ।

ବିଜେ ମଣିମା ଡାକ ।

ଶୁଣି ବିଚାରିଲେ ସଖୀଯାକ ଯେ ।

ଧିକ ବାକି ତ୍ରୟୋଦଶଲୋକ ଯେ ।୪୭।

 

ଅର୍ଦ୍ଧପଦ୍ଧତିରେ ଦୁଇ ଦାସୀ ଆସି ମିଶିଲେ ମସାଲ ଜାଳି ।

ଗୁରୁଶୁକ୍ରପାଶେ ପୂର୍ଣ୍ଣ ବିଧୁ ପରି ବିଜେ କରିଗଲା ବାଳୀ ଯେ ।

ଇଷ୍ଟଦେବୀଙ୍କି ଦେଖି ।

ଘେନି ପ୍ରସାଦ ମାଲ୍ୟ ସମୁଖୀ ଯେ ।

ଭେଟି ଜନନୀଙ୍କି କଲା ସୁଖୀ ଯେ ।୪୮।

 

ସେଠାରୁ ନିଜ ମନ୍ଦିରକୁ ସୁନ୍ଦରୀବର କରିଗଲା ବିଜେ ।

କେଶକୁ ଅଙ୍ଗନା ଧୂପ ଦେଲେ ଜନାର୍ଦନ କୃଷ୍ଣଗୁରୁ ରଜେ ଯେ ।

ହେଲା କବିମାନସେ ।

ଧୂମ ନୁହଇ ନବଘନ ସେ ଯେ ।

ହାରି ଶୋଭାକୁ ଶରଣ ପଶେ ଯେ ।୪୯।

 

ଭାଲ ଖାଲିଥିଲା ଭଲ ନୁହେ ବୋଲି ଦଳି ଦିବ୍ୟ ଗୋରଚନା ।

ଭୂରୁ ମଧ୍ୟେ ଇନ୍ଦୁବରତୁଳ ବିନ୍ଦୁ ରଚିଲେ ମୃଗଲୋଚନା ଯେ ।

ହେଲା ଚିତ୍ର ବିଛଣା ।

ମାଳବର କାଳ ହେଲା ଜଣା ଯେ ।

ଫରମାସିଲା ମର୍ଦ୍ଦଳ ବୀଣା ଯେ  ।୫୦।

 

ଦୁଇ ପଞ୍ଚାଶତ ପଦ ପରିମିତ ଲୋକେ ମୋଦ ମହୋଦୟ ।

ଅଳକସୁନ୍ଦର ଚନ୍ଦ୍ରବଦନାର ଜଳକେଳି ରସମୟ ଯେ ।

କର୍ଣ୍ଣମନ ମୋହନ ।

ଯୁବାମାନସ ମୃଗ ଗହନ ଯେ ।

ଦୁଃଖ ଇନ୍ଧନ ଦାହ – ଦହନ ଯେ ।୫୧।

 

ହରି ବନ୍ଦନୀୟ ସଭୋଗି – ବଳୟ ବିରାଜିତ ରାଜବଳ ।

ସଦାଶିବ ରାମ ରଙ୍ଗ ଧାମ ରାମଚନ୍ଦ୍ର ଦେବ ହୃଦସ୍ଥଳ ଯେ ।

ଶେଷ ହେଲା ଏ ଛାନ୍ଦ ।

ଜଳବିହାର ରସିକାନନ୍ଦ ଯେ ।

ମହୀଶଶିକାନ୍ତକୁ ଏ ଚାନ୍ଦ ଯେ ।୫୨।

 

ଅନ୍ତରଙ୍ଗ-ଆତ୍ମୀୟା; ତରଙ୍ଗନେତ୍ରା–ଚଞ୍ଚଳନୟନା । ୪୬ । ମଣିକଠାଉ ନାଦ ଛଳରେ କହିଲା ... ମଦନ ଅମଳ (କାମନିଶାରେ) ଯୁବକମାନଙ୍କ ମନ ଝୁମୁ (ଘାରି ହେଉ) । ୪୭ । ହରପର ... କନ୍ଦର୍ପପୂଜାର ସରପଣା ଅପେକ୍ଷା ଅଧିକତର ସ୍ଵାଦୁ ଓ ହିତକର ବାଣୀ ଯାହାର ଏପରି । ରାଜକନ୍ୟାର, ପଙ୍କେରୁହକରପଇଠ ପଦ୍ମହସ୍ତର ଭାର । ବାକି ତ୍ରୟୋଦଶଲୋକକୁ ଧିକ୍‌-ଚତୁର୍ଦ୍ଦଶ ଭୁବନ ମଧ୍ୟରୁ ଏ ମର୍ତ୍ତ୍ୟ ଲୋକକୁ ଛାଡ଼ି (କାରଣ ଏଠାରେ ଚନ୍ଦ୍ରକଳାର ଜନ୍ମ) ବାକି ତ୍ରୟୋଦଶଲୋକକୁ ଧିକ୍ । ୪୮ । ଅର୍ଦ୍ଧପଦ୍ଧତି–ଅଧବାଟ । ୪୯ । ଜନାର୍ଦ୍ଦନ କୃଷ୍ଣାଗୁରୁରଜ–ଏକପ୍ରକାର ସୁଗନ୍ଧ ଧୂପ ମସଲାଚୂର୍ଣ୍ଣ, ନବଘନ-ନୂଆ ମେଘ । ୫୦ । ଇନ୍ଦୁବର୍ତ୍ତୁଳବିନ୍ଦୁ-ଚନ୍ଦ୍ରପରି ଗୋଲ ଗୋରଚନା ଟୋପା, ମାଳବର କାଳ–ସଙ୍ଗୀତର ପ୍ରଥମ ରାଗର ସୁସମୟ । ୫୧ । ଏ ଛାନ୍ଦ ଯୁବକ ମନମୃଗ ପକ୍ଷରେ ଅରଣ୍ୟ ପରି, ଦୁଃଖରୂପ ଇନ୍ଧନ (ଜାଳଣିକାଠ)କୁ ପୋଡ଼ିଦେବା ବିଷୟରେ ଦହନ (ଅଗ୍ନି) ପରି । ୫୨ । ହରି-ବିଷ୍ଣୁ ଓ କପିରାଜ ସୁଗ୍ରୀବ, ସଭୋଗିବଳୟ-ସର୍ପବଳୟଧାରୀ (ଶିବ), ରାଜମଣ୍ଡଳ ସହିତ (ରାମ) ବିରାଜିତରାଜବଳ–ଚନ୍ଦ୍ରଖଣ୍ଡଶୋଭିତ (ଶିବ) ଓ ଇନ୍ଦ୍ରଙ୍କ ସୈନ୍ୟଦ୍ଵାରା ପରିବେଷ୍ଟିତ (ଲଙ୍କା ଯୁଦ୍ଧରେ); ରଙ୍ଗଧାମ-କ୍ରୀଡ଼ାସ୍ଥାନ, ମହୀଶଶିକାନ୍ତ-ପୃଥିବୀରୂପ ଚନ୍ଦ୍ରକାନ୍ତମଣି ପକ୍ଷରେ । ।

 

ଦ୍ୱାଦଶ ଛାନ୍ଦ

ରାଗ – ରାମକାରୀ

( ପରିଣୟ ମନ୍ତ୍ରାନନ୍ଦନ )

 

 

ମସୀକେଶାରସ ରସିକେ ଶଣ ଏ ରସ ସ୍ନେହେ ।

ମଣିମଞ୍ଜୁଳେଶ ମନ୍ତ୍ରୀକି ଆଣି ଏକାନ୍ତେ କହେ ।୧।

ସୁତାପରିଣୟସୁତାପ ଶୀର୍ଣ୍ଣ କଲା ମୋ ଦେହ ।

କି ବୁଦ୍ଧି ଏଥିକି ସୁବୁଦ୍ଧି ବଳେ ବିଚାରି କହ ।୨।

 

ସଚିବ ତହିଁକି ବିରଚି ବହୁ ବିଚାରେ ଭାଷେ ।

କହିବାର ମୋର ମହୀବାସବ ଘେନ ମାନସେ ।୩।

ନାକରେ ଭୂଲୋକ ଯାକରେ ନାଗେ ଦେଲିନି ମନ ।

ବରତମାନରେ ବର ତ ନାହିଁ ଜେମା ସମାନ ।୪।

 

ଶାରଙ୍ଗଧରଙ୍କୁ ତ ରଙ୍କୁନେତ୍ରା ବୋଲିବା ନାହିଁ ।

ବରିବ କରିବଦନଙ୍କ ଜନକଙ୍କୁ ସେ କେହି ।୫।

ଚାରିବଦନଙ୍କୁ ପାରିବ ନାହି ଭୀତିରୁ ବରି ।

ନତନୁ ତନୁବିହୀନି ତ ସେ କି କିଶୋରୀ ସରି ।୬।

 

ବାସବ ତାହାର ଦାସବତହିଁ ହୋଇବେ ନିକି ।

ଅସିତପକ୍ଷରେ ଶଶୀ ତ କ୍ଷୟ ଲଭେ କଳଙ୍କୀ ।୭।

ପାଶୀକି ସୁକୁନ୍ଦହାସୀକି ମନେ ହସି ନ ଦେବ ।

ଧନଦଙ୍କୁ କାହୁଁ ବନଦକେଶା ମନ ବଳିବ ।୮।

 

କୁବେର ତ ନଳକୂବର ତହିଁ କ୍ଷମତା କାହିଁ ।

ସୁରଭିତଦେହା ସୁରଭିଷଜେ ରସିବ ନାହିଁ ।୯।

ମାରତଣ୍ଡରେ ଜେମା ରତମନା କେବେ ନୋହିବ ।

ଜ୍ୱଳନେ ସୁଷମା କଳନେ ମତେ ନ ସ୍ଫୁରେ ଲବ ।୧୦।

 

ଦ୍ଵାଦଶ ଛାନ୍ଦ

 

୧ । ମସୀକେଶା-କୃଷ୍ଣକେଶଯନ୍ତା ରମଣୀ । ୨ । ସୂତା ପରିଣୟ ସୁତାପ-କନ୍ୟାବିବାହର କଷ୍ଟ । ୩ । ମହୀବାସବ– ପୃଥିବୀର ଇନ୍ଦ୍ର ବା ମହୀନ୍ଦ୍ର । ୪ । ନାକରେ-ସ୍ୱର୍ଗରେ, ନାଗେ-ନାଗଲୋକରେ, ପାତାଳରେ । ୫ । ଶାରଙ୍ଗଧରଙ୍କୁ-ଶୃଙ୍ଗନିର୍ମିତ ଧନୁକୁ ଧରିଥିବା ବିଷ୍ଣୁଙ୍କୁ, ରଙ୍କୁନେତ୍ରା–ମୃଗନୟନା, ଚନ୍ଦ୍ରକଳା; କରିବଦନଜନକ ହାତୀମୁହାଁ ଗଣେଶଙ୍କ ପିତା ଶିବ । ୬ । ଚାରିବଦନ-ବ୍ରହ୍ମା, ନତନୁ-ତନୁବିହୀନ କନ୍ଦର୍ପର ତ ଶରୀର ନାହିଁ । ୭ । ବାସବ-ଇନ୍ଦ୍ର, ଦାସବତ–ଭୃତ୍ୟପରି; ଅସିତପକ୍ଷର ଶଶୀ-କୃଷ୍ଣପକ୍ଷର ଚନ୍ଦ୍ର । ୮। ପାଶୀ-ବରୁଣ, ଧନଦ-କୁବେର, ବନଦକେଶା ଘନକେଶ । ୯ । ନଳକୁବର-କୁବେରପୁତ୍ର, କୁବେର-କୁସିତ ରୂପଧାରୀ, ସୁରଭିଷଜେ- ଦୈବବୈଦ୍ୟ ଅଶ୍ଵିନୀକୁମାରଙ୍କଠାରେ । ୧୦ ।

 

ଶିଖିବାହନେ ସୁମୁଖୀ ବା ଭଜି ଲଭନ୍ତି ସୁଖ ।

ପଞ୍ଚମରୁ ବଳେ ପ୍ରପଞ୍ଚ ବଳେ ତାହାଙ୍କ ମୁଖ ।୧୧।

 

ସମରେ ଇତରେ ଅମରେ ପର କେହି ନ ଦିଶେ ।

ପକ୍ଷରେ ଚିନ୍ତିବା ପକ୍ଷରେ ହାସ ସ୍ଫୁରେ ମାନସେ ।୧୨।

 

ଅନ୍ଧରେ ପ୍ରକାରେ ଗନ୍ଧରବରେ ତାକୁ କେ ଦେବ ।

ଭିନ୍ନରେ ଭାବିଲେ କିନ୍ନରେ ବର କାହୁଁ ଆସିବ ।୧୩।

 

ଗ୍ରହରେ ଯେବେ ଆଗ୍ରହରେ ଖୋଜି ବସିବା ବର ।

ଧିଷଣ କିଛି ଅଭୀଷଣ ଆଉ ନାହିଁ ସୁନ୍ଦର ।୧୪।

 

ନାଗରେ କେ ଅବା ନାଗରେ ଥିବେ ନ ଥାଇ ଜାଣି ।

ଭୋଗରେ ସେ ଅଧୋଭଗରେ ବଡ଼ ଦାରୁଣ ପୁଣି ।୧୫।

 

ରସାରେ ମୋତେ ସୁସାରେ ନୃପତନୟ କେହି ।

ରାଜନନ୍ଦନାର ଭାଜନ ହୋଇ ଦିଶଇ ନାହିଁ ।୧୬।

 

ଆନରେ ତ ଅନୁମାନରେ ତାହାର ଅନୁରୂପେ ।

ନ ଦିଶେ ସୁଷମା ନ ଦିଶେ ଭୂଷା ସପତଦ୍ୱୀପେ ।୧୭।

 

କବନବିଦ୍ୟାରେ ଭବନନ୍ଦନଠାରୁ ବଳିବ ।

ସରସଗୁଣେ ଶ୍ରୀହରଷ ଲଭୁଥିବ ଲାଘବ ।୧୮।

 

ଖଣ୍ଡିତ ନୋହିବା ପଣ୍ଡିତପଣେ ଶେଷକୁ ଜିଣି ।

ନାରଦଠାରୁ ବିଶାରଦ ହେବ ସଙ୍ଗୀତ ପୁଣି ।୧୯।

 

ବିଗ୍ରହ ଥାଇ ରବିଗ୍ରହ ପରି ପ୍ରତାପୀ ହେବ ।

ଜେମାର ସଦୃଶ ଯେ ମାର କରଗ୍ରହ କରିବ ।୨୦।

 

ଶିବକୁ ପ୍ରତ୍ୟହ ଶିବଙ୍କୁ ମନାଇଛି କେ ଯୁବା ।

କାଶୀରେ ଗିରିଜିମା ଶିରେ ଦେଇ ଅସଂଖ୍ୟ ଜବା ।୨୧।

 

ଗଙ୍ଗାତୀରଙ୍କର ସଂଗାତିଶୟ ପାବନବନେ ।

କରିଚି କେ ତପ ଧରି ଚିନ୍ମୟ ଦେହ ଭୁବନେ ।୨୨।

 

କଳପାନ୍ତ ଯାଏ ଜନପାନ ହିଁ ଦେଇ ବରଜି ।

ଶ୍ୱସନମାତ୍ରକ ଅଶନ କରି ହରିଙ୍କି ଭଳି ।୨୩।

 

ଜଳପ ତେଜି ସଂକଳପ କରି ଗରିଷ୍ଠ ଫଳ ।

ତଳପ କରି ଅନଳପ କାଳ ଧରିତ୍ରୀ ତଳ ।୨୪।

 

ଘରକୁ ପାସୋରି ଧରକୂଟର ଉଟଜେ ବସି ।

ଶୟନ ନ ଭଜି ନୟନ ନାସା ଅଗ୍ରେ ନିବେଶି ।୨୫।

 

ଯେ ଜପିଥିବ ତ ଶେଯପୀଠରେ ଶତବରଷ ।

ସେ ସିନା ଧରିବ ଏ ସୁନାଗୋରୀ କରସାରସ ।୨୬।

 

ମାର୍ତ୍ତଣ୍ଡ–ସୂର୍ଯ୍ୟ, ରତମନା–ଅନୁରକ୍ତ ଚିତ୍ତ, ଜ୍ୱଳନେ ସୁଷମା କଳନେ – ଅଗ୍ନିଙ୍କଠାରେ ସୌନ୍ଦର୍ଯ୍ୟ ଥିବା ବିଷୟରେ । ୧୧ । ଶିଖିବାହନ–କାର୍ତ୍ତିକେୟ, ପଞ୍ଚମରୁ ... ତାଙ୍କର ମୁହଁ ପାଞ୍ଚରୁ ଅଧିକ ଛଅଟି, ଏ କଥା ସଂସାରରୁ ବାହାର । ୧୨ । ସମରେ–ସମାନତାରେ, ପର-ଉତ୍କୃଷ୍ଟ । ଅନ୍ଧର ପ୍ରକାରେ- ଅନ୍ଧଭାବରେ । ୧୪ । ଧିଷଣ କିଛି ଅଭୀଷଣ-ବୃହସ୍ପତି କେତେକ ପରିମାଣରେ ଅଭୟଙ୍କର । ୧୫ । ନାଗରେ – ନାଗଲୋକରେ ଏବଂ ନାଗରମାନେ. ଭୋଗରେ-ଫଣାରେ, ଅଧୋଭାଗରେ– ନିମ୍ନଦେଶ ପାତାଳରେ । ୧୮ । କବନ ବିଦ୍ୟାରେ-କବିତ୍ଵ ସ୍ଫୁରଣରେ, ଭବନନ୍ଦନ- ଗଣେଶ, ଶ୍ରୀହର୍ଷ–ନୈଷଧ କାବ୍ୟ ପ୍ରଣେତା କବି । ୧୯ । ଶେଷ-ଶେଷଦେବ, ଫଣୀଶ୍ୱର । ୨୦ । ବିଗ୍ରହ-ଶରୀର, ମାର-କନ୍ଦର୍ପ । ୨୧ । ଶିବ ମହାଦେବ, ଶିବଙ୍କୁ ନିରନ୍ତର ମଙ୍ଗଳ ନିମିତ୍ତ । ଗିରିଜେମା-ପାର୍ବତୀ, ଅନ୍ନପୂର୍ଣ୍ଣା. ଜବା–ମନ୍ଦାରଫୁଲ । ୨୩ । ଜଳପାନହିଁ-ପାଣି ପିଇବା ମଧ୍ୟ, ଶ୍ଵସନ-ପବନ, ଅଶନ-ଭୋଜନ । ୨୪ । ଜଳପ-ଜଳ୍ପ, କଥା। ୨୫ । ଧରକୃଟରଊଟଜେ–ପର୍ବତଶୃଙ୍ଗସ୍ଥ କୁଡ଼ିଆରେ ।୨୬।

 

ଚରମାଦ୍ରିଯାଏ ଚରମାନଙ୍କୁ ପେଷିବା ଶିବେ ।

ନିଦେଶମାଫିକେ ବିଦେଶଯାକ ବୁଝି ଆସିବେ ।୨୭।

 

ବାଳୀବର ବର ଭାବେ ଯା ଛବି ହେବ ପ୍ରକଟ ।

ରଙ୍ଗାଜୀବେ ଯିବେ ଆସିବେ ଲେଖି ତା ରୂପପଟ ।୨୮।

ମାୟାନର ନରତନୟେ ଜାଣନ୍ତି ଇନ୍ଦ୍ରଜାଲେ ।

ଆଜ୍ଞା ଦେବ ଦେବ ସେ ଯିବେ ଦେଶ ହେଜିବେ ଭଲେ ।୨୯।

 

ଧୀରପଣେ ପଣେ ଅମରଗୁରୁ ଯିବେ ଓହରି  

ପୃଥିବୀରେ ବୀରେ ନ ଥିବେ ଯାହା କଳାକୁ ସରି ।୩୦।

 

ସମ୍ପଦରେ ଦରେ ଶଙ୍କିବେ ଯାକୁ କୁଳିଶପାଣି ।

ବଳି କର୍ଣ୍ଣ କର୍ଣ୍ଣ ଯା ଦାନ ଯଶ ନଥିବ ଶୁଣି ।୩୧।

 

ଗୁଣରୂପରୁ ପୁରୁଷତା ଭାସ ମାତ୍ରକ ଥିବ ।

ଅବଧାନ ଧାନ ପ୍ରମାଣେ ଯାହାଠାରେ ହୋଇବ ।୩୨।

ସେହି ହେବ ଦେବ ସୁମତିମଣ୍ଡଳୀସଂକ୍ରନ୍ଦନ ।

ଜେମାମଣି ମଣି ସଂଯୋଗବିଧାନରେ କୁନ୍ଦନ ।୩୩।

 

ସ୍ୱୟମ୍ବର ବରବର୍ଣ୍ଣନା ମନେ ବାଞ୍ଚ୍ଥିବ ଅବା ।

ମନୋରଥ ରଥସଞ୍ଚାର ପଥ କ୍ରମେ ଜାଣିବା ।୩୪।

 

ଏ ବିଧିରେ ଧୀରେ କହନ୍ତି କନ୍ୟାରତନ ଛବି ।

ତାହାର ସେ ରସେ ବଳିବା ଚିତ୍ତ ପ୍ରଧାନ ଭାବି ।୩୫।

 

ଜନନୀର ନିରବଧିକ ଧନେ ବଳେ ଯେ ମତି  

ଜାଣି ତାତ ତା ତରଳତା ଲୋଡ଼େ ସୁଗୁଣଖ୍ୟାତି ।୩୬।

 

ବନ୍ଧୁ କୁଳକୁ ଲଜ୍ଜା ନୋହେ କୁଳ ହେଲେ ନିର୍ମଳ ।

ଚାକରଙ୍କ ରଙ୍କ ପଣରୁ ଭୋଜି କରନ୍ତି ମୂଳ ।୩୭।

 

ମହତ୍ତ୍ୱ ମହତ୍ତମମାନେ ପ୍ରବଳାଇ କରନ୍ତି ।

ଆନନ୍ଦ ଆନ ନର ନିନ୍ଦା ସ୍ତବ କରେ ଭରତି ।୩୮।

 

ତଥାପି ତଥାପି ହୋଇବ ଦେବ ଦୁଃଖ ବିଚାର ।

ମନୁଜ ମନୁଜନ୍ୟପୀଡ଼ା ନ ରଖନ୍ତୁ ଈଶ୍ୱର ।୩୯।

 

ତରୁଣୀ ତ ଋଣୀ କରିଛି ତପେ ଦେବଙ୍କୁ ପୁର୍ବେ ।

ଦେବ କି ଦେବ କିଶୋରୀକି ଦୁଖ ନ ସୁଝି ଏବେ ।୪୦।

 

ସଚିବ ଶଚିବର ତୁଲ୍ୟ ନୃପ ଦୁହେଁ ଏପରି ।

ମାନସମାନ ସମାଧାନ କରି ନେଲେ ଶର୍ବରୀ ।୪୧।

 

ପ୍ରଭାତପ୍ରଭା ତରଣିଙ୍କ ସୂତ କଲେ ପ୍ରକାଶ ।

ବାସବ-ବାସବତୀ ଦିଗ ହେଲା ଯୋଗନୀ ବେଶ ।୪୨।

 

କରିସାରସ-କରପଦ୍ମ । ୨୭ । ଚରମାଦ୍ରି-ଚରମାଚଳ, ପଶ୍ଚିମସୀମା ଶେଷ, ଶିବେ-ଶୁଭମୁହୁର୍ତ୍ତରେ । ୨୮ । ରଙ୍ଗାଜୀବେ-ଚିତ୍ରକରମାନେ । ୩୦ । ପଣେ ଅମରଗୁରୁ-ଅଶୀ ଜଣ ବୃହସ୍ପତି, ଓହରିଯିବେ– ପରାସ୍ତ ହେବେ । ୩୧ । କୁଳିଶପାଣି – ଇନ୍ଦ୍ର; ବଳି କର୍ଣ୍ଣ– ପ୍ରସିଦ୍ଧ ଦାତା ଦୁଇ ଜଣ, କର୍ଣ୍ଣ-କାନ । ୩୨ । ପୁରୁଷତାଭାସ--ପୌରୁଷର ସୂଚନା ବା ସଙ୍କେତ । ଅବଧାନ-ଚିତ୍ତର ଏକାଗ୍ରତା, ଧାନ ପ୍ରମାଣେ–ଅତି ଅଳ୍ପ ମାତ୍ରାରେ । ୩୩ । ସୁମତୀମଣ୍ଡଳୀସଂକ୍ରନ୍ଦନ– ପଣ୍ଡିତସମୂହର ଇନ୍ଦ୍ର, ଅର୍ଥାତ୍ ଶ୍ରେଷ୍ଠ ପଣ୍ଡିତ, କୁନ୍ଦନ-ସୁବର୍ଣ୍ଣ । ୩୪ । ମନୋରଥରଥ ସଞ୍ଚାରପଥ–ଅଭିଳାଷରୁପ ରଥର ଗତିପଥ ଅର୍ଥାତ୍ ଯେଉଁ ଦିଗରେ ଇଚ୍ଛା ତାହା । ୩୬ । ନିରବଧିକ ଧନେ- ପ୍ରଚୁର ସମ୍ପତ୍ତିରେ (ମା ଧନ ଖୋଜେ), ତା ତରଳତା–ଧନର ଅସ୍ଥିରତା, ସୁଗୁଣ ଖ୍ୟାତି – ଜ୍ଞାନର ପ୍ରଶଂସା । ୩୯ । ମନୁଜ ମନୁଜନ୍ୟପୀଡ଼ା ମନୁଷ୍ୟର ମାନସିକ ସନ୍ତାପ । ୪୧ । ସଚିବ-ମନ୍ତ୍ରୀ; ଶଚିବର – ଇନ୍ଦ୍ର । ୪୨ । ତରଣିଙ୍କ ସୂତ – ସୂର୍ଯ୍ୟ ସାରଥ ଅରୁଣ; ବାସବବାସବତୀଦିଗ-ଇନ୍ଦ୍ରଙ୍କ ଅଧ୍ୟଷ୍ଠିତ ପୂର୍ବଦିଗ; ଯୋଗିନୀବେଶ-ତାପସୀ ବେଶ;

 

ଅମ୍ବର ଅମ୍ବର କଷାୟ ପିନ୍ଧିବାରେ ରସିଲା ।

ଦଣ୍ଡକ ଦଣ୍ଡକମଣ୍ଡଳୁ ଘେନି ସମୁଲ୍ଲାସିଲା ।୪୩।

 

ହରଷେ ହରସେବନେରେ ମାଳୀ ହେଲା ବାହାର ।

ସାରସସାର ଷଟପଦେ ପିଇ କଲେ ଝଙ୍କାର ।୪୪।

 

କାରଣ ହେଲା ସେ ସମୟ କୋକଲୋକ ମୋଦର ।

ଦରରୁ ଉଲୂକେ ନୋହିଲେ କୋରଡ଼ରୁ ବାହାର ।୪୫।

 

ହାର ନୀହାରପରି ହେଲା ସ୍ତନେ ଅଭିରାମାର ।

ମାରମାରଗଣ ବରଷା କିଛି ହେଲା ଓହର ।୪୬।

 

ହରଣ କୁଳଟା ନୀବୀର କରୁଥିଲେ ଯେ ବିଟ ।

ବିଟପିଚ୍ଛାୟାରେ ଛପିଲେ ଛାଡ଼ି ବହଳ ଖଟ ।୪୭।

 

ଖଟଣୀ ଲୋକେ ଫିଟାଇଲେ ନୃପଦ୍ୱାର କବାଟ ।

ବାଟଜଗାଙ୍କୁ ଅଭିସାରୀ ଦେଲେ ଭୂଷଣ ପାଟ ।୪୮।

 

ପାଟବ ତମିସ୍ରପୁଞ୍ଜର ରବି କଲେ ବିପାଟ ।

ପାଟଚ୍ଚରେ ତ୍ରାସେ ଆଶ୍ରୟ କଲେ ଅଚଳକୂଟ ।୪୯।

 

କୂଟଯୋଧୀ ଦନୁଜଙ୍କର ଯେଉଁ ରାମ ମାରଣ ।

ରଣମୁଖେ ସେ ଛୋଟରାୟ ନୃପତିର ଶରଣ  ।୫୦।

 

ପରିଣୟମନ୍ତ୍ରାନନ୍ଦନ ଜାଣ ଏ ଛାନ୍ଦ ନାମ ।

ଏକ ପଞ୍ଚାଶତ ସଂଖ୍ୟକ ପଦେ ହେଲା ବିରାମ ।୫୧।

 

ଅମ୍ବର ... ଗେରିକବରୂପ ରକ୍ତବର୍ଣ୍ଣ ଆକାଶ । ୪୩ । ସାରସସାର–ପଦ୍ମର ମଧୁ ମକରନ୍ଦ । ୪୫ । କୋକଲୋକ-ଚକ୍ରବାକ ରାଜ୍ୟ; ଉକପେଚା । ୪୬ । ନୀହାରପରି-ତୁଷାର ପରି (ଶୀତଳ) । ମାରମାରଗଣ– କନ୍ଦର୍ପଶର; ଓହର-କ୍ଷୀଣ, ଅଳ୍ପ । ୪ । କୁଳଟା–ଅସତୀ ନାରୀ, ନୀବୀ–ସ୍ତ୍ରୀମାନଙ୍କ ଲୁଗାର ଅଣ୍ଟାଗଣ୍ଠି, ବିଟପିଛାୟା–ଗଛଛାଇ । ୪୮ । ଅଭିସାରୀ–ଅଭିସାରିକା ନାୟିକା । ୪୯ । ପାଟବ ତମିସ୍ରପୁଞ୍ଜର-ଘନ ଅନ୍ଧକାରସମୂହର, ବିପାଟ-ବିଦାରଣ, ପାଟଚ୍ଚର-ଚାର, ଅଚଳକୂଟ– ପର୍ବତ ଶିଖର । ୫୦ । କୂଟଯୋଧୀ-ମାୟା ଯୁଦ୍ଧକାରୀ । ୫୧ । ପରିଣୟ ମନ୍ତ୍ରାନନ୍ଦନ – ଆନନ୍ଦପ୍ରଦ ବିବାହ ମନ୍ତ୍ରଣା।

 

ତ୍ରୟୋଦଶ ଛାନ୍ଦ

ରାଗ – ଚୋଖି

(କୁମାର ମୋହନ)

 

ଶୁଣ ହେ ସୁହୃଦ ଜନେ ନବ ଯୁବରାଜ ଦିନେ ପୁର ବାହ୍ୟ ଉପବନ ମଣ୍ଡପେ ବସି ।

ରାଜବଲ୍ଲଭ ପ୍ରମୁଖ ସଖାନିବହକୁ ସୁଖ ଦେଉଥିଲା ମୁଖ୍ୟ ଅକ୍ଷଳୀଳାରେ ରସି ।

ଖଟନ୍ତି ସାମନ୍ତ କିଶୋରେ ।

ଖଟିଥିଲେ ସାବଧାନ ହୋଇ ପାଶରେ ।୧।

 

ଏ ସମୟେ କୁଞ୍ଜଦ୍ୱାରପାଳ ବେତ୍ରଲତାଧର ଧରଣୀ ହୃଦୟ ଶିରସ୍ପରଶ କରି ।

ଜଣାଇଲା ଦିବ୍ୟ ଅବଧାନକୁ ଆସୁ ହେ ଦେବ ନଟ ଅଶେଷ ବିଭବ ବେଶସଞ୍ଚାରୀ ।

ମାୟାମୟ ବିଦ୍ୟାକୁଶଳ ।

ତବ ପାଦମୂଳ ଦରଶନରେ ଲୋଳ ।୨।

 

କସାଇଛି କ୍ରମେ କ୍ରମେଳକ ତୁରଙ୍ଗ ଚରମେ ଦାମାମା ନାଗରା ଭୁରା ଅଛି ଅନେକ ।

ବୁହାଇଛି ମତ୍ତଗଜ ସମଜରେ କରି ସଜ୍ଜ ଜାମ୍ବୁନାଦ ଜରୀତମ୍ବୁ ନେପଥ୍ୟ ଯାକ ।

ଅତି ପଟୁ ତଯୁପଟଳୀ ।

ମହୋନ୍ନତ ବଳୀବର୍ଦ ନୁହଇ କଳି ।୩।

 

ସିଂହସହନନ ସାରମେୟ ଅଛନ୍ତି ଅପାର ମେଖବୁହା ଗଧ ଅଧଶତ ସମେତେ ।

ପାଟୀର ଚର୍ଚ୍ଚିତସ୍ତନ ଘଟୀ କଞ୍ଚୁକ ଶୋଭନ ନଟୀ ଦଶ ଗୋଟି ସିଂହକଟୀ ସମସ୍ତେ ।

ଗାନ ନରତନ ରୀତିରେ ।

ଆନ ନର ତ ନ ଥିବେ ପୁଣି କ୍ଷିତିରେ ।୪।

 

ତ୍ରୟୋଦଶ ଛାନ୍ଦ

 

୧ । ମୁଖ୍ୟ ଅକ୍ଷଲୀଳା-ପ୍ରଧାନ ପଶାଖେଳ । ୨ । କୁଞ୍ଜଦ୍ଵାରପାଳ-କୁଞ୍ଜଦ୍ଵାରର ଦ୍ଵାରୀ; ଧରଣୀହୃଦୟ ଶିର ସ୍ପରଶ କରି– ମାଟିରେ ବକ୍ଷ ଓ ମସ୍ତକ ଲଗାଇ ଅର୍ଥାତ୍ ସାଷ୍ଟାଙ୍ଗ ପ୍ରଣାମ କରି । ୩ । କସାଇଛି-ଦୃଢ଼ରୂପେ ବାନ୍ଧିଛି; କ୍ରମେଳକ–ଓଟ, ତୁରଙ୍ଗ–ଘୋଡ଼ା, ଚରମେ-ପିଠିରେ, ଦାମାମା ନାଗରାଭୁରା-ବାଦ୍ୟବିଶେଷ, ମତ୍ତଗଜସମଜରେ ବଡ଼ ବଡ଼ ହାତୀସମୂହଦ୍ୱାରା; ଜାମ୍ବନଦ ... ସୁନାଜରି ପଡ଼ିଥିବା ତମ୍ବୁ ଏବଂ ନେପଥ୍ୟ (ବେଶ) ସବୁ । ତଟୁପଟଳୀଛୋଟ ଘୋଡ଼ାସବୁ । ୪ । ସିଂହସଂହନନ ସାରମେୟ-ସିଂହପରି ଶରୀରବିଶିଷ୍ଟ କୁକୁର, ମେଖ-କୀଳା (ତମ୍ବୁ ଟାଣିବାପାଇଁ), ପାଟୀର-ଚନ୍ଦନ, କଞ୍ଚୁକ-କାଞ୍ଚଲା, ଗାନ

 

ଶୁଣି ଗୋତ୍ରାଧିପ ପୁତ୍ର ମିତ୍ର ସମ୍ମତିରେ ନେତ୍ରକୋଣକୁ କମ୍ପାଇ ଆସୁ ବୋଲି ସୂଚିଲା ।

ଅବକାଶେ ଭେଟି ନଟ ଯୋଡ଼ି ରହି କରପୁଟ ଜୟ ପୂର୍ବ ସ୍ତବ ଭାଟ ପରି ରଟିଲା ।

କଳପିଲା ହଟ କପଟ ।

କଦଳୀତରୁ ତୋରଣ କନକପୁଟ ।୫।

 

ଯୁବରାଜ ସଭା ଛାଡ଼ି ଯେତକ ନଟୀ ଅଜାଡ଼ି ହେଲେ ନାଟ ଦେଖିବାକୁ ମଣ୍ଡଳୀ ଘେରି ।

ହୋଇ ତାଙ୍କ ନୀବୀ ଭ୍ରଂଶ ଜାତ ହେଲେ ରାଜହଂସ ତା ଦେଖି ହସିଲା ତାଠାରୁ ସେପରି ।

ତହୁଁ ପୁଣି ଆକାଶେ ଚାହିଁ ।

ଡାକିଲାରେ କାମଚଣ୍ଡି ରହିଲୁ କାହିଁ ।୬।

 

ତହୁଁ ଆକାଶରୁ କାମମିଶା ବୃଦ୍ଧା ଅଟ୍ଟହାସ ସହିତେ ଶୁଭିଲା ଘୋର ଘର୍ଘରସ୍ୱରେ ।

ସୁରତ ବିନା ନିମିଷ ହୋଇଛି ମତେ ବରଷ କର ରେ ମୋର ସନ୍ତୋଷ ନବକିଶୋରେ ।

ଏତେ କହି ପଡ଼ିଲା ଖସି ।

କାଳରାତ୍ରି ମୂର୍ତ୍ତି ତାତଳରୁ ସଦୃଶୀ ।୭।

 

ଧବଳ ଝାଞ୍ଜରକେଶା ତହିଁ ପୁଣି ଲୋକହସା କ୍ରମୁକ ସଦୃଶ ଖୋସା ସଧ କରିଛି ।

କାକ ବକ ପକ୍ଷଝରା ଦୃଷ୍ଟ ବିଦ ଚାରିସୋରା ବେଢ଼ରେ ବସନ୍ତ ତୋରା ଫୁଲ ଘେରିଛି ।

ନେତ୍ର ତରୁକ୍ରୋଟର ପରା ।

ଗୋଟାକରେ ଅଛି ମାତ୍ର ସଫେଦ ତାରା ।୮।

 

ପୀନସଗଦ ବିକୃତ ନାସାବିଳ ବିନିର୍ଗତ ଲୋମ ନିକୁରମ୍ଭ ଚୁମ୍ବେ ଲମ୍ବ ଚିବୁକ ।

କଞ୍ଚୁକ ହୁଗୁଳି ଗଳିବଳି ଢଳି କୁକ୍ଷିସ୍ଥଳୀ ଲୁଳି ହେଉଛି ଆନ୍ଦୋଳି ଯାହାର ବୁକ ।

ଶଙ୍ଖ ମଣିମାଳା ଅନେକ ।

ମଣ୍ଡିଛି ସେ ଚଣ୍ଡୀ ଗଳଗଣ୍ଡିଆ ବେକ ।୯।

 

ତିନ୍ଦୁକ ଇନ୍ଧନ ଗୋରା ଦେହା ପୃଥୁଳପଞ୍ଜରା ଜରାଶୁଷ୍କଲାଙ୍ଗଳୀ କପୋଳ ନିତମ୍ବ ।

ଘୋଡ଼ାଉଁ କାଷାୟ ବାସେ ଅଧ ଅଧମାଙ୍ଗେ ଦିଶେ କାସୀସ ଓଷ୍ଠୀର ଶ୍ୱେତ ଲୋମକଦମ୍ବ ।

ତରୁଣଙ୍କୁ ଚାହିଁ ସଂକୋଚେ ।

ରସନା କାମୋଡ଼ି ହସି ଅଳପ ନାଚେ ।୧୦।

 

ପାଶେ ମିଳି ଯିବା ଯୁବାଚନଙ୍କୁ ସୂନଧନବା ବିକାର ଆତୁରେ କମ୍ପି ଭିଡ଼ଇ ଭୁଜେ ।

ରଦବିହୀନବଦନା କରି ରସ ଆସ୍ୱାଦନା ଇଷି ଇଷି ଭାଷି ଶୋଷି ନୟନ ବୁଜେ ।

ତା ବିକୃତ ଅନ୍ତରହିତ ।

ହସାଇ ହସାଇ ହେଲା ଅନ୍ତରହିତ ।୧୧।

 

ନରତନରୀତିରେ–ଗାଇବା ଓ ନାଚିବାରେ । ୫ । ଗୋତ୍ରାଧୂପପୁତ୍ର–ରାଜପୁତ୍ର, କଳପିଲା ହଟକପଟ-ମାୟାପୂର୍ଣ୍ଣ ଇନ୍ଦ୍ରଜାଲ କଳ୍ପନା କଲା, କନକପୁଟ-ସୁନାପୁଟଦିଆ । ୬ । ନଟୀ-ବେଶ୍ୟା, ହୋଇ ତାଙ୍କ ନୀବିଭ୍ରଂଶ-ଖୋସଣୀ ଫିଟିଯାଇ । ୭ । କାଶମିଶା-କାଶରୋଗଯୁକ୍ତା, ନିମିଷ–କ୍ଷଣକାଳ । ୮। ଧବଳଝାଞ୍ଜରକେଶା– ଯାହାର କେଶ ଧଳା ଓ ପାତଳ, କ୍ରମୂକସଦୃଶ– ଗୁଆ ପରି କ୍ଷୁଦ୍ର, ସଧ କରିଛି–କୌତୁକରେ ବାନ୍ଧିଛି, କାକବକପକ୍ଷଝରା-କୁଆ ଓ ବଗ ପକ୍ଷୀ ଖୋସାରେ ଖୋସିଛି, ଦୁଷ୍ଟ ବିଦ ଚାରିସୋରା– ଦେଖାଯାଉଥିବା ଚାରିସରି ବିଦ, ବସନ୍ତତୋରା-– ହଳଦିଆ ବର୍ଣ୍ଣର ସୁନ୍ଦର (ଫୁଲ), ତରୁକ୍ରୋଟର ଗଛଖୋଲ । ୯ । ପୀନସଗଦବିକୃତ–ପୀନସ ରୋଗଦ୍ଵାରା ବିକାର ପ୍ରାପ୍ତ, ନିକୁରମ୍ବ-ସମୂହ, କୁକ୍ଷିସ୍ଥଳୀ-ଉଦରଦେଶ, ବୁକ-ବକ୍ଷସ୍ଥଳ (ସ୍ତନ), ଗଳଗଣ୍ଡିଆ ବେକ ଗଳଗଣ୍ଡ ରୋଗଯୁକ୍ତ ସ୍ଥଳ ବେକ । ୧୦ । ତିନ୍ଦୁକଇନ୍ଧନ –କେନ୍ଦୁକାଠ, ଜରା-ବାର୍ଦ୍ଧକ୍ୟ, ଶୁଷ୍କଲାଙ୍ଗଳୀ – କପୋଳନିତମ୍ବ, ଗଣ୍ଡଦେଶ ଓ ନିତମ୍ବ ଶୁଖିଲା ନଡ଼ିଆ ଭଳି, କାଷାୟବାସ––ଗେରୁଆ ଲୁଗା, କାସୀସଓଷ୍ଠୀ– ଯାହାର ଓଷ୍ଠର ବର୍ଷ ହୀରାକସ ବର୍ଷ ପରି ଛୋତା ବା ପୀତାଭ, ଲୋମକଦମ୍ବ–ରୋମସବୁ । ୧୧ ।

 

ପୁଣି ମାୟା ନାଗ ନାକ ନଗରୀ ନାଗରୀଯାକ ଜମା ହୋଇ ଜନ୍ମାଇଲେ ଦିବ୍ୟ ସଙ୍ଗୀତ ।

ମିଶାଇ ଶଙ୍କରତପଭଞ୍ଜନଭଙ୍ଗୀ କଳାପ ମନ୍ଦମନ୍ଦହାସ ପରିହାସ ଇଙ୍ଗିତ ।

 

ମେରୁଧୀର ନୃପକୁମାର

ତେବେ ହେଲେ ନ ଛାଡ଼ିଲା ଧଇର୍ଯ୍ୟ ସାର ।୧୨।

 

ଏ ସମୟେ ଘନସାର – କସ୍ତୁରୀ – କୁଙ୍କୁମସାର- ଚନ୍ଦନସୁବାସୀ ମନ୍ଦବାତ ବହିଲା ।

କେବଳ ମାତ୍ର ସେ ଜନାଧିନାଥନନ୍ଦନ ବିନା ଇତର ନରଙ୍କୁ କିଛି ଦୃଶ୍ୟ ନୋହିଲା ।

ହେଲା ଦିବ୍ୟ ପୁଷ୍ପବରଷା ।

ହେଲା ସୁରଧରାପରା ସେ ରଙ୍ଗରସା ।୧୩।

 

ଶୁଭିଲା ମଣିମା ଡ଼ାକ ଅଧିପଲାଞ୍ଛନଯାକ ମଧ୍ୟେ ଦିଶିଲା କନକମୟ ପାଲିଙ୍କି ।

ଜାମ୍ବୁନଦ ଚନ୍ଦ୍ର ପ୍ରଭାକର ପରଦାର ପ୍ରଭାବଶରୁ ପଡ଼ୁଥିଲା ପ୍ରଭା ଝଲକି ।

ମଣ୍ଡପ ନିକଟ ଚତ୍ୱରେ ।

ଅବତରନ୍ତେ ସେ ଯାନବର ସତ୍ୱରେ ।୧୪।

 

ଉପବନକୁ ପବନ କେହି କମ୍ପାଉଛି ବନରୁହ ସୁଲୋଚନା ଅନା ବୋଲି କେ ବାଳା ।

ପରଦା ଧରନ୍ତେ ଟେକି ମଣ୍ଡିଲା ସେ ଧରିତ୍ରୀକି ସଖୀ ଅଂସେ ଦେଇ ଭୁଜ ଚମ୍ବକାମାଳା ।

ଝଟ କରି ପଡ଼ନ୍ତେ ଦୃଷ୍ଟି ।

ସରିଗଲା କୁମାରର ବିବେକ ସୃଷ୍ଟି ।୧୫।

 

ନବସ୍ନେହ ବିଶାରଦ ନୃପାତ୍ମଜ ସେ ଶାରଦସୁଧାମୟୂଖମୁଖୀର ଶୋଭା ବୀକ୍ଷଣେ ।

ମକରାଧ୍ୱଜ ମୋହନ ସୂନଶିଳୀମୁଖ ମୁନ ବାଜି ବିଗତଚେତନ ହୋଇଲା କ୍ଷଣେ ।

ମୋହନାବାସନେ ଅନାଇ ।

ଭାବିଲା ଏ ସୁଷମା ତ ଦେଖିଲା ନାହିଁ ।୧୬।

 

ନୂତନ ତମାଳମାଳ ନୀଳ ଶଇବଳ ବଳ ଦଳିତକଜ୍ୱଳ ଜଳଧର ସଙ୍ଘାତ ।

ଏ ସବୁ ଛବି ପାତଳ ଏହାର କୁନ୍ତଳତଳ ବାମର ମରକତରୁ ନୋହେ ତ ଜାତ ।

ଭ୍ରମରେ କେ ହେଲେ ଭ୍ରମରେ ।

ବିଚାରିବ ଅଛି କିଛି ଏହା ସମରେ ।୧୭।

 

ଲମ୍ବ କୁଞ୍ଚିତ କୋମଳ , ସଜଳଜ ପରିମଳ ନୋହେ ତ ମହେନ୍ଦ୍ରନୀଳ ତହିଁକି ତୁଳା ।

ତମ ତମୋନୁଙ୍କର କରଣର ଭୟଙ୍କର ଏ ତ ମଣ୍ଡିଅଛି ଭୀରୁ ହେମପିୁତୁଳା ।

ଏହା ଦ୍ୟୁତି ଆନରେ ନାହିଁ ।

କଳାପୀର କଳାପେ ତ କଳାଏ ନାହିଁ ।୧୮।

 

ସୂନଧନବା-ପୃଷଧନ୍ୱା, କନ୍ଦର୍ପ; ବିକୃତ– ସ୍ୱଭାବର ଅନ୍ୟଥା ଭାବ, ବିକୃତ; ଅନ୍ତରହିତ–ଅନନ୍ତ, ପ୍ରଚୁର; ଅନ୍ତରହିତ ଅନ୍ତର୍ହିତ, ଅଦୃଶ୍ୟ । ୧୨ । ନାଗନାକନଗରୀ ନାଗରୀଯାକ–ପାତାଳ ଓ ସ୍ଵର୍ଗର ନଗରମାନଙ୍କର ଯୁବତୀମାନେ; ମେରୁଧୀର–ଦୃଢ଼ଚିତ୍ତ । ୧୩ । ଘନସାର-କର୍ପୂର; ସୁରଧରା-ସ୍ଵର୍ଗ; ରଙ୍ଗରସା–କ୍ରୀଡ଼ାମଞ୍ଚ । ୧୪ । ଅଧିପଲାଞ୍ଚନ-ରାଜଚିହ୍ନ; ଜାମ୍ବୁନଦ-ସୁବର୍ଣ୍ଣ, ପ୍ରଭାକର ସୂର୍ଯ୍ୟ; ପରଦାର ପ୍ରଭାବବଶରୁ-କନାଟିବାଡ଼ ଆଗରେ ଥିବାରୁ, ଚତ୍ୱର–ଅଗଣା; ଯାନବର-ଶ୍ରେଷ୍ଠଯାନ, ପାଲିଙ୍କି । ୧୫ । ବନରୁହସୁଲୋଚନା– ପଦ୍ମନେତ୍ରା, ଅଂସେ-କାନ୍ଧରେ । ୧୬ । ମକରଧ୍ୱଜ ... କନ୍ଦର୍ପର ମୋହଜନକ ଫୁଲଶରର ମୁନ, ବାଜି କ୍ଷଣକ ମଧ୍ୟରେ ଅଜ୍ଞାନ ହୋଇଗଲା, ସୁଷମା–ପରମଶୋଭା । ୧୭ । ଶଇବଳ– ଶିଉଳି, ବଳ-ଶକ୍ତି; ଭୁଲରେ । ୧୮ । ଜଳଧରସଙ୍ଘାତ– ମେଘସମୂହ, ଭ୍ରମରେ-ଭଅଁରଠାରେ, ଭ୍ରମରେ ସକଳଜପରିମଳ– ପଦ୍ମଗନ୍ଧଯୁକ୍ତ, ମହେନ୍ଦ୍ରନୀଳ-ଇନ୍ଦ୍ରନୀଳମଣି, ତମ–ରାହୁ ବା ଅନ୍ଧକାର,

 

 

ଏକା ଏ କାମିନୀ ଧନ୍ୟ ଭଲା ଲଲାଟ ଲାବଣ୍ୟ ସୁନାମୟ କେତେକ ତ ନାହିଁ ଏ ଶିରୀ ।

ବଳକ୍ଷପକ୍ଷ ଅଷ୍ଟମୀ ସୁଧାଂଶୁ ଖେ ଭ୍ରମି ଭ୍ରମି ଶ୍ରମୁଁ ରହିଛି କି ଜମି ଦିଶେ ଏପରି ।

କି ଚିକ୍‌କଣ କି ଝଳିମନ୍ତ ।

ଦେଖା ନାହିଁ ଲେଖା ଲେଖାପୁରେ ଏମନ୍ତ ।୧୯।

 

ବିମଳ ସୁନ୍ଦର ଦରପଣ ସହୋଦର ଦରହାସୀର ଭାସୁର ସୁରଞ୍ଜନ କପୋଳ ।

କେଡ଼େ ମନୋହର ହରମୋହନ ରୁଚି ରୁଚିର କେଳି କଳନ ମନ୍ଦିର ଏ ଗଣ୍ଡସ୍ଥଳ ।

ଥରେ ଏଥି ଚୁମ୍ବିଲେ ରସେ ।

ବୋଲାଇବ ନିଖିଳ ତରୁଣେଶ୍ୱର ସେ ।୨୦।

 

ଆହା ଏ ହେମନିଭାଙ୍ଗୀ ଭୂରୁଯୁଗ ଭଙ୍ଗ ଭାଙ୍ଗି ଦେଉଛି ନୀଳଭୁଜଙ୍ଗା ଗର୍ବକୁ ଖେଳେ ।

କମ୍ପାଇବ ମନ ମନସିଜ ଶରାସନ ସନକଙ୍କର ଚେତନ ତ ନ ରହିବ ତିଳେ ।

ଯୁବ ମର୍ମକଟା କତୁରୀ ।

ସମ୍ପାଦି କି କମ୍ପାଉଛି ଗୋରୀ ଚତୁରୀ ।୨୧।

 

ସୁଧାରସ ହଳାହଳ ମିଶାମିଶି ଚଳାଚଳ ଯତିଧୃତିବଳାବଳ ବିଚାରଶୀଳ ।

ଚିତ୍ରାଲୋକସସମ୍ଭ୍ରମ ଚମୂରୁ ଚକ୍ଷୁଚାରିମ ମଦବିମର୍ଦନକ୍ଷମ ନେତ୍ରଯୁଗଳ ।

ଲାଞ୍ଜ ମଞ୍ଜୁତର ଅଞ୍ଜନ ।

ଯୋଗୁଁ ଖଞ୍ଜରୀପୁଞ୍ଜ ଗର୍ବଗଞ୍ଜନ ।୨୨।

 

ନୀଳ ଇନ୍ଦୀବରବର ସୁରଭିବାସର ସରସିଜ ବିଲୋଳ ଶଫର ଏ ଆଦି ଯେତେ ।

ଶିଖିଲେ ହେଁ ବାରବାର ଏ ନେତ୍ର ଶୋଭାର ଭାର ବହି ମହୀ ମୋହି ପାରିବେ କି କିଞ୍ଚିତେ ।

କି ଆନୀଳ ତରଳତାରା ।

ମସାରନିର୍ମିତ ଖେଳା ମିଳିନ୍ଦ ପରା ।୨୩।

 

ମାର ମାରଗଣ ଗଣ ରଖିବାକୁ ତିଳତୂଣ ବିରଞ୍ଚି ରଚିଛି ଯୋଷା ନାସା କପଟେ ।

କୀର କି ରହିଛି ଲୁଳି କରକର ବୀଜାବଳିରଦର ଦମ୍ଭେ ଥିବାରୁ ବିମ୍ବ ନିକଟେ ।

ନୂଆ ଯଉବନ ଗୁମାନ ।

ପୁଟ ଉଲ୍ଲାସରୁ ସ୍ଫୁଟ କରିଛି ଧନ ।୨୪।

 

ତମୋନୁଦ-ସୂର୍ଯ୍ୟ ବା ଚନ୍ଦ୍ର; କରଣ–ଶରୀର, କଳାପୀ–ମୟୁର, । ୧୯ । ସୁନାମୟକେତକ – ସ୍ଵର୍ଣ୍ଣନିମିତ କେତକୀଫୁଲ, ପାଖୁଡ଼ା, ବଳକ୍ଷପକ୍ଷ-ଶୁକ୍ଳପକ୍ଷ, ସୁଧାଂଶୁ-ଚନ୍ଦ୍ର, ଖେ–ଆକାଶରେ, ଝାଳିମନ୍ତ-କାନ୍ତିଯୁକ୍ତ ଲେଖା-ଚିତ୍ର, ଲେଖାପୁରେ-ସ୍ଵର୍ଗରେ । ୨୦ । ଦରପଣ-ସହୋଦର-ଦର୍ପଣତୁଲ୍ୟ, ଭାସୁର–ଉତ୍କଳ । ୨୧ । ହେମନିଭାଙ୍ଗୀ–ସୁବର୍ଣତୁଲ୍ୟ ଅଙ୍ଗ ଯାହାର, ମନସିଜଶରାସନ–କାମଧେନୁ, ସନକ–ପ୍ରସିଦ୍ଧ ସଂଯମୀ ଋଷି । ୨୨ । ସୁଧାରସ –ଅମୃତ, । ହଳାହଳବିଷ, ଚିତ୍ରାଲୋକ ସସଂଭ୍ରମ– ଅଦ୍ଭୁତ ଦର୍ଶନରେ ଉଦ୍‌ବିଗ୍ନ, ଚମୁରୁଚକ୍ଷୁ ... ତାହାର ନେତ୍ରଦ୍ୱୟ ଚଞ୍ଚଳ ଉଦ୍‌ବିଗ୍ନ ଚମୂରୁମୃଗର ଚକ୍ଷୁ ଗର୍ବ ଧ୍ୱଂସ କରିବାରେ ପାରଗ । ୨୩ । ସୁରଭିବାସରସରସିଜ–ବସନ୍ତକାଳରେ ଫୁଟିଥିବା ପଦ୍ମ, ବିଲୋଳଶଫରଚଞ୍ଚଳ ଦଣ୍ଡିକିରି ବା କେରାଣ୍ଡି ମାଛ, ଆନୀଳ-ଈଷତ୍ ନୀଳ, ତରଳ ତାରା–ଚକ୍ଷୁର ଗୋଲକ, ମସାର– ଇନ୍ଦ୍ରନୀଳମଣି, ମିଳିନ୍ଦ–ଭ୍ରମର । ୨୪ । ତିଳତୁଣ-ରାଶିଫୁଲରେ ନିର୍ମିତ ଶରମୁଣା, କୀର–ଶୁଆ (ନାସାସହିତ ଉପମିତ), କରକ–ଡାଳିମ୍ବ, ରଦର ଦସ୍ତେ-ଦନ୍ତବ୍ୟାଜରେ

 

ଏ ଶ୍ରୁତି ଦ୍ୟୁତିପଟଳୀ ଚାହିଁ କେ ନ ଯିବ ଟଳି କେ ବୋଲେ ହିରଣ୍ୟ ଦଳି ଗଢ଼ିବା ପାଶି ।

କଞ୍ଜାସନ ରୂପମାନଙ୍କରେ ଏହା ଉପମାନ ରଖି ପାରି ନାହିଁ ହୋଇ ମହାଆୟାସୀ ।

ଳଜ୍ଜାଲବବିହୀନ ମନେ ।

ଶସ୍କୁଳୀ ବୋଲନ୍ତି ଅତି ଦୁଷ୍କଳୀ ଜନେ ।୨୫।

 

ବାଳାର ଦଶନାମ୍ବର ଜିଣିଛି ପକ୍ୱ ବିମ୍ବର ସଉଭାଗ୍ୟ ଆଡ଼ମ୍ବରକୁ ଶୋଣଗୁଣେ ।

ସିନ୍ଦୂର ମନ୍ଦାର ନବ କିଶଳୟ ବନ୍ଧୁଜୀବ କୁରୁବିନ୍ଦବୃନ୍ଦକୁ ତ ହେଳାରେ ଜିଣେ ।

ଲେଖିଛି କା ଭାଲେ ଦଇବ ।

ଏଥୁ ସୁଧାକୁ ବସୁଧା ଲୋକେ ପିଇବ ।୨୬।

 

ସ୍ୱରୂପ ସରୁଚୁମ୍ବନେ ଥିଲେ ହେଁ ବିଲଜ୍ଜ ମନେ ରୁଚିର ଚିବୁକର ହୁଅନ୍ତା ସଦୃଶ ।

ତାହାର ନାହିଁ ମୂରତି ଏହାର ନାହିଁ ଜଗତୀତଳେ ତିଳେ ଉପମିତି ଏଣୁ ଲୋକେଶ ।

 

ଅତୁଲ୍ୟ ଏ ବୋଲି ଜଗତେ ।

ଅଙ୍ଗୁଳିଅଗ୍ରରେ ଚିହ୍ନ ଦେଇଛି ଅନ୍ତେ ।୨୭।

 

ବିଭାବରୀବର ତୁଳ ଶ୍ରୀମୁଖ କି ବରତୁଳ ମୋ ନେତ୍ର କି ବରତ୍ୱ ଲଭିଲା ଲୋକନ ।

ଏହାର ସୁ – ଆଦରଶ ଲଭୁଥିଲେ ଆଦରଶମଣ୍ଡଳରେ ଆଦର ସଞ୍ଚିବ କେ ଜନ ।

କଳାକୁ କି ତୁଲ୍ୟ ଏହାର ।

ମଳିନ ପଙ୍କସଙ୍କର ନଳିନ ଛାର ।୨୮।

 

ବାଣୀ ବାଣୀଙ୍କର କରବିପଞ୍ଚୀ ପଞ୍ଚମ ତାରସ୍ୱର ସ୍ୱର ଜୂର କରିଅଛି କି ସତେ  

ମଧୁମଧୁ ଝରି ଝରି ନ ଧରିବ ଏ ମାଧୁରୀଧୁରୀଣତାକୁ ଏପରି ହୋଏ ପରତେ ।

ମୁଖପେୟ ପୀୟୁଷରସ ।

ଏ ତ ଶ୍ରୁତିପଥେ ପିଉ ପୀୟୁଷରସ ।୨୯।

 

ଭୃଙ୍ଗୀ ଶୁକ ପିକରକ ସୁଭଗରବ ଗରବ ରବାର ବଡ଼ାଇ କରି ଦେଇଛି ଦୂର ।

ବର୍ଣ୍ଣ ବର୍ଣ୍ଣକରେ କରେ କରେ ମହେନ୍ଦ୍ରଲୋକରେ ନ ମିଳିବା ଶିରୀ ଶିରୀଷାଙ୍ଗୀର ଗିର ।

ଏହି ଗିରେ ସ୍ନେହ ଆଳାପ ।

ବାଜିବ ଯା କର୍ଣ୍ଣେ ତାର ପୁଣ୍ୟ ଅମାପ ।୩୦।

 

ଅପୋତ ଶୁଦ୍ଧ କାଞ୍ଚନ କପୋତ କାନ୍ତି ବଞ୍ଚନ ଗଳାର ଲାବଣ୍ୟ ଧନ୍ୟ ଧନ୍ୟ ଏହାର ।

କମ୍ବୁ ଶମ୍ବୁଙ୍କ କଳପ ଦର ବୋଇଲେ ଅଳପ ଅର୍ଥାନ୍ତରୁ ଭୟ ରୂପ ହୋଏ ଏହାର ।

କିଶୋରୀକଷ୍ଠର ଶିରୀକି ।

କନକ କଲଶ ଗ୍ରୀବା ହେଲେ ସରି କି ।୩୧।

 

ଅଂସ ଦରନତ ବରସମ୍ପଦ ରମା ରୂପର ପରମ ମୃଦୁଳ ମୂଳ ଗଜଶୁଣ୍ଡାର ।

ନିଲୋମ କୋମଳ କକ୍ଷ ହେବ କେଉଁ ଧନ୍ୟ ତିକ୍ଷକରଜମୁନର ମୁଖ୍ୟସୁଖ ଭଣ୍ଡାର ।

କେଉଁ ପୁଣ୍ୟେ ଏ ମୃଦୁବାହା ।

କାହାର ହାରସଙ୍ଗନୀ ହେବଟି ଆହା ।୩୨।

 

ଏ ବାହୁ ଯୁଗଳଗଳ ପ୍ରଦେଶରେ ସମୁଜ୍ଜ୍ୱଳ ମୃଦୁଅଳଙ୍କୃତିଫଳ ଦେବ ଯାହାର ।

ମୃଣାଳଲହରୀବଲ୍ଲୀ ପାଶ ଚମ୍ପାମାଳା ବୋଲି ତାହାରୁ ବଦନୁ ହୋଇବ କି ବାହାର ।

ଦେବଲତା ନବ ପଲ୍ଲବେ ।

ଦେବ କେ ଏ ପଞ୍ଚଶାଖେ ସ୍ୱରୂପ ଲବେ ।୩୩।

 

ଅଙ୍ଗୁଳି କଳିବାକଳି ଦେଇଅଛି କି କବଳି ନବ କିଶଳୟାବଳି ମୃଦୁଳତାକୁ ।

ଅନ୍ଧ ନୋହି କେହି ହେଲେ ଗନ୍ଧଫଳିରେ ତୁଳିଲେ ବନ୍ଧନରେ ରୁନ୍ଧିବର ଉଚିତ ତାକୁ ।

ଧନ୍ୟ ହୀରାଙ୍କୁ ରକରଜା ।

ତ୍ରିଜଗତୀ ଯୁବତୀକଦମ୍ବଙ୍କ ରଜା ।୩୪।

 

ଚରମ ଚାରୁ ନିର୍ମଳ ପରମ ରମ୍ୟ କୋମଳ ଭରମକଦଳୀଦଳାରୁ ବଳିବ ।

ଧରମରେ ଧୂରନ୍ଧର କରମବନ୍ତଜନର ନରମ ସମୟେ କରତଳେ ଖେଳିବ ।

 

ଏ କି ଦିବ୍ୟ କାଞ୍ଚନ ମହୀ ।

ବେଣୀ କଳାଫଣୀ ଚାଲି ଲାଞ୍ଚଳ ଯିହିଁ ।୩୫।

 

କୁଚକୁ ଚକ୍ର ଯୁଗଳ କନକନଗ ଶ୍ରୀଫଳ ତୁମ୍ବୀ କୁମ୍ଭିକୁମ୍ଭସ୍ଥଳ ଏତେ ଉପମା ।

ବାଳାର ଏ ପୟୋଧର ସୁଧାସମ୍ପୂଟସୋଦର କଳି ନୋହେ ମହତ୍ତର ଲାବଣ୍ୟ ସୀମା ।

ଏ ଯୋଗ କି ମୋତେ ହୋଇବ ।

ଛଇଳା ଏ ସ୍ତନେ ମୋ ଛାତିକ ଛୁଇଁବ ।୩୬।

 

ଗିର–କଥା, ଅମାପ–ପ୍ରଚୁର । ୩୧ । ଅପୋତ-ପ୍ରୋଢ଼, କମ୍ୱୁ-ଶଙ୍ଖ, ଶମ୍ଭୁଙ୍କକଳପ-ଶିବସଦୃଶ, ଦର–ଶଙ୍ଖ ଓ ଭୟ; ଶିରୀ–ସୌନ୍ଦର୍ଯ୍ୟ, କନକ କଲଶଗ୍ରୀବା ସୁନାମାଠିଆର ବେକ । ୩୨ । ଅଂସ କାନ୍ଧ, ଦରନତ–ଅଳ୍ପ ଅବନତ, ଗଜଶୁଣ୍ଡା-ହାତୀଶୁଣ୍ଡ । କକ୍ଷ–କାଖ, ତୀକ୍ଷ-ତୀକ୍ଷ୍‌ଣ, କରଜମୁନ– ନଖମୁନ, ମୁଖ୍ୟସୁଖ-ପ୍ରଧାନ ସୁଖ । ୩୩ । ଅଳଂକୃତି––ଅଳଙ୍କାର, ମୃଣାଳ-ପଦ୍ମନାଡ଼, ବଲ୍ଲରୀ-ଲତା (ଏଗୁଡ଼ିକ ବାହୁର ଉପମା ହୁଏ) ଦେବଲତାନବପଲ୍ଲବେ–କଳ୍ପଲତାର ନୂତନ ପତ୍ରରେ, ପଞ୍ଚଶାଖେ–(ପଞ୍ଚମାଙ୍ଗୁଳିରୁପ ଶାଖା ଥିବାରୁ) କରରେ । ୩୪ । ଅଙ୍ଗୁଳିକଳିକାବଳି– ଆଙ୍ଗୁଳିରୂପ ପୁଷ୍ପକଢ଼ସବୁ । କବଳି ଦେଇଛି-ଗ୍ରାସ କରି ଦେଇଛି, ପରାସ୍ତ କରି ଦେଇଛି; ମୃଦୁଳତା–କୋମଳତା, ଗନ୍ଧଫଳି-ଚମ୍ପାକଢ଼ି, ହୀରାଙ୍କର କରଜା–ହୀରାର ଅଙ୍କୁର ପରି ନଖ ଯାହାର; ଯୁବତୀକଦମ୍ବ-ଯୁବତୀସମୂହ । ୩୫ । ଚରମ–ପୃଷ୍ଠଦେଶ; ଭରମକଦଳୀଦଳ–ସୁନା କଦଳୀପତ୍ର; ନରମ ସମୟେ-କ୍ରୀଡ଼ାବେଳେ, ବେଣୀକଳାଫଣୀ–ବେଣୀରୂପ କଳା ସାପ, ଲାଞ୍ଚନ-କଳଙ୍କ ବା ଚିହ୍ନ । ୩୬ । ଚକ୍ରଯୁଗଳ– ଚକୁଆଚକୋଇ ପକ୍ଷୀ ଦୁହେଁ, କନକନଗ–ମେରୁ ପର୍ବତ, ଶ୍ରୀଫଳନଡ଼ିଆ, ତୁମ୍ଭୀ–ଲାଉ, କୁମ୍ଭିକୁମ୍ଭ-ହାତୀର ଗଣ୍ଡସ୍ଥଳ, ସୁଧାସଂପୁଟସୋଦର –ଅମୃତପୂର୍ଣ୍ଣ ଫରୁଆ ପରି । ୩୭ ।

 

ପେଟ ଥିଲେ ପଟୁପୁଟପାକ ପ୍ରସିଦ୍ଧ ପୁରଟ ବଟଦଳ ପ୍ରତିଭଟ ଅବା ବୋଲନ୍ତି ।

ସ୍ତନ ମନସିଜ କେଳି – ବଡ଼ଭୀସୋପାନାବଳିକ୍ରୟରୁ ସିନା ପ୍ରଜ୍ଜ୍ୱଳି ରହିଛି କାନ୍ତି ।

ନବ ରୋମାରାଜି କପଟ ।

ଏକି ବଡ଼ଭୀକି ନୀଳ ରତନ ବାଟ ।୩୭।

 

ବାଳା ଊରୋଜଯୁଗଳ ବ୍ୟାଜ ରଜନୀ – କମଳ ଚୁମ୍ବ ଲୋଭେ ନାଭିବିଳ ଗର୍ଭରୁ ଧାଇଁ ।

ଅଛି କି ମିଳିନ୍ଦଶ୍ରଣୀ କି ମରକତନିଃଶ୍ରେଣୀ ବକ୍ଷୋଜ ସୁଷମା ରାମା ସଞ୍ଚାର ପାଇଁ ।

କିବା ମାର କରିଛି ମାୟା ।

ନିଜ ଝଣ୍ଡା ନ ଦିଶି ଦିଶୁଛି ତା ଛାୟା ।୩୮।

 

ନବୀନ ବିଳାସବତୀ ତନୁ ତ ନୂତନଦ୍ୟୁତି ତରଙ୍ଗଣୀ ଏ ତ୍ରୀବଳି ତାର ଲହରୀ ।

ନବ ରୋମରାଜି ନୀଳ ଦୀର୍ଘ ସୂକ୍ଷ୍ମ ଶଇବଳ ଗଭୀର ନାଭି ବିମଳତର ଭଉଁରୀ ।

ଏଥି ଯେବେ ତରୁଣ ଚିତ୍ତ ।

ପଡ଼ିଯିବ ବଞ୍ଚିବାକୁ ନାହିଁ ଆୟତ୍ତ ।୩୯।

 

ପାଟୀର ଚହଟୀକଟୀ ହଟିଛି ଯୁବକରଟି ରିପୁ ମଧ୍ୟ ପରିପାଟୀ ଲୁଟି ନେବାରେ ।

ସମସ୍ତେ ପଦାନ୍ତେ ନିତି ବିସର୍ଗ କରୁଛି ସ୍ଥିତ ଡାକି ଡାକି ଡାକି ମରେ ନିଶି ଦିବାରେ ।

ଏହା ଶୋଭା ଭୁବନେ ନାହିଁ ।

ଅଧର ର୍ନିମିତ ବେଦୀ ମଧ୍ୟରେ କାହିଁ ।୪୦।

 

ବରବର୍ଣ୍ଣିନୀର ନିରନ୍ତରେ ମନ୍ମଥରଥର ଚକ୍ରଚାରୁ ନିତମ୍ବକୁ ଘେନିଲେ ଚିତ୍ତେ ।

ଜାମ୍ବୁନଦ ତୁମ୍ବୀ ଶିରୀ ଅବଲମ୍ବୀ ଫରି ପରି ହେଉଛି ପରତେ ରତେ କି ହେବ ସତେ ।

ବିପରୀତେ ରହିଛି ପରା ।

ମନସିଜ ରାଜାର ବିଜୟ ନାଗରା ।୪୧।

 

ନେତ୍ର ହେଉଛି ଆଚ୍ଛନ୍ନ ନେତ୍ରେ ନୋହେ ବିଲୋକନ କନକମୟ ପୁଳିନ ଘନ ଜଘନ ।

କି ଅବା ମୀନକେତନ ଅଭିଷେକ ସିଂହାସନ କରନ୍ତା ମୋତେ ବସନ ପଙ୍କଜାସନ ।

ଆସ୍ତରଣ ହୁଅନ୍ତି ସୁଖେ ।

ନ କରି ନଜର ମନୋଜର ବିଶିଖେ ।୪୨।

 

ପୂରଟବଟଦଳ–ସୁନା ତିଆରି ବରପତ୍ର, ପ୍ରତିଭଟ–ସମକକ୍ଷ, କେଳିବଡ଼ଭୀ-କ୍ରୀଡ଼ା ଅଟ୍ଟାଳିକା, ନୀଳରତନବାଟ–ଇନ୍ଦ୍ରନୀଳମଣିରେ ନିର୍ମିତ ପାହାଚ । ୩୮ । ରଜନୀ-କମଳ– ମୁଦ୍ରିତପଦ୍ମ ( ରାତ୍ରିରେ ପଦ୍ମ ମୁଦ୍ରିତ ଥାଏ) । ମିଳିନ୍ଦଶ୍ରେଣୀ-ଭ୍ରମରଦଳ (ରୋମାବଳିରୂପ), ମରକତନିଃଶ୍ରେଣୀ-ମରକତମଣିରେ ନିର୍ମିତ ନିଶୁଣୀ, ଝଣ୍ଡା-ପତାକା । ୩୯ । ତନୁ– ଶରୀର, ନୂତନ ଦ୍ୟୁତିତରଙ୍ଗିଣୀ-ନୂତନ ଶୋଭାର ନଦୀ । ୪୦ । ପାଟୀର ଚହଟୀକଟି – ଚନ୍ଦନବାସିନୀର କଟିଦେଶ, ହଟିଛି-ବଳାତ୍କାର କରିଛି, ଯୁବ–ଯୁବକ, କରଟୀ-ହାତୀ, ଯୁବକରଟିରିପୁ ମଧ୍ୟ ପରିପାଟୀ-ଯୁବକସିଂହର କଟିର ସୌଷ୍ଠବକୁ । ପଦାନ୍ତେ-ବିଭକ୍ତିଯୁକ୍ତ ଶବ୍ଦ ଶେଷରେ ଓ ପାଦତଳେ, ବିସର୍ଗ-‘8’ ଏହି ବିସର୍ଗ ଚିହ୍ନ (କଟୀ ସଙ୍ଗେ ଏହା ଉପମିତ ହୁଏ), ଡାକି–ଡମରୁ, ଡାକି ଡାକି-ଶବ୍ଦ କରି କରି । ଅଧର ନିର୍ମିତ ... ଯଜ୍ଞ ବେଦୀର ମଧ୍ୟଭାଗରେ ସୁଦ୍ଧା ନାହିଁ (ସ୍ତ୍ରୀମାନଙ୍କୁ ବେଦୀବିଲଗୃମଧ୍ୟ କୁହାଯାଏ) । ୪୧ । ନିରନ୍ତର-ସାନ୍ଦ୍ର, ନିବିଡ଼ । ଜାମ୍ବୁନଦ ... ସୁନା ଲାଉ ପରି ସୁନ୍ଦର; ଫରି ପରି–ଢାଲ ପରି । ୪୨ । କନକମୟପୁଳିନ-ସ୍ଵର୍ଣ୍ଣମୟ ତୀରଭୂମି, ଘନଜଘନ-ନିବିଡ଼ ଜଙ୍ଘ, ବସନ-ଆଚ୍ଛାଦନ ବସ୍ତ୍ର, । ଆସ୍ତରଣ–ଆଚ୍ଛାଦନ ପଙ୍କଜାସନ ବ୍ରହ୍ମା, ବସ୍ତ୍ର, ନଜର ଦୃଷ୍ଟି, ମନୋଜର

 

ପ୍ରତୀତି ହୁଅଇ ପ୍ରତି ପ୍ରତୀକ କାନ୍ତି ସନ୍ତତି ଅନୁରୂପବନ୍ତ ଅନ୍ତ ମନୋଜଦାସ ।

ନବ ନବନୀତି ନିତି ସାରସ୍ୱର୍ଣ୍ଣ ପରିଣତି ବହଳ ତାମ୍ବୁଳେ ଥିବ ସରୋଜବାସ ।

ନବ ଲୋମସ୍ତୋମ ହରଷ ।

ଇନ୍ଦ୍ରଗୋପପୃଷ୍ଠ ସମ ସୁଖସ୍ପରଶ ।୪୩।

 

ଏ ଊରୁ ଶୋଭା ସମ୍ଭାର ନାହିଁ ତ ହେବ ରମ୍ଭାର ଏହା ତୁଳାକୁ କି କରଭର ଭରସା ।

କଲଭ ଲଭିବ ନାସା ଦଣ୍ଡେ କି ଏହା ପ୍ରଶଂସା ରସାଳସା ରସାଶୟ ସଦୃଶଦୃଶା ।

କି ଭାଗ୍ୟ କି ଏ ନୟନପଥ ।

ମଣ୍ଡିଲା ପୂର୍ଣ୍ଣ କରିବି କି ମନୋରଥ ।୪୪।

 

ଜଙ୍ଘାତ ହାଟକସ୍ତମ୍ଭ ସଙ୍ଘାତ ଗରବାରମ୍ଭ ସଙ୍ଘାତ ଘାତବିଧିର ଅଧ୍ୱରଯୂପ ।

ଚରଣଯୁଗଳ ଛବି ବରନି ନ ପାରି ଦବି ରହିଛି ପୂର୍ବରୁ ଭାବି ଶ୍ରୀହସ୍ତରୂପ ।

ଶଶୀକି ନ ଜାଣିଲା ମୁଖ  

ଦାରା ତାରାଭୟେ ଭଜି ହେଲେ କି ନଖ ।୪୫।

 

ଗମନ ମତମାତ୍ତଙ୍ଗରାଜ ରଥଚରଣାଙ୍କ ଗରବ ଗରିମ ଭଙ୍ଗ ପଟୁତ୍ୱସୀମା ।

ଶିରୀଷମାଳ ମାଳତୀ ନବୀନ ଲହୁଣୀ ପ୍ରତିଭଟ ସିନା ଘଟସ୍ତନା ତନୁମ୍ରଦିମା ।

 

କି ହେବଟି ସେବିଲେ ପାଶେ ।

ବିକଚ କମଳବନୀ ପରାୟେ ବାସେ ।୪୬।

 

ଏପରି ନାଗରମଣୀ ସେବିତ ନାଗରୀମଣି ପ୍ରୀତି ବିନା ଗର ମଣି ତେଡ଼େ ବିଭବ ।

ମଦନଦରଦନ୍ତୀର ଦଶାରେ ଦିବସାନ୍ତର ହୁଅନ୍ତେ ନଟପ୍ରକଟ କଲା ପ୍ରଭାବ ।

ଦିନ ଥାଉ ହେଲା ତ୍ରିଯାମା ।

ପିନ୍ଧିଲା ବ୍ୟୋମ ଅନ୍ଧାର ସୁନୀଳଜାମା ।୪୭।

 

ନ ଦିଶିଲେ ସଖା ଆଳୀ ଜିଣିଲା ପ୍ରଦୀପାବଳୀ ଜଳି ଲଳିତଉଦରୀ ତନୁ କମ୍ପିଲା ।

ମିଶିଗଲା ଚାରିନେତ୍ର ଦିଶିଭଲା ଦୁଇଗାତ୍ର ସପୁଲକ ହୋଇ ସ୍ମରଶରେ କମ୍ପିଲା ।

ଊରୁ ଊରୁ କରଚିବୁକେ ।

ଜନ୍ମିଲା ବେପଥୁ ଦୁଇ ଶ୍ରୀଅଙ୍ଗ ଯାକେ ।୪୮।

 

ବିଶିଖ-କନ୍ଦର୍ପବାଣ । ୪୩ । ପ୍ରତିପ୍ରତୀକ...ପ୍ରତି ଇନ୍ଦ୍ରିୟର ଲାବଣ୍ୟସମୂହର ଅନରୂପ ମନୋଜବାସ-କାମଗୃହ, ସ୍ତ୍ରୀଚିହ୍ନ । ସାରସ୍ୱର୍ଣ୍ଣ ପରିଣତି–ଉତ୍କୃଷ୍ଟ ସୁବର୍ଣ୍ଣର ଅବସ୍ଥାନ୍ତର ପ୍ରାପ୍ତି, ସ୍ତୋମ-ସମୂହ । ଇନ୍ଦ୍ରଗୋପପୃଷ୍ଠ– ସାଧବାଣୀପୋକର ପିଠିପରି । ୪୪ । ଶୋଭାସମ୍ଭାର–ସୌନ୍ଦର୍ଯ୍ୟସଂଗ୍ରହ, ହେମରମ୍ଭା– ସୁବର୍ଣ୍ଣ କଦଳୀ, କରଭ-ମଣିବନ୍ଧଠାରୁ କାଣୀ | ଆଙ୍ଗୁଠି ଶେଷ ପର୍ଯ୍ୟନ୍ତ କରତଳର ବହିର୍ଭାଗ ( ଜରୁ ସଙ୍ଗେ ଉପମିତ), କଲଭ-ହାତୀଛୁଆ ନାସାଦଣ୍ଡ-ଶୁଣ୍ଢ । ରସାଳସା-ରସମୁଗ୍ଧା, ରସାଶୟ ସଦୃଶଦୃଶା-ରସର ଆଧାର ସୂରୁପ ଚକ୍ଷୁ ଯାହାର । ୪୫ । ହାଟକସ୍ତମ୍ଭ–ସୁନା ଖମ୍ବ, ଗରବାରମ୍ଭ ସଂଘାତ~ଅହଙ୍କାର ସମୁହର, ଘାତ ବିଧରେ-ହତ୍ୟା ବ୍ୟାପାରରେ, ଅରଯୁପ– ଯଜ୍ଞସ୍ତମ୍ଭ (ଯଜ୍ଞରେ ପଶୁକୁ ଯୁପରେ ବାନ୍ଧି ହତ୍ୟା କରାଯାଏ) । ଶ୍ରୀହସ୍ତରୂପ-ସରସ୍ଵତୀଙ୍କର ହସ୍ତର ରୂପ, ଦାରାତାରା-ତାରକାରୂପ ସ୍ତ୍ରୀମାନେ (ତାରାମାନେ ଚନ୍ଦ୍ରଙ୍କ ସ୍ତ୍ରୀରୂପେ କଳ୍ପିତ) । ୪୬ । ଏ ସ୍ତ୍ରୀର ଗତି ମତ୍ତମାତଙ୍ଗରାଜ (ମତ୍ତହସ୍ତୀ ଶ୍ରେଷ୍ଠ)ର, ରଥଚରଣାଙ୍ଗ–(ରଥଚକ୍ର)ର ଗର୍ବ ଧ୍ୱଂସ କରିବାରେ ନିପୁଣ, ପ୍ରତିଭଟ-ପ୍ରତିଯୋଦ୍ଧା, ସମସ୍କନ୍ଧ; ତନୁମୁଦିନା–ଶରୀରର ମୁଦୂତା; ବିକଚକମଳବନୀ–ପ୍ରସ୍ତୁଟିତ ପଦ୍ମବନ । ୪୭ । ନାଗରମଣି ସେବିତ ... ନାଗକନ୍ୟାମାନେ ଯାହାକୁ ସେବା କରୁଥିଲେ । ନାଗରୀମଣି ପ୍ରୀତିକି ... ସେହି ନାଗରୀଶ୍ରେଷ୍ଠାର ପ୍ରୀତିତୁଳନାରେ ପ୍ରଚୁର ବିଭବକୁ ଗର ମଣି (ବିଷ ଜ୍ଞାନ କରି), ମଦନଦର-ଦନ୍ତୀ-କାମଭୟରୂପ ହସ୍ତୀ; ଦିବସାନ୍ତର-ଦିବାବସାନ, ନଟ-ଐନ୍ଦ୍ରଜାଲିକ, ତ୍ରିଯାମା– ରାତ୍ରି । ୪୮ । ଉପସ୍ଥିତ ସଖା ଓ ସଖୀମାନଙ୍କୁ ଦେଖାଗଲା ନାହିଁ । ଜଳି-ଚକ୍‌ଚକ୍‌

 

 

ଧନରେ ମୁଁ ମହାଗଜଘୋଷ ମହେନ୍ଦ୍ର ତନୁଜ ଧନହେ ମୁଁ ସରସିଜକୁଳଦୁଲାଳୀ ।

ଏତେ ମାତ୍ର ସାଳାପରେ ପ୍ରସୂନଚାପ – ରୋଗରେ ଗଳା ଗୁନ୍ଥାପରି ଦୁଇ ଶରୀର ଝାଳି ।

ପରସ୍ପର ରଦନବାସ ।

ନିବିଡ଼େ ପୀଡ଼ି ପିଇଲେ ତହୁଁ ପୀୟୁଷ ।୪୯।

 

ଗର୍ଭକେତକୀ ପାଖୁଡ଼ୀ ଗୋରୀ ସ୍ନେହେ ଦେଲା ଭିଡ଼ି ଚରମରେ ବୁଡ଼ି ବୁଡି ସଞ୍ଚା ରହିଲା ।

ଦୁହିଙ୍କ ତାମ୍ବୁଳବୋଳ ମଣ୍ଡି ଦୁଇ ଓଷ୍ଠଦଳ ତହିଁ ଦନ୍ତକ୍ଷତଲକ୍ଷ୍ମୀ ସଞ୍ଚାର ହେଲା ।

ସୁଖ ବ୍ରହ୍ମାନନ୍ଦ ଅମଳେ ।

କିଶୋର କିଶୋରୀ ଦୁହେଁ ଅଚେଷ୍ଟ ହେଲେ ।୫୦।

 

ଏକାଳେ ମୋହନ ଡାକି ବଜାଇ ସେ ନଟଟେକି ଶାବରମନ୍ତ୍ରରେ କି କି ଗାଇଲା ଗୀତ ।

ମାୟା ଜେମା ଆଦି ନଟ ବିଧି ହେଲା ଅପ୍ରଟକ କ୍ରମେ ଆପେ ହେଲା ପୁଣି ଅନ୍ତରହିତ ।

ଦିବସ ବିବଶ ହୋଇଲା ।

ରବିକର ମାୟାନିଶାମସୀ ଧୋଇଲା ।୫୧।

 

ସେ ଦିନ ସେହି ସମୟେ ଚନ୍ଦ୍ରକଳା ସ୍ୱନିଳେୟ ପ୍ରମୋଦମୋଦହୃଦୟେ ପହୁଡ଼ି ଥିଲା ।

ତ୍ରିପୁରସୁନ୍ଦରୀ ପରସାଦୁଁ ଅନଙ୍ଗସୁନ୍ଦର ସମ୍ଭୋଗ ସୁମନୋହର ସ୍ୱପନ ହେଲା ।

ମାୟା ସ୍ୱପନଭଙ୍ଗେ ସେ ଦୁହେଁ ।

ଭାଜି ହୋଇଲେ ବିରହ ଅନଳଦାହେ ।୫୨।

 

ତଥାପି ଭୂପୁରନ୍ଦର ସୁତ ଅନଙ୍ଗସୁନ୍ଦର ମରଜି ଧୈର୍ଯ୍ୟମନ୍ଦର ପରି ଉଭାରି ।

ମଦନାଗ୍ନି ଦରନ୍ତରେ ଦହିଲେହେଁ ହୃଦନ୍ତର ପ୍ରକାଶ ନକରି ରଖୁଥାଏ ଉଭାରି ।

କ୍ରମେ କ୍ରମେ ମାତ୍ର ଇଙ୍ଗିତେ ।

ରାଜବଲ୍ଲଭକୁ ଜଣା କରାଏ କେତେ ।୫୩।

 

ଜୀମୂତ ତମାଳକାନ୍ତ ଚନ୍ଦ୍ରମୁକୁଟ ଭୂଷିତ ଅଚଳାଙ୍ଗ ଭବାନାଥ ଶିବ ଶ୍ରୀରାମ ।

ରାମଚନ୍ଦ୍ରଦେବ କ୍ଷିତିପୁରନ୍ଦର ହୃଦେ ନିତି କରିବେ କି ନିଜ ତେଜ ପ୍ରକାଶ ଧାମ ।

କୁମାର ମୋହନ ଏ ଛାନ୍ଦ ।

ବେଦାଧିକ ପଞ୍ଚାଶତସଂଖ୍ୟକ ପଦ ।୫୪।

 

ହୋଇ, ଲଳିତାଉଦରୀ-ଲଳିତ ଉଦରଯୁକ୍ତା (ମାୟା ଯୁବତୀ), ସପୁଲକ-ରୋମାଞ୍ଚିତ, ବେପଥୁ- କମ୍ପ । ୪୯ । ପ୍ରସୂନଚାପରୋପରେ- କନ୍ଦର୍ପବାଣରେ, ଗୁନ୍ଥା ପରି-ଗୁଛା ହେଲା ପରି । ଝାଳିଗଲା-ପରସ୍ପର ମିଶିଗଲା, ରଦନବାସ-ଅଧର । ୫୦ । ଚରମରେ-ପିଠିରେ, ସଞ୍ଚା- ଚିହ୍ନ, ଦନ୍ତକ୍ଷତଲକ୍ଷ୍ମୀ-ଦନ୍ତାଘାତଜନିତ ଶୋଭା, ଅଚେଷ୍ଟ–ଅଜ୍ଞାନ । ୫୧ । ମୋହନଡାକି – ବିମୋହନ ଡମ୍ବରୁ, ରବିକର ... ସୂର୍ଯ୍ୟରଶି ଦ୍ୱାରା ମାୟାରାତ୍ରିର କାଳିମା ଧୋଇ ହୋଇଗଲା, ଅର୍ଥାତ୍ ମାୟାରାତ୍ରି ଉଭେଇଗଲା; ସୂର୍ଯ୍ୟ କିରଣ ଦିଶିଲା । ୫୨ । ତ୍ରିପୁରସୁନ୍ଦରୀ-ଚନ୍ଦ୍ରକଳାର ଇଷ୍ଟଦେବୀ । ୫୩ । ମରଜି-ହୃଦୟରେ, ଉଭାରି–ଦଣ୍ଡାୟମାନ ହୋଇ, ଉଭାରି– ଘୋଡ଼ାଇ । ୫୪ । ଜୀମୂତତମାଳକାନ୍ତ–ମେଘ ଓ ତମାଳବୃକ୍ଷ ପରି କମନୀୟ (ଶ୍ରୀରାମ), ଅଚଳାଙ୍ଗଭବାନାଥ-ପାର୍ବତୀପତି (ଶିବ), ସୀତାପତି (ଶ୍ରୀରାମ) ।

 

ଚତୁର୍ଦ୍ଦଶ ଛାନ୍ଦ

Unknown

ରାଗ –ଶଙ୍କରାଭରଣ

(ସ୍ୱପନସମ୍ଭୋଗ)

 

ଦିବସ ତୃତୀୟଯାମ ସମୟରେ ଦିନେ ।

ପହୁଡ଼ିଥିଲା ବିଶୋରୀରତନ ଭବନେ ।

ଦେବୀ କଲେ କି କରୁଣା ।

ସ୍ୱପନେ କି ଭୋଗ ହେଲା ତାହାକୁ ସେ ଜଣା ।୧।

 

କାତରେ ତରଳତରନେତ୍ରା ନିଦ୍ରା ତେଜି ।

ଘନାଙ୍କେ ଚଞ୍ଚଳାପରି ଶେଯରେ ବରାଜି ।

ଦୃଷ୍ଟି ନ୍ୟାସ କରି ଅଙ୍ଗେ ।

ଖେଳାଇଲା ଦୁଇ ଭୁଜବଲ୍ଲରୀ ପଲଙ୍କେ ।୨।

 

ଅପାତଳ ତଳପ ତ କରେ ଦେଇ ଟାଣି ।

ତୋଳି ତୂଳି ତକିଆତଳକୁ ଚାହିଁ ପୁଣି ।

କୁଚ କାଞ୍ଚୁଲା ଫେଡ଼ିଲା ।

ଉଭାରି ଉରଉପର ଅମ୍ବର ଝାଡ଼ିଲା ।୩।

 

ପୁଣି ଅଂସ ଅବତଂସ ଖୋସା ଶିଥିଳାଇ ।

ବଉଳ ଚଉଁରୀଗର୍ଭେ ଅଙ୍ଗୁଳି ଗଳାଇ ।

ଫେରାଇଲା କର୍ଣ୍ଣଭୂଷା ।

ହୋଇଲା ବିଗତା ଶ୍ୱାସ ଛାଡ଼ି ମୃଗଦୃଶା ।୪।

 

କମ୍ପାଇ ବନ୍ଧୁକବନ୍ଧୁ ରଦନଚ୍ଛଦନ ।

ବିକଳେ ଏପରି ଧୀରେ ରଚିଲା ରୋଦନ ।

ହା ମୋ ପ୍ରାଣ ସହଚର ।

କି ଦୋଷୁଁ ନୋହୁଛ ମୋରେ ଲୋଚନଗୋଚର ।୫।

 

କିଶୋରକିରୀଟ ଅହେତୁକ ଦୟାଳୁ ହେ ।

ମୁଁ ଯେବେ ତୁମ୍ଭର ଦରଶନ ଯୋଗ୍ୟ ନୁହେଁ ।

କାହିଁ ପାଇଁ ଦେଲ ଦେଖା ।

ରଖାଇ ମୋ କରରେ ଶଚୀର ଭାଗ୍ୟ ରେଖା ।୬।

 

ଦରଶନ ହେବାଭଳି ନୋହେ ଯେଉଁ ଛାର ।

କରି କି ତାହାରେ ଆଲିଙ୍ଗନ ଅଙ୍ଗୀକାର ।

ଆହେ ବିବେକଜଳଧି ।

ଛଡ଼ାଇ ନେଇ କି ରଙ୍କଅଙ୍କେ ଦେବା ନିଧି ।୭।

 

ଧରି ଅଙ୍ଗରାଗ ପରି ଜମାଇ ଦେହରେ ।

ପିଆଇ ଦଶନବାସୁଁ ପୀୟୁଷ ସ୍ନେହରେ ।

କେଉଁ ଅପରାଧୁ ପୁଣି ।

ଅପ୍ରକଟ ହେଲ ହେ ସୁନ୍ଦରଶିରୋମଣି ।୮।

 

ଅକିଞ୍ଚନ ଆଗେ ମଣିମଞ୍ଜୁଷ ଫିଟାଇ ।

ଅନାଇବା କାଳେ ଦେଲ ନୟନ ଫୁଟାଇ ।

ଏ କି ହୋଇଲା ଉଚିତ ।

ଏବେ ଦୀନଦୟାରେ ଉଦ୍ୟତ ହେଉ ଚିତ୍ତ ।୯।

 

ଚତୁର୍ଦ୍ଦଶ ଛାନ୍ଦ

 

୨ । ଘନାଙ୍କେ ଚଞ୍ଚଳା ପରି–ମେଘ କୋଡ଼ରେ ବିଜୁଳି ପରି । ୩ । ଅପାତଳ ତଳ୍ପ- ଗଦି ପ୍ରଭୃତି ମୋଟା ଶେଯ, ତୂଳି-ରେଜେଇ, ଉଭାରି-ଠିଆ ହୋଇ, ଅମ୍ୱର-ଲୁଗା । ୪ । ଅଂସ – କାନ୍ଧ, ଅବତଂସ – ଭୂଷଣ, ବିଗତା-ନିଷ୍ପ୍ରତା । ୫ । ବନ୍ଧୁକବନ୍ଧୁ - ବନ୍ଧୁକପୃଷ୍ଠ ସଦୃଶ । ରଦନଚ୍ଛଦିନ –ଅଧର । ୮ । ଦଶନବାସୁଁ-ଅଧରରୁ । ୯ । ମଣିମଞ୍ଜୁଷ- ରତ୍ନପୂର୍ଣ୍ଣ

ବନ୍ଧୁ ହେ ଅନ୍ଧକୁ ଦେଲ ଚକ୍ଷୁଲଭ ସୁଖ ।

ଲବମାତ୍ରେ ନବନେତ୍ରେ ମାରିଦେଲ ନଖ ।

ନୋହେ ଏତ ପ୍ରଭୁରୀତି ।

ଆଉ କି ମସ୍ତକେ ଶେଷ ବହିବେ ଜଗତୀ ।୧୦।

ନ କଲେ ପହିଲୁ ନ କରି ସେ ଅଙ୍ଗୀକାର ।

ଅଙ୍ଗୀକାର କରି ପରିତ୍ୟାଗ କରିବାର ।

ନ୍ୟାୟପଥରୁ ଫିଟିଲା ।

ଶରଣପ୍ରପନ୍ନ ଜନ ଭରସା ତୁଟିଲା ।୧୧।

କ୍ଷଣେ ଖଟି ନାହିଁ ରଙ୍ଗରାଜୀବ ପା ତଳ ।

ବିନା ଅପରାଧେ ହେଲା ସେ ସ୍ନେହ ପାତଳ ।

ମନ୍ଦଭାଗିନୀ ତ ମୁହିଁ ।

ଅପରାଧ ହେବା ସେବା ଭଳି କାଳ କାହିଁ ।୧୨।

 

ଅକାଳ ଜନଦମୁକ୍ତ ସଲିଳଶୀକର ।

ପଡ଼ିବା ସମୟେ ଚଞ୍ଚୁପୁଟେ ଚାତକର ।

କାହିଁ ବହି ପବମାନ ।

ଭାଙ୍ଗିଲା ଚାତକ ଆଶାତରୁ ପବମାନ ।୧୩।

 

ଧନରେ ମୁଁ ମହାଗଜଘୋଷ ନୃପସୁତ ।

ଏହି ମତେ ମନ୍ତ୍ରି ହଳାହଳ କି ଅମୃତ ।

ଦନ୍ତଚେଳୁ ପିଆଇଲ ।

ଚୋରାଇ ଚେତନ ନାରୀ ବୋଲି ଜୀଆଇଲ ।୧୪।

 

ସେ ଅମଳ ସମୟେ କି ଦେଲେ ଗାଢ଼େ ଭିଡ଼ି ।

ଲଗାଇ ମାଣିକ୍ୟମଣିକରକଶ ଚୂଡ଼ୀ ।

ମୃଦୁ ତନୁକୁ ବାଧିଲା ।

ତହୁଁ ଦିବ୍ୟଚିତ୍ତ କି କ୍ରୋଧକୁ ଆରାଧିଲା ।୧୫।

 

ଆହେ ପଣ୍ଡିତମଉଳି – ମଣ୍ଡଳୀମଣ୍ଡନ ।

ଅଜ୍ଞାତ ଦୋଷକୁ ରୋଷ ଆହୁରି କେ ଘେନ ।

ଆହେ କ୍ଷମାଗୁଣସୀମା ।

ଦୋଷ କରିଥିଲେ ତିନିବାର କରି କ୍ଷମା ।୧୬।

 

ଜଗତୀଭୂଷଣ ହେ କୁସୁମାୟୁଧରୁଚି ।

ଅଞ୍ଚଳ ପ୍ରସାରି ଦନ୍ତେ ମୁଁ ତୃଣ ଧରୁଚି ।

କରୁଅଛି ଦଣ୍ଡବତ ।

ଶୁଣାଅ ସୁମଧୁର ଭାରତୀ ଖଣ୍ଡବତ ।୧୭।

 

ବହିବି ଲାଗି କଠାଉ ସରବଦା ଶିରେ ।

ରହିବି ମୁଁ ଜଣେ ହୋଇ ସରବ ଦାସୀରେ ।

ଆହେ ଶରଦିନ୍ଦୁମୁଖ ।

ତାହାଙ୍କ ଚରମାଚରୀ କରି ହେଲେ ରଖ ।୧୮।

 

ଭଜିଥିବ ନିଦ୍ରାହାର ବିହାର ବରଜି ।

ହେଉଥିବ ଯେଉଁ ସେବା ଘେନିବା ମରଜି ।

ମୁଁ କି ନ କରିବି ରାଜି ।

ଏକା ନୟନପଥେ ଥିବ କି ବିରାଜି ।୧୯।

 

ଦରଶନସୁଖ ଶତମଖଭୂତି – ଦାନେ ।

ନ ରଖିବ ଯେବେ ପଦକଞ୍ଜ ସନ୍ନିଧାନେ ।

ନାରୀ ନାଶ ଦୋଷ ପାଇ ।

ଭୁବନଭୂଷଣଦୋଷ ଦେଲଟି ବୁଡ଼ାଇ ।୨୦।

 

ତୁମ୍ଭ ନାମେ ପିଇବି ଅବଶ୍ୟ କାଳକୂଟ ।

ଗଳେ ଭିଡ଼ିହେବ ଅବା ଲାଗି ଶେଷ ପଟ ।

ଲୀଳାବାପୀଗର୍ଭେ ଅବା ।

ପଡ଼ି ପ୍ରାଣ ଛାଡ଼ିବି ହେ ତରୁଣମଘବା ।୨୧।

ଆହା କି ସୁନ୍ଦର ସୁକୁମାର ପ୍ରତିଅଙ୍ଗ ।

କି ନବୀନ ଯଉବନ କି ଲୋଳ ଅପାଙ୍ଗ ।

କି ମୃଦୁଳ ମନ୍ଦହାସ ।

ସୁଧାରୁ ଧାରକେ ତୁଲ୍ୟ ସ୍ୱାଦୁ ରଦବାସ ।୨୨।

ପେଡ଼ି । ୧୦ । ଶେଷ-ସର୍ପରାଜ, ଶେଷଦେବ । ୧୨ । ରଙ୍ଗରାଜୀବପା’ତଳ-ରକ୍ତପଦ୍ମରୂପ ପାଦର ତଳ; ପାତଳ–କ୍ଷୀଣ । ୧୩ । ସଲିଳଶୀକର- ଜଳବିନ୍ଦୁ, ପବମାନ-ପବନ, ଆଶାତରୁ । ପବମାନ- ଆଶାରୂପ ବୃକ୍ଷର ସବୁ ଗଣ୍ଠି । ୧୪ । ଦନ୍ତଚେଳୁ––ଅଧରରୁ । ୧୭ । କୁସୁମାୟୁଧରୁଚି- କନ୍ଦର୍ପସୁନ୍ଦର; ଅଞ୍ଚଳ-କାନି ପଣନ୍ତ । ୧୮ । ତାହାଙ୍କ ଚରମାଚରୀ-ଦାସୀଙ୍କ ପଛରେ ରହିବା ଚାକରାଣୀ ବା ହୀନା ଦାସୀ । ୨୦ । ଦରଶନସୁଖ ... ଦର୍ଶନସୁଖରୂପ ଇନ୍ଦ୍ର ସମ୍ପତ୍ତି ଦେବାରେ । ୨୧ । କାଳକୂଟ-ବିଷ, ଲୀଳାବାପୀ-କ୍ରୀଡ଼ା ପୁଷ୍କରିଣୀ । ୨୩ । ସମ୍ଭାର

କି ସରସ ଗଭୀର ସମ୍ଭାର ଭାଷାଭଙ୍ଗୀ ।

କି ପଟୁନାଟଲମ୍ପଟ ଭ୍ରୁବଲ୍ଲୀ ଭୁଜଙ୍ଗୀ ।

କେଡ଼େ ସୁବାସିତ ତନୁ ।

ବଳିଥିବ ବାସନ୍ତିକ ଅରବିନ୍ଦ ବନୁଁ ।୨୩।

 

ପିଇ ନ ପାଇଲି ଯାହା ବଞ୍ଚିବଟି କେହି ।

ଜୀବିତକୁ ଛାଡ଼ି ଦେହୀ ପାରିବ କି ରହି ।

ଉପାୟ ତ ଦିଶୁନାହିଁ ।

କି କରିବି କାହିଁ ଯିବି ରହିବିଟି କାହିଁ ।୨୪।

 

ଦଣ୍ଡକର ବିରହ ତ ହେଲା କଳ୍ପ ପରି ।

ଚିର ହେଲେ କି ରହି ପାରିବ ଦେହ ଧରି ।

ମନେ ପଡ଼ିଲେ ତ ଶଶୀ ।

ମାର୍ତ୍ତଣ୍ଡମଣ୍ଡଳ ପରି ଗଲାନି ଆଭାସି ।୨୫।

 

ପ୍ରଳୟ କାଳ ଅନଳ ଜ୍ୱାଳାରୁ ତ ମୋତେ ।

ମଳୟବନ ପବନ ହେଲାନି ପରତେ ।

ମଳୟଜ ଘନସାର ।

ଗୋଳା ହଳାହଳଠାରୁ ହେଲାନି ଅସାର ।୨୬।

 

ଲାଗିବାସ ଆସି ଆଶୀବିଷରୁ ବଳିଲା ।

କରପ୍ରାପ୍ୟ ସୁରତରୁ ଉପଳ ଫଳିଲା ।

ଭଲା ଭଲା ରେ ଲଲାଟ ।

ଛୁଇଁବା ବିଶୁଦ୍ଧ ହେମ ହେଲା ଆରକୂଟ ।୨୭।

 

ଧିକ ଧିକ ଅବିବେକ ହେ କମଳାସନ ।

ଭୋଖି କରେ ଦେଇ ସୁଧା ସଦୃଶ ଅଶନ ।

ପୁଣି ନେବାର ଛଡ଼ାଇ ।

ଘେନ ତ ଏ କେଉଁ ବଡ଼ଲୋକର ବଡ଼ାଇ ।୨୮।

 

ପିତାମହ ହେବାରୁ କି ପରିହାସ କରି ।

ଛପାଇ ରଖିଛ ମୋର ସଉଭାଗ୍ୟଶିରୀ ।

ଏବେ ଅଣ୍ଟିଲା ନାହିଁ କି ।

ନାରୀ ମରିଯିବାଯାଏ କୁଗ୍ରହ କାହିଁକି ।୨୯।

 

ତୁମ୍ଭେ ସତ୍ୟ ଲୋକନାଥ ପରା ଚତୁର୍ମୁଖ ।

ମିଥ୍ୟା କର ମୁଁ ସାକ୍ଷାତ ଭୋଗ କଲା ସୁଖ ।

ଜନନିନ୍ଦାରୁ ନ ଡର ।

ପ୍ରଭୁ ହେଲେ ହେଲେ ନିକି ଏଡ଼େ ଅବିଚାର ।୩୦।

 

ଅଧୀରହିଁ ହେଲେ କରେ ପର ଉପକାର ।

ବଧିରହିଁ ହେଲେ ଶୁଣେ ଅତି ଉଚ୍ଚସ୍ୱର ।

ଶ୍ରୁତିମୟ ଗୋଟିଯାକ ।

ହୋଇ ତ ନ ଶୁଣ ପରମାର୍ତ୍ତ ଜନ ଡାକ ।୩୧।

 

ଏପରି ସେ ପରିଣତ ଶରଦିନ୍ଦୁମୁଖୀ ।

ବିକଳ ହୁଅନ୍ତେ ଚେତି କୁନ୍ଦଲତା ସଖୀ ।

ମୁଖ ପୋଛି କୋଳେ ଧରି ।

ପଚାରିଲା କିସ ରେ ଆଶ୍ରିତ ଜୀବେଶ୍ୱରୀ ।୩୨।

 

ପୁନଃ ପୁଚ୍ଛୁ ସ୍ୱପ୍ନରେ କି ଦେଖିଲୁ କି କହ ।

କପଟ ନ କର ମୋରେ ଅଛି ଯେବେ ସ୍ନେହ ।

ମୋ ଶିରର ସବତଟି ।

କହ କହ ରେ ତରୁଣ କଣ୍ଠୀରବକଟି ।୩୩।

 

ସାଦୀପଣ–ଅଶ୍ୱାରୋହଣ, ବିରସେ-ଦୁଃଖରେ, କୁଙ୍ଗିମକୋଣ-କୁଡ଼ିଆ ଘରର କୋଣ, ପଉଗଣ୍ଡ-ଦଶମବର୍ଷ ପର୍ଯ୍ୟନ୍ତ ଅବସ୍ଥାକୁ ପୌଗଣ୍ଡ କହନ୍ତି । ୪୦ । ବିତରଣଶାଳିଗୁଣ––ଦାନୀପଣିଆ । ୪୧ । ନୀହାର-ତୁଷାର, ମନ୍ତ୍ରେ ଜୀବପ୍ରତିଭଟ-ମନ୍ତ୍ରବିଦ୍ୟାରେ ବୃହସ୍ପତିଙ୍କ ସମାନସ୍କନ୍ଧ । ୪୩ । କ୍ଷିତିଦେବ-ବ୍ରାହ୍ମଣ, ସେବନରେ–ସେବା କାର୍ଯ୍ୟରେ । ୪୪ । ଧୃତି-ଧୈର୍ଯ୍ୟ, ମଣିସାନୁ-ସୁମେରୁ ପର୍ବତ, ଅମ୍ଭୋଧି–ସମୁଦ୍ର । ୪୫ । ରମାରତି ... ବିଷ୍ଣୁ ଓ କନ୍ଦର୍ପଙ୍କ ନାମସମୂହ ମଧ୍ୟରୁ ଯାହାର ଗୋଟିଏ ନାମ ହୋଇଥିବ । ୪୬ । ସମୟା ଶାବର-କର୍ତ୍ତବ୍ୟ, ଇନ୍ଦ୍ରଜାଲ ବିଦ୍ୟା । ୪୮ । ବ୍ୟାଜବିଦ୍ୟା–କପଟବିଦ୍ୟା, ଇନ୍ଦ୍ରଜାଲ । ୫୦ । ହଂସଧ୍ୱଜ-ବ୍ରହ୍ମା । ୫୧ । ଦିଲାସା–ସାନ୍ତନା, ଆଶା; ଲାଲ ରଦାମ୍ବର–ରକ୍ତବର୍ଣ୍ଣ ଅଧର । ୫୩ । ଆନ–ରାଣ । ୫୪ । ନିର୍ବାହ

 

ପ୍ରାଣସଖୀ ରାଣ ଶୁଣି ବିଳମ୍ବ ନ ସହି ।

ଦେଖାଇ ସମ୍ଭୋଗ ଚିହ୍ନ ସ୍ୱପ୍ନରୀତି କହି ।

କହିଲା ରେ ସ୍ନେହଶୀଳା ।

ରଖ ମୋତେ ହୋଇ ଦୁଃଖତରଙ୍ଗଣୀଭେଳା ।୩୪।

 

ଶୁଣି ତା ଚିବୁକ ଧରି ଜଣାଇଲା ସଖୀ ।

ଚିତ୍ତରୁ ଚିନ୍ତାକୁ ତେଜ ଆଜନମସୁଖି ।

ଧାତା ଅଛି ଅନୁକୂଳ ।

ବିକାଶକୁ ଅଛି ମାତ୍ର ତୋ ଭଗ୍ୟମୁକୁଳ ।୩୫।

 

ରଜକୀ ନାପିତୀ ଗୋପୀ ମାଳାକରନାରୀ ।

ଏମାନଙ୍କରଠାରୁ ମୁଁ ଶୁଣିଲି ତଥ୍ୟ କରି ।

ତାତ ମହାରାଜ ପୁଣି ।

ତୋର ପରିଣୟ ମଙ୍ଗଳକୁ ହୃଦେ ଗୁଣି ।୩୬।

 

ଆଜୁଁ ବରଷକ ତଳୁ ଭାଳି ମନ୍ତ୍ରୀ ତୁଲେ ।

ନଟରାଜ ନାମ ମାୟାବିକୀ ଡକାଇଲେ ।

କଲେ ଏହି ଫରମାସ ।

ବୁଲିବୁ ତୁ ନିଜବିଦ୍ୟା ଘେନି ସବୁ ଦେଶ ।୩୭।

 

ନୃପକୁଳେନ୍ଦ୍ରର ଯେଟି ପ୍ରଥମ ତନୁଜ ।

ରୂପରୁ ଯାହାର ଊଣା ହେବ ମନସିଜ ।

ବାହୁଯୁଗଳୀର ବଳେ ।

ଜୟକରି ଯିବ ଧନଞ୍ଜୟକୁ ଯେ ହେଳେ ।୩୮।

 

ବୀରସେନସୁତ ହାରି ଯା ସାଦୀପଣରୁ ।

ବିରସେ ନ ବାହାରିବେ କୁଟ୍ଟିମକୋଣରୁ ।

ଜାଣି ପଉଗଣ୍ଡ ଶେଷ ।

ହୋଇଥିବ ଯାର କିଶୋରତା ପରବେଶ ।୩୯।

 

ସର୍ପରାଜଦର୍ପ ଯାହା ବିଦ୍ୟା ହରିଥିବ ।

ବିତରଣଶାଳିଗୁଣେ ଇତର ନ ଥିବ ।

ଊଣା ହେବେ କର୍ଣ୍ଣ ବଳି ।

କ୍ଷମାଗୁଣେ କ୍ଷମାରୁ ଯେ ପଡ଼ୁଥିବ ବଳି ।୪୦।

 

ରବିଚ୍ଛବି କରୁଥିବ ପ୍ରତାପ ଯାହାର ।

ସମାନ ଶୀତଳ ଗୁଣେ ଯାହାର ନୀହାର ।

ମନ୍ତ୍ରେ ଜୀବପ୍ରତିଭଟ ।

ଯେହିଟି ଧାର୍ମିକ ସାଧୁ ସଂସର୍ଗଲମ୍ପଟ ।୪୧।

 

ଅନୀତି ଲୋଲୁପ ପରାଦାରାଧନରତ ।

ଦୁଷ୍କୁଳସମ୍ଭବ ମିଥ୍ୟାବାଦୀ ଅପଣ୍ଡିତ ।

ଯାହା ସଭାରେ ନ ଥିବେ ।

ଯା ହାସ ଅଧରୁ ବଳୁ ନ ଥିବଟି ଲବେ ।୪୨।

 

ଦେବ କ୍ଷିତିଦେବ ଗୁରୁ ବଇଷ୍ଣବ ଜନ ।

ସେବନରେ ଶକ୍ତ ହୋଇଥିବ ଯାର ମନ ।

କର୍ଣ୍ଣପ୍ରିୟ ମୃଦୁଭାଷା ।

ଯାହା ମୁଖ ରଚୁଥିବ ପୀୟୁଷବରଷା ।୪୩।

 

ସଙ୍ଗୀତେ ଗର୍ନ୍ଧବ ଗର୍ବ ଦେଉଥିବ ଚୂରି ।

ଯାହା ଧୃତି ହୋଇଥିବ ମଣିସାନୁ ସରି ।

ହୋଇଥିବ ମହୋଦ୍ୟମ ।

ଅମ୍ଭୋଧିରୁ ବଳିଥିବ ଗଭୀରତା ପୁଣ ।୪୪।

 

ଅସଂଖ୍ୟକ ହୟ ଗଜ ଫଉଜ ଯାହାର ।

ରମାରତିବନ୍ଧୁ ନାମ କଦମ୍ବ ଯାହାର ।

ଷଟ ପଞ୍ଚାଶତ ଦୋ ।

ଲିପିଭାଷା ଜାଣିବାରେ ଯେଟି ଅସଦୃଶ ।୪୫।

 

କେଉଁ ଦେଶେ ଥିବ ଏହି ବରାବର ବର ।

ତାହା ଆଗେ ପ୍ରକାଶ ତୋ ସମୟା ଶାବର ।

ମାୟା ଜେମା ତୁଲେ ତାକୁ ।

ଭେଟ କରାଇବୁ ଦୃଶ୍ୟ ନୋହିବ କାହାକୁ ।୪୬।

 

ତହୁଁ ଆମ୍ଭ ଆଗେ ତାହା କରିବୁ ପ୍ରକଟ ।

ନବ ଯୁବରାଜ ବ୍ୟାଜରୂପ ରମ୍ୟନାଟ ।

ଫରମାସି ଏହିପରି ।

ପେଷିଥିଲେ ପୁଣି ତୋ ଜନକ ଦଣ୍ଡଧାରୀ ।୪୭।

 

ସେ ସେହିପ୍ରକାରେ ଯାଇ ମହାଗଜଘୋଷ ।

କରିଥିବ ନିଜ ବ୍ୟାଜ ବିଦ୍ୟାର ପ୍ରକାଶ ।

ସ୍ୱପ୍ନଭୋଗ ପରି ତୋର ।

ଲଭିଥିବ ତୋ ସଙ୍ଗତି ସେ ରାଜକୁମାର ।୪୮।

 

ମାୟାଶେଷେ ତୋ ବିରହାନଳ ଝାସ ବାଜି ।

ରାଜସୂନୁ ତନୁ ହୋଇ ଯାଇଥିବ ଭାଜି ।

ତାହା ଜାଣି କୃପା କରି ।

ଦୁଇକୁଳ ଇଷ୍ଟଦେବୀ ତ୍ରିପୁରସୁନ୍ଦରୀ ।୪୯।

 

ସ୍ୱପନ ସଙ୍ଗମ ମହୋତ୍ସବବୀଜନିଶା ।

କଳ୍ପିଥିବେ ସେ ତ କଳ୍ପବଲ୍ଲରୀ ସଦୃଶା ।

ଧନ ମନୁ ତାପ ତେଜ ।

ଅବଶ୍ୟ ହୋଇବେ ଅନୁକୂଳ ହଂସଧ୍ୱଜ ।୫୦।

 

ଜେମାମଣି ଶୁଣି ସଖୀ ଦେବାର ଦିଳାସା ।

ଧୃତିବୀଜ ନିଜ ଜୀବିତରୁ ଛାଡ଼ି ଆଶା ।

କମ୍ପି ଲାଲରଦାମ୍ବର ।

ଅଶ୍ରୁବିନ୍ଦୁ ତିନ୍ତାଇଲା ଉରେଜଅମ୍ବର ।୫୧।

 

ବାଳା ଦୁଃଖ ଦେଖି ସଖୀ ଦୁଃଖିତ ହୋଇଲା ।

ଶୀତବାସେ ଜଳେ ତାର ଶ୍ରୀମୁଖ ଧୋଇଲା ।

ପଚାରିଲା ରେ ତରୁଣୀ ।

ସୁଖକାଳେ ଦୁଃଖ କାହିଁ ଶୁଣା ଅଛି ପୁଣି ।୫୨।

 

ମୋ ଆନଟି ସୁଧାଘଟୀତୁଲ୍ୟସ୍ତନା କହ ।

ଜଣାଣରେ ମୋର କିଛି ହେଲା କି ସନ୍ଦେହ ।

କାହିଁପାଇଁ ନାତ୍ରକଞ୍ଜ ।

ବରଷେ ଅଞ୍ଜନନୀଳ ଅଶ୍ରୁବିନ୍ଦପୁଞ୍ଜ ।୫୩।

 

ନ ସହି ସହୀ ଶପଥ ଭାଷିଲା କିଶୋରୀ ।

ନିର୍ବାହ ସରିକି ନିକି ନ ଯିବି ମୁଁ ସରି ।

ଜଳେ ଭାସିଲାନି ପ୍ରାଣୀ ।

ତରୀ କରିବାକୁ ବାଞ୍ଛା କରୁଛି ବିନ୍ଧାଣି ।୫୪।

 

ଅଙ୍ଗୀକୃତ ଭଙ୍ଗୀ ସନ୍ଦେଶରେ ପୂରିଥିବ ।

ଦୂରେ ଥାଉ ହର ଦରଶନ ମହୋତ୍ସବ ।

ନ ଦେଖିଲେ ପ୍ରିୟ ଲେଖ ।

ସ୍ୱପନକୁ ସତ ମଣି ଲଭିବ କେ ସୁଖ ।୫୫।

 

ଶୁଣି କୁନ୍ଦଲତା ଜଣାଇଲା କର ଯୋଡ଼ି ।

ମାନସରୁ ସରୁମଧ୍ୟା ଦିଅ ଚିନ୍ତା ଛାଡ଼ି ।

ଗୁପ୍ତେ ଜଣାଣ ଲେଖିବା ।

ଅଭୀଷ୍ଟ ଶ୍ରୀହସ୍ତ ଲେଖା ଚିଟାଉ ଦେଖିବା ।୫୬।

 

ଶିରୀଷାଙ୍ଗୀ ଅଙ୍ଗୀକାର କଲା ଏ ବିଚାର ।

ବିଚାରି ଚତୁରତର ସବିଶ୍ୱାସ ଚାର ।

ଚାହିଁ ସ୍ୱର୍ଣ୍ଣ ପୂର୍ଣ୍ଣକୁମ୍ଭ ।

କଲେ ସବିନୟ ଶୁଭ ଚିଟାଉ ଆରମ୍ଭ ।୫୭।

 

ଏ ଛାନ୍ଦରେ ଅଷ୍ଟୋତ୍ତର ପଞ୍ଚାଶତ ପଦ ।

ସ୍ୱପନସମ୍ଭୋଗ ନାମ ଘେନିବ କୋବିଦ ।

ଜଳନ୍ତର ସଂକ୍ରନ୍ଦନ ।

ଶ୍ରୀରାମଚନ୍ଦ୍ର ଚରଣେ ରଚିଲେ ବନ୍ଦନ ।୫୮।

 

ସରିକି-ସମ୍ପାଦନ ଯାଏ (ବିବାହ ଯାଏ), ତରୀ କରିବାକୁ-ନୌକା ନିର୍ମାଣ କରିବାକୁ, ବିନ୍ଧାଣି–କାରିଗର । ୫୭ । ସବିଶ୍ଵାସ–ବିଶ୍ଵସ୍ତ, ଚାର-ଦୂତ । ୫୮ । କୋବିଦ-ପଣ୍ଡିତ ସଂକ୍ରନ୍ଦନ-ଇନ୍ଦ୍ର ।

 

ପଞ୍ଚଦଶ ଛାନ୍ଦ

ରାଗ – ଚିନ୍ତାକେଦାର

(ଯୁବସନ୍ଦେଶାମୃତ)

 

ରାଧାମୋହନ ଚାରୁ ଚରଣ ।

ଶୋଣ ପଙ୍କଜଯୁଗ ଶରଣ ।

ନାଗରୀ ସକଳ ସମ୍ପଦର ପଦ କୁନ୍ଦଲତା ଶିର ଆଭରଣ ହେ ।

ନାଗର ।୧।

 

ଅଖଣ୍ଡିତ ଧରାଯୁବରାଜ ।

ସରସ୍ୱତୀସଙ୍ଗୀତସମାଜ-

ରସିକନିକରଶିରୋମଣିକରଦୀପନୀରାଜିତଦାମ୍ବୁଜ ହେ ।

ନାଗର ।୨।

 

ଇଷ୍ଟଦେବ ଚନ୍ଦ୍ରକୁବଳୟ । ବାହୁବଳଜିତ ଭୂବଳୟ ।

ଅମନ୍ଦ ଗୁଣଗଣମଣି ମଞ୍ଜୁଷ ଶୋଭାଇନ୍ଦୀରାବନ୍ଦିନିଳୟ ହେ ।

ନାଗର ।୩।

 

ଦେଖି ତୁମ୍ଭର ଗଭୀର ଭାବ ।

ବାଦ କଲା ଯା କ୍ଷୀର ଅବର୍ଣ୍ଣ ।

ପେଷି ମନ୍ଦରକୁ ତାହା ମନ୍ଦିରକୁ ତହୁଁ ଲୁଟାଇ ନେଲା ଦଇବ ହେ ।

ନାଗର ।୪।

 

ଯଶତୁଲ୍ୟ ହେବି ବୋଲି ଶଶୀ ।

ମନେ ମନେ ଯା ହେଲା ସାହାସୀ ।

ବୁଲୁଛି ପ୍ରତି ରାତି ମୃଗକପଟେ ଘେନି ଧାତା ଦେବା ଦାଗମସୀ ହେ ।

ନାଗର ।୫।

 

ରବି କରି ପ୍ରତାପକୁ ଲୋଡ଼ା ।

ପାଇ ରଶ୍ମିଚୟ ଭିଡ଼ା ପୀଡ଼ା ।

ହେବାକୁ ନିର୍ଦ୍ଦୋଷ କରୁଛି ପ୍ରଦୋଷ କାଳେ ପ୍ରତୀଚୀ ସମୁଦ୍ରେ ବୁଡ଼ା ହେ ।

ନାଗର ।୬।

 

କରି ମନେ ଅନେକ ଉଦ୍ୟମ ।

ରୂପସମ ନୋହିବାରୁ କାମ ।

ଦେହ ଦେଖାଇବା ଲାଜେ ଦଗଧ୍‌ ହୋଇ ଏକା ଶ୍ରୁତିଗତ କଲା ନାମ ହେ ।

ନାଗର ।୭।

 

ପଞ୍ଚଦଶ ଛାନ୍ଦ

 

୧ । ନାଗରୀସକଳସମ୍ପଦର ପଦ– ନାଗରୀର ସମସ୍ତ ସୁଖର ସ୍ଥାନ; କୁନ୍ଦଲତା (ଚନ୍ଦ୍ରକଳାର ସଖୀ–ଏ ପତ୍ରର ଲେଖିକା)ର ମସ୍ତକର ଅଳଙ୍କାରସ୍ୱରୂପା । ୨ । ଅଖଣ୍ଡିତ ଧରା-ସମଗ୍ର ପୃଥିବୀ; ସରସ୍ୱତୀଙ୍କ ସଙ୍ଗୀତସଭାର ଯେଉଁମାନେ ରସିକସମୂହ ସେମାନଙ୍କ ମସ୍ତକସ୍ଥ ମଣିର କର (କିରଣ)ଦ୍ୱାରା ନୀରାଜିତ (ଆରାତ, ବନ୍ଦିତ) ହେଉଅଛି ପାଦପଦ୍ମ ଯାହାଙ୍କର । ୩ । କୁବଳୟ-ନୀଳକଇଁ । ପ୍ରାକୃତିକ ପ୍ରେମରେ ଆବଦ୍ଧ ଚନ୍ଦ୍ରକୁବଳୟ ତୁମ୍ଭର ଇଷ୍ଟଦେବତା ଅଟନ୍ତି । ତୁମେ ବାହୁବଳରେ ଭୂବଳୟ (ଭୂମଣ୍ଡଳ) ଜୟ କରିଅଛି । ଅମନ୍ଦଗୁଣଗଣମଣି ମଞ୍ଜୁଷ–ସୁନ୍ଦରଗୁଣସମୂହର ମଞ୍ଜୁଷ (ପେଡ଼ି, ଆଧାର); ଶୋଭାଇନ୍ଦୀରାବନ୍ଦିନିଳୟ-ସୌନ୍ଦର୍ଯ୍ୟ ଲକ୍ଷ୍ମୀଙ୍କର ବନ୍ଧନାଗାର । ୪ । ସମୁଦ୍ର ଅପେକ୍ଷା ତୁମର ହୃଦୟଭାବ ଆହୁରି ଗଭୀର । ଯଶ ଶୁକ୍ଳବର୍ଣ୍ଣ ବୋଲି ବର୍ଣ୍ଣିତ ହୁଏ । ଚନ୍ଦ୍ର (କଳଙ୍କରୂପୀ) ମୃଗ ବ୍ୟାଜରେ ବିଧାତା ଦେଇଥିବା ମସୀ (କଳା) ଦାଗ ଧରି ପ୍ରତି ରାତିରେ ବୁଲୁଛି । ୬ । ସୂର୍ଯ୍ୟ ତୁମ୍ଭ ପରି ପ୍ରତାପୀ ହେବାକୁ ଇଚ୍ଛା କରି ରଶ୍ମି (କିରଣ ଓ

 

ବାଦ ବାଞ୍ଛି ତୁମ୍ଭ ସ୍ୱରତୁଲେ ।

ମଦେ କିନ୍ନର ଯେତେ ମାତିଲେ ।

କଉତୁକୀ ଦେବ କମଳସମ୍ଭବ ଅଶ୍ୱମୁହାଁ ବୋଲୁ ବୋଲୁ ହେଲେ ହେ ।

ନାଗର ।୮।

 

କଳ୍ପଜୀବୀ ଯେବେ ଜୀବ ହେବେ ।

ଅଳ୍ପ କରିବା କୀର୍ତ୍ତି କହିବେ ।

କହୁଁ କହୁଁ ପୀତ ବର୍ଣ୍ଣ ଛାଡ଼ି ଶ୍ୱେତ ହୋଇଯିବାକୁ ଅବା ଶଙ୍କିବେ ହେ ।

ନାଗର ।୯।

 

ରିପୁ ବିଜୟେ କରିରାଜିକି ।

ରଖ ସେନାନ୍ତେ କରି ରାଜିକି ।

ରୋଦସୀ ମିଶା ସାଗରଗଣ ରସା ହେଲେ ନଅଣ୍ଟେ ଯାହା ବାଜୀକି ହେ ।

ନାଗର ।୧୦।

 

ଦେଖି କରି କରେ କରବାଳ ।

ହୋଇ ପରସ୍ପରେ କଳିଲୋଳ ।

ସକଳ ସୁରସୁନ୍ଦରୀ ସଜାଡ଼ନ୍ତି ହରିଚନ୍ଦନ କୁସୁମମାଳ ହେ ।

ନାଗର ।୧୧।

 

ତୂଣେ ମାର୍ଗଣଚୟ ଉଦୟେ ।

ହେଲେ କର ଯେବେ ଉଚ୍ଚ ହୋଏ ।

କୁଳପାଳୀ କାଳି ଛାତିତୁଲେ ମିଳି ହେମ ଅଚଳ କମ୍ପଇ ଭୟେ ହେ ।

ନାଗର ।୧୨।

 

ଦେବ ଈଦୃଶ ପ୍ରଭୁସରିକି ।

ଲେଖ ଲେଖି ପାରେ କିଶୋରୀ କି ।

 

ଲୁତାତନ୍ତୁ ପରା ବିତାନବାଗୁରା ଧରି ଲୋଡ଼ୁଅଛି କେଶରୀ କି ହେ ।

ନାଗର ।୧୩।

 

ଆହେ ଯୁମତୀ ଜୀବନଧାନ ।

ଜନ୍ମୁବେଳରୁ ଯେଟି ବାମନ ।

କଳାକାରକଳା କରେ ଧରି ଖେଳା କରିବାକୁ ସେ ବଳାଏ ମନ ହେ ।

ନାଗର ।୧୪।

 

ଦଉଡ଼ି) ସମୂହର ଭିଡ଼ାରୁ ପୋଡ଼... । ୭ । କାମ-କନ୍ଦର୍ପ (ମହାଦେବଙ୍କ ଚକ୍ଷୁର ଅଗ୍ନିରେ ପୋଡ଼ି ଯାଇଥିଲା) ଏକା ... ତାହାର ନାମ ମାତ୍ର କାନରେ ଶୁଣାଯାଏ । ୮। କିନ୍ନର– ଦେବତାମାନଙ୍କ ଗାୟକ, କଉତୁକୀ ଦେବକମଳ ସମ୍ଭବ–କୌତୁକପ୍ରିୟ ବ୍ରହ୍ମା; ଅଶ୍ଵମୁହାଁ – ଘୋଡ଼ାପରି ମୁହଁ ଯେଉଁମାନଙ୍କର (କିନ୍ନରମାନଙ୍କର ମୁହଁ ଘୋଡ଼ାପରି) । ୯ । କଳ୍ପଜୀବୀ-ଦୀର୍ଘଜୀବୀ, କହୁ କହୁ ... ଯେଉଁ ଲୋକର ବର୍ଣ୍ଣ ଗୌର ସେ ତୁମ୍ଭ ଯଶ ବର୍ଣ୍ଣନା କରୁ କରୁ ଧଳା ହୋଇ ଯିବାପାଇଁ ଭୟ କରିବେ (ଯଶ ଶୁକ୍ଳ ବୋଲି ବର୍ଣ୍ଣିତ ହୁଏ) । ୧୦ । କରିଭାଜିକି-ହସ୍ତୀମାନଙ୍କୁ, ସେନାନ୍ତେ–ସେନାଦଳ ଶେଷରେ, ରାଜିକି କରି–ଧାଡ଼ି ଧାଡ଼ି କରି, ରୋଦସୀ-ସ୍ଵର୍ଗ ଓ ପୃଥିବୀ, ସାଗରଗଣ–ସବୁ ସମୁଦ୍ର, ରସା-ପୃଥିବୀ, ବାଜୀ-ଘୋଡ଼ା । ୧୧ । କରବାଳ–ଖଡ୍‌ଗ, ଯୁଦ୍ଧରେ ମରିବା ଲୋକ ସାଙ୍ଗେ ସାଙ୍ଗେ ସ୍ୱର୍ଗକୁ ଯାଏ, ତୁମ୍ଭେ ହାତରେ ଖଣ୍ଡା ଧରିବା ମାତ୍ରେ ସ୍ଵର୍ଗର ଦେବୀମାନେ ମନେ କରନ୍ତି ନିଶ୍ଚୟ ଅନେକ ବୀର ଯୁଦ୍ଧରେ ମରି ସ୍ୱର୍ଗକୁ ଆସିବେ; ତେଣୁ ସେମାନେ ସେହି ମୃତ ବୀରମାନଙ୍କୁ ଅଭ୍ୟର୍ଥନା କରିବାପାଇଁ ପରସ୍ପର କଳି କରି ଆଗରୁ ସ୍ଵର୍ଗର ହରିଚନ୍ଦନ (ଦେବତରୁ) ଗଛର ଫୁଲରେ ବରଣମାଳା ପ୍ରସ୍ତୁତ କରି ରଖନ୍ତି । ୧୨ । ତୁଣ–ତୂଣୀର, ଶର ରଖିବା ମୁଣା; ମାର୍ଗଣଚୟ–ଶରସମୂହ, ଉଦୟେ –ପ୍ରକାଶରେ, ବାହାର କରିବାରେ । ତୁଣୀରରୁ ବାଣ ବାହାର କରିବାପାଇଁ ତୁମ୍ଭ ହାତ ଯେତେବେଳେ ଉପରକୁ ଉଠେ, ସେତେବେଳେ (ସ୍ଵାମୀମାନଙ୍କର ମୃତ୍ୟୁ ଭୟରେ) କୁଳପାଳୀ (ତୁମ ଶତ୍ରଙ୍କ କୁଳକାମିନୀ)ମାନଙ୍କର କଳା ପଡ଼ିଯିବା ଛାତି ସାଙ୍ଗେ ବକ୍ଷସ୍ଥିତ ହେମଅଚଳ (ସ୍ୱର୍ଣ୍ଣପର୍ବତ ତୁଲ୍ୟ କୁଚ) ଭୟରେ ଥରେ । ୧୩ । ହେ ଦେବ, ଏପରି ପ୍ରଭୁଙ୍କ ନିକଟକୁ କିଶୋରୀ (ଅଳ୍ପବୟସ୍କା ଯୁବତୀ) କୌଣସି ଲେଖ (ପତ୍ର) ଲେଖି ପାରେ କି ? ଲୁତାତନ୍ତୁ ବୁଢ଼ିଆଣୀଜାଲ, ବିତାନ–ବିସ୍ତାର, ବାଗୁରାଜାଲ, କେଶରୀ–ସିଂହ । ୧୪ ।।

 

ପୁଣି ଏ ଆଶା ଅତି ବିଚିତ୍ର ।

ଦେଖି ଲୋଡ଼େ ଯା ଶ୍ରୀହସ୍ତ ପତ୍ର ।

କ୍ଷୁଦ୍ର ଖଦ୍ୟୋତ କୀଟ କରେ ସାହସ ରବିତୁଲେ ହୋଇବାକୁ ମିତ୍ର ହେ ।

ନାଗର ।୧୫।

 

କରି ସଙ୍ଖାଳି ସ୍ୱପ୍ନ ପ୍ରସାଦ ।

ଆମ୍ଭ ଭରସା ଅତି ପ୍ରମାଦ ।

ଚକ୍ଷୁବିହୀନ ଭିକ୍ଷୁଜନ ଲୋଡ଼ଇ ଲଭିବାକୁ ସହସ୍ରାକ୍ଷପଦ ହେ ।

ନାଗର ।୧୬।

 

ଯତ୍ନ କଲେ ଦୋଷ ନ ବୋଲାଇ ।

ଲୋକ ଭାଗ୍ୟ ସିନା ଲୋଡ଼ୁଥାଇ ।

 

ବିଧିଅନୁକୂଳ ହେବାରୁ ହୋଇଲା ପକ୍ଷୀ ଚକୋର ଚନ୍ଦ୍ରିକାପୟୀ ହେ ।

ନାଗର ।୧୭।

 

ଧାତାକୃପା ହେବାରୁ ଅମନ୍ଦ ।

ଭୋଗ ନ କଲା କି ମକରନ୍ଦ ।

ତିନ୍ଦୁକ ଇନ୍ଧନଅଙ୍ଗାରଶକଳ କଳା ବିକଟ କୀଟ ମିଳିନ୍ଦ ହେ ।

ନାଗର ।୧୮।

 

ଗୋପୀଜନ ମିତ୍ରସୁତାକୂଳେ ।

ରଖିବାରୁ ବିଶ୍ୱାସ ନିଶ୍ଚଳେ ।

ଶ୍ରୀକୃଷ୍ଣଚନ୍ଦ୍ର ଚରଣସରସିଜସେବାଯୋଗ୍ୟ ନୋହିଲେ କି କାଳେ ହେ ।

ନାଗର ।୧୯।

 

ଅହେତୁକ ସ୍ନେହୀ ପ୍ରଭୁମାନେ ।

ତାରତମ୍ୟ ଥିଲେ ହେଲେ ମନେ ।

ରୁମାଧମଙ୍କୁ ଭୂ –ଜେମାଧବ ପରି ଅନୁକମ୍ପନ୍ତି ସମବିଧାନେ ହେ ।

ନାଗର ।୨୦।

 

ଶ୍ରିତଜନେ ବହିଲେ କରୁଣା ।

ନଦିଶଇ ପ୍ରଭୁପଣ ଊଣା ।

ଶଶ ଶଶଧର ଗର ଗଙ୍ଗାଧର ଯୋଗ ଥିବନି ପୁରାଣେ ଶୁଣା ହେ ।

ନାଗର ।୨୧।

 

ପୂର୍ବେ ମୋତେ ତୁମ୍ଭ କ୍ଷୀରଧାତ୍ରୀ ।

କରିଥିବା ଘେନୀ ଧର୍ମପୁତ୍ରୀ ।

ପୁତ୍ରୀନିର୍ବିଶେଷ କରି ସ୍ନେହେ ପରିପାଳିଥିଲେ ଜନୟିତ୍ରୀ ହେ ।

ନାଗର ।୨୨।

 

କନ୍ୟା ହୋଇଥିଲି ବା ରୋହିଣୀ ।

ମତେ କେଉଁ ଦେବୀ ଏଥି ଆଣି ।

ବାଳା ପ୍ରଣପ୍ରିୟ ସଖୀ କରାଇଲା ବାଲ୍ୟ ସକାଶୁଁ ମୁଁ ନାହିଁ ଜାଣି ହେ ।

ନାଗର ।୨୩।

 

କଳାକରକଳା–ଚନ୍ଦ୍ରକଳା । ୧୫ । ଖଦ୍ୟୋତକୀଟ-ଜଳଜଳିଆପୋକ, ରବିତୂଲେ-ସୂର୍ଯ୍ୟଙ୍କ ସାଙ୍ଗରେ । ୧୬ । ସ୍ଵପ୍ନପ୍ରସାଦ-ସ୍ୱପ୍ନରେ ଦର୍ଶନଲାଭରୁପ ଅନୁଗ୍ରହ, ଚକ୍ଷୁବହୀନ ଭିକ୍ଷୁଜନ-ଅନ୍ଧ ଭିଖାରୀ, ସହସ୍ରାକ୍ଷ-ସହସ୍ର ଚକ୍ଷୁଧାରୀ ଇନ୍ଦ୍ର । ୧୭ । ଚନ୍ଦ୍ରିକାପାୟୀ- ଚନ୍ଦ୍ରକିରଣ ପାନକାରୀ । ୧୮। ଅମନ୍ଦ-ବହୁ, ପ୍ରଚୁର; ମକରନ୍ଦ-ପୃଷ୍ଠମଧୁ, ତିନ୍ଦୁକ-କେନ୍ଦୁକାଠ, ଇନ୍ଧନଜାଳଣୀକାଠ, ଶକଳ– ଖଣ୍ଡ, ପୋଡ଼ା କେନ୍ଦୁକାଠର ଅଙ୍ଗାରଖଣ୍ଡ ପରି କଳା; ବିକୃତକୀଟ-ଅସୁନ୍ଦର ପୋକ, ମିଳିନ୍ଦ-ଭ୍ରମର, ବିଧାତାଙ୍କ କୃପାବଳରେ କେନ୍ଦ୍ରକାଠଅଙ୍ଗାର ପର କଳା ଅସୁନ୍ଦର ଭ୍ରମର ସିନା ମକରନ୍ଦ ପାନ କରେ । ୧୯ । ମିତ୍ରସୂତାକୁଳେ-ଯମୁନାତୀରରେ । ୨୦ । ଅହେତୁକ ସ୍ନେହୀ– କାରଣ ନ ଥାଇ ଯେଉଁମାନେ ସ୍ନେହ କରନ୍ତି । ପ୍ରଭୁମାନେ–ଦେବତାମାନେ, ରୂମାଧବ– ସୁଗ୍ରୀବ, ଭୂ-ଜେମାଧବ-ପୃଥିବୀର କନ୍ୟା ସୀତାଙ୍କ ସ୍ୱାମୀ ରାମଚନ୍ଦ୍ର । ୨୧ । ଶଶ ... ଶଶଧର (ଚନ୍ଦ୍ର) ଶଶ (ଠେକୁଆ)କୁ, ଗଙ୍ଗାଧର (ଶିବ) ଗରକୁ (ବିଷକୁ) ଆଶ୍ରିତଜନଙ୍କଠାରେ କରୁଣା କରି ଧାରଣ କରିଅଛନ୍ତି । ୨୨ । କ୍ଷୀରଧାତ୍ରୀ–ସ୍ତନ୍ୟପାନ କରାଇଥିବା ଧାଈ ମା; ପୁତ୍ରୀନିର୍ବିଶେଷ କରି -ନିଜ କନ୍ୟା ପରି, ଜନୟିତ୍ରୀ-ମା , ଜନନୀ । ୨୩ । କନ୍ୟା– ଦଶବର୍ଷ ବୟସ୍କା ବାଳିକା, ରୋହିଣୀ–ନଅବର୍ଷ ବୟସ୍କା ବାଳିକା (ଅଷ୍ଟବର୍ଷା ଭବେତ୍‌ ଗୌରୀ,

 

ଏଣୁ ଜଣାଣ ଲେଖଇ ରସି ।

କିଛି ନ ଜାଣେ ଅରାଳକେଶୀ ।

ହେଲେ ହେଲେ ଅନୁଚିତ ଅବଧାନୁ ଘେନ କରୁଣାସୁଧା ବରଷି ହେ ।

ନାଗର ।୨୪।

ଜେମା ଲାଜେ ସିନା କହୁ ନାହିଁ ।

ତାର ଶ୍ରୀଅଙ୍ଗବେଦନା ଚାହିଁ ।

ହେଲାନି ପରତେ ମଦନ କରତେ ନିଶ୍ଚେଁ ସରିଯିବ ଚାନ୍ଦମୁହୀଁ ହେ ।

ନାଗର ।୨୫।

ଦୁଃଖେ ଯେବେ ରାମା ଜୀବ ଯିବ ।

ତୁମ୍ଭ ପରା ପ୍ରଭୁ ନିନ୍ଦ୍ୟ ହେବ ।

ଚାତକ କଣ୍ଠ ଶୋଷଣେ ନାଶଗଲେ ଘନ ବିନା କାହାର ଲାଘବ ହେ ।

ନାଗର ।୨୬।

 

ଜୀବ ଯିବା ଚିନ୍ତା ନାହିଁ ତାର ।

ତୁମ୍ଭ ଶ୍ରୀଅଙ୍ଗ ଯେ ସୁକୁମାର ।

ମାର ମାରୁଛି ଯେଉଁ ହୃଦେ ନିରତେ ତହିଁ କାହିଁକି କଲ ଅଗାର ହେ ।

ନାଗର ।୨୭।

 

ଯେଉଁ ଅଙ୍ଗ ମାର୍ଦବ ସୁମରି ।

ବାଳା ଶିରୀଷରୁ ସୁକୁମାରୀ ।

ହେଲେହେଁ ତୁମ୍ଭ ହୃଦକୁ ନ ଛୁଇଁଲା କଦାଚିତ ବାଧିବାକୁ ଡରି ହେ ।

ନାଗର ।୨୮।

 

ଚଣ୍ଡ କୁସୁମ କୋଦଣ୍ଡଧାରୀ ।

ତୁମ୍ଭ ନେତ୍ରାନ୍ତ ନିଦେଶକାରୀ ।

ତୁମ୍ଭକୁ ସିନା ନ ବାଧିବ ତା ରୋଷୁଁ କେହି ବଞ୍ଚିବ ନୃପକୁମାରୀ ହେ ।

ନାଗର ।୨୯।

 

ପ୍ରତିପଦାବିଭାବରୀଧବ ।

ଏବେ ଜେମାଠାରୁ ସ୍ଥୁଳ ହେବ ।

ଡରୁଛୁଁ ଶ୍ୱାସବାସଲୋଭୀ ରୋଲମ୍ବ ପକ୍ଷବାତେ ଅବା ଉଡ଼ିଯିବ ହେ ।

ନାଗର ।୩୦।

 

ପୂର୍ବ ପୁଣ୍ୟପୁଞ୍ଜ ହେଲେ ରୁଣ୍ଡ ।

ତୁମ୍ଭ ଚୁମ୍ବଯୋଗ୍ୟ ଯେଉଁ ଗଣ୍ଡ ।

ତାହାକୁ ଛାର ପାଣ୍ଡୁ ଭାବ ଚୁମ୍ବିଛି ଏଥିଁ ନେତ୍ରକୁ ଯେ ବଡ଼ ଦଣ୍ଡ ହେ

ନାଗର ।୩୧।

 

ବିଷ ହେଲାନି ଦିବ୍ୟ ଅଶନ ।

ବାଜି ତପ୍ତ ନିଃଶ୍ୱାସ ଶ୍ୱସନ ।

ଧରାରେ ଜଡ଼ି ମଉଳିଯିବା ଜବା ପରି ହେଲାନି ଦନ୍ତବସନ ହେ ।

ନାଗର ।୩୨।

 

ନବର୍ଷା ତ ରୋହିଣୀ, ଦଶବର୍ଷା ଭବେତ୍‌ କନ୍ୟା ...) । ବାଲ୍ୟ ସକାଶୁ-ମୁଁ ବାଳିକା ହୋଇଥିବାରୁ । ୨୪ । ଅରାଳକେଶୀ-କୁଟିଳକୁନ୍ତଳା; ଅନୁଚିତ ଅବଧାନ୍ତି–ଉଚିତ ସାବଧାନତା ଅଭାବରୁ । ୨୫ । ମଦନ ବରତେ-କନ୍ଦର୍ପର କରତନାମକ ଶସ୍ତ୍ରଦ୍ଵାରା । ୨୬ । କଣ୍ଠ ଶୋଷଣେ–କଣ୍ଠ ଶୁଖିଯିବାରୁ । ଲାଘବ-ନୀଚତା । ୨୭ । ଅଗାର–ଗୃହ, ବାସ । ତାର ମରିବାରେ ଚିନ୍ତା ନାହିଁ, ମାତ୍ର ତୁମ୍ଭେ ସର୍ବଦା ତା ହୃଦୟରେ ବାସ କରିବାରୁ କାଳେ ତା ଶରୀର ନାଶ ହେଲେ ତା ମଧ୍ୟରେ ରହିଥିବା ତୁମ୍ଭର ସୁକୁମାର ଶରୀର ଆଘାତ ପାଇବ, ଏଥିପାଇ ତାହାର ଭୟ । ୨୮ । ଶିରୀଷ ପୁଷ୍ପପରି କୋମଳାଙ୍ଗୀ ହେଲେହେଁ ତୁମ୍ଭ ଶରୀରର ମାର୍ଦବ (କୋମଳତା) ସ୍ମରଣ କରି କାଳେ ତୁମ୍ଭଙ୍କୁ ବାଧିବ ଏଥିପାଇଁ ତୁମ୍ଭ ହୃଦୟରେ ରହିବାକୁ ସାହସ କରୁ ନାହିଁ; ଅର୍ଥାତ୍ ତୁମ୍ଭ ଚନ୍ଦ୍ରକଳାକୁ ସବୁବେଳେ ମନରେ ସ୍ଥାନ ଦିଅ ବୋଲି କହିବାକୁ ସାହସ କରୁ ନାହିଁ । ୨୯ । ଚଣ୍ଡ କୁସୁମ କୋଦଣ୍ଡଧାରୀ–ପ୍ରଚଣ୍ଡ ଫୁଲଧନୁ ଧାରଣକାରୀ (କନ୍ଦର୍ପ); ତୁମ୍ଭ ନେତ୍ରାନ୍ତ । ନିର୍ଦ୍ଦେଶକାରୀ–( ବୀରତ୍ୱାଦି ବିଷୟରେ) ତୁମ୍ଭଠାରୁ ଉଣା ହେବାରୁ ତୁମ୍ଭ ଚକ୍ଷୁକୋଣର ଆଦେଶ ଅର୍ଥାତ୍ ଇଙ୍ଗିତ ଅନୁସାରେ କାର୍ଯ୍ୟ କରେ । କେହି-କିପରି । ଦୁଷ୍ଟ ମଦନ ତୁମ୍ଭର କିଙ୍କର ଥିବାରୁ ତା ଆଘାତ ତୁମ୍ଭଙ୍କୁ ସିନା ବାଧିବ ନାହିଁ, କିନ୍ତୁ ସେ ଦୁଷ୍ଟର କ୍ରୋଧକୁ ଚନ୍ଦ୍ରକଳା ସମ୍ଭାଳି ନ ପାରି ମରିଯିବ । ୩୦ । ପ୍ରତିପଦାବିଭାବରୀଧବ– ପ୍ରତିପଦ୍ ତିଥିର କ୍ଷୀଣ ଚନ୍ଦ୍ର, ଶ୍ଵାସବାସଲୋଭୀ –( ପଦ୍ମିନୀନାୟିକା ଚନ୍ଦ୍ରକଳାର ନିଃଶ୍ୱାସ ପଦ୍ମଫୁଲ ଗନ୍ଧବିଶିଷ୍ଟ ହୋଇଥିବାରୁ) ତା ନିଃଶ୍ୱାସ ପବନଦ୍ଵାରା ଆକୃଷ୍ଟ ହୋଇ ପାଖରେ ଉଡ଼ୁଥିବା, ରୋଲମ୍ବ ପକ୍ଷବାତେ-ଭ୍ରମରର ଡେଣା ପବନରେ । ୩୧ । ପାଣ୍ଡୁଭାବ-ପାଣ୍ଡୁତା, ରକ୍ତହୀନତା ଯୋଗୁଁ ଶେତା ପଡ଼ିଯିବା । ୩୨ ।

 

କେଳି କୁତକୀ କାମଦୁଘାଟି ।

ମଣେ ପଲ୍ଲବ ଶଯ୍ୟାକୁ ଘାଟୀ ।

ଛାଟିଲୁଁ ଡରରେ ପାଟୀର ପଙ୍କରେ ଦକ୍ଷିଣ ଜଳା କବାଟୀ ହେ ।

ନାଗର ।୩୩।

 

ସହଜେ ତ ମଧ୍ୟ ଅତି କୃଶ ।

ଏଣୁ କଲାନି ଅତି ଅବଶ ।

ଝାଉଁଳି ଯିବା ହେମଲତାଅଙ୍ଗୀକି ମହାଦୁର୍ବହ କୁଚକଳଶ ହେ ।

ନାଗର ।୩୪।

 

ବାଳା ହୋଇଥିବାରୁ ଲୀଳା ତୁଟ ।

ଦିନେ ଦିନେ ହୋଇଛି ପ୍ରକଟ ।

ଅପାଙ୍ଗ ନିଜଙ୍ଗଣେ ଭ୍ରମି ହେଲାନି ଖଞ୍ଜ ତାହା ନେତ୍ରଖଞ୍ଜରୀଟ ହେ ।

ନାଗର ।୩୫।

 

ତୁମ୍ଭେ ଚମତ୍କାର ଚନ୍ଦ୍ରବତ ।

ବାଳାଚିତ୍ର-ଚିତ୍ର-ଚନ୍ଦ୍ରକାନ୍ତ ।

କର ସ୍ପରଶ ବିନା ସିନା ଏ ଘେନି ହୋଇଗଲା ଲତେ ଦ୍ରବୀଭୂତ ହେ ।

ନାଗର ।୩୬।

 

ଏଣୁ ମଣେଁ ହେ ସୁନ୍ଦରବର ।

କର ସମ୍ପର୍କ ହେଲେ ତୁମ୍ଭର ।

ଦ୍ରବରୁ ଯେବେ ଦ୍ରବ ଜାତ ହୋଇବ ହୃଦ କି ହୋଇବଟି ଜେମାର ହେ ।

ନାଗର ।୩୭।

 

ଦିନେ ଦିନେ ଉନମାଦବଶେ ।

ଘେନି ତୁମ୍ଭେ ଥିଲା ପରି ପାଶେ ।

ରୁଷି ବସି ପୁଣି ତୁମ୍ଭ ଚାଟୁବାଣୀ ଶୁଣି ବୋଧହେଲା ପରି ଦିଶେ ହେ ।

ନାଗର ।୩୮।

 

ଏକୁଁ ଆରକେ ହୋଇ ନିପୁଣ ।

କେତେ ନ ଥିଲେ ନରେଶରଣ ।

 

ବୀରସେନରାଜସୁତରେ ଭୀମଜା ମଜ୍ଜା ମଜ୍ଜାଇବାର ତ ଜାଣ ହେ ।

ନାଗର ।୩୯।

 

ଆପେ ହରି ପେଷିଥିଲେ ଦୂତ ।

କେତେ ବୋଧିଲେ ଗିରି ସାମନ୍ତ ।

ଚନ୍ଦ୍ରଶକଳମଉଳି ବିନା ନିକି ଆନେ ରସିଲା ଗଉରୀଚିତ୍ତ ହେ ।

ନାଗର ।୪୦।

 

ମତ୍ତ ବିଧିନିଶ୍ଚିତ ମନକୁ ।

ନତସ୍ଥଳାଭିମୁଖ ବନକୁ ।

ଫେରାଇ ହୁଅଇ ନି କି ବୁଦ୍ଧିବଳେ କଲେ ହେଲେ ନାନା ଯବନକୁ ହେ ।

ନାଗର ।୪୧।

 

ଅଶନ-ଖାଦ୍ୟ, ଜବା– ମନ୍ଦାରଫୁଲ, ଦନ୍ତବସନ-ଅଧର, ଓଷ୍ଠ । ୩୩ । କାମଦୁଘା-କାମଧେନୁ ପରି ଅଭୀଷ୍ଟଦାୟନୀ, ପଲ୍ଲବଶଯ୍ୟା-କୋମଳ ନୂଆପତ୍ର ବିଛଣା, ଘାଟୀ – ଉଚ୍ଚ ସ୍ଥାନ, ପାଟୀର ପଙ୍କରେ– ଚନ୍ଦନରୁପ ପଙ୍କରେ, ଦକ୍ଷିଣର ମଳୟ ବିରହିଣୀଙ୍କ ପକ୍ଷରେ ଯନ୍ତ୍ରଣାପ୍ରଦ ହୁଏ, ଏଥିପାଇଁ ତା ଦେହରେ ଦକ୍ଷିଣା ପବନ ନ ଲାଗିବ ବୋଲି ବଟାଚନ୍ଦନ ଛାଟି ବାୟୁନିର୍ଗମ ମାର୍ଗ ଆମେ ବନ୍ଦ କରୁଛି । ୩୪ । ମଧ୍ୟ-କଟିଦେଶ, ଅତିକୃଶ-ଅତିକ୍ଷୀଣ । ୩୫ । ଲୀଳାତୁଟ– ସୌନ୍ଦର୍ଯ୍ୟହୀନ, ଦିନେ ଦିନେ ... ଚନ୍ଦ୍ରକଳାର ଆଖି ଖଞ୍ଜରୀଟ ବା ଖଞ୍ଜନ ପକ୍ଷୀପରି ତାହା ଅପାଙ୍ଗ (ନେତ୍ରପ୍ରାନ୍ତ) ରୂପ ନିଜ ଅଗଣାରେ ଭ୍ରମଣ କରୁଥିଲା ଏବେ ସେ ସେଠାରେ ବୁଲିବାକୁ ସ୍ଥାନ ନ ପାଇ ଖଞ୍ଜ (ଛୋଟା) ହୋଇ ଗଲାଣି, ଅର୍ଥାତ୍ ଏବେ ଚନ୍ଦ୍ରକଳାର ନେତ୍ରବିଳାସ ଲୋପ ହେଲାଣି । ୩୬ । ତୁମେ ବିଚିତ୍ର ଚନ୍ଦ୍ରପରି, ଚନ୍ଦ୍ରକଳାର ଚିତ୍ର । ପଥ ବିଚିତ୍ର ଚନ୍ଦ୍ରକାନ୍ତମଣ ପରି; କର-କିରଣ, ହାତ; ସାଧାରଣତଃ ଚନ୍ଦ୍ରର କିରଣରେ ଚନ୍ଦ୍ରକାନ୍ତମଣି ତରଳିଯାଏ, ମାତ୍ର ତୁମ୍ଭର କରସ୍ପର୍ଶ ବିନା ତାହାର ଚିତ୍ତ ଦ୍ରବି ଯାଇଅଛି, ତେଣୁ ଦୁହେଁ ବିଚିତ୍ର । ୩୭ । ଯେତେବେଳେ ପ୍ରକୃତରେ ଚନ୍ଦ୍ରକାନ୍ତମଣି ରୂପ ତା ଦେହରେ ତୁମ୍ଭ କର ( ହାତ) ବାଜିବ, ସେତେବେଳେ ସେହି ତରଳ ବସ୍ତୁରୁ ପୁଣି ଯେବେ ତରଳ ବସ୍ତୁ ବାହାରିବ, ତେବେ ବାଳାର ହଦୟ କଅଣ ହେବଟି ? । ୩୯ । ବୀରସେନ-ରାଜସୁତ-ନଳ, ଭୀମଜା-ଦମୟନ୍ତୀ, ମଜା–ଅନ୍ତଃକରଣ, ମନ । ୪୦ । ବୋଧିଲେ– ବୁଝାଇଲେ, ଗିରିସାମନ୍ତ-ହିମାଳୟ,

 

ପ୍ରତିବନ୍ଧକ ଏଥି ଯେ ହେବ ।

ତାକୁ ଏ ମହୀ କେହି ସହିବ ।

ଚପଳା ଘନକୁ ମଣି କୁନ୍ଦନକୁ ଯୋଗେ ଘଟାଇଅଛି ଦଇବ ହେ ।

ନାଗର ।୪୨।

 

ନିଶ୍ଚେଁ କଲା ବିଧାତା ଆଗ୍ରହ ।

ପୁଣି ତୁମ୍ଭେ ମଧୁର ବିଗ୍ରହ  

ଜେମାଭୁବନଭୂଷଣସରୋଜିନୀ ଆଉ ଏ ବିଧିରେ କି ସନ୍ଦେହ ହେ ।

ନାଗର ।୪୩।

 

ଦୂରେ ଥାଉ ଆନ ଭାଗ୍ୟମାନ ।

କ୍ରମେ ହୁଏ ସିନା ଏ ବିଧାନ ।

କିରୂପେ ହେଲେ ମୋ ସଖୀ ପ୍ରାଣ ରଖି ଦେଇ ଦରଶନରସାୟନ ହେ ।

ନାଗର ।୪୪।

 

ଆଗେ ଆସୁଛି ମାସ ମାଧବ ।

ତହିଁ ବଳକ୍ଷ ପକ୍ଷରେ ହେବ ।

ବସନ୍ତ ମାଧବରୂପୀ ରମାଧବ ଦେବଙ୍କର ଯାତ୍ରା ମହୋତ୍ସବ ହେ ।

ନାଗର ।୪୫।

 

ବହୁ ନୃପେ ନଥିବେ ସାଥିରେ ।

ନେତ୍ରରଞ୍ଜନପୁରୀ ପଥରେ ।

ନୃପାତ୍ମଜାରେ କୃପାରେ ବିଜେ ହେବେ କାମକଳାନଗରୀକି ଥରେ ହେ ।

ନାଗର ।୪୬।

 

ମନସିଜ ମୃଗୟୁ ପୁଙ୍ଗବ ।

ପ୍ରକାଶିବ ତା ବିଦ୍ୟାପ୍ରଭାବ ।

କନକମଞ୍ଜରୀ ଖେଳଖଞ୍ଜରୀଟ ପଞ୍ଜରୀରେ ସେଠାରେ ପଡ଼ିବ ହେ ।

ନାଗର ।୪୭।

 

ଚିତ୍ତ ନୋହିଲେ ଏଥକୁ ରାଜି ।

ଏଡ଼େ ଯଶଶୋଭା ଯିବ ଭାଜି ।

ରାଜୀବନେତ୍ରନାଶକ ବୋଲି ଲୋକେ ନିଶ୍ଚେଁ ଗଲାଟି ଡିଣ୍ଡିମ ବାଜି ହେ ।

ନାଗର ।୪୮।

 

ତୁମ୍ଭ ପଣ୍ଡିତପଣ ଅଗାଧ ।

ତହିଁ ବିସ୍ତର ଲେଖା ନିଷେଧ ।

ବ୍ୟାସଙ୍କୁ ବର୍ଣ୍ଣ ବିନ୍ୟାସ ପଚାରିବା ପରି ହେବ ସିନା ଅପରାଧ ହେ ।

ନାଗର ।୪୯।

 

ପଲ୍ଲବାଏ ଏ ଶିଶିରେ ବନ  

ବୃଦ୍ଧ ଦେହେ ରଖେ ଯଉବନ ।

ଯୁବସନ୍ଦେଶାମୃତ ନାମ ଏ ଛାନ୍ଦ କବିଦୋଷକୁ ନ ଘେନି ଘେନ ହେ ।

ନାଗର ।୫୦।

 

ରାମକୃଷ୍ଣ ଚନ୍ଦ୍ରକାନ୍ତମୟ ।

ଯେଟି ସିରେଶାଧିକ ପ୍ରଣୟ ।

ତାହାଙ୍କ ଚରଣସରୋଜ ଶରଣ ନୃପ ରାମଚନ୍ଦ୍ର ଛୋଟରାୟ ହେ ।

ନାଗର ।୫୧।

 

ଚନ୍ଦ୍ରଶକଳମଉଳି-ଚନ୍ଦ୍ରଖଣ୍ଡଧାରୀଶିବ । ୪୧ । ମତ୍ତ-ଭାବରେ ଉନ୍ମତ୍ତ, ବିଧିନିଶ୍ଚିତ-ନିୟମାନୁସାରେ ସ୍ଥିରସଂକଳ୍ପ, ନତସ୍ଥଳାଭିମୁଖ– ନିମ୍ବଦେଶଗାମୀ, ବନ-ଜଳ (ତୁଳନା କର : କୁମାର ସମ୍ଭବ-କଈପ୍‌ସିତାର୍ଥସ୍ଥିରନିଶ୍ଚୟଂ ମନଃ ପୟଶ୍ଚନିମ୍ନାଭିମୁଖଂ ପ୍ରତୀପୟେତ୍‌)। ୪୨ । ଚପଳା-ବିଜୁଳି; ମଣି-ରତ୍ନ; କୁନ୍ଦନ-ସୁନା । ୪୩ । ମଧୁର ବିଗ୍ରହ–ସୁନ୍ଦର ଶରୀରଧାରୀ ଓ ମଧୁକାଳୀନ ବା ବସନ୍ତକାଳୀନ ସୂର୍ଯ୍ୟ, ସରୋଜିନୀ-ପଦ୍ୱିନୀ । ୪୪ । ଦରଶନରସାୟନ–ଦର୍ଶନଦାନରୂପ ଜୀବନରକ୍ଷକ ରସୌଷଧ । ୪୫ । ମାଧବ ମାସ–ବୈଶାଖମାସ, ବଳକ୍ଷପକ୍ଷ-ଶୁକ୍ଳପକ୍ଷ, ବସନ୍ତମାଧବରୂପୀ-ବସନ୍ତଲକ୍ଷ୍ମୀଙ୍କର ସ୍ୱାମୀରୂପୀ, ରମାଧବ-ବିଷ୍ଣୁ । ୪୬ । ନେତ୍ରରଞ୍ଜନପୁରୀ-ପଥରେ-ଚକ୍ଷୁର ଆନନ୍ଦପ୍ରଦ ଏ ନଗରୀର ପଥରେ । ୪୭ । ମନମିଜ ମୃଗୟୁ ପୁଙ୍ଗବ-କନ୍ଦର୍ପରୂପ ଶ୍ରେଷ୍ଠ ଶିକାରୀ । କନକ ... ଚନ୍ଦ୍ରକଳାର ସୁବର୍ଣମଞ୍ଜରୀରୂପ ନେତ୍ରପ୍ରାନ୍ତରେ ଖେଳୁଥିବା ଖଞ୍ଜରୀଟ ପକ୍ଷୀ ସେହିଠାରେ ପଞ୍ଜୁରୀରେ ପଡ଼ିବ ଅର୍ଥାତ୍ ଚନ୍ଦ୍ରକଳା ସେହିଠାରେ ତୁମ୍ଭଙ୍କୁ ଦେଖିବ । ୪୯ ବର୍ଣ୍ଣବିନ୍ୟାସ––ଅକ୍ଷରସ୍ଥାପନ ରୀତି । ୫୦ । ଏ ଛାନ୍ଦ ଶୀତକାଳରେ ମଧ୍ୟ ବନକୁ ନବପଲ୍ଲବୟ କରାଏ ।

 

ଷୋଡ଼ଶ ଛାନ୍ଦ

ରାଗ – କାମୋଦୀ

ମହିଳାସ୍ତବରାଜ

 

ନୃପତନୟ ନୟ ନୟନ ସବିନୟ ପ୍ରିୟ ବୟସ୍ୟ ସଙ୍ଗେ ରସି ।

ଏକାନ୍ତେ ବସି ବଶିମନୋରଞ୍ଜନା ବଶୀକରଣ ଗୁଣ କହେ ହସି ହେ ।

ପ୍ରାଣପ୍ରିୟ ।

ବାରିଜସମ୍ଭବ ସେ ଭଲା ।

ନାରୀ ଜଗତେ ଯେ ରହିଲା ।

ତରୁଣେକ୍ଷଣେ କ୍ଷଣ ଦେବାରେ ବିଚକ୍ଷଣ ଶୁଭଲକ୍ଷଣ ପୂର୍ଣ୍ଣ କଲା ସେ ।୧।

 

ଏକାକୀ ନୟନର ନରମ ସ୍ଥଳୀ ନ ରକଇ କି ସମ୍ପତ୍ତି ସୁଖର ।

ମେରୁଶିଖର ଖର ତଟିନୀ ଜଳେ ଖରଚଇ ଯେ ଶରୀର ଆଖର ହେ ।

ପ୍ରାଣପ୍ରିୟ ।

ଅନେକ ଜବାଳୀ କାଶୀରେ ।

ଚଢ଼ାଇ ଯେ କାଳିକା ଶିରେ ।

ଚମ୍ପା ତାହାଙ୍କ ବର ବରାଙ୍ଗେ ଦେଲେ ବର ବୋଲାଏ ରସିକରାଶିରେ ହେ ।୨।

 

ଯେ ତପର୍ତ୍ତୁରେ ତପ ଚରି ପଞ୍ଚାଗ୍ନି ତପତିରେ ବା ହୋଇଥାଏ ଭାଜି ।

ସେ ସିନା ତଳ୍ପେ ରାଜି ରାଜିବାକ୍ଷୀକି ରାଜି କାରଇ କରେ ମଦନାଜି ହେ ।

ପ୍ରାଣପ୍ରିୟ ।

ଆଜୀବ ଯାର ଚନ୍ଦ୍ରମୁଖୀ ।

ତା ଜୀବ ସିନା ଜୀବେ ଲେଖି ।

ପାଜି ବେଭାର ତାର ଆଜୀବେଶ୍ୱରି ଗିର ଯା ଜିଭେ ନାହିଁ ଧାତା ରେଖି ହେ ।୩।

 

ଷୋଡ଼ଶ ଛାନ୍ଦ

 

୧। ନୟନୟନ–ଶାସ୍ତ୍ରଚକ୍ଷୁ, ନୀତିନିପୁଣ; ପ୍ରିୟବୟସ୍ୟ-ପ୍ରିୟସଖା, ବଶିମନୋରଞ୍ଜନା-ମୁନିମନୋହିନୀ, ବାରିଜସମ୍ଭବ –ବ୍ରହ୍ମା, ତରୁଣେକ୍ଷଣେକ୍ଷଣ ... ଯୁବକମାନଙ୍କ ଚକ୍ଷୁରେ କ୍ଷଣ ଆନନ୍ଦଦେବାରେ ନିପୁଣ ଶୁଭଲକ୍ଷଣଦ୍ୱାରା ପୂର୍ଣ୍ଣ କଲା । ୨ । ଏକାକୀ ନୟନର ନରମସ୍ଥଳୀ– (ସ୍ତ୍ରୀ) ଚକ୍ଷୁର ଏକମାତ୍ର ନର୍ମ (କ୍ରୀଡ଼ା) ସ୍ଥାନ, ମେରୁଶିଖର-ମେରୁପର୍ବତର ଶୃଙ୍ଗ; ଖରତଟିନୀ- ପ୍ରବଳ ସୋତସ୍ଵତୀ (ଏଠାରେ ସ୍ଵର୍ଗଗଙ୍ଗା); ଖରଚେ–ବ୍ୟୟ କରେ, ଆଖର-ଶେଷରେ, ଆଖର-ଶେଷରେ, ଜବାଳି- ଜବା ମନ୍ଦାର ଫୁଲସବୁ, ତାହାଙ୍କ ବର-କାଳିକାଙ୍କ ସ୍ଵାମୀ ବିଶ୍ୱେଶ୍ଵର ଶିବ; ବରାଙ୍ଗେ-ସୁନ୍ଦର ଶରୀରରେ, ବର-ଶ୍ରେଷ୍ଠ । ୩ । ତପର୍ତ୍ତୁ-ଗ୍ରୀଷ୍ମଋତୁ, ଚରି-ଆଚରଣ କରି ପଞ୍ଚାଗ୍ନି ତପତିରେ-ଚାରିପାଖର ଚାରିଅଗ୍ନି ଓ ମୁଣ୍ଡ ଉପରେ ସୂର୍ଯ୍ୟ, ଏହି ପଞ୍ଚାଗ୍ନି

 

ସମଧୁ ମଧୁରସା ରସାଳରସମିଶା ସରଶାକର ରସାକର ।

ଧରେନ୍ଦ୍ରଜା ଅଧରେ ଧରେ ଅନୁରେଧରେ ଧୀରେ ଯେ ନିବେଦିତ କରେ ହେ ।

ପ୍ରାଣପ୍ରିୟ ।

ମଧୁଲୀ ମଧୁଲିଟ ପରି ।

ବଧୂ ଅଧରୁ ମଧୁଝରୀ ।

ପିଏ ସେହି ତରୁଣ ରଣରଣକ ରଣ ରସଲହରୀ ପହଁରି ହେ ।୪।

 

ଯେ ପୁରୁବରେ ବରେ ଲଭି ଥାଇ ଶ୍ରୀବରେ ଚଢ଼ାଇ ତୁଳସୀମଞ୍ଜରୀ ।

ସେ ସିନା ସୁନାଗରୀ ତପତ ସୁନାଗୋରୀ ନୟନ ଖଞ୍ଜନପଞ୍ଜରୀ ହେ ।

ପ୍ରାଣପ୍ରିୟା ।

ତରୁଣୀ ଚିତ୍ତର ଭିତର ।

ତରକି ନ ପାରେ ଇତର

ତାରତରଳତର ତରଙ୍ଗ ନେତ୍ରାନ୍ତର ଇତରେ ନୁହଇ ଖାତର ହେ ।୫।

 

ପରାନନ୍ଦ କଦଳୀ ଦଳି ମାନସସ୍ଥଳୀ ମହୀକି ହେବାକୁ ବାହାର ।

ଅବଳାବଳା ବଳାହକନିନଦୁଁ ବଳାତିଶୟ ନ ଲଭେ ଯାହାର ହେ ।

ପ୍ରାଣପ୍ରିୟା ।

ସେ ନିକି ଜମା ପୁରୁଷରେ ।

ସରେ ସେ ପୂର୍ବ କଳୁଷରେ ।

ସରେ ଯେ ବିଶେଷରେ ମଧୁମାସ ଶେଷରେ ନ ଖେଳେ ବିବାସ ବେଶରେ ହେ ।୬।

 

ବରାରୋହରେ ହାରଲତା କରି ବାହାର ବାହାରେ ଯେ ଭିଡ଼େ ନିବିଡ଼େ ।

ବରତଳୁ ଲକୁଚବରତୁଳତା କୁଚଯୁଗ ସନ୍ଧିରେ ଧୀରେ ଜଡ଼େ ହେ ।

ପ୍ରାଣପ୍ରିୟ ।

କି ଭାଗ୍ୟ ସତେ ସେ ଯୁବାର ।

ବାରଦ୍ୱିଲୋକେ ତା ସେବାରେ ।

ବାରତା ବହିବାରେ ନ ଥିବ କେହି ବାରେ କେ ହେବ ତାହା ପରିବାର ହେ ।୭।

 

ଉତ୍ତାପରେ; ତଳ୍ପେ-ବିଛଣାରେ, ଶଯ୍ୟାରେ; ରାଜି-ଶୋଭା ପାଇ, ରାଜୀବାକ୍ଷୀ-ପଦ୍ମନେତ୍ରା, ରାଜି କରାଇ-ସମ୍ମତା କରାଇ, ମଦନାଜି-କାମଯୁଦ୍ଧ, ଆଜୀବ-ଜୀବିକା ବା ଆଶ୍ରୟ, ପାଜିବେଭାର-ଦୁଷ୍ଟ ବ୍ୟବହାର, ଆଜୀବେଶ୍ଵରି ! ହେ ପ୍ରାଣପ୍ରିୟେ ! ଆସ, ରେଖି-ଲେଖି । ୪ । ସମଧୁ-ମହୁ ସହିତ, ମଧୁରସା-ଦ୍ରାକ୍ଷା, ରସାଳରସ–ଆମ୍ବରସ, ସର-ଦୁଧସର, ଶାକର-ନବାତ, ରସାକର-ନାନା ରସପୂର୍ଣ୍ଣ ଅମୃତକୁଣ୍ଡ, ଧରେନ୍ଦ୍ରଜା-ପାର୍ବତୀ, ବଧୂଲୀ ... ବଧୂଲି ଫଳକୁ ମଧୁଲିଟ (ଭ୍ରମର) ପରି, ମଧୁଝରୀ-ମଧୁପୂର୍ଣ୍ଣ । ପାତ୍ର, ରଣରଣକରଣ– କାମଯୁଦ୍ଧ, କାମକ୍ରୀଡ଼ା । ୫ । ବରେ-ବରକୁ, ଶ୍ରୀବରେ-ବିଷ୍ଣୁଙ୍କଠାରେ, ସେ ସିନା ... ସେ ସିନା ଆଉଟା ସୁନାପରି କାନ୍ତିବିଶିଷ୍ଟା ସୁନ୍ଦରୀ ସ୍ତ୍ରୀର ଚକ୍ଷୁ ରୂପ ଖଞ୍ଜନ ପକ୍ଷୀର ପଞ୍ଜରୀସ୍ଵରୂପ ହୁଏ, ଅର୍ଥାତ୍ ସୁନାଗରୀର ଦୃଷ୍ଟି ସେ ବ୍ୟକ୍ତିଠାରେ ଆବଦ୍ଧ ରହେ, ଇତରଦୁର୍ଗା ଓ ଶ୍ରୀକୃଷ୍ଣଙ୍କ ଭକ୍ତ ଭିନ୍ନ ଅନ୍ୟ ବ୍ୟକ୍ତି, ତାରତରଳତର-ଚଞ୍ଚଳ ନେତ୍ରର ତାରକାଯୁକ୍ତ, ତରଙ୍ଗ ନେତ୍ରାନ୍ତର-ଢଳଢଳ ନୟନଭଙ୍ଗୀ । ୬ । ପରାନନ୍ଦକନ୍ଦଳୀ-ପରମାନନ୍ଦର ଅଙ୍କୁର, ଅବଳାବଳାବଳାହକନିନଦୁଁ- ସ୍ତ୍ରୀର ବଳା (ବଳୟ) ରୂପ ବଳାହକ (ମେଘ) ନିନଦୁଁ (ଧ୍ୱନିରୁ), ବଳାତିଶୟ-ଅତ୍ୟନ୍ତ ସାମର୍ଥ୍ୟ, କଳୁଷ-ପାପ, ସରେ ଯେ ବିଶେଷରେ ... ପୋଖରୀରେ ବସନ୍ତକାଳ ଶେଷରେ ଯେ ବିବାସ ବେଶରେ (ବସ୍ତହୀନ ବା ନଗ୍ନ ହୋଇ ନ ଖେଳେ, ସେ କି ପୁରୁଷରେ ଜମା (ଗଣା) । ୭ । ବରାରୋହା (ବର-ବଡ଼, ଆରୋହ-ନିତମ୍ବ ଯାହାର) ସୁନ୍ଦରୀ, ନିତମ୍ବବତୀ ସ୍ତ୍ରୀ; ବରତୁଳ–ଗୋଲ, ଲକୁଚବରତୁଳ–ସୁନ୍ଦର ଜେଉଟଫଳ ପରି, ବାରଦ୍ୱିଲୋକ-ଚଉଦ ଭୁବନ, ସେବାରବାର୍ତ୍ତା ବହିବାରେ-ଆରାଧନାର ସମ୍ବାଦ ବହନ

 

ଧନଦାନୁଜ ଛଳି ମୋଡ଼ି ମୁଣ୍ଡ ମଣ୍ଡଳୀ କୁଣ୍ଡପିଚିଣ୍ଡେ ପକାଇଲା ।

ଜିଣି ଜଗତୀ ଗତି କରି ନାରୀ ସନ୍ତତି ସୁଖେ ସମୟ ବଞ୍ଚାଇଲା ହେ ।

ପ୍ରାଣପ୍ରିୟ ।

ଜଗଜ୍ଜନନୀଙ୍କି ନିରୋଧି ।

ହୋଇଲା ସିନା ଅପରାଧି ।

ହେଲେ ରସଲମ୍ପଟପଟଳୀ ଶିରଃପଟ ପରିତ ରଖିଗଲା ସିଦ୍ଧି ହେ ।୮।

 

ତରୁନିଚୟ ବନେ ତରୁଣୀ ଲୟ ମନେ ଧରୁଁ ନିରତେ ତା ନ ସହି ।

ତାଙ୍କ ସଙ୍ଗକୁ ବିହି ବିହିଲା କୃପା ବହି ପହିଲୁ ସୁନାରୀକି ତହିଁ ହେ  

ପ୍ରାଣପ୍ରିୟ ।

ତେଡ଼େ ବିବେକୀ ପୁରୁହୂତ ।

ମୁନିଦାରକେ ଦେଲେ ଚିତ୍ତ ।

ସଂଯମୀ ସମୂହର ମୁକୁଟହୀର ହର ଅର୍ଦ୍ଧ ଦେହରେ ଶୋଭା ଚିନ୍ତ ହେ ।୯।

 

ଜଡ଼କୁ ଜଡ଼ୀ ଜଡ଼ି ଗଡ଼କୁ ସିନା ଗଡ଼ୀ ଜଟାକୁ ଜଟୀ ଅଛି ଜଟି ।

ଲଟା ମଧ୍ୟରେ ଲଟୀ ହୋଇଛି ଜଟା ଜଟି ଏହା ନ ମଣ ବଟାବଟି ହେ ।

ପ୍ରାଣପ୍ରିୟ ।

ଦ୍ରୁମରେ ବୋଲାଏ ଯେ ମୁନି ।

ତା ଅଙ୍ଗେ ତାମ୍ବୁଳୀ କାମିନୀ ।

ଗତି ବାରିବାହକୁ ଚପଳା ଭୂରୁହକୁ ବଲ୍ଲରୀ ସିନ୍ଧୁକୁ ତଟିନୀ ହେ ।୧୦।

 

ଘରକୁ ଘଟୀ ପଟୀ ପଟକୁ ତଥା ନଦୀ ତଟକୁ ତଟୀ ଘଟିଅଛି ।

ଶକଟକୁ ଶକଟୀ ଯୁବାକୁ କୃଶକଟୀ ବାହାରେ ସାହା ନାହିଁ କିଛି ହେ ! ପ୍ରାଣପ୍ରିୟ ।

ପୁରୁଷ ପ୍ରକୃତିର କୃତି ।

ଏରୂପେ ଏ ବିଶ୍ୱ ପ୍ରକୃତି ।

ସୁକୃତିଜନ ବିନା ଆନ ଜନ ନବୀନା ନ ଥାଇ ଲଭିଥାଏ ସ୍ଥିତି ହେ ।୧୧।

 

ନାଗର ଯଉବନ ବନସ୍ଥଳୀମଣ୍ଡନ ମଧୁ ଶ୍ରୀବନଜାନୟନା ।

ପୁରୁଷ ଜନ୍ମ ଲୋହା ଶିରୀଷ ସରି ଦେହା ପରଶୁ ମଣି ପରି ସିନା ହେ ।

ପ୍ରାଣପ୍ରିୟ ।

ସ୍ପରଶ ହେବା କ୍ଷଣେ ତାର ।

ସୁବର୍ଣ୍ଣ ବଳି ଦିଶେ ତାର ।

ସଂଗତି ଅବଶେଷେ ପ୍ରସରଇ ବିଶେଷେ ସୁବର୍ଣ୍ଣ ପାଟଳୀ ପ୍ରଚାର ହେ ।୧୨।

 

କାର୍ଯ୍ୟରେ, ପରବାର-ପରିଜନ, ଆତ୍ମୀୟ । ୮ । ଧନଦାନୁଜ-କୁବେରଙ୍କ ସାନଭାଇ, ରାବଣ; ଛଳି-ଅଭିସନ୍ଧି ପୂର୍ବକ, କୁଣ୍ଡପିଚିଣ୍ଡେ-ହୋମ କୁଣ୍ଡର ଗର୍ଭମଧ୍ୟରେ, ଜଗତୀ-ପୃଥିବୀକୁ, ଗତିକରିନାରୀସନ୍ତତି– ସ୍ତ୍ରୀମାନଙ୍କୁ ଜଗତଜୀବନ ମନେକରି, ଜଗତଜନନୀ-ଜଗତୀର ମାତୃସ୍ଥାନୀୟା, ସୀତାଦେବୀ; ନିରୋଧି- ବନ୍ଦକରି.....ହେଲେ...ଏପରି କଲେ ସୁଦ୍ଧା ରସିକସମୂହର ଶିରୋଭୂଷଣ ବସ୍ତ୍ରର ସିଦ୍ଧି ରଖିଥିଲା ଅର୍ଥାତ୍‌ ରସିକଶ୍ରେଷ୍ଠବୋଲି ଶାଢ଼ୀ ବାନ୍ଧିଗଲା । ତରୁନିଚୟ ... ବୃକ୍ଷମାନେ ଅରଣ୍ୟମଧ୍ୟରେ ସର୍ବଦା ଯୁବତୀ ଭୟ (ପ୍ରଣୟ) ହୃଦୟରେ ଧାରଣ କରିବାରୁ, ସୁନାରୀ -ଏକପ୍ରକାର ବୃକ୍ଷ ଓ ସୁନ୍ଦରୀ ନାରୀ ପୁରୁହୂତ-ଇନ୍ଦ୍ର;। ମୁନିଦାରକେ- ମୁନିଦାରା ଅହଲ୍ୟାଙ୍କଠାରେ, ଅର୍ଦ୍ଧଦେହରେ–ଅର୍ଦ୍ଧନାରୀଶ୍ୱର ରୂପରେ । ୧୦ । ଜଡ଼, ଜଡ଼ୀ, ଗଡ଼, ଗଡ଼ୀ, ଜଟ, ଜଟୀ ପ୍ରଭୃତି ପୁରୁଷ ଓ ସ୍ତ୍ରୀବାଚକ ଶବ୍ଦ ଏକତ୍ର ବ୍ୟବହୃତ ହୁଏ । ଜଟାକଟି-ପରସ୍ପର ସଂଶ୍ଲିଷ୍ଟ, ବଟାବଟି-ମିଥ୍ୟା, ଠକାଠକି; ଦ୍ରୁମରେ ... ଅଗସ୍ତି ଦ୍ରୁମ ତାମ୍ୱୁଳୀ-ପାନଲତା; ବାରିବାହ-ମେଘ, ଚପଳା–ବିଜୁଳି, ଭୂରୁହ ବୃକ୍ଷ, ବଲ୍ଲରୀ କତା । ୧୧ । ଘଟ-ମାଠିଆ, ଘଟୀ–କ୍ଷୁଦ୍ରଘଟ, ଘଡ଼ି; ପଟୀ-ଶାଢ଼ୀ, ପଟ-ବସ୍ତ୍ର, ତଟ-କୂଳ, ତୀର; ତଟୀ-ତୀରଭୂମି, ଶକଟ-ଶଗଡ଼, ଶକଟୀ-କ୍ଷୁଦ୍ର ଗାଡ଼ି, କୃଶକଟୀ-କ୍ଷୀଣମଧ୍ୟା ଯୁବତୀ, ପୁରୁଷ ... ଏ ବିଶ୍ଵପ୍ରକୃତି- ପ୍ରକୃତିପୁରୁଷଙ୍କ ସଂଯୋଗରୁ ଉତ୍ପନ୍ନ, । ‘କୃତି-କାର୍ଯ୍ୟ, ସୁକୃତିଜନ ... ପୁଣ୍ୟାତ୍ମାଲୋକ ଭିନ୍ନ ଅନ୍ୟ କେହି ସ୍ତ୍ରୀ ସହିତ ସୁଖଭୋଗ କରେ ନାହିଁ । ୧୨ । ରସିକଲୋକର ଯୌବନ ବନସ୍ଥଳୀ ସ୍ଵରୂପ, ବନସ୍ଥଳୀ ଯେପରି ମଧୁଶ୍ରୀ (ବସନ୍ତଲକ୍ଷ୍ମୀ)

 

ଆକାରବନ୍ତ ପଣେ ରମାଙ୍କୁ ଏହି ଗୁଣେ ଅଧିକା ବୋଲି ହେଲା ରାମା ।

ପୂର୍ବେ ଦୀର୍ଘ ଯତ୍ନରେ ଦ୍ୱିତୀୟା ମିଳେ ଗିରେ କହିଲେ ମିଳନ୍ତି ପ୍ରଥମା ହେ ।

ପ୍ରାଣପ୍ରିୟ ।

ଅଜନମୋହିନୀ କମଳା

ଜନମୋହିନୀ ପ୍ରେମଶୀଳା ।

ଶିଳାଲିଖିତାକ୍ଷର ମଧ୍ୟେ କର ବକ୍ଷର ସଂସାରସାରଶିରୀବାଳା ହେ ।୧୩।

 

ଅଙ୍କେ ଶଙ୍କରଙ୍କର ଧୃତିଦଳନାବର ପଙ୍କେରୁହାକ୍ଷୀ ଥିଲେ ଜମି ।

ସ୍ୱର୍ଗେ ବିହରି ହରିହୟପଦବୀ ହରି ହରିଚନ୍ଦନ ବନେ ଭ୍ରମି ହେ ।

ପ୍ରାଣପ୍ରିୟ ।

କି ଭାଗ୍ୟ ଭୁଞ୍ଜିବ ମାନବ ।

ନବବୟସୀ ସେ ତ୍ରିଦିବ ।

ଦିବସବିବସନ ସୁଷମା ଶିବସନମତି ନ ଥିଲେ କେ ଦେଖିବ ହେ ।୧୪।

 

ରତିପତିର ତୀର ତିରସ୍କାରଭୀତିର ନିବାରଣ ବାରଣଗତି ।

ଯା ହୃଦୟେ ଭରମ ରମଣୀୟ ବରମ ପରି ହୋଇବପ୍ରତି ରାତି ହେ ।

 

ପ୍ରାଣପ୍ରିୟ ।

ବିନା ନବୀନା ଅବଲୋକ ।

ସେ ଲୋକ ବସି ବ୍ରହ୍ମଲୋକ ।

ଲୋକେଶପଦ ପାଦନତ ହେଲେହେଁ ପଦ ବିପୂର୍ବ ହେବ ତ ଅସ୍ତୋକେ ହେ ।୧୫।

 

ଥାଉ ରମଣୀମଣି ମୁଖଚନ୍ଦ୍ର କି ମଣି ମଣିଶିଖରାଳୟମାନେ ।

କେଉଁ ରସଲାଭକୁ ଭକୁଳବୃଷବକୁ ମୋଦେ ପିଅନ୍ତି ପ୍ରତିଦିନେ ହେ ।

ପ୍ରାଣପ୍ରିୟ ।

ବିବୁଧଙ୍କର ବୁଧପଣ ।

ଏହି ବୋଧରୁ ଏକା ଜାଣ ।

ସୁରତଟିନୀତଟ ନିକଟେ ଥାଇ ଘଟ ଜଳୁଁ ଲଭନ୍ତି ସନ୍ତର୍ପଣ ହେ ।୧୬।

 

ଦ୍ୱାରା ଶୋଭିତ ହୁଏ ପଦ୍ମନେତ୍ରା ସ୍ତ୍ରୀଦ୍ଵାରା ସେହିପରି ରସିକର ଯୌବନ ମଣ୍ଡିତ ହୁଏ । ପୁରୁଷଜନ୍ମ ଲୁହା ପରି କଠିନ, ଶିରୀଷଫୁଲ ସଦୃଶ କୋମଳାଙ୍ଗୀ ସ୍ତ୍ରୀ ସ୍ପର୍ଶମଣି ପରି, ସ୍ତ୍ରୀ ସଂସର୍ଗରେ ପୁରୁଷ ସୁନାଠାରୁ ବଳି ତାର (ଉଜ୍ଜଳ) ଦିଶେ, ସଙ୍ଗତି-ସଙ୍ଗମ, ସୁବର୍ଣ୍ଣପାଟଳୀ ... ରୂପଶ୍ରୀ ସୁନ୍ଦର କରିଦିଏ । ୧୩ । ଆକାରବନ୍ତପଣେ-ଆକୃତି ସୌଷ୍ଠବରେ ଓ ‘ଆ’ ଅକ୍ଷର ଅଧିକ ଥିବାରୁ, ରମା-ଲକ୍ଷ୍ମୀ, ରାମା–ସ୍ତ୍ରୀ, ଦ୍ୱିତୀୟା–(ଏଠାରେ) ରାମା, ଗିରେ କହିଲେ-କଥାରେ କହିଲେ ବା ମାଗିଲେ, ପ୍ରଥମା–(ଏଠାରେ) ଲକ୍ଷ୍ମୀ, ଅଜନମୋହିନୀ– ଜନ୍ମ ରହିତ ବିଷ୍ଣୁଙ୍କ ସନ୍ତୋଷଦାୟିନୀ, ଶିଳାଲିଖିତାକ୍ଷର ... ପଥରରେ ଲେଖା ଅକ୍ଷର ପରି ହୃଦୟ ମଧ୍ୟରେ ଲେଖି ରଖ ଯେ, ବାଳା (ସ୍ତ୍ରୀ) ସଂସାରର ସାରଶ୍ରୀ (ସର୍ବୋକୃଷ୍ଟ ଶୋଭା । ୧୪ । ଯେବେ କୋଳରେ ଶିବମୋହିନୀ ଅର୍ଥାତ୍ ରୂପବତୀ ଯୁବତୀ ସ୍ତ୍ରୀ ଥାଏ, ତେବେ ସ୍ଵର୍ଗରେ ବିହାର କରି ହରିହୟ ପଦବୀ (ଇନ୍ଦ୍ରପଦ) ଲାଭ କରି ହରିଚନ୍ଦନବନ (ନନ୍ଦନକାନନ)ରେ ବୁଲିଲେ ମନୁଷ୍ୟ ତହିଁରୁ କଅଣ ଅଧୁକ ସୁଖ ପାଇବ ? ତ୍ରିଦିବ-ସ୍ୱର୍ଗ, ଦିବସବିବସନସୁଷମା-ଦିନରେ ନଗ୍ନଶୋଭା, ଶିବ ସନମତି ଶିବଙ୍କର ଅନୁଗ୍ରହ । ୧୫ । ରତିପତି-କନ୍ଦର୍ପ, ତୀରତିରସ୍କାରଭୀତି-ଶର ଆଘାତ ଭୟ, ଭରମରମଣୀୟ-ସ୍ୱର୍ଣ୍ଣ ପରି ସୁନ୍ଦର, ବର୍ମ–ସାଞ୍ଜୁ, ଲୋକେଶପଦ-ବ୍ରହ୍ମପଦ, ବିପୂର୍ବ ହେବ-‘ପଦ' ଶବ୍ଦ ବି’ ପୂର୍ବ ହେବ ଅର୍ଥାତ୍ ବିପଦ ହେବ, ଅସ୍ତୋକେ ବହୁ ପରିମାଣରେ । ୧୬ । କି ମଣି-କିଅଣ ମନେ କରି, ମଣିଶିଖରାଳୟମାନେ–ଦେବତାମାନେ, ଭକୁଳବୃଷଭ–ନକ୍ଷତ୍ରପତି ଅର୍ଥାତ୍ ଚନ୍ଦ୍ର, (ପୁରାଣରେ ଅଛି ଦେବତାମାନେ ପ୍ରତ୍ୟହ ଚନ୍ଦ୍ରଙ୍କ କଳା ପାନ କରନ୍ତି) । ବିବୁଧ–ଦେବତା, ବୁଧପଣ––ପାଣ୍ଡିତ୍ୟ, ବୋଧ–ବୁଦ୍ଧି, ସୁରତଟିନୀ

 

ମୃଦୁଳାଙ୍ଗୀର ଗିର ବକ୍ରଭାବ ଭଙ୍ଗିର ସମୀପେ ଯାର ଶ୍ରୁତି ଥିବ ।

ମହତୀ କଳାବତୀ କଚ୍ଛପୀର ରବେ ପ୍ରୀତି ଲବେ ତ ତାହାର ନୋହିବ ହେ ।

ପ୍ରାଣପ୍ରିୟ ।

ଶୁକ ପଠନ ଶବଦର ।

ପିକ ପଞ୍ଚମ ନିନଦର ।

ଶ୍ରବଣରେ ତରସ ରସସଙ୍ଗୀ ହରଷ ଜନ୍ମି କି ହୋଇବ ହୃଦର ହେ ।୧୭।

 

ପରମାଦର ଦରପଣବିମ୍ବ ସୋଦର ଗଣ୍ଡମଣ୍ଡଳଠାରେ ଥିଲେ ।

ଇଷ୍ଟ ଦେବର ବର ଲବଧ୍‌ ଗଉରବର ଭାଜନ ସେହି ହୁଏ ଭଲେ ହେ ।

ପ୍ରାଣପ୍ରିୟ ।

ତାହା ସମାନ ନାହିଁ ଧନ ।

ତାହା ସମାନ ସମ୍ମୋହନ ।

ଯାହା ସମାନ ମନ୍ଦ ଲାଲ ଲପନ ଚାନ୍ଦ ପ୍ରମୋଦ ସନ୍ଦୋହ ଦହନ ହେ ।୧୮।

 

ତୁଷାର ବାସ ବାସରହିତ କୃତ୍ତିବାସପରଙ୍ଗରାନ୍ତ ନିଃଶ୍ୱାସ ।

ଯେ ଭୋଗ କରି କରିଗତି ଗଣ୍ଡମକରୀ ସ୍ୱେଦରେ ରଚିବ ନିରାସ ହେ ।

ପ୍ରାଣପ୍ରିୟ ।

ମଳୟବନୀ ମଧ୍ୟଚର ।

ମଧ୍ୟ ଚନ୍ଦନଗନ୍ଧଚୋର ।

କେହି ସେ ପ୍ରଭଞ୍ଜନ ହେବ ତାର ରଞ୍ଜନ ଯାହାର ସ୍ୱଭାବ ଖଚର ହେ ।୧୯।

 

ଚରଣତାମରସ ରସନିଧିର ରସବେଶରେ ଧରି ମୁହୁର୍ମୁହୁ ।

ରଚି ଚୁମ୍ବନ ବନରୁହ ପ୍ରସୂନ ବନ ରତାଳି ନିନ୍ଦା କହୁ କହୁ ହେ ।

ପ୍ରାଣପ୍ରିୟ ।

ଅଲକ୍ତ ଚିତ୍ରିତ କରିବ ।

ସୁଖେ ଯେ ସମୟ ହରିବ ।

ଧ୍ରୁବ ଧାମରୁ ମରୁଦଧିପ ଆଶ୍ରମରୁ ତହୁଁ ଅଧିକ କି ଲଭିବ ହେ ।୨୦।

 

ରସବତୀରଜାକୁ ନିବିଡ଼େ ଯାକୁ ଯାକୁ ଯାକୁ ମିଳିବ ଦେହାନ୍ତର ।

ତା ନାମ ଲେଖା ଲେଖା ଲେଖା ପ୍ରଥମେ ଲେଖା ହୋଇଲା ଅବଶ୍ୟ ବିଚାର ହେ ।

ପ୍ରାଣପ୍ରିୟ ।

ନବ ବୟସ ବିଭୂଷଣ ।

ଶଣଗଉରୀଦେହା ଜାଣ ।

ତାଠାରୁ ପୁରୁଷର ସରେ ଭାଗ୍ୟବିସର ତା ସମ ନାହିଁ ସେହି ପ୍ରାଣ ହେ ।୨୧।

 

ଚଟୁଳତର ଚାଟୁ ରସପ୍ରସରପଟୁ ମୃଦୁଳ ବଚନ ବିଭବ ।

ତୁଲେ କାବ୍ୟ ନାଟକ ଅଳଙ୍କୃତି କଟକ ପରି ହୃଦୟ ହେଉଥିବ ହେ ।

ପ୍ରାଣପ୍ରିୟ ।

ଅନିଶ ଥିବ ଅନୁସରି ।

ଅଖଣ୍ଡ ଧରାଧିପଶିରୀ ।

ସ୍ୱରୂପେ ଶିରୀସଙ୍ଗୀ ଶିରୀଷଅଙ୍ଗୀ ଅଙ୍ଗୀକାର ନ ଥିଲେ ବୃଥା ପରୀ ହେ ।୨୨।

 

-ସ୍ୱର୍ଗଗଙ୍ଗା, ସନ୍ତର୍ପଣ-ସନ୍ତୋଷ, ତୃପ୍ତି । ୧୭ । ମହତୀ–ନାରଦଙ୍କ ବୀଣା, କଳାବତୀ- ତୁମ୍ୱୁରୁଙ୍କ ଗନ୍ଧର୍ବଙ୍କ ବୀଣା, କଚ୍ଛପୀ-ସରସ୍ୱତୀଙ୍କ ବୀଣା, ତରସତସସଙ୍ଗୀ–ଶୀଘ୍ର ରସ ଉନ୍ମେଷକାରୀ । ୧୮ । ଦରପଣ ବିମ୍ବ ... ଦର୍ପଣ ବିମ୍ବ ସୋଦର (ସଦୃଶ) ସ୍ୱଛ ଗଣ୍ଡଦେଶ ଯାହାର, ଭାଜନ-ଗୌରବ ବା ପ୍ରଶଂସା ଲାଭ କରିବାର ଅଧିକାରୀ, ଲପନ-ମୁଖ, ତାହଦହନ ଆନନ୍ଦସମୂହର ଧ୍ୱଂସକାରୀ-।୧୯।-ତୁଷାରବାସ-ଶୀତଳ ଗୃହରେ, ନଗ୍ନ ଅବସ୍ଥାରେ, କୃତ୍ତିବାସପରସଙ୍ଗରାନ୍ତ ନିଃଶ୍ୱାସ–କାମଯୁଦ୍ଧ ଶେଷ ନିଃଶ୍ୱାସ, । ଗଜଗମନା ସ୍ତ୍ରୀର ଗଣ୍ଡସ୍ଥଳରେ ଅଙ୍କିତ ମକରୀ ଚିତ୍ରର ସ୍ଵେଦ (ଝାଳ)କୁ ନିରାସ (ଦୂରୀକରଣ) କରିବ, ମଳୟ ବନୀମଧ୍ୟଚର–ମଳୟପର୍ବତସ୍ଥ ଅରଣ୍ୟ ମଧ୍ୟରେ ବିଚରଣ ମନ୍ଦ-ଧୀର ଓ ଅନ୍ୟ ଅର୍ଥ ନୀଚ, କେହି-କାହୁଁ, ପ୍ରଭଞ୍ଜନ–ପବନ, ରଞ୍ଜନ ପ୍ରୀତିଯୁକ୍ତ, ଖଚର- ଆକାଶଚାରୀ ଅନ୍ୟ ଅର୍ଥ ଖେଚଡ଼ା ବା ବଜାତ୍ । ୨୦ । ଚରଣତାମରସ-ପାଦପଦ୍ମ, ବନରୁହପ୍ରସୂନବନ ରତାଳି-ପ୍ରସ୍ଫୁଟିତ ପଦ୍ମବନରେ ଆସକ୍ତ ଭ୍ରମର, ଆଶ୍ରମ–ସ୍ଵର୍ଗପୁର । ୨୧ । ଅଇକ୍ତ ଅଳତା, ଧୁବଧାମ-ସର୍ବୋଚ୍ଚ ଧ୍ରୁବଲୋକ, ମରୁଦ ରସବତୀ ରଜା-ରସବତୀଙ୍କ ମଧ୍ୟରେ ଶ୍ରେଷ୍ଠା, ଲେଖା-ଦେବତା, ଲେଖା ଲେଖା ଲେଖା ... ଦେବତାମାନଙ୍କ ମଧ୍ୟରେ ପ୍ରଥମେ ଲେଖନୀୟ ହୋଇ ଲେଖା ହୁଏ । ଶଣଗଉରୀଦେହା–ଛଣପଟ

 

କନକଧରାଧରାଧିକାରୀ ପୟୋଧରା ଧରାଉଥିବ ପତଦ୍‌ଗ୍ରହ ।

ଧନଦ ସମ୍ପଦରେ ଦରେ ହେଲେ ଆଦରେ କାହିଁକି ହୋଇବ ଆଗ୍ରହ ହେ ।

ପ୍ରାଣପ୍ରିୟ ।

ବଢ଼ାଉଥିବା ଲାଗି ବାସ ।

ବାସବପଦେ କାହିଁ ଆଶ ।

ଆସରପର ପରସାଦ ପରତାପର ବଶୁଁ କେ ନୋହିବ ତା ବଶ ହେ ।୨୩।

 

ଛାତିରେ ଆଉଜାଇ ଜାଈଦଳ ଶେଯାଇ ଥିବା ଶେଯରେ ସମଜାଇ ।

ରସରଙ୍ଗେ ମଜ୍ଜାଇ ସ୍ମରକୁ ତରଜାଇ ନଖାଗ୍ର ଜଘନେ ବଜାଇ ହେ ପ୍ରାଣପ୍ରିୟ ।

ତା ଈଷଦ୍ଧାସଯୁତ ମୁଖ ।

 

ଚାହିଁ ପାସୋରି ସବୁ ଦୁଃଖ ।

ହରେ ଯେ ଏକ ପରା ପରାଣ ଏକପରା କରି ସେ ମର୍ତ୍ତ୍ୟ ଶତମୁଖ ହେ ।୨୪।

 

ନରେନ୍ଦ୍ରନନ୍ଦନର ନରମ ବଚନର ଶେଷେ ସଚିବ ପୁତ୍ର ମୋଦେ ।

ତା ଭାବ ଅନୁମାନ ମାନସେ କରି ମାନନାରେ ବୋଧିଲା ପ୍ରତିପାଦେ ହେ ।

ପ୍ରାଣପ୍ରିୟ ।

 

ଚନ୍ଦ୍ରିକା ଅନୁସରେ ଯଥା ।

ତୁମ୍ଭ କାମିତ ଶିରୀ ତଥା  

ଲବେ ନାହିଁ ଅନ୍ୟଥା ରସେ ନୁଆଇଁ ମଥା ହରିବା ଯଥା ହୋଇ ବ୍ୟଥା ହେ ।୨୬।

ପ୍ରଚୁର ଅନୁଚର ପ୍ରତ୍ୟକ୍ଷେ ନ ଆଚର କର ମାନସଚର ଚର ।

 

ତାହାକୁ ଚରାଚରସ୍ଥିତ ଉଚ୍ଚ ନୀଚର ଜଣା ହୁଅଇ ସୁବିଚାର ହେ ।

ପ୍ରାଣପ୍ରିୟ ।

କୁନ୍ଦନଅର୍ଥେ ସିନା ମଣି ।

ରଖିଛି ଦଇବ ନିର୍ମାଣି ।

ଇଷ୍ଟଦେବର ବର ପ୍ରସାଦପ୍ରଭାବର ସ୍ୱରୂପ ଅଛ ଦେବ ପୁଣି ହେ ।୨୫।

 

ରସାମୃତ ନିର୍ଝରୀ ନିରତେ ଝରି ଝରି ମୃଦୁଳ ହେବା ହୃଦୟକୁ ।

କବିତା ଦେବୀ ପରିରମ୍ଭେ ତୋଷିଲା ପରି ହରିଣଲକ୍ଷ୍ମ ଉଦୟକୁ ହେ ।

ପ୍ରାଣପ୍ରିୟ ।

ଚନ୍ଦ୍ରିକା ଅନୁସାରେ ଯଥା ।

ତୁମ୍ଭ କାମିତ ଶିରୀ ତଥା ।

ଲବେ ନାହିଁ ଅନ୍ୟଥା ରସେ ନୁଆଇଁ ମଥା ହରିବ ଯଥା ବ୍ୟଥା ହେ ।୨୬।

 

ପ୍ରଚୁର ଅନୁଚର ପ୍ରତ୍ୟେକ୍ଷ ନ ଆଚର କର ମାନସଚର ଚର ।

ତାହାକୁ ଚରାଚରସ୍ଥିତ ଉଚ୍ଚ ନୀଚର ଜଣା ହୁଅଇ ସୁବିଚାର ହେ ।

ପ୍ରାଣପ୍ରିୟ ।

ପୃଥୃଳ ସ୍ଫିଚର କୁଚର ।

ଯେ ଚୀର ଚିରସହଚର ।

ତାହାକୁ ତା ରୁଚିର ସଂସର୍ଗଜଣା ଚୋର ଉପପତିକି କି ଗୋଚର ହେ ।୨୭।

 

ଫୁଲ ପରି ଗୌରବର୍ଣ୍ଣ ଦେହ ଯାହାର, ଭାଗ୍ୟବିସର-ସୌଭାଗ୍ୟରାଶି । ୨୨ । କଟକ-ସ୍ଥାନ, ରାଜଧାନୀ; ଅନିଶ–ସର୍ବଦା, ଅଖଣ୍ଡ ଧରାପଶିରୀ–ସଂପୂର୍ଣ୍ଣ ରାଜଲକ୍ଷ୍ମୀ ସ୍ୱରୂପେ, ଶ୍ରୀସଙ୍ଗୀ–ପ୍ରତ୍ୟକ୍ଷଲକ୍ଷ୍ମୀଙ୍କର ସହଚର । ୨୩ । କନକଧରାଧରାଧିକାରୀ ପୟୋଧରା– ମେରୁ ପର୍ବତ ପରି ସ୍ତନର ଅଧିକାରୀ ଅର୍ଥାତ୍ ବିଶାଳ କୁଚଯୁକ୍ତା । ପତଗ୍ରହ-ପିକଦାନୀ, ଦରେ–ଅଜ୍ଞ, ଟିକିଏ; ଆସରପର-ରାକ୍ଷସଶତ୍ରୁ, ଶମ୍ବରାରି, କନ୍ଦର୍ପ; ପରସାଦ ପରତାପ– ଅନୁଗ୍ରହରୁ ଜାତ ଦାରୁଣ ଯନ୍ତ୍ରଣା। ୨୪ । ସମଜାଇ-ରାଜି ହୋଇ, ଏକପରା–ଏକ ପ୍ରହର, ପରାଣ ଏକପରା କରି–ପ୍ରାଣ ଏକାପରି କରି, ଶତମୁଖ-ଇନ୍ଦ୍ର । ୨୫ । ନରମ ବଚନ– କୋମଳ କଥା, ମାନନାରେ–ସମ୍ମାନ ସହିତ, କୁନ୍ଦନ-ସୁନା, ମଣି-ରତ୍ନ । ୨୬ । ପରିରମ୍ଭ-ଆଲିଙ୍ଗନ, ହରିଣଲକ୍ଷ୍ମ-ଚନ୍ଦ୍ର, ଚନ୍ଦ୍ରିକା– ଜ୍ୟୋସ୍ମା, କାମିତ ଶିରୀ–ଅଭିଳଷିତ ସମ୍ପଦ । ୨୭ । ପ୍ରଚୁର ଅନୁଚର ... ପ୍ରତ୍ୟକ୍ଷରେ ବହୁଭୃତ୍ୟ ସେଠାକୁ ନ ପଠାଅ । ମାନସଚିର-ହଂସ, ଚର-ବାର୍ଭାବହ,

 

ଯେତେ ତରୁଣଗଣ ଗଣନାରେ ନିପୁଣ ଲେଖନ୍ତି ଜଣ ଜଣ କରି ।

ତାଙ୍କ ସୁନ୍ଦରପଣ ପଣନ୍ତେ ପଣ ପଣ କରି ବାନ୍ଧିଛି ତୁମ୍ଭ ଶିରୀ ହେ ।

ପ୍ରାଣପ୍ରିୟ ।

ତଦନୁରୂପ ମନୋରଥ ।

ପୂର୍ଣ୍ଣ କରିବେ ଉମାନାଥ ।

ସେ ରସେ କରଜର କରି ଆମ୍ଭ ନଜର ପଥ ମଣ୍ଡିବ ମନମତ ହେ ।୨୮।

 

କିଶୋରବରଚକ୍ର ଚକ୍ରବର୍ତ୍ତୀଙ୍କ ଶକ୍ର ମଣ୍ଡିଅଛି ଏ ବସୁମତୀ

ବାଞ୍ଚାତୀତ ସମ୍ପଦ ପଦ କିପରି ହୃଦସ୍ଥଳେ ହୋଇବ ମୂର୍ତ୍ତିମତୀ ହେ ।

ପ୍ରାଣପ୍ରିୟ ।

 

ତୁମ୍ଭ ସୁଭାଗ୍ୟ ପୂର୍ଣ୍ଣଚାନ୍ଦ ।

କରିବ ଜଗତୀ ଆନନ୍ଦ ।

ସମ୍ପୂର୍ଣ୍ଣ ହେଲା ହେ ଲାବଣ୍ୟସିନ୍ଧୁ ମହିଳା ସ୍ତବରାଜ ନାମ ଏ ଛାନ୍ଦ ହେ ।୨୯।

 

ସୁରଭୀନିସୂଦନ ସୁରଭିଚୟାବନ ସୁରଭିମାଲ୍ୟ ଆଭରଣ ।

ସୁରଭିତରସ୍ଥିତ ସୁରିମିତତାତ ଅପୂର୍ବ ସୁରଭୀ କାରଣ ହେ ।

ମହାପ୍ରଭୁ ।

ପୁରଭିଦ୍ରଚିତଚରଣ ।

ସୁରଭି କର ଆଚରଣ ।

କର ଭୀଷଣଭରହରଣ ଜଳନ୍ତରମହୀମହେନ୍ଦ୍ରର ଶରଣ ହେ ।୩୦।

 

ସ୍ପିଚ-ପିଚା, ଚୀର–ବସ୍ତ୍ର, ଚୋର ଉପପତି-ଜାରପୁରୁଷ । ୨୮ । ତୁମ୍ଭର ଶୋଭା ଅନ୍ୟ ସମସ୍ତ ରୂପବାନ ଯୁବକଙ୍କର ଅସଂଖ୍ୟ ଶୋଭାକୁ ନିଜ ପଣନ୍ତ କାନିରେ ବାନ୍ଧିଛି, ଅର୍ଥାତ୍‌ ପୃଥିବୀର ସମସ୍ତ ଯୁବକଙ୍କ ମଧ୍ୟରେ ତୁମ୍ଭେ ସୁନ୍ଦରତମ, ନଜରପଥ–ଦୃଷ୍ଟିପଥ । ୨୯ । କିଶୋରବର ... ଶ୍ରେଷ୍ଠ ଯୁବକମାନଙ୍କ ମଧ୍ୟରେ ଯେଉଁମାନେ ପ୍ରଧାନ ତୁମେ ତାଙ୍କର ଇନ୍ଦ୍ରସଦୃଶ । ୩୦ । ହେ ସୂରଭୀନିସୂଦନ-ହେ ଦେବତାଙ୍କର ଭୟବିନାଶକ, ସୁରଭିଚୟାବନ-ଗାଭୀସମୂହର ରକ୍ଷକ, ସୁରଭିମାଲ୍ୟଆଭରଣ–ସୁବାସ ଫୁଲମାଳାଦ୍ଵାରା ଶୋଭିମାନ, ସୁରଭିତର ସ୍ଥିତ-ଦେବତାଙ୍କ ମଧ୍ୟରେ ଅବସ୍ଥିତ, ସୁରଭିମିତତାତ-ବସନ୍ତର ମିତ କନ୍ଦର୍ପର ପିତା କୃଷ୍ଣ, ଅପୂର୍ବ ସୁରଭୀକରଣ-‘ଅ-ପୂର୍ବ ସୁର' ଅର୍ଥାତ୍ ଅସୁର ସେମାନଙ୍କର ଭୟର କାରଣ, ପୁରଭିଦ୍‌ରଚିତ ଚରଣ-ଶିବଙ୍କଦ୍ଵାରା ପୁଜିତ ଚରଣ ଯାହାଙ୍କର । ସୁରଭି କର ଆଚରଣ-ମଙ୍ଗଳବିଧାନ କର, ଭୀଷଣଭରହରଣ–ପୃଥିବୀର ଭୀଷଣ ଭାର ହରଣକାରୀ ।

 

ସପ୍ତଦଶ ଛାନ୍ଦ

ରାଗ – କନଡ଼ା

( ଚନ୍ଦ୍ରକଳାକୁ ଅନଙ୍ଗସୁନ୍ଦରର ଚିଟାଉ )

 

କୁନ୍ଦଲତା ବିନା କେହି ସେ ନବୀନା ପାଶେ ନ ଥିବାର ବେଳେ ।

ଖେଳି ହଂସାବତଂସ ମୋଦ ଜଳେ ।

ଚନ୍ଦନ ମୁଦ ଚିଟାଉ ଦୃଶ କରୁ ଧରି ଚାରୁଚଞ୍ଚୁ ଦଳେ ସେ ।

ମଞ୍ଜୁଳା ।

ସ୍ତମ୍ଭ ସମ୍ଭବୁଁ ସାତ୍ତ୍ୱିକ ପ୍ରସରି ।

ଭ୍ରମେ ବିଚାରିଲା ନବକିଶୋରୀ ।

ମୂର୍ତ୍ତିମନ୍ତ ନବପଲ୍ଲବ ଶବଦ ପ୍ରାନ୍ତର ବିସର୍ଗ ପରି ସେ ।୧।

 

ଚାମୀକରପୃଷ୍ଠ ପଦ୍ମରାଗ ପୀଠ କର ଉପରେ କରି ସ୍ଥିତ ।

କଲା ବଳୟନିନଦେ ସ୍ୱାଗତ ।

କରଜ ମୁଦ୍ରିକା ମଣିମୟୂଖରେ ପାଦ୍ୟ ଦେଲା ବିଧିମତ ସେ ।

ମଞ୍ଜୁଳା ।

 

ପ୍ରମୋଦରେ ଦରେ ଯାହା ହସିଲା ।

ଦରେ ଅର୍ଘଦାନ କରି ତୋଷିଲା ।

ଅମନ୍ଦ ପ୍ରଣୟ ପ୍ରବାହ ଉଦୟ ଆଚମନ ପ୍ରକାଶିଲା ସେ ।

ମଞ୍ଜୁଳା ।୨।

 

ସପ୍ତଦଶ ଛାନ୍ଦ

 

୧ । ହଂସାବତଂସ-ଗୋଟିଏ ରାଜହଂସ, ମୋଦଜଳେ-ଆନନ୍ଦଜନକ ଜଳରେ, ଦୃଶ କରୁଁ –ଦେଖାଉଁ । ମୂର୍ତ୍ତିମନ୍ତ ... ହଂସର ଚଞ୍ଚୁ (ଥଣ୍ଟ) ସାକ୍ଷାତ୍ ରକ୍ତବର୍ଣ୍ଣ ନୂଆପଲ୍ଲବ ପରି, ଚିଟାଉ (ପତ୍ର) ଖଣ୍ଡ ସେହି ପଲ୍ଲବ ଶବ୍ଦର ଶେଷରେ ଲାଗିଥିବା ବିସର୍ଗ(ଃ) ପରି ଆକୃତିବିଶିଷ୍ଟ । ଏହା ଦେଖି ଚନ୍ଦ୍ରକଳା ପ୍ରଥମେ ସ୍ତବ୍‌ଧ ହୋଇଗଲା, ପରେ ତାହାର ଅନ୍ୟ ସାତ୍ତ୍ୱିକଭାବ (ସତ୍ତ୍ୱଗୁଣାଶ୍ରିତସାଧୁଭାବ ସ୍ନେହ ରୋମାଞ୍ଚ ପ୍ରଭୃତି) ପ୍ରସାରିତ ହେଲା । ୨ । ଚାମୀକର-ସୁବର୍ଣ୍ଣ, ପୃଷ୍ଠ-ପାପୁଲିର ପଛପଟ । ପାପୁଲି ପଦ୍ମରାଗମଣିର ପୀଠ ପରି, ବଳୟ (ହାତର ବଳା) ନିନଦେ (ଶବ୍ଦରେ) ସେ ( ସେ ଚିଟାଉକୁ) ସ୍ଵାଗତ କଲା, କରଜ (ଆଙ୍ଗୁଠି) ମୁଦିମାନଙ୍କ କିରଣରେ ପାଠ୍ୟ (ପାଦ ଧୋଇବା ପାଣି) ଦେଲା, ପ୍ରମୋଦରେ ଦରେ (ଅଳ୍ପ କରି) ଯାହା ହସିଲା, ତାହା ଦରେ (ଶଙ୍ଖରେ) ଅର୍ଘ୍ୟ (ପୂଜାପାଣି) ଦେଲା ପରି ହେଲା; ପ୍ରଣୟପ୍ରବାହ ଏଠାରେ ଆଚମନ ପରି । ୩ ।

 

ଢାଳି ଦୟନଇନ୍ଦୀବରଯୁଗଳୀ ଆନନ୍ଦ ଅଶ୍ରୁବିନ୍ଦୁଛଳେ ।

ଘନ କୁସୁମ ବରଷାର ବେଳେ ।

ତିନ୍ତିଯିବା ମଳୟଜ ମୁଦ୍ରାଜାଲ ଶିଥିଳାଇ କୁତୂହଳେ ସେ ।

ମଞ୍ଜୁଳା ।

ସ୍ମର ସାତ୍ତ୍ୱିକ ବିକାର ପାଇଲା ।

ଚମ୍ପାକଳୀ ଅଙ୍ଗୁଳୀ କମ୍ପାଇଲା ।

ତରୁଣ ସ୍ନେହ ସନ୍ଦେହ ଗଣ୍ଠିତୁଲେ ଚିଟାଉଟି ଫିଟାଇଲା ସେ ।୩।

 

ଶିରେ ଲଗାଇବା ସମୟେ ଖସାଇ କରୁ ଅନାୟତ୍ତ ଦମ୍ଭରେ ।

ଭିଡ଼ି ଲଗାଇ ଉରଜକୁମ୍ଭରେ ।

ଓଷ୍ଠପୁଟତଟେ ଧଇଲା କପଟେ ସ୍ନେହଚୁମ୍ବ ଆରମ୍ଭରେ ସେ ।

ମଞ୍ଜୁଳା ।

ମନେ ସ୍ୱପୁଣ୍ୟକୁ ଧନ୍ୟ ବୋଇଲା ।

ମଧ୍ୟଦୃଷ୍ଟି କରି ପୁଣି ଧଇଲା ।

ଅନାଇଲେ ଯତ୍ନେ ବନାଇବା ନବଲେଖ ପତ୍ରିକା ଛଇଳା ସେ ।୪।

 

ଯୁବରାଜ ଅଙ୍ଗୁ ଅଙ୍ଗରାଗସଙ୍ଗୁ କନକ ପାଟ ପରି ଦିଶେ ।

ମିନା ଲେଖା ଅବା ବର୍ଣ୍ଣଧାଟୀ ସେ ।

ମଣିଲା ରମଣୀୟକ ଜଳନିଧି ରମଣୀମଣି ସନ୍ତୋଷେ ସେ ।

ମଞ୍ଜୁଳା ।

ରେଖା ରେଖାକେ ଲେଖାଧିପଶିରୀ ।

ପଦତଳେ କରୁଛି ନଉକରି ।

ବର୍ଣ୍ଣ ବର୍ଣ୍ଣିକରୁ ବଳି ଅର୍ଣ୍ଣବରୁ ପିଇଲା ସୁଧାନିର୍ଝରୀ ସେ ।୫।

 

ଗୁଣ ରୀତି ରସ ଶ୍ଳେଷ ଅନୁପ୍ରାସ ଯମକ ତୁନ୍ଦିଳ ରଚନ ।

ଧୃତିଧ୍ୱଂସୀ ଏକ ଏକ ବଚନ ।

ଲୋଚନ ଆଦି ନିଖିଳ ଇନ୍ଦ୍ରିୟରେ ମଣିଲା ସୁଧାସେଚନ ସେ ।

ମଞ୍ଜୁଳା ।

‘‘ ଆରେ ବାଳା ମହାରାଜକୁମାରୀ ।

ନବନୀତ ଶିରୀଷ ସୁକୁମାରୀ ।

ଧରାମଉଳି ଜଙ୍ଗମ ହେମଚମ୍ପାଝରା ବିଶ୍ୱମନୋହରୀ ରେ ।୬।

 

ବିପ୍ରଯୋଗୀଙ୍କର ସହାୟ ଶଙ୍କରଏହା ଜାଣିଲେ ହେଲେ ଭଲେ ।

ତାଙ୍କ ନାମ ନ ଲେଖିଲି ପହିଲେ ।

ସରିଯାନ୍ତି ଧ୍ୟାନ କରୁ କରୁ ଜ୍ଞାନ ଚନ୍ଦ୍ରଚୂଳ ଜାଳିଦେଲେ ରେ ।

ମଞ୍ଜୁଳା ।

 

ଧୃତି ନ ରେଖା ଯା ଏକ କିରଣ ।

ପ୍ରାଣତୁଲେ ନ କରେ ସେ କି ରଣ ।

ଏ ଘେନି ବିଚାରେ ସମସ୍ତ ପ୍ରକାରେ ତୁହି ଏକା ମୋ ଶରଣ ରେ  ।୭।

ମୋହନ କଳା ମୂର୍ତ୍ତିମନ୍ତ ମନ୍ତର କାରିକା ତାରକେଶାନନା ।

ସୁଧାପୂର୍ଣ୍ଣ ସୁବର୍ଣ୍ଣଘଟସ୍ତନା ।

ପରିଜନ ପରିପାଳନେ ଯାହାର ଉଡ଼େ ଦୟାଳୁତାବାନାରେ ।

ମଞ୍ଜୁଳା ।

ତୋର ନିର୍ସଗ ଚଞ୍ଚଳ ନୟନ ।

କର୍ଣ୍ଣେ ଜପ ହେବାରୁ ପ୍ରତିଦିନ ।

ବନ ଭିତରେ ଭୀତରେ ଅନାରତେ ମୀନଶ୍ରେଣୀ ହେଲା ଲୀନ ରେ ।୮।

 

ମଳୟଜମୁଦ୍ରାଜାଲ– ଚନ୍ଦନରେ ଦିଆଯାଇଥିବା ମୋହର ରୂପ ଆବରଣକୁ ଶିଥିଳାଇ (ହୁଗୁଳା କରି) ତରୁଣ (ଅନଙ୍ଗ ସୁନ୍ଦର)ର ସନ୍ଦେହଗ୍ରଛି ତୁଳେ ( ସାଙ୍ଗରେ) ଚିଟାଉକୁ ଫିଟାଇଲା ଅର୍ଥାତ୍ ଚିଟାଉ ଫିଟାଇବାରୁ ତରୁଣର ସନ୍ଦେହ ଦୂର ହେଲା । ୪ । କରୁ-କରରୁ, ଅନାୟତ୍ତ ଦମ୍ଭରେ-ଧୈର୍ଯ୍ୟ ସମ୍ଭାଳି ନ ପାରି । ୫ । ଯୁବରାଜ–ଅନଙ୍ଗସୁନ୍ଦର, ଅଙ୍ଗରାଗସଙ୍ଗୁ-ଜାଫ୍ରାନ୍‌କେଶର ପ୍ରଭୃତି ଅଙ୍ଗରାଗ ଲାଗିଥିବାରୁ; କନକପାଟ-ହଳଦିଆ ପାଟ, ମିନାଲେଖା–ସୁନାରେ ମିନାକାମ ପରି ସେ ବର୍ଣ୍ଣଧାଟୀ (ଅକ୍ଷର ଧାଡ଼ି) ଦିଶୁଅଛି, ରାମଣୀୟକ–ଶୋଭା, ଜଳନିଧ–ସାଗର, ରେଖା ... ପ୍ରତିଗାର ଲେଖାଧିପ (ଇନ୍ଦ୍ର) ଐଶ୍ଵର୍ଯ୍ୟକୁ ତୁଚ୍ଛ କରୁଛି । ବର୍ତ୍ତବର୍ଣ୍ଣକରୁ–ଅକ୍ଷର ଚିତ୍ରରଙ୍ଗରୁ, ବଳି ଅର୍ଣ୍ଣବରୁ ସମୁଦ୍ରଠାରୁ ଅଧିକ । ୬ । ତୁନ୍ଦିଳ–ପରିପୂର୍ଣ୍ଣ, ରଚନ-ରଚନା, ଧରାମଉଳି ଇତ୍ୟାଦି-ପୃଥିବୀ ମସ୍ତକର ଗତିଶୀଳ ସୁନାଚମ୍ପା ପୁଷ୍ପଗୁଚ୍ଛସ୍ୱରୂପା । ୭ । ବିପ୍ରଯୋଗୀ–ବିରହୀ, (ଶିବ କାମକୁ ଭସ୍ମ କରିଥିବାରୁ) ସେ କାମକ୍ଲିଷ୍ଟ ବିରହୀଙ୍କ ସହାୟ । ଚନ୍ଦ୍ରଚୂଳ-ମସ୍ତକରେ ଥିବା ଚନ୍ଦ୍ରରେଖା, ଧୃତି ନ ରଖେ ... ଯେଉଁ ଚନ୍ଦ୍ରର ଷୋଳକଳାରୁ ଏକ କଳାର କିରଣ (ଶିବଙ୍କ ମୁଣ୍ଡରେ ଥିବା) ଧୈର୍ଯ୍ୟ ନଷ୍ଟ କରି ଦିଏ, ତାହାର ସମଗ୍ର କିରଣ ଜୀବନ ନେବାକୁ ଯୁଦ୍ଧ କରେ ନାହିଁ କି ? (ଚନ୍ଦ୍ରକିରଣ ବିରହୀଙ୍କ ପକ୍ଷରେ ଅସହ୍ୟ) । ୮।

 

ନିଖିଳ ଗୁଣଗଣବତୀ ଯୁବତୀ ସାମନ୍ତାଣୀ ।

କଳକଣ୍ଠ କୂଜନଠାଣି ବାଣୀ ।

ତୋ ସଙ୍ଗୀତବିଦ୍ୟା ତେଡ଼େ ବିଶାରଦା ଶାରଦା ନ ଥିବେ ଜାଣି ରେ ।

ମଞ୍ଜୁଳା ।

ତୁ ଯେ ବିବେକୀଙ୍କ ଶିରୋଭୂଷା ।

ଶେଷଦେବ ହୋଇବେ ଲୋକହସା ।

ଏକ ସହସ୍ରବଦନେ ଆରମ୍ଭିବେ ଯେବେ ତୋହର ପ୍ରସଂସାରେ ।୯।

 

ମଣୁଅଛି ବ୍ରହ୍ମପଦ ତୋର ପଦତଳେ ପଶିଅଛି ଶରଣ ।

ହଂସଭୂଷଣ ହଂସସଞ୍ଚରଣ ।

ରଜୋଗୁଣରାଗ ଜାଗରୂକ ହୋଇ ଦିଶେ ଅତ୍ୟନ୍ତ ଅରୁଣ ରେ ।

ମଞ୍ଜୁଳା ।

ଜନ୍ମ ଆକର ଆକାର ଧରିଛି ।

ନଖକାନ୍ତି ମକରାନ୍ଦି ଝରୁଛି ।

ଚୁମ୍ବନଲାଳସ ହୋଇ ମୋ ମାନସମିଳିନ୍ଦ ଅନୁସରିଛି ରେ ।୧୦।

 

ଭଜିଛି ତୋ ଊରୁଯୁଗକୁ ଅଖଣ୍ଡ ଲକ୍ଷ୍ମୀ ଆଖଣ୍ଡଳ ପଦବୀ ।

ରମ୍ଭାରୁଚି ଯହିଁରେ ଅଛି ସେବି ।

ପୁଲକେ ରୋମଜାଳମୂଳେ ଯାହାର ଭଜେ ଶତକୋଟି ଛବି ରେ ।

ମଞ୍ଜୁଳା ।

ନେତ୍ର ସହସ୍ର ଅର୍ଥେ କିଣା ଯାର ।

ଲୀଳା ଐରାବତ କର ସଞ୍ଚାର ।

ଲେଖାମାନଙ୍କେ ପ୍ରଶଂସାଯୋଗ୍ୟ ରୂପ ଯାହା ସମୀପ ଶଚୀର ରେ ।୧୧।

 

ପତିତ ନେତ୍ରକୁ ଅଦୃଶ୍ୟ ହେବାରୁ ଉଦର ତୋର ବିଷ୍ଣୁପଦ ।

ପାଶେ ନାଭି ବିରାଜନାମ ହ୍ରଦ ।

ତାହା ମଧ୍ୟ ବିକଶିତ ସରୋଜରୁ ପ୍ରସରିବାରୁ ଆମୋଦ ରେ ।

ମଞ୍ଜୁଳା ।

ଧାଇଁଅଛି ରୋମାଳି ଭୃଙ୍ଗରାଜି ।

କୃଷ୍ଣ ଶ୍ରୀଅଙ୍ଗ କଳାକାନ୍ତି ବାଜି ।

ଶେଷଦେବ ଅବା ଅଛନ୍ତି ମଘବାମଣି ନୀଳିମାକୁ ଭଜି ରେ ।୧୨।

 

ମୋହନ ... କାରିକା-ତୁ ବିମୋହନ ମନ୍ତ୍ରଧାଡ଼ି ପରି, ତାରକେଶାନନା–ଚନ୍ଦ୍ରବଦନା, ବନଭିତରେ-ପାଣି ମଧ୍ୟରେ, ଭୀତରେ- ଭୟରେ, ଅନାରିତେ–ସର୍ବଦା । ୯। ବିଶାରଦା-ପଣ୍ଡିତା, ଶାରଦା–ସରସ୍ୱତୀ, ଶେଷଦେବ–(ସହସ୍ରମୁଖ) ଅନନ୍ତଦେବ । ୧୦ । ବ୍ରହ୍ମପଦ-ବ୍ରହ୍ମାଙ୍କ ଐଶ୍ଵର୍ଯ୍ୟ, ହଂସଭୂଷଣ-ହଂସ (ପରମ ବ୍ରହ୍ମ) ଭୂଷଣ (ହୃଦୟାରାଧ୍ୟ) ଯାହାଙ୍କର, ହଂସ (ନୂପୁର) ଭୂଷଣ (ଅଳଙ୍କାର) ଯାହାର । ହଂସସଞ୍ଚରଣ–ହଂସବାହନ ଓ ହଂସ ପରି ଧୀରଗମନ; ରଜୋଗୁଣ ... ବ୍ରହ୍ମା ରଜୋଗୁଣ ବଶବର୍ତ୍ତୀ ହୋଇ ସୃଷ୍ଟି କରନ୍ତି, ତୋ ଚରଣ କୁଙ୍କୁମକେଶରାଦିର ଧୂଳିଦ୍ୱାରା ରକ୍ତବର୍ଣ୍ଣ, ଜନ୍ମଆକର ... ବ୍ରହ୍ମାଙ୍କ ଜନ୍ମସ୍ଥାନ ପଦ୍ମ, ତୋ ଆକୃତି ପଦ୍ମ ପରି ହେବାରୁ ତହିଁରୁ ନଖଶୋଭାରୂପ ମକରନ୍ଦ ଝରୁଛି, ମାନସ ମିଳିନ୍ଦ–ମନରୂପ ଭ୍ରମର । ୧୧ । ତୋ ଜଙ୍ଘ ଦୁହିଙ୍କୁ ଅନନ୍ତ ଶୋଭାପୂର୍ଣ୍ଣ ଇନ୍ଦ୍ରପଦ ଆଶ୍ରୟ କରିଛି । ରମ୍ଭାରୁଚି-କଦଳୀ ଗଛପରି ମନୋହର ଓ ରମ୍ଭା ନାମକ ସ୍ଵର୍ବେଶ୍ୟାଦ୍ଵାରା ମନୋହର, ପୁଲକେ– ରୋମାଞ୍ଚବେଳେ, ରୋମଜାଳମୂଳେ– ରୋମମାନଙ୍କ ମୂଳରେ, ଶତକୋଟି ବଜ୍ର ଓ ବହୁସଂଖ୍ୟକ, ଛବି-ଶୋଭା, ନେତ୍ରସହସ୍ର ଅର୍ଥେ-ସହସ୍ରନେତ୍ର ଇନ୍ଦ୍ରଙ୍କ ପାଇଁ ଏବଂ ଅସଂଖ୍ୟ ଚକ୍ଷୁରୂପ ଧନଦ୍ୱାରା, ଲୀଳା ... ଇନ୍ଦ୍ରତ୍ୱରେ ଐରାବତ ହସ୍ତୀର ଶୁଣ୍ଡ ସଞ୍ଚାଳନ ଶୋଭାପାଏ, ତୋର ଊରୁ ଐରାବତର ଶୁଣ୍ଡାଦଣ୍ଡ ଭଳି, ଲେଖା–ଦେବତା ଓ ଚିତ୍ର ଇନ୍ଦ୍ରତ୍ୱ ଶଚୀଙ୍କ ସମୀପରେ ଥାଏ ଓ ତୋ ଊରୁର ଚିତ୍ର ଶଚୀଙ୍କ ପ୍ରଶଂସନୀୟ । ୧୨ । ପତିତ-ପାପୀ, ଅପୁଣ୍ୟବାନ୍; ବିଷ୍ଣୁପଦ-ବିଷ୍ଣୁଙ୍କ ପାଦ,

 

ନବୋଦ୍ଭବସୁଧାମଧୁରାଧରା ତୋ କୁଚକୁମ୍ଭ ଶମ୍ଭୁଯୁଗଳ ।

ଶିବଲୋକ ଏଣୁ ତୋ ବକ୍ଷସ୍ଥଳ ।

ପଡ଼ିଛି ତହିଁକି ନିଃଶ୍ରେଣୀ ସୋପାନ ରୂପରେ ମାହେନ୍ଦ୍ରନୀଳ ରେ ।

ମଞ୍ଜୁଳା ।

ଚିରନ୍ତନ ପୁଣ୍ୟରୁ ନାହିଁ ଲେଶ ।

ତେବେ ଆରେହୀ ତହିଁ ମୋ ମାନସ ।

ଶଙ୍କର ସାଯୁଜ୍ୟ ଲକ୍ଷ୍ମୀ ଲାଭପାଇଁ କରିଛି ମହା ସାହସ ରେ ।୧୩।

 

ଯେବେ ମୋର ପୂର୍ବ ତପ ଅତି ଖର୍ବ ଘେନ ସୁକୁନ୍ଦବରଦନ୍ତି ।

ଏ ଜଣାଣଯୋଗ୍ୟ ଯେବେ ନୁହନ୍ତି ।

କର୍ମବଳ ତୁଲେ ସିନା ପରବଳେ ଶୁଭାଶୁଭେ ଲୋକ ମତି ରେ ।

ମଞ୍ଜୁଳା ।

ଯେବେ ମୋହର କର୍ମବଳ ନାହିଁ ।

କୃପାନିଧି ରେ ପୂର୍ଣ୍ଣଚନ୍ଦ୍ରମୁହିଁ ।

ସଞ୍ଚିବାକୁ ଧର୍ମ ମୋର ଶୁଭକର୍ମଦାୟିନୀ ହୋଇବୁ ତୁହି ରେ ।୧୪।

 

ଯେ ଧନୀ ତାକୁ ଧାତା ଧନୀ କରିଛି ପ୍ରଭୁ କରିବ ଆଉ କିସ ।

ଯାର ପ୍ରତିଦିବସେ ଉପବାସ ।

ତାହାକୁ ଧନୀ କଲେ ସିନା ପ୍ରସରେ ଭୂବନମଣ୍ଡଳେ ଯଶ ରେ ।

ମଞ୍ଜୁଳା ।

ଶସ୍ୟକେଦାର ଉପକାର ସରେ ।

ବୃଷ୍ଟିକଲେ ଘନ କାର୍ତ୍ତି ପ୍ରସରେ ।

ଜଳଧିରେ ବରଷିଲେ କାହିଁ ଭାଗ୍ୟ ତାହାର ଯେ ଯଶ ଲେଶରେ ।୧୫।

 

ତୁ ବିଶ୍ୱମ୍ଭରାଚକ୍ରବର୍ତ୍ତିକୁମାରୀ ନ ଜାଣୁ ରବିଦରଶନ ।

ଦରଶନକୁ ତହିଁ ମୋର ମନ ।

ସୁରଶାଖିଶିଖାଶାଖାରୁ କୁସୁମ ତୋଳି ଲୋଡ଼ୁଛି ବାମନ ରେ ।

ମଞ୍ଜୁଳା ।

ପ୍ରତି ଜନ୍ମାନ୍ତରେ ହୋଇ ବିମୁଖ ।

ହର ଉଚ୍ଚାରି ନାହିଁ ଯାହା ମୁଖ ।

ସେ ପୁଣି କାମନା କରେ ଲଭିବାକୁ ଗୀର୍ବାଣଗଣନା ସୁଖ ରେ ।୧୬।

 

ଜଗତୀ ଭିତରେ ମୋ ବିନା ଇତରେ ଏପରି ନ ଥିବେ ଦୁର୍ବୋଧ ।

ଏଥି ହୁଅନ୍ତା ମହା ଅପରାଧ ।

ଜାଣୁ ଶିରେମଣି ତୁ ତ ଜାଣି ଜାଣି ନ ଚିନ୍ତିବୁ ଦାସ ବାଧ ରେ ।

ମଞ୍ଜୁଳା ।

ମୋର କରୁଣା ଥିବା ଘେନି ଏକା ।

ଚିତ୍ତେ ହେବାରୁ ମୋ ବିନାଶ ଦକା ।

ଟେକାଇଲୁ କ୍ଷମାଚକ୍ରବାଳେ କ୍ଷମାଜଳଧି ନାମେ ପତାକା ରେ ।୧୭।

 

ନାଭିବିରଜା-ତୀର୍ଥବିଶେଷ ଓ ବିରଜା (ମଳିନତାଶୂନ୍ୟ) ନାଭିଦେଶ, ରୋମାଳି ( ନାଭିନିମ୍ନସ୍ଥ ରୋମରେଖା) ରୁପ ଭ୍ରମରସମୂହ ଧାଇଁଛି କି ? ଅଥବା ଶେଷଦେବ (କୃଷ୍ଣଙ୍କ ଶଯ୍ୟା) କୃଷ୍ଣଙ୍କ ଶରୀର କାଳିମା ଲାଗିବାରୁ କଳା ହୋଇ ରୋମ ରେଖାରୁପରେ ମଘବାମଣି-ନୀଳିମା (ଇନ୍ଦ୍ରନୀଳମଣିର କୃଷ୍ମତ୍ୱ)କୁ ପାଇଲେ କି ? । ୧୩ । ନବୋଭବ ... ନୂତନ ଜାତ ହୋଇଥିବା ଅମୃତଦ୍ୱାରା ମଧୁର ହୋଇଅଛି ଅଧର ଯାହାର, ଶିବଲୋକକୁ ଯିବାପାଇଁ ସେହି ରୋମରେଖାରୂପରେ ଇନ୍ଦ୍ରନୀଳମଣିରେ ତିଆରି ନିଶୁଣି (ପାହାଚ) ପଡ଼ିଛି । ଶଙ୍କରସାଯୁଜ୍ୟଲକ୍ଷ୍ମୀ - ଶିବଙ୍କ ସଙ୍ଗେ ଏକ ହୋଇ ମିଳିଯିବା ସୌଭାଗ୍ୟ । ୧୪ । ଅତିଖର୍ବ–ଅତ୍ୟନ୍ଥ, ସୁକୁନ୍ଦବରଦନ୍ତି–ହେ ସୁନ୍ଦର କୁନ୍ଦପୁଷ୍ପଦଶନା, କର୍ମବଳ ଥିଲେ ଲୋକର ଶୁଭ ବା ଅଶୁଭ କର୍ମରେ ମତି ପ୍ରବଳ ହୁଏ ସିନା । ୧୫ । ପ୍ରଭୁ–ସ୍ଵାମୀ ବା ରାଜା, ଶସ୍ୟକେଦାରେ–ଧାନକିଆରୀରେ, ଉପକାରସରେ––ଉପକାର କରୁଥିବା ପୋଖରୀରେ । ୧୬ । ବିଶ୍ଵମ୍ଭରା ... ପୃଥିବୀର ଶ୍ରେଷ୍ଠ ରାଜାଙ୍କ କନ୍ୟା, ନ ଜାଣୁ ରବିଦରଶନ–ଅନ୍ତଃପୁରସ୍ଥା ରାଜଯୋଷାଙ୍କୁ ଅସୂର୍ଯ୍ୟମ୍ପଶ୍ୟ କୁହାଯାଏ ଅର୍ଥାତ୍ ସେମାନେ ସୂର୍ଯ୍ୟଙ୍କୁ ସୁଦ୍ଧା ଦେଖନ୍ତି ନାହିଁ । ସୁରଶାଖିଶିଖାଶାଖାରୁ-କଳ୍ପବୃକ୍ଷର ଅଗରେ ଥିବା ଡାଳରୁ, ଗ୍ରୀର୍ବାଣଗଣନାସୁଖ-ଦେବତାଙ୍କର ପ୍ରାପ୍ୟ ସୁଖ । ୧୭ । ଦାସବାଧ–ଭୃତ୍ୟର ଅମଙ୍ଗଳ,

 

ଏଡ଼େ ପ୍ରଭୁପଣ ଦେଖାଇବା ଗୁଣ ଶୁଝିବା ଯୋଗ୍ୟ ଯେ ନୋହିଲି ।

ମୁଁ ତୋ ଚାକର ବୋଲି ନ କହିଲି ।

ରାତିଏ ହେଲେ ମୋ ଛାତିକି ସୁପାତି କରି ତତେ ନ ବହିଲି ରେ ।

ମଞ୍ଜୁଳା ।

ମାରି ବୋଲାଉଛି ଯେ ବାହାଦୂର ।

ଦୂର କରି ସେ ରତିନାହାଦର ।

ହେଲି ନାହିଁ ଯେ ତୋ ଜଳଜଜ୍ୱିତ୍ୱର ପାଦର ପୋଛା ଚାଦର ରେ ।୧୮।

 

ଜଗତୀ ବାହାଡ଼ା ସମୟେ ପାହାଡ଼ା ହୁଅନ୍ତି ତୋ ଚରଣତଳେ ।

ଅବା ଜମି ରହନ୍ତି ଲାକ୍ଷାବୋଳେ ।

ହୁଅନ୍ତି ଅବା ଅକପଟେ ମୁଁ ପଟେ ମଣିକଠାଉ ଯୁଗଳେ ରେ ।

ମଞ୍ଜୁଳା ।

ଦାସୀସମୂହେ ଜଣେ ହୋଇ ଅବା ।

କରୁଥାନ୍ତି ତୋ ଶ୍ରୀ ଛାମୁରେ ସେବା ।

ହେମପିକଦାନୀ ଦାନୀ ହୋଇ ମୋର କରେ କରନ୍ତୁ ମଘବା ରେ ।୧୯।

 

ହେବା କ୍ଷଣି ଜଣା ଶ୍ରୀଅଙ୍ଗ ମାଜଣା ସରିବା ସମୟ ପ୍ରବେଶ ।

ସିଞ୍ଚି ଅତର ଉଞ୍ଛା କୁଞ୍ଚା ବାସ ।

ହାଜର ହୋଇବା ଚାହିଁ ପ୍ରକାଶନ୍ତେ ଓଷ୍ଠ ଭିଡ଼ା ମନ୍ଦହାସ ରେ ।

ମଞ୍ଜୁଳା ।

ଲୀଳାଦାର କମ୍ପି ଗଣ୍ଡମଣ୍ଡଳ ।

ମଣ୍ଡି ଝଲକା ମୋତି ପ୍ରତିଫଳ ।

ଚଳାଚଳ ଡୋଳା ଇନ୍ଦୀବରମାଳା ଦୋଳାପରି ହେଉ ଲୋଳ ରେ ।୨୦।

ଚତୁର୍ଦ୍ଦଶ ଲୋକ ସଉନ୍ଦର୍ଯ୍ୟଯାକ ସେକାଳେ ଶ୍ରୀମୁଖରେ ଦେଖି ।

କୃତକୃତ୍ୟ ହୁଅନ୍ତା ବେନି ଆକ୍ଷି ।

ଆଉ ଅବା କେଉଁ ଭାଗ୍ୟ ନ ଦିଅନ୍ତା ତୋ ସେବା କଳପଶାଖୀ ରେ ।

ମଞ୍ଜୁଳା ।

ପୀଠ କରି କଞ୍ଜ-ଦଳ ତଳପ ।

ନିତି କରନ୍ତି ବାଳାମନ୍ତ୍ର ଜପ ।

ରସିକରାଜ୍ୟ ଅଭିଷିକ୍ତ ହୋଇବା ପାଇଁ କରି ସଂକଳପ ରେ ।୨୧।

 

ଲାବଣ୍ୟସରସୀମଧ୍ୟ ବିଳସିତ ସରସୀରୂହମୁଖ ତୋର ।

ତହିଁ ଖେଳିବାର ନେତ୍ର ମନ୍ଦିର ।

ହୋଇବ ସୁଯୋଗା ନୟନ ଅୟନ ଅତିଥି ପୁଣି ମୋହର ରେ ।

ମଞ୍ଜୁଳା ।

ବେଣୀଫଣୀ ଝୁମ୍ପା ଫଣା ଶ୍ରୀହରି ।

ଟେକାଇଲେ ମୋ ଶିରେ ଛତ୍ର କରି ।

ସେହିଦିନ ମୋର ଅଂସ ଅବତଂସ ହେବ ଯୁବରାଜଶିରୀ ରେ ।୨୨।

 

କ୍ଷମାଚକ୍ରବାଳକ-ପୃଥିବୀମଣ୍ଡଳ, କ୍ଷମାଜଳଧି-କ୍ଷମାସାଗର, କ୍ଷମାବତୀ । ୧୮ । ସୁପାତି-ଶଯ୍ୟା, ବାହାଦୁର–ସାହସୀ ବୀର, ଜଳଜଜିତ୍ୱର ଛିପାଦରଯେଉଁ ପାଦପଦ୍ମକୁ ଜିଣିଅଛି । ୧୯ । ଜଗତୀବାହୁଡ଼ା ସମସ୍ତେ ପାହାଡ଼ା–କୋଠାକୁ ଫେରିବାବେଳେ ବାଟରେ ପଡ଼ିଥିବା ବସ୍ତ୍ର, ଲାକ୍ଷାବୋଳେ–ଅଳତାରସରେ, ହେମପିକଦାନୀ ... ମୋତେ-ସୁନା ପିକଦାନୀ ମୋ ହାତରେ ଦେଇ ଅବା ମୋତେ ମଘବା (ଇନ୍ଦ୍ର) କରନ୍ତୁ । ୨୦ । ମାଜଣା-ସ୍ନାନ, ଉଞ୍ଚା କୁଞ୍ଚାବାସ-ସମାନ ଭାବରେ କୁଞ୍ଚା ହୋଇଥିବା ଲୁଗା, ଲୀଳାବର ... ସକୌତୁକ ସେହରେ କମ୍ପୁଥିବା ଗଣ୍ଡଦେଶକୁ ଝଲକା (କାନର ଏକପ୍ରକାର ଭୂଷଣ)ର ମୋତିର ପ୍ରତିବିମ୍ବଦ୍ଵାରା ମଣ୍ଡିତ କରି, ତୋର ଚଳାଚଳ ଡୋଳା ଇନ୍ଦୀବର (ନୀଳପଦ୍ମ) ମାଳାର ଦୋଳା (ଆନ୍ଦୋଳନ) ପରି ହୁଅନ୍ତେ । ୨୧ । ତୋ ସେବାରୂପ କଳ୍ପବୃକ୍ଷ, ପୀଠ–ଉଚ୍ଚାସନ, କଦଳତଳ୍ପପଦ୍ମପତ୍ର ଆସନୀ । ୨୨ । ଲାବଣ୍ୟ ... ତୋର ପଦ୍ମରୂପ ମୁଖ ଲାବଣ୍ୟରୂପ ପୋଖରୀ ମଧ୍ୟରେ କ୍ରୀଡ଼ା କରୁଛି । ଚକ୍ଷୁ ଦୁଇଟି ତହିଁରେ ମନ୍ଦିର ପରି । ମୋ ନୟନ ସେ ମନ୍ଦିରରେ ପୁଣି କେବେ ସୁଯୋଗରେ ଅୟନଅତିଥ (ବାଟୋଇ କୁଳୁଆଁ) ହେବ

 

ତୋ ଅଙ୍ଗଦେଶ ସହଜେ ଅଙ୍ଗଦେଶ କାଶ୍ମୀର ତୋ କୁଚଯୁଗଳେ ।

ଅଛି କୁନ୍ତଳ କୁଟିଳ କୁନ୍ତଳେ ।

କାମରୂପ ପ୍ରତି ଅଙ୍ଗରେ ବସତି କରିଅଛି ସବୁକାଳ ରେ ।

ମଞ୍ଜୁଳା ।

ଭୂପାଳରୁ ତୁ ଲଭିଛୁ ଜନମ ।

କଣ୍ଠେ ଅଛି ମାଳବର ସଙ୍ଗମ ।

ନିଚୋଳ ପ୍ରତିଦିନେ ଲାଗି ହେଉଛୁ କାଞ୍ଚିରେ ମଧ୍ୟ ସୁଷମ ରେ ।୨୩।

 

ତୋ ବିନା ଭବନ ବନ ଘେନି ମନ ଦେଶାଟନେ କଲେ ପ୍ରବେଶ ।

ଦୁଃଖପାସୋରା ଚାତୁରୀ ପ୍ରକାଶ ।

ହୋଏ ବୋଲି ବିଚାରିଲେ ତୋ ତନୁରେ ଅଛନ୍ତି ନିଖିଳ ଦେଶ ରେ ।

ମଞ୍ଜୁଳା ।

ତାହା ବିନା ଗଲେ ଆନ ଦେଶକୁ ।

ଆଉ ପାଇବି କି ସୁଖ ଲେଶକୁ ।

ସକଳ ଦେଶ ଚତୁର ଭାବ ହେବ ଭଜିଥିଲେ ତୋ ପାଶକୁ ରେ ।୨୪।

 

ଭାଗୀରଥୀଧାର ଉର ମୁକ୍ତାହାର ଯମୁନା ନୀଳ ରୋମରାଜି ।

କଣ୍ଠେ ସରସ୍ୱତୀ ଅଛି ବିରାଜି ।

ନର୍ମଦା ଲକ୍ଷଣଯାକ ପ୍ରତିପଦେ ତତେ ସିନା ଅଛି ଭଜିରେ ।

ମଞ୍ଜୁଳା ।

ଓଷ୍ଠ ମାଣିକ୍ୟ ତାରା ଇନ୍ଦ୍ରନୀଳ ।

ନଖ ହୀରକ ଦନ୍ତ ମୋତିଫଳ ।

ରତ୍ନାକର ତୁହିଁ ଏ ଘେନି ନିଖିଳ ତୀର୍ଥ ତୋ ତନୁରେ ଠୁଳ ରେ ।୨୫।

 

ମକରଧ୍ୱଜତାପପାପନାଶିନୀ ଯୋଗ କେଉଁକାଳେ ଘଟିବ ।

ମୋର ମଜ୍ଜନେ କଳୁଷ ତୁଟିବ ।

ଏପରି କରୁଣା କରିବେ କେବେ ତୋ ପୟୋଧରେଶ୍ୱର ଶିବ ରେ ।

ମଞ୍ଜୁଳା ।

ତାଙ୍କ ସମୀପେ ଗୋଦାନ କରିବି ।

କରଟୋଡ଼ି କି ସନ୍ତୋଷେ ଭରିବି ।

ସଂସାର ଗୁରୁ ଯାତନାଯାକ ବିନା ଆୟାସରେ ପାସୋରିବି ରେ ।୨୬।

 

ଗମନେ ତୋହର ଅଛି ନାଗେଶ୍ୱର ଅବଲୋକନରେ ଅଶୋକ ।

ଶ୍ରାଛାମୁରେ ଦାସୀ ଛନ୍ତି ଅନେକ ।

ମୁଖପଙ୍କେରୁହ ଶ୍ରବଣ ପାଟଳୀ ଅଧର ଜୀବ ସ୍ତବକ ରେ ।

ମଞ୍ଜୁଳା ।

ନବ ପଲ୍ଲବ ଚାରୁ ପାଣିପାଦ ।

କଳପଞ୍ଚମାଳାପ କଣ୍ଠନାଦ ।

ଭୃଙ୍ଗଧ୍ୱନି କିଛି ଅରାଜି କରିବା ସମୟ ଉହୁଁ ଶବଦ ରେ ।୨୭।

 

ଅର୍ଥାତ୍ ସତେ ସୁଯୋଗରେ ତୋର ମୋର ଚକ୍ଷୁ ମିଳିତ ହେବ ? ବେଣୀଫଣୀ...ଭଗବାନ ତୋ ବେଣୀରୂପ ସର୍ପୀର ଝୁମ୍ପା (ଫୁଲି) ରୂପ ଫଣାକୁ ମୋ ମୁଣ୍ଡରେ ଛତ୍ରପରି ଟେକାଇଲେ । ସେ ଦିନ ଯୁବରାଜଲକ୍ଷ୍ମୀ ମୋ ଅଂସ ଅବସ (କାନ୍ଧର ଅଳଙ୍କାର) ହେବେ । ଅର୍ଥାତ ମୁଁ ସେ ଦିନ ଯୁବରାଜଶ୍ରୀ କାନ୍ଧରେ ବହିବି । (ଭଗବାନ ମଧ୍ୟ ଫଣୀପଣାକୁ ନିଜ ମୁଣ୍ଡ ଉପରେ ଛତ ପରି । ୨୩ । କାଶ୍ମୀର––ଦେଶବିଶେଷ ଓ ଜାଫ୍ରାନକେଶର, କୁନ୍ତଳ–ଦେଶବିଶେଷ ଓ କେଶ, କାମରୂପ-ଦେଶବିଶେଷ ଓ କନ୍ଦର୍ପର ସୌନ୍ଦର୍ଯ୍ୟ, ଭୂପାଳ–ଦେଶବିଶେଷ ଓ ରାଜା ମାଳବର-ରାଜ୍ୟବିଶେଷର ଓ ଶ୍ରେଷ୍ଠମାଳା, ନିଚୋଳ-ଚୋଳରାଜ୍ୟ ଓ ଉତ୍ତରୀୟ ବସ୍ତ୍ର, କାଞ୍ଚି-ରାଜ୍ୟଖଣ୍ଡ ଓ କଟିଭୂଷଣ ମେଖଳା । ୨୫ । ନର୍ମଦା-ନଦୀ ଓ ସୁଖପ୍ରଦ, ରତ୍ନାକର-ସମୁଦ୍ର ଓ ନାନା ରତ୍ନର ଆଧାର, ମକରଧ୍ୱଜ-ତାପପାପନାଶିନୀ ଯୋଗ-କନ୍ଦର୍ପ ତାପରୂପ ପାପନାଶିନୀ ଯୋଗ ଓ ତାପ ପାପନାଶିନୀ ସମୁଦ୍ର ସ୍ନାନଯୋଗ, ଗୋଦାନ-ଗୋରୁଦାନ ଓ ଚକ୍ଷୁଦାନ ଅର୍ଥାତ୍ ଆଖିରେ ଦେଖିବା । ୨୭ । ନାଗେଶ୍ୱର– ହସ୍ତଶ୍ରେଷ୍ଠ ଓ ନାଗେଶ୍ୱର ଫୁଲ, ଅଶୋକ-ଦୁଃଖର ଅଭାବ ଓ ଅଶୋକ ଫୁଲ, ଦାସୀ––ଭୃତ୍ୟା ଓ ଦାସକେରଣ୍ଟା ଫୁଲ, ପଙ୍କେରୁହ-ପଦ୍ମ, ପାଟଳୀ–ପାଟଳୀ ଫୁଲ, ଜୀବସ୍ତବକ-ବଧୁଲିଫୁଲପେଣ୍ଡା, ଅରାଜି କରିବା

 

କନ୍ଦୁକ କେଳି ଅବସାନେ ସୁମନ୍ଦ ନିଃଶ୍ୱାସ ଚନ୍ଦନ ପବନ ।

ଧନ ତୋ ତନୁ ବାସନ୍ତିକ ବନ ।

ତହିଁ ଯେ ବିହାର କରୁଅଛି ହରବିରୋଧୀ ତୁଲେ ମୋ ମନ ରେ ।

ମଞ୍ଜୁଳା ।

ସେ ତ ପ୍ରଧାନ ପାଟଚ୍ଚର କର --- ଅପହାରକ ବିରହୀ ରଙ୍କର ।

ଧରିଛି ମୋ ମନ ତୋ ରୁଚି ରତନ ତହିଁକି ଉପାୟ କର ରେ ।୨୮।

 

ଦିବସ ରଜନୀ କରି ଇନ୍ଦ୍ରଜାଲ ମାୟାବୀ ଭେଟାଇବା ଦିନ ।

ଯେଉଁ ଶୋଭା ଦେଖିଅଛି ନୟନ ।

ଯେତେ ସୁଭାଗ୍ୟ ଦେଉଛି କେତେ ଜନ୍ମେ ପାସୋରି ପାରିବ ମନ ରେ ।

ମଞ୍ଜୁଳା ।

କଲୁ ମୋଠାରେ ଯେତେ ଅନୁଗ୍ରହ ।

ତହିଁ ପ୍ରମାଣ ଏକା ଅବିଗ୍ରହ ।

ସେ ପୁଣି ଅଦୃଶ୍ୟ ହୋଇଲା ରହିଲା କେଡ଼େ ନିରାଟ ମୋ ଦେହ ରେ ।୨୯।

 

ମୁନେ ଗରଳ ପୁଙ୍ଖରେ ସୁଧା ଦେଇ ବିନ୍ଧିଲୁ ନେତ୍ର କଳମ୍ବରେ ।

ମୋଡ଼ି ଦେଲୁ ଯା ଲଜ୍ଜା ଆଡ଼ମ୍ବରେ ।

ଗର୍ଭରେ ବୁଡ଼ି ପତ୍ରୀ ଭାଜି ରହିଲା ମୋର ମରମ ଶମ୍ବରେ ରେ ।

ମଞ୍ଜୁଳା ।

ଲକ୍ଷା ଛାଡ଼ି ନଥିଲା ମୋ ମୁଣ୍ଡରୁ ।

ସ୍ନେହଚୁମ୍ବ ପାନବୋଳ ଗଣ୍ଡରୁ ।

ଅଧର ବଧୁଲୀ ମଧୁର ମାଧୁର୍ଯ୍ୟ ଛାଡ଼ି ନଥିଲା ତୁଣ୍ଡରୁ ରେ ।୩୦।

 

କୁଚକଲଶୀ କୁଙ୍କୁମ ସଉରଭ ସମ୍ପତ୍ତି ଉରେ ଥିଲା ପୂରି ।

ଶ୍ରୁତିଯୁଗେ ବାଣୀ ସୁଧାନିର୍ଝରୀ ।

ହୃଦୟନଦରେ ପ୍ରସରି ଗଲା ତୋ ପରମ ରସଲହରୀ ରେ ।

ମଞ୍ଜୁଳା ।

ଏ କି କହିବାର କଥା ଇତରେ ।

କେ ବା ସତ୍ୟ କରିବ ଜଗତରେ ।

ତ୍ରିଲୋକ ସମ୍ପଦଯାକ ଜମା ହୋଇଅଛି ନୟନ ଭିତରେ ରେ ।୩୧।

 

ଅନିଚ୍ଛା ପ୍ରକାଶ କରିବା । ୨୮ । କନ୍ଦୁକକେଳି-ପେଣ୍ଡୁଖେଳ, ବାସନ୍ତିକବନ-ନିଆଳୀଫୁଲ । ବଗିଚା, ହରବିରୋଧୀ-କନ୍ଦର୍ପ, ପାଟଚ୍ଚର– ଚୋର, କରଅପହାରକ-ହାତରୁ ଯେ ଚୋରିକରି ନେଇଯାଏ, ରୁଚିରତନ–ସୌନ୍ଦର୍ଯ୍ୟରୂପ ରତ୍ନ । ହେ ଧନ, ତୋ ଶରୀର ରୂପ ନିଆଳୀବନରେ କନ୍ଦର୍ପ ସଙ୍ଗେ ମୋ ମନ ବୁଲୁଅଛି, ପେଣ୍ଡୁଖେଳ ଶେଷରେ ତୋର ଧୀର ନିଃଶ୍ୱାସରୂପ ଚନ୍ଦନ ପବନ; ହାତରୁ ଘେନି ପଳାଇଯିବା ଗୋଟାଏ ବଡ଼ ଚୋରପରି, ମୁଁ ରଙ୍କ (ଦରିଦ୍ର ବିରହୀ) ଅଟେ, ମନରେ ତୋର ଯେଉଁ ସୌନ୍ଦର୍ଯ୍ୟ ରୂପ ରତ୍ନକୁ ଧରିଛି ତାକୁ ସେ ଘେନି ପଳାଇ ଯିବଟି, ସେଥାଇଁ ଉପାୟ କର । ୨୯ । ଇନ୍ଦ୍ରଜାଲମାୟାବୀ (ଐନ୍ଦ୍ରଜାଲିକ) ଦିନକୁ ରାତି କରି ଦେଇ ଯେଉଁଦିନ ତୋତେ ମୋତେ ଏକତ୍ର ମିଳାଇ ଦେଇଥିଲା ସେଦିନ ମୋ ଆଖି ଯେଉଁ ଶୋଭା ଦେଖିଛି, ସେ ଶୋଭା ମୋତେ ଯେତେ ସୌଭାଗ୍ୟ ଦେଉଛି, ଅଶେଷ ଜନ୍ମରେ ମୁଁ ତାହା ଭୁଳିଯିବି କି ? ଅବିଗ୍ରହ–ଅତନୁ, କନ୍ଦର୍ପ (ଏଠାରେ ମନ ?), ନିରାଟନିଷ୍ଣୁର । ୩୦ । ନେତ୍ରକଳମ୍ବ–ଚକ୍ଷୁରୂପ ଶର, ତାହାର ମୁନରେ ବିଷ ଓ ପୁଙ୍ଖ ଅର୍ଥାତ୍ (ବାଣର ପକ୍ଷ ଲାଗିଥିବା) ମୂଳ ଅଂଶରେ ଅମୃତ ଦେଇ ମୋତେ ବିନ୍ଧିଲୁ । ଲଜାର ଆଡ଼ମ୍ବରରେ (ଶୋଭାରେ) ନେତ୍ର ମୋଡ଼ି ଦେଲୁ, ଅର୍ଥାତ୍ ବୁଲାଇ ନେଲୁ ! ସେ ପତ୍ରୀ (ଶର) ମୋ ମର୍ମରୂପ ଶମ୍ବର (ମୃଗର) ଗର୍ଭରେ ପଶିଯାଇ ଭାଜି ରହିଗଲା । ତୋ ପାଦରେ ମୋ ଶିର ଲଗାଇଥିବାରୁ ଲାକ୍ଷା (ତୋ ପାଦର ଅଳତାରଙ୍ଗ) ମୋ ମୁଣ୍ଡରୁ ଛାଡ଼ି ନ ଥିଲା । ୩୧ । ଶୁତିଯୁଗେ (ଦୁଇ କାନରେ) ବଚନରୂପ ଅମୃତର

 

ଇନ୍ଦ୍ରନୀଳଚୁଡ଼ୀ ସଞ୍ଚାର ସୁଷମା ସଞ୍ଚାର କରାଇ ଚରମେ ।

ମଜ୍ଜାଇଲୁ ବ୍ରହ୍ମାନନ୍ଦ ଶରମେ ।

ମାୟା ଅବସାନ ଦଣ୍ଡ ଥିଲା ଏ କରମେ ରେ ।

ମଞ୍ଜୁଳା ।

ଏବେ ନ କଲେ ଏ ସୁଖ ସାକ୍ଷାତ ।

ହେବ ନାହିଁ ଏ ଜୀବନ ରକ୍ଷାତ ।

 

ଦୀନାନୁକମ୍ପନହୀନା ବୋଲି ହେବ ଅଯଶ ତୋହର ଖ୍ୟାତ ରେ ।୩୨।

ବିଚକ୍ଷଣ ଗୁଣନିଧି ଛାମୁକୁ କି ଅଧିକ ମୁଁ ଲେଖି ପାରିବି ।

ଚିଟା ଚିଟାଉରେ ଯେବେ କରିବି ।

ଆୟାସ ଲେଶ ତୋ ଦିବ୍ୟ ଅବଧାନେ ହେଲେ ସଂସାରୁ ସରିବି ରେ ।

ମଞ୍ଜୁଳା ।

ଏଣୁ ହୃଦୟ ହେବାରୁ କାତର ।

କଲି ନାହିଁ ଜଣାଣକୁ ବିସ୍ତାର ।

ବଞ୍ଚାଇ ଘେନିବୁ ଉଚିତାନୁଚିତ ବିଧି ତୁ ସେ ସମସ୍ତର ରେ ।୩୩।

 

ତାଦୃଶ ସୁକୁମାରତର ଶ୍ରୀହସ୍ତ ହୃଦୟ ନୟନ ଯୁଗଳୀ ।

ଧରି ଘେନି ଅନାଇଁ ହେଲେ ଘୋଳି ।

ଏ ଅପରାଧ ମୋର କ୍ଷମା କରିବୁ କ୍ଷମାନିଧି ମୋ ସଙ୍ଖାଳି ରେ ।

ମଞ୍ଜୁଳା ।

ମୁଁ ତୋ ଚରଣେ ଅତଳା ବୋଳୁଛି ।

ପ୍ରିୟସଖୀମାନଙ୍କୁ ସଂଖୋଳୁଛି ।

ତୋ ବେଶ ଅର୍ଥେ ତାହାଙ୍କ ତୁଲେ ଫୁଲବାଟୀରୁ ଫୁଲ ତୋଳୁଛି ରେ ।୩୪।

 

ଝରାମାନିଆ ଶ୍ରବଣ ଅବତଂସ ସରୁ ପାଖୁଡ଼ି ଚନ୍ଦ୍ରହରା ।

ଫୁଲପହଞ୍ଚି ଫୁଲ ମୋତିଝରା ।

ପଚାପତ୍ରୀ ପରା ଚୁନିକି ବସାଇ ଅଙ୍ଗଦ କରୁଛି ତୋର ରେ ।

ମଞ୍ଜୁଳା ।

ରାମ ସୁମିତ୍ରାନନ୍ଦବରଧନ ।

ତାଙ୍କ ଅନୁଜହିଁ ସେହି ସମାନ ।

ରାମଚନ୍ଦ୍ର ଛୋଟରାୟ ଭୂନାଥର ସେ ଦୁହେଁ ଜାବନଧନ ହେ ସୁଜନେ ।’’ ।୩୫।

 

ଝର ପୂରି ରହିଥିଲା । ୩୨ । ଇନ୍ଦ୍ରନୀଳମଣିରେ ନିର୍ମିତ ଚୁଡ଼ିର ସଞ୍ଚା (ଚିହ୍ନ)ର ସୁଷମା (ଶୋଭା)କୁ ମୋ ଚରମେ (ପିଠିରେ) ସଂଚାର କରାଇ (ରଖାଇ) ( ଆଲିଙ୍ଗନଦ୍ଵାରା) ବ୍ରହ୍ମାନନ୍ଦ ଶର୍ମରେ (ବ୍ରହ୍ମପ୍ରାପ୍ତିଜନିତ ଆନନ୍ଦମୟ ସୁଖରେ) ମଜ୍ଜାଇ ଦେଲୁ, (ବୁଡ଼ାଇ ଦେଲୁ), ମାୟା ଅବସାନଦଣ୍ଡେ–ଇନ୍ଦ୍ରଜାଲ ଶେଷରେ, । ଦୀନାନୁକମ୍ପନହୀନା-ଦରିଦ୍ରକୁ ଦୟା କରିବାରେ ଅକ୍ଷମା । ୩୩ । ଚିଟା–ବିରକ୍ତ, ଆୟାସଲେଶ ସାମାନ୍ୟ କଷ୍ଟ । ୩୪ । ଝରାମାନିଆ– ଏକପକାର ଝରା ଲମ୍ବିଥିବା ଫୁଲତୋଡ଼ା, ଶ୍ରବଣଅବତଂସ-କାନଫୁଲ, ଫୁଲପହଞ୍ଚି– ଫୁଲରେ ତିଆରି ପଇଞ୍ଚ ଖଡ଼ୁ, ଚୁନି-ପଦ୍ମରାଗମଣି, ଅଙ୍ଗଦ-ବାହୁଭୂଷଣ । ୩୫ । ସୁମିତ୍ରାନନ୍ଦବରଧନ ତାଙ୍କ ଅନଜ– ସୁମିତ୍ରାଙ୍କର ଆନନ୍ଦବର୍ଦ୍ଧକ ତାଙ୍କ ସାନ ଲକ୍ଷଣ ।

 

ଅଷ୍ଟାଦଶ ଛାନ୍ଦ

ରାଗ-ଆଷାଢ଼ଶୁକ୍ଳ

(ବସନ୍ତ ବର୍ଣ୍ଣନା)

 

ପରବେଶ ହେଲା ସୁରଭିକାଳ ।

ବରବେଶ ହେଲେ ଭୂରୁହକୁଳ ।

ଗରବେ ପ୍ରବଳ ହେଲା ମଦନ ।

ଭରବେ ଜାର ହେଲେ ଯୋଗୀଜନ ।

ପରବେଶ ଚାହିଁ ।

ସରବେ ଭାଳିଲେ ବଞ୍ଚିବା କେହି ।୧।

 

ପଲ୍ଲବ ପାଟଳ ଦିଶିଲା ବନୀ ।

କେଶରଧୂସର ହେଲା ଅବନୀ ।

ଫୁଟିଲା ବିବିଧ କୁସୁମବୃନ୍ଦ ।

ଛୁଟିଲା ବିନ୍ଦୁ ବିନ୍ଦୁ ମକରନ୍ଦ ।

ରସାଳ ମୁକୁଳ ।

ଚାହିଁ ଶ୍ଳଥ ହେଲା ବାମା ଦୁକୂଳ ।୨।

 

ସୁରତିଶ୍ରାନ୍ତ କାମିନୀକୁଚର ।

ସ୍ୱେଦବିନ୍ଦୁ ବୃନ୍ଦ ମୁକୁତା ଚୋର ।

ଲତା ବନିତା ନରତନଗୁରୁ ।

ପ୍ରସରିଲା ମିତ୍ରପୁତ୍ର ଦିଗରୁ ।

ଚନ୍ଦନ ପବନ ।

ପୁଟବାସିତ କଲା ଉପବନ ।୩।

 

ମଳୟବନୀ ଭୁଜଙ୍ଗ ସଙ୍ଗରେ ।

ହରିବାର କାଳ ଗିରିଶୃଙ୍ଗରେ ।

କଳନା କଲେହେଁ ନାନା ଆଗମ ।

ମାନ୍ୟ ଲକ୍ଷଣ ତ୍ୟାଗେ ନୋହି କ୍ଷମ ।

ଡରେ ନ କମ୍ପିଲା ।

କେ ପୁଷ୍ପିତା ବନିତାକୁ ଝାମ୍ପିଲା ।୪।

 

ଅଷ୍ଟାଦଶ ଛାନ୍ଦ

 

୧ । ସୁରଭିକାଳ-ବସନ୍ତ ସମୟ, ଭୂରୁହକୁଳ-ବୃକ୍ଷମାନେ, ବରବେଶ ହେଲେ-ବିବାହୋଚିତ ସୁନ୍ଦର ବେଶରେ ମଣ୍ଡିତ ହେଲେ, ଭରବେ–ଭ୍ରମର ଧ୍ଵନି ଶୁଣି, ଜାର-କାମକ । ୨ । ପଲ୍ଲବପାଟଳ–ନବପତ୍ରଦ୍ଵାରା ପାଟଳବର୍ଣ୍ଣ, ବନୀ–ଅରଣ୍ୟଭୂମି, କେଶରଧୂସର- ପୁଷ୍ପପରାଗରେ ଧୂଳିମୟ, ରସାଳମୁକୁଳ–ଆମ୍ବ ବଉଳ, ଶ୍ଲଥ-ଢିଲା, ବାମାଦୁକୁଳ–ସ୍ତ୍ରୀମାନଙ୍କର ପିନ୍ଧା ପାଟଶାଢ଼ୀ । ୩ । ଲତା-ବନିତା– ନରତନଗୁରୁ-ଲତାରୂପ ସ୍ତ୍ରୀମାନଙ୍କୁ ନଚାଇବାରେ ଗୁରୁସ୍ଥାନୀୟ । ମିତ୍ରପୁତ୍ରଦିଗରୁ–ସୂର୍ଯ୍ୟଙ୍କ ପୁତ୍ର ଯମଙ୍କ ଦିଗରୁ ଅର୍ଥାତ୍ ଦକ୍ଷିଣ ଦିଗରୁ । ପୁଟବାସିତ କଲା ଉପବନ-ବଗିଚାମାନଙ୍କୁ ସ୍ଥାୟୀ ସୌରଭମୟ କଲା । ୪ । ମଳୟବନୀ ଭୁଜଙ୍ଗ ସଙ୍ଗରେ–ମଳୟବନର ସାପ ସଙ୍ଗରେ, କଳନା କଲେହେଁ-ଜାଣିଥିଲେହେଁ, ଆଗମ-ଶାସ୍ତ୍ର,

 

ଦେଖି ଶାଖୀଙ୍କ ପରସ୍ପର କଳି ।

ଝଙ୍କାର ହୁଙ୍କାରେ ମଧ୍ୟରେ ମିଳି ।

ଭଲା ଭଙ୍ଗାଇ ଦେଲେ ଭୃଙ୍ଗମାନେ ।

ଫୁଟି ବାସିଲେ ସେ ଯେ ଯାହା ସ୍ଥାନେ ।

ଥିଲେ ଭଲ ଲୋକ ।

ନୁହଇ କି ସମ ବିଷମଯାକ ।୫।

 

ହେଲା ପଲାଶମୁକୁଳ ପ୍ରକାଶ ।

ସଲୋହିତ ସିଂହନଖ ସଦୃଶ ।

ତହୁଁ ପଛଘୁଞ୍ଚା ଦେଇ କୁଞ୍ଚରେ ।

ଲୁଚିବାର ଆନ କୁଞ୍ଜପୁଞ୍ଜରେ ।

ତାହା ଚାହିଁକରି ।

ହସିଲା ନବମାଳିକା ବଲ୍ଲରୀ ।୬।

 

ଶାଖାମାନଙ୍କେ ରଖି ପଦକ୍ରମ ।

ବିଯୋଗି ବିଧ୍ୱଂସ ଅଥର୍ବୋପମ ।

ପଞ୍ଚମସ୍ୱରେ କଳକଣ୍ଠ ଦ୍ୱିଜ ।

ପକ୍ଷପାତ କଲେ ଅନଙ୍ଗ ଓଜ ।

ଏକାକୀ ଡରିଲେ ।

ଦମ୍ପତି ସୁଖେ ବନେ ବିହରିଲେ ।୭।

 

କାଳକଳତ୍ର ଦିଗେ ଯାହା ପ୍ରୀତି ।

କଳି ଆରମ୍ଭରୁ ଯାହା ଉତ୍ପତ୍ତି ।

ଯେ ପ୍ରସରନ୍ତେ ଜାତିକାହିଁ ନାହିଁ ।

ସୁନାରୀ ପୁଷ୍ପିତ ହୋଇଲା ତହିଁ ।

ବିପଟ ମଧୁପେ ।

ଉନ୍ମତ୍ତ ହେଲେ ତା ଦେଖି ସମୀପେ ।୮।

 

ଇତର ତରୁଭାଗ୍ୟ ଦେଖି ପାଶେ ।

ଅଳିସଙ୍ଗ ଭୋଗ ଲଭିବା ଆଶେ ।

ସୁନ୍ଦର ଗନ୍ଧଫଳିବୃନ୍ଦମିଷେ ।

ସ୍ୱଶାଖା ଅଙ୍ଗ ସକଳ ପ୍ରଦେଶେ ।

ଜାଳି ଦୀପଚୟ ।

ଚମ୍ପାଲତା କଲା ବ୍ରତୋପଚୟ ।୯।

 

ଆଳୀଙ୍କି ଘେନି ଯୁମତୀନିଚୟ ।

ରସେ ରଚିଲେ କୁସୁମାବଚୟ ।

ନିମଗ୍ନ ହୋଇ ପରମ ହରଷେ ।

ବିହିଲେ ସଂଳାପ ବିବିଧ ରସେ ।

କେ ବୋଲେ ସହୀକି ।

ପୁରୁଷେ ଏଡ଼େ ବିଶ୍ୱାସ କାହିଁକି ।୧୦।

 

ପୁଷ୍ପିତା ବନିତା-ପବନ ଫୁଲ ଫୁଟିଥିବା ଲତାରୂପ ସ୍ତ୍ରୀକୁ ଆକ୍ରମଣ କଲା । ୫ । ଶାଖୀ-ବୃକ୍ଷ ନୁହଇ କି ସମ ବିଷମଯାକ-ପରସ୍ପର ବିରୁଦ୍ଧ ଭାବ ସମତାପ୍ରାପ୍ତ ହୁଏ ନାହିଁ କି ? । ୬ । ସଲୋହିତ… ସିଂହର ଲାଲ ନଖ ପରି, କୁଞ୍ଜରେ-ହାତୀମାନେ, ଆନ କୁଞ୍ଜପୁଞ୍ଜରେ–ପଲାଶ ଭିନ୍ନ ଅନ୍ୟ ବୃକ୍ଷକୁଞ୍ଜମାନଙ୍କରେ, ନବମାଳିକାବଲ୍ଲରୀ– ନିଆଳୀଫୁଲ ଲତା । ୭ । ଶାଖା-ଡାଳ ଓ ବେଦର ବିଭିନ୍ନ ଶାଖା, ପଦକ୍ରମ-ପଦବିକ୍ଷେପ ଓ ବିଭକ୍ତିଯୁକ୍ତ ଶବ୍ଦର କ୍ରମ, ବିଯୋଗିଧ୍ୱଂସଅଥର୍ବୋପମ-ବିରହୀମାନଙ୍କୁ ମାରିବାରେ ଅଥର୍ବବେଦୋକ୍ତ ମାରଣ ମନ୍ତ୍ର ସଦୃଶ, କଳକଣ୍ଠ ଦ୍ୱିଜକୋକିଳରୂପ ବ୍ରାହ୍ମଣ, ଅନଙ୍ଗ ଓଜ–କାମଶକ୍ତି (ପ୍ରତି), ପଞ୍ଚମସ୍ୱରେ ପକ୍ଷପାତ କଲେ, ବ୍ରାହ୍ମଣ ପକ୍ଷରେ) ସୁକରେ ବେଦମନ୍ତ୍ରପାଠ କରି କନ୍ଦର୍ପର ପକ୍ଷ ଗ୍ରହଣ କଲେ; (କୋକିଳ ପକ୍ଷରେ) ପଞ୍ଚମସ୍ୱରରେ ଗୀତ ଗାଇ ବୁଲିଲେ । ୮। କାଳକଳତ୍ରଦିଗେ––ଦକ୍ଷିଣ ଦିଗରେ, କଳି ଆରମ୍ଭରୁ-ଫୁଲରେ କଢ଼ ହେବା ଦିନରୁ, ଯେ-ଯେଉଁ ମଳୟପବନ ଜାତିକାହିଁ ନାହିଁ ... ମାଳତୀଫୁଲ ମଧ୍ୟ ଫୁଟେ ନାହିଁ (ମାଳତୀ ବସନ୍ତରେ ଫୁଟେ ନାହିଁ), ସୁନାରୀ–ଏକପ୍ରକାର ଅରଣ୍ୟ ବୃକ୍ଷ, ବିଟପ-ଜାର, ମଧୁପେ––ଭ୍ରମରମାନେ ।୯। ଚମ୍ପାଲତା ଭ୍ରମରକୁ ଆକର୍ଷଣ କରିବାପାଇଁ ଗନ୍ଧଫଳିବୃନ୍ଦମିଷେ (ଚମ୍ପାକଢ଼ ସମୂହ ବ୍ୟାଜରେ) ନିଜ ସର୍ବ ଶରୀରରେ ଦୀପ ଜାଳି ବ୍ରତଜନିତ ପୁଣ୍ୟର ଉପଚୟ (ବୃଦ୍ଧି) କଲା । ୧୦ । କୁସୁମାବଚୟ– ଫୁଲତୋଳା । ୧୧ । ମୋ

 

ଆଉ କେ କହେ କାହିଁକି ନୋହିବ ।

ଅଶୋକ ତ ତତେ କଲା ଦଇବ ।

ମୁଖେ ରଖିଅଛୁ ମଲ୍ଲିକା ହାସ ।

କାହିଁକି ନ କରିବୁ ପରିହାସ ।

କେ ପୁଣି ବୋଇଲା ।

ମୋ କରେ ଛୁରୀଅନା ରେ ଛଇଳା ।୧୧।

 

ପୁନ୍ନାଗମୟ ହେବାରୁ କେ ବାଳା ।

ବହି କେ ଅଂସରେ କେଶରମାଳା ।

ମାରି ତା ଉରୋଜକୁମ୍ଭେ କରଜ ।

ସିନ୍ଧୁବାର କଳି ମାଳିକାବ୍ରଜ ।

ମୁକୁତା ବିଞ୍ଚିଲା ।

ବାରଣଦାରଣଲୀଳା ବାଞ୍ଛିଲା ।୧୨।

 

ମିଳିନ୍ଦେ ଯୂଥକଳି ମୁଖେ ଧରି ।

ରବବ୍ୟାଜେ ବଜାଇଲେ ମଧୁରୀ ।

ଭୃଙ୍ଗୀ ଆରମ୍ଭିଲେ ମଙ୍ଗଳ ଗୀତ ।

କଳକଣ୍ଠଯାକ ହୋଇ ସଂଘାତ ।

ହୋଇ ମଦଲୋଳ ।

ଉଲୁଳୁ ପୂର୍ଣ୍ଣ କଲେ ଜଳସ୍ଥଳ ।୧୩।

 

ତରୁ କରୁଛନ୍ତି ସେବା ପ୍ରକଟ ।

କେ ହୋଏ ଫଳ ଫୁଲ ଧରି ଭେଟ ।

ନବ କିଶଳୟ ପାଟ ଆଲଟ ।

ଘେନି କେ ବିଜନେ ହେଲା ଲମ୍ପଟ ।

କେଉଁ ଶାଖୀ ନଟ ।

ଉଡ଼ାଇଲା ବ୍ୟୋମ ପରାଗପାଟ ।୧୪।

 

କରକ ଘେନିଲା ସ୍ୱଫଳ ଘଟ ।

ପର୍ଣ୍ଣ ସରିକି ହେବାରୁ ଦୁର୍ଘଟ ।

ମୋଠାରେ କେ କଳା ବୋଲି କପଟ ।

କରୀର ମନେ ହେଲା ଛଟପଟ ।

ଅଳି – ଯୋଗକୂଟ ।

କେଉଁ ବଲ୍ଲରୀ ଚାହେଁ ମଟ ମଟ ।୧୫।

 

ହୋଇ ଅନିଳସୂତ୍ରଧାର ଚାଟ ।

ପୁଷ୍ପଭୂଷଣେ ହୋଇ ଝଟ ଝଟ ।

ଉଗାଳି ମଦନଭୂପତି ବାଟ ।

କେଉଁ ଲତିକା ଆରମ୍ଭିଲା ନାଟ ।

କେଉଁ ତରୁଭାଟ ।

ପକ୍ଷିରବେ ସ୍ତୁତି କଲା ନିରାଟ ।୧୬।

 

କରେ ଛୁରୀଅନା– ମୋ ହାତରେ ଛୁରୀ ଅଛି ଦେଖ, ମୋ ହାତରେ ଛୁରୀଅନା ଫୁଲ । ୧୨ । ପୁନ୍ନାଗମୟ–ନାଗେଶ୍ୱର ପୁଷ୍ପମଣ୍ଡିତ, ପୁନ୍ନାଗ-ନାଗେଶ୍ଵର, ଅଣ୍ଡିରାହାତୀ; ଅଂସରେ-କାନ୍ଧରେ, କେଶରମାଳା– ନାଗେଶ୍ଵରଫୁଲ ମାଳା ଓ ସିଂହର ସଟାସମୂହ, ଉରୋଜ କୁମ୍ଭସ୍ଥଳରେ, କରଜ-ନଖ, ସିନ୍ଧୁବାରକଳିମାଳିକାବ୍ରଜ-ବେଗୁନିଆକଢ଼ିର ମାଳସବୁ ବାରଣଦାରଣଲୀଳା-ସିଂହର ହାତୀ ମାରିବା କ୍ରୀଡ଼ା । ୧୩ । ମିଳିନ୍ଦେ-ଭ୍ରମରମାନେ ଯୁଥିକଳି–ଯୁଇଫୁଲ କଢ଼, ମଧୁରୀ–ମହୁରୀ, କଳକଣ୍ଠ-କୋକିଳ, ସଂଘାତ-ମିଳିତ, ଉଲୁଳୁ-ହୁଳହୁଳି ଧ୍ୱନି । ୧୪ । ଉଡ଼ାଇଲା ... କେଉଁ ବୃକ୍ଷ ନଟ ହୋଇ ଆକାଶର (ପୁଷ୍ପଧୂଳି) ରୂପ ପାଟ ଉଡ଼ାଇଲା । ୧୫ । କରକ-ଡାଳିମ୍ବ, ପର୍ଣ୍ଣସରିକି ହେବାରୁ କରଡ଼ିରେ ପତ୍ର ପର୍ଯ୍ୟନ୍ତ ନ ଥିବାରୁ, କରୀର-ଗଜାବାଉଁଶ ବା କରଡ଼ୀ, ଅଳିଯୋଗକୂଟ–ଭ୍ରମରମିଳନରୂପ କପଟ (ପ୍ରକୃତି ପୁରୁଷ ମିଳନ) । ୧୬ । ଅନିଳସୁତ୍ରଧରଚାଟ-ପବନରୂପ ପ୍ରଧାନ ନଟର ଶିଷ୍ୟ । ୧୭ । ଫଳକରେ କରୀ ହୋଇ ବିକଟ-ଡାଳରେ ପ୍ରଚୁର ଫଳ

 

ଫଳକରେ କରୀ ହୋଇ ବିକଟ ।

କେତେ ବିଟପୀ ବେଶେ ହେଲେ ଭଟ ।

ବିରହୀନିନ୍ଦା ଶସ୍ତ୍ରକୁ ଅକାଟ ।

ଜିଣିମାରେ କି ସେ ସମର୍ଥ ଥାଟ ।

କି ରସିକ ହାଟ ।

ସବୁରି ପ୍ରୀତି କିଣିବାରେ ହଟ ।୧୭।

 

ନିକୁଞ୍ଚ ସଞ୍ଚାରେ ନାହିଁ ଆକଟ ।

ନାନାବିଧ ସୁଖ ଅତି ନିକଟ ।

ଦମ୍ପତିଭିତରେ ରଟେ କଟ କଟ ।

ପ୍ରତି ସଙ୍କେତ ଲତା ଚାହେ ଖଟ ।

ସରିଗଲା ଲଟ ।

ଚଳି ଯୋଗୀଏ ଛିଣ୍ଡାଇଲେ ଜଟ ।୧୮।

 

କେ ବାସ କରି କେଳୀବାପୀ ତଟ ।

ପାସୋରି ଦେଲେ ପିନ୍ଧିବାର ପଟ ।

ରଖିଲେ ମାତ୍ରକ ପ୍ରଚ୍ଛଦପଟ ।

ରସ ଅବଶ ହୋଇଲେ ନିପଟ ।

ଯାଠାରେ କପଟ ।

ଧାତା ଖେଳିଛି ତାହାରି ଅପଟ ।୧୯।

 

ନ ମାନି ଭବ ଶାର୍ଦ୍ଦୂଳ ଝପଟ ।

ଯେ ଜନେ ବାନ୍ଧିଥିଲେ ଯୋଗପଟ ।

ବାଜିବାରୁ ମନମଥ ଚପେଟ ।

ନ କଲେ କେ କାହାକୁ ଉଚ୍ଚପେଟ ।

ତାଳ ପହପଟ ।

ହେଲା ସବୁରି ତଳେପରେ ସ୍ଫୁଟ ।୨୦।

 

ହେବାରୁ ହୃଦ ଅନଙ୍ଗ ଆଖେଟ ।

ଧଇର୍ଯ୍ୟଶିଳାଘଟିତ କବାଟ ।

ଅତରକିତେ ହୁଅନ୍ତେ ବିପାଟ ।

ବିହରିଣୀ ଏକାନ୍ତ ଚିତ୍ରପଟ ।

କରି ସ୍ନେହଘୋଟ ।

ମଣ୍ଡିଲେ ନିଜ ବକ୍ଷୋଜସଂପୁଟ ।୨୧।

 

କାହା ଛାର ମଦ ହୋଇବ ମୋଟ ।

ହୋଇଲା ହରଧୃତି ଯହିଁ ଛୋଟ ।

ଜନମୁ ଆମ୍ଭେ ନୋହୁ ବୋଲି ବିଟ ।

ଯେଉଁମାନେ ବାନ୍ଧିଥିଲେ ମୁକୁଟ ।

ରଟନ୍ତେ କୁକ୍‌କୁଟ ।

ଜୀବ ହେଲା ତାକୁ ଶତ ଶକଟ ।୨୨।

 

ବିରହେ ବନ୍ଧା ହେବାରୁ ଜକଟ ।

ସଂଖାଳି ହେବାରୁ ନୀରଜକଟ ।

କରି ନ ପାରି କ୍ରୋଧ ଅପ୍ରକଟ ।

କେ କାହାକୁ ବୋଲେ ରେ ଶରକଟ ।

ମନକୁ ଚକଟ ।

ଆମ୍ଭକୁ ତ ତହୁ ନାହିଁ ବକଟ ।୨୩।

 

ଭଲ ହୋଇ ଅସ୍ତ ନୋହୁ ପତଙ୍ଗ ।

ଅଭିସାରିକା ହେଲେ ଚଙ୍ଗଚଙ୍ଗ ।

ପିକ ନୟନ ଦିଶିଲା ତ ରଙ୍ଗ ।

ସପୁଷ୍ପରଜ ଅନିଳ ତରଙ୍ଗ ।

ବାଜି ଯୁବଅଙ୍ଗ ।

ଚମକି ଲୋଡ଼ିଲେ ତରୁଣୀସଙ୍ଗ ।୨୪।

 

ଶୂନ୍ୟ ପୂର୍ଣ୍ଣ ହେଲା ସ୍ମରନିଷଙ୍ଗ ।

ସବୁଠାରେ ତାହାର ପରସଙ୍ଗ ।

ଫିଙ୍ଗି ରତଅଭିଳାଷୀ ଅପାଙ୍ଗ ।

ଠାରିଲେ ହେଲେ ଯା ନ ଘେନି ଖଙ୍ଗ ।

ମଣ୍ଡିଲେ ଉତ୍ସଙ୍ଗ ।

ଯହିଁ ଅପରିଚିତାର ଏ ଢଙ୍ଗ ।୨୫।

 

ଲତାବଳୀ ଗୁଚ୍ଛେ ଖେଳନ୍ତେ ଭୃଙ୍ଗ ।

ମଣି ତାହାକୁ ଳୀଳା ଭୂରୁଭଙ୍ଗ ।

ସଂଯମୀକି ପୀଡ଼ା ଦେଲା ଅନଙ୍ଗ ।

ଚଳି ନ ପାରି ହେଲେ ଥଙ୍ଗ ଥଙ୍ଗ ।

ଯେ ଜାତି ଭୁଜଙ୍ଗ ।

ସେ ନାରୀ ସଙ୍ଗେ ନ କଲେ କି ରଙ୍ଗ ।୨୬।

 

ସେ ଋତୁ ନବ ଋତୁମତୀ ହେଲା ।

ନେତ୍ରକୁ ନବକୁସୁମେ ମଣ୍ଡିଲା ।

ପ୍ରତିଦିନ ଗତି ହୋଇଲା ମନ୍ଦ ।

ରଦ ବରଷିଲା ନୋହେ ମରନ୍ଦ ।

କୁନ୍ଦବିକସନ ।

ମନ୍ଦାର ଅଧର ମନ୍ଦ ହସନ ।୨୭।

 

ନାନା କିଶଳୟ ଚିତ୍ର ବସନ ।

ଯୁବା ବିହାର ସୁରତ ବ୍ୟସନ ।

ଦକ୍ଷିଣ ବାତ ସୁରଭି ଶ୍ୱସନ ।

ଚାହାଣୀ ଚଞ୍ଚଳ ମରନ୍ଦାଶନ ।

ମଲ୍ଲିକା ଦଶନ ।

ବହଳ ପୁଷ୍ପଧୂଳି ତା ଆସନ ।୨୮।

 

ନିଜ ସଉରଭ ଅଧିବାସନ ।

ପଙ୍କଜପାନକ ପାନବାସନ ।

ଯୁବରଞ୍ଜନ ଯାହା ଦରଶନ ।

କେତକୀତନୁ କେଡ଼େ ପରସନ ।

ବିବେକନାଶନ ।

ଗିର ତାହାର କଳକଣ୍ଠସ୍ୱନ ।୨୯।

 

ଏପରି ଦେଖି ସେ ଋତୁଲକ୍ଷଣ ।

କୋଟିସଂଖ୍ୟକ ଯୁଗ ହେଲା କ୍ଷଣ ।

ଅନଙ୍ଗସୁନ୍ଦର ସୁବିଚକ୍ଷଣ ।

ଭ୍ରମାଇଲା ପ୍ରତି ଦିଗେ ଈକ୍ଷଣ  

 

ନ କଲା ବୀକ୍ଷଣ ।

ହରିକ୍ଷାଣୀ ବିନା ଆଉ ଆନ ରକ୍ଷଣ ।୩୦।

 

ଚିଟାଉ ସଙ୍କେତ ସମୟ ଆସି ।

ହେବାରୁ ହୃଦୟସ୍ଥଳବିଳାସୀ ।

ହେଲା ସେ ଧୃତିଧରାଧରଶମ୍ଭ ।

ଦିଶିଲା ନାହିଁ କାହିଁ ଅବଲମ୍ବ ।

ମୋହ ଅନ୍ଧକାର ।

କଲା ଚେତନା – ଚନ୍ଦ୍ରକୁ ଧିକ୍‌କାର ।୩୧।

 

ଚାହିଁ ତା ତାହା ପ୍ରିୟ ସହଚର ।

ଶୂନ୍ୟ ମଣି ବିଶ୍ୱ ସଚରାଚର ।

କୃଷ୍ଣପ୍ରତିପଦା ରଜନୀମୁଖ ।

ଅଙ୍କେ ଧଇଲା କି ସୁଧାମୟୂଖ ।

ସେହିପରି କୋଳେ ।

ଧଉଲା ଯୁବରାଜକୁ ବିକଳେ ।୩୨।

 

ତରଙ୍ଗ– ଫୁଲପରାଗଯୁକ୍ତ ପବନର ଲହରୀ । ୨୫ । କାମନିଷଙ୍ଗ-କନ୍ଦର୍ପର ଶରମୁଣା, ଶୂନ୍ୟ ପୂର୍ଣ୍ଣ ହେଲା – ଶୂନ୍ୟଦ୍ୱାରା ପୂର୍ଣ୍ଣ ହେଲା ଅର୍ଥାତ୍ ସମ୍ପୂର୍ଣ୍ଣରୂପେ ଶୂନ୍ୟ ହୋଇଗଲା ( ମାରିବା ହେତୁରୁ । ପରସଙ୍ଗ-ପ୍ରସଙ୍ଗ, ଖଙ୍ଗ–ଅସୁଖ । ୨୬ । ଜାତିଭୁଜଙ୍ଗ- ସ୍ୱଭାବତଃ ବିଟ । ୨୭ । ମରନ୍ଦ-ମକରନ୍ଦ । ୨୮ । ଦକ୍ଷିଣବାତ ... ମଳୟ ପବନ ସୁଗନ୍ଧଯୁକ୍ତ ନିଃଶ୍ୱାସ ପରି ହେଲା । ଚାହାଣି ଚଞ୍ଚଳ ମରନ୍ଦାଶନ- ମରନ୍ଦାଶନ (ଭ୍ରମର) ଚଞ୍ଚଳ ଚାହାଣୀ ହେଲା । ୨୯ । ଅଧିବାସନ-ଗନ୍ଧମାଲ୍ୟଦ୍ୱାରା ସଂସ୍କାର, ପଙ୍କଜପାନକ...ପଦ୍ମରୂପ ପାନପାତ୍ର, ପାନ ବାସନ (ପାନ ରଖିବା ଡବା) ହେଲା । । ୩୦ । କ୍ଷଣକ କୋଟି ସଂଖ୍ୟକ ଯୁଗ ପରି ହେଲା । ଅନଙ୍ଗସୁନ୍ଦର–ଯୁବରାଜଙ୍କ ନାମ, ଈକ୍ଷଣ-ଆଖି, ବୀକ୍ଷଣ-ଦର୍ଶନ । ୩୧ । ସେ ଧୂତିଧରାଧରଶମ୍ବ ହେଲା-ଚନ୍ଦ୍ରକଳାଠାରୁ ପାଇଥିବା ପତ୍ର ଧୈର୍ଯ୍ୟପର୍ବତ ନାଶ ପକ୍ଷରେ ( ବଜୁ) ହେଲା । ୩୩ । ଶ୍ରବଣେ କେ ଦେଲା ବଦନ ବାତ-କିଏ କାନ

 

ନ ଲଭି ତା ମୃଦୁ ବଦନବାତ ।

ଶ୍ରବଣେ କେ ଦେଲା ବଦନାବତ ।

ଘନସାରମିଶା ପନୀର ପାଣି ।

ନୟନ ଯୁଗରେ ଲଗାଇ ପୁଣି ।

ଲପନେ ସିଞ୍ଚିଲା  

କରକମଳ ବ୍ୟଜନେ ବିଞ୍ଚିଲା ।୩୩।

 

ପୁଣି କେ କରି ଧମନୀ ପରୀକ୍ଷା ।

ବୋଇଲା ଜଗଦୀଶ କର ରକ୍ଷା ।

ଶ୍ରୁତି ସମୀପେ ଡାକିଲେ ଏ ଗିର ।

ଅଖଣ୍ଡ ଧରାଖଣ୍ଡଳ କୁମାର – ବୀର ଅଧୀଶ୍ୱର ।

ନବ କୋଟି ବାହାରୋହପ୍ରବର ।୩୪।

 

ଚତୁରୀ ଚକ୍ଷୁ ଚକୋର ଚନ୍ଦ୍ରମା ।

ଭାରତୀ ସାରକେଳି କଳାସୀମା ।

ଯାଚକ ମନୋରଥ କଳ୍ପଶାଖୀ ।

ଦେଉ ମହାଦେଈ ଦୁହିକି ଆଖି ।

ନବ ଯୁବରାଜ ।

ଶ୍ରୀ ଅଙ୍ଗ କି ଲାଗୁଅଛି କି ଆଜ ।୩୫।

 

ସେ ପୁରେ ସେପରି ଚହଳ ଜାଣି ।

ପ୍ରତାବ କଣ୍ଠୀରବ ନୃପମଣି ।

ଅଗଦଙ୍କାରରାଜକୁ ଅଣାଇଁ ।

ପୁଚ୍ଛନ୍ତେ ସେ ଜଣାଇଲେ ମଣାଇ ।

ତାହାଙ୍କୁ ମନକୁ ।

ଦେବ ଆଦୁ ଦିବ୍ୟ ଅବଧାନକୁ ।୩୬।

 

ଶ୍ରୀହସ୍ତ ଦେଖି ବିଚାରିଲୁଁ ଦେବ ।

ବିଷମ ପ୍ରହର ପର୍ଯ୍ୟନ୍ତେ ହେବ ।

ଚନ୍ଦ୍ରକଳା କର ପଡ଼ିଲେ ରାତି ।

ଶାନ୍ତ ହେବ ସେ ଅତନୁତପତି ।

 

ମଣି ନରପତି ।

ଚିନ୍ତାରେ ନିମଜ୍ଜାଇ ଦେଲେ ମତି ।୩୭।

 

ଅରୁଣ ଉଦୟେ ସେ ଦିନ ନିଶି ।

ସ୍ୱପ୍ନେ ଧରଣୀସୁର ଜଣେ ଆସି ।

ଆଶିଷ ଦେଇ ସେ ନରପତିକି ।

ପ୍ରବୋଧି କହିଲେ ଗିର ଏତିକି ।

ଶୁଣ କ୍ଷମାଧବ ।

ମହାମହିମବସନ୍ତମାଧବ ।୩୮।

 

କାମକଳାରେ ବିଜେ କରିଛନ୍ତି ।

କାମକଳାପ କଳାପ ମୂରତି ।

ତାହାଙ୍କ ରଙ୍ଗ ରାଜୀବ ଚରଣ ।

ବିଲୋକେ ତୋ ପୁତ୍ର ଅପମରଣ ।

କେବଳ ବଞ୍ଚିବ ।

ଅନ୍ୟଥା ରଖି ନ ପାରନ୍ତି ଶିବ ।୩୯।

 

ଏହା କହି ହେଉ ଅନ୍ତରହିତ ।

ହୋଇଲା ପ୍ରଭାତିକ ନଉବତ ।

ଶୁଭିଲା ବନ୍ଦିବୃନ୍ଦ ସ୍ତୁତିବାଦ ।

ଶୁଦ୍ଧାନ୍ତାକାନ୍ତାଜନଭୂଷାନାଦ ।

ଧରି ହରିନାମ ।

ଅପହୁଡ଼ ହେଳେ ନୃପସତ୍ତମ ।୪୦।

 

ଫୁଙ୍କିଲା । ଘନସାର କର୍ପୂର, ଲପନ–ମୁଖ । ୩୪ । ଧମନୀ–ନାଡ଼ି, ବାହାରୋହପ୍ରବର–କ୍ଷତ୍ରିୟବଂଶଜାତ । ୩୫ । ଭାରତୀ ସାରକେଳିକଳାସୀମା–ହେ ସରସ୍ୱତୀଙ୍କ ସଙ୍ଗୀତ ବିଦ୍ୟାରେ ପରମପ୍ରବୀଣ, ଦେଉ-ରାଜା, ମହାଦେଈ-ରାଣୀ । ୩୬ । ପ୍ରତାପୀ କଣ୍ଡୀରବ ନୃପମଣି–ପ୍ରତାପସିଂହ ରାଜା, ଅଗଦଙ୍କାରରାଜ –ବୈଦ୍ୟରାଜ । ୩୭ । ବିଷମ ପ୍ରହର ପର୍ଯ୍ୟନ୍ତ ହେବ–କ୍ଲେଶକର ଅବସ୍ଥା ପ୍ରହରକାଳ ହେବ । ଚନ୍ଦ୍ରକଳା କର-ଚନ୍ଦ୍ରଙ୍କ କଳାର କିରଣ ଓ ଚନ୍ଦ୍ରକଳା ନାୟିକାର ହସ୍ତ । ଅତନୁତପତି-ଶୂନ୍ୟ, ତାତି ଓ କନ୍ଦର୍ପ ଜ୍ୱଳା । ୩୮ । ଧରଣୀସୁର– ବ୍ରାହ୍ମଣ, କ୍ଷମାଧବ-ରାଜା, ବସନ୍ତମାଧବ– ଦେବତା ବିଶେଷ । ୩୯ । କାମକଳା-ନଗରୀର ନାମ, କାମକଳାପ କଳାପ ମୂରତି-କମନୀୟ ମୟୁରପୁଚ୍ଛରେ ବିଚିତ୍ର ବର୍ଣ୍ଣ ମୂର୍ତ୍ତି ଯାହାଙ୍କର । ଅପମରଣ––ଅପମୃତ୍ୟୁ । ୪୦ । ନଉବତ– ନହବତ ବାଜା, ବନ୍ଦିବୃନ୍ଦ-ଭାଟ ସମୂହ,

 

ହୋଇଲା କାଠିଲାଗି ଅବକାଶ ।

ମନ୍ତ୍ରିବରଙ୍କୁ କଲେ ଫରମାସ ।

ମାଧମମାସ ବଳକ୍ଷ ପକ୍ଷରେ ।

କାମକଳାଖ୍ୟ ନଗରୀ ମୁଖ୍ୟରେ ।

ଶ୍ରୀ ମାଧବଙ୍କର ।

 

ହେବ ବାସନ୍ତିକ ଯାତ୍ରା ପ୍ରବର ।୪୧।

ମୋ କୁଳନିଳୟ ନେତ୍ରସମ୍ପଦ ।

ନ ଲଭିବାକୁ ମହାମୋହପଦ ।

ଦରଶନକୁ ଯିବ ଯୁବରାଜ ।

ତହିଁ ସମୁଚିତ ସମ୍ଭାର ସଜ ।

ଏ ନିଦେଶ ଗିର  

ଉଷ୍ଣୀଷ କଲା ସଚିବପ୍ରବର ।୪୨।

 

ଶେଷବିଳାସରୁ ଲଭି ବିରାମ ।

ଅଶେଷବିଳାସୀ ଯେଉଁ ଶ୍ରୀରାମ ।

ଏକ ରଥାଙ୍ଗ ପରିତ୍ୟାଗ କଲେ ।

ଦଶରଥାଙ୍ଗରୁ ସମ୍ଭୂତ ହେଲେ ।

ରଚଇ ପ୍ରଣତି ।

ତାଙ୍କ ଚରଣେ ଜଳନ୍ତର ପତି ।୪୩।

 

ଶୁଦ୍ଧାନ୍ତକାନ୍ତାଜନ–ଅନ୍ତପୁରସ୍ଥା ସ୍ତ୍ରୀମାନଙ୍କର । ୪୧ । କାଠିଲାଗି ଅବକାଶ- ଦାନ୍ତ ଘଷିବା ବେଳ । ମାଧବ ମାସ–ବୈଶାଖ ମାସ, ବଳକ୍ଷ ପକ୍ଷରେ- ଶୁକ୍ଲପକ୍ଷରେ । ୪୨ । ମହାମୋହପଦ–ମୂର୍ଚ୍ଛାପ୍ରାପ୍ତି, ଉଷ୍ଣୀଷ-ପଗଡ଼ି, ଶିରୋଧାର୍ଯ୍ୟ । ୪୩ । ଶେଷ ବିଳାସ-ସର୍ପରାଜ ଶେଷଦେବଙ୍କ ଉପରେ ଶୋଇବାରୂପ ବ୍ୟସନ । ଏକ ରଥାଙ୍ଗ ପରିତ୍ୟାଗ କଲେ- ଏକ ଚନ୍ଦ୍ର ମଧ୍ୟ ସଙ୍ଗରେ ରଖି ନ ଥିଲେ । ଦଶରଥାଙ୍ଗ– ଦଶରଥଙ୍କ ଶରୀରରୁ ।